ରୁଟି ବିକାଳି
ରୁଟି ବିକାଳି
"ଶହଶହ ଲୋକ ଜମିଛନ୍ତି।ଘଟଣା କ'ଣ? ହୋ ହାଲ୍ଲାରେ ନଈ ପଠାଟା ଯେମିତି ଏକ ପରିବାହାଟର ଭ୍ରମ
ସୃଷ୍ଟି କରୁଛି। ଏହା ବି ଠିକ୍ ଯେ, ଏହି ମୃତା ସ୍ତ୍ରୀ ଲୋକଟା ଦେହରେ ଅବଶ୍ୟ ସାମାନ୍ୟ କିଛି ଖଣ୍ଡିଆ ଖାବରା ଦାଗ ସ୍ପଷ୍ଟ ଦେଖାଯାଉଛି। ଗତ କାଲି ରାତି ଘଟଣାଟା। ମୃତ୍ୟୁ ପଛରେ କେଉଁ ଘଟଣାଟା ଅଛି ସମସ୍ତେ ଯାହା ଅନୁମାନ କରୁଛନ୍ତି କିନ୍ତୁ ମୁହଁ ଖୋଲି କହିପାରୁ ନାହାଁନ୍ତି। ବିଭିନ୍ନ ମିଡ଼ିଆ ବାଲା ପୋଲିସ ବାବୁଙ୍କୁ ମାଇକ୍ରୋଫୋନ୍ ଦେଖଉଛନ୍ତି।ହେଲେ ତଦନ୍ତ ପରେ ଘଟଣାର ସ୍ପଷ୍ଟୀକରଣ ଦେଇ ହେବ ବୋଲି ପୋଲିସ ବାବୁ ରୋକ୍ ଠୋକ୍ କରିଦେଉଛନ୍ତି।ସନ୍ଧାନୀ କୁକୁର ବି ଆସିଲାଣି।ସିଧା ଶବ ପଡ଼ିଥିବା ସ୍ଥାନରୁ ଶିଶୁ ମନ୍ଦିର ପରିସରକୁ ଏକ ମୁହାଁ ହୋଇ ଦଉଡୁଛି।ଏଥର ଗୋଟିଏ ଜାଗାରେ ବାରମ୍ବାର ଶୁଙ୍ଘି ଚାଲୁଛି।"
ମାତ୍ର ତିରିଶ ଟଙ୍କା।ରୁଟି ତଡକା।ରୁଟି ଭଜା ସନ୍ତୁଳା ମାତ୍ର ତିରିଶ। ନିଅନ୍ତୁ ବାବୁ ନିଅନ୍ତୁ। ପ୍ରତ୍ୟେକ ଦିନ ଠିକ୍ ରାତି ଆଠଟାରେ ସେଇ ନିର୍ଦ୍ଧିଷ୍ଟ ସ୍ଥାନରେ ସୁନ୍ଦରୀର ମଧୁର ପାଟିଟା ପୂର୍ବଭଳି ଶୁଭୁଥାଏ। ନାଁ ଟା ସିନା ସୁନ୍ଦରୀ ହେଲେ ରୂପରେ ଗୁଣରେ ବି କେଉଁ ସୁନ୍ଦରୀଙ୍କଠାରୁ କମ୍ ନ ଥିଲା ସେ।ଦୁଇଟା ଛୁଆର ମାଆ ବୋଲି କେହି ବି ତାକୁ କହିବେନି।ସବୁ ସେଇ ସମୟର ଖେଳ।ଘରୁ ଗୋଡ଼ କାଢି ନଥିବା ସୁନ୍ଦରୀ ଆଜି ବାଧ୍ୟ ହୋଇ "ରୁଟି ବିକାଳି" ସାଜିଛି।ଦୁଇଟି ଅଖା ବ୍ଯାଗ୍ରେ ଆଣିଥିବା ରୁଟି ତଡକା ଓ ଭଜା ସନ୍ତୁଳା ବିକ୍ରି ହୋଇଗଲେ ବାସ୍ ଘରକୁ ପଳାଏ।ଯାହା ଦି'ପଇସା ଏଥିରୁ ବାହାରେ ନିଜର ଗରୀବ ପରିବାର ସୁରୁଖୁରୁରେ ଚଳିଯାଏ। ପରିବାର କହିଲେ ଘରେ ଛୋଟ ଛୋଟ ପୁଅଝିଅ ଦୋଓଟି।ତଳ ଉପର ହୋଇ ପାଠ ପଢ଼ୁଛନ୍ତି। ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଯାଇଥିବା ସ୍ଵାମୀଟା ବି ତା'ର(ସୁନ୍ଦରୀ) ରୋଜଗାର ଉପରେ ପ୍ରତିପୋଷିତ।କିନ୍ତୁ,ଆଜି ସବୁ ଶେଷ।
ଏଥର ଘଟଣା ତଦନ୍ତ ଚାଲିଛି।
ନାଁ ଠିକଣା ବି ବୁଝାସରିଲାଣି।ଏସବୁ ଜନସାଧାରଣଙ୍କ ପ୍ରତ୍ୟକ୍ଷ ସାକ୍ଷ୍ଯ ବୟାନରୁ ପ୍ରମାଣ ମିଳିସାରିଲାଣି। ସେ ସମୟ ଥିଲା। ଦୋଷୀକୁ ଧରିବାକୁ ବହୁ ବର୍ଷ ବି ବିତିଯାଉଥିଲା।ବହୁ ସମୟରେ ଦୋଷୀ ବି ଖସିଯାଉଥିଲା ସବୁଦିନ ପାଇଁ।।ଆଜି କିନ୍ତୁ ସେ ସମସ୍ୟାର ସମାଧାନ ଶୀଘ୍ର ସହଜରେ ହୋଇପାରୁଛି ଅଧିକାଂଶ ଜାଗାରେ, ଏଇ ସିସିଟିଭି ଫୁଟେଜ ମାଧ୍ୟମରେ।ତନ୍ନାଘନ୍ନା ଚାଲିଛି।
ଦେଖନ୍ତୁ ସିସିଟିଭି।
"ଆଲୋ ହେଇ ! ରୁଟି ବିକିବା କ'ଣ ନିହାତି ଦରକାର?ଆସୁନୁ ଆମ ସାଙ୍ଗରେ ।ଏକ ମାସ ପାଇଁ ରୁଟିବିକା ରୋଜଗାରଟା ମିଳିଯିବ।ଯଦି ଚାହିଁବୁ ସବୁଦିନେ ରାଣୀ
କରି ତୋତେ ରଖିବୁ।"**ଏ ଥିଲା ଗତ ରାତି ଦଶଟାର କଥା।ରୁଟି ଦି'ପଟ ବିକ୍ରି ନ ହେବାରୁ ସୁନ୍ଦରୀ ଟିକେ ଗରାଖୀଙ୍କୁ ଅପେକ୍ଷା କରିଥିଲା। ଠିକ୍ ଏହି ସମୟରେ ହଠାତ୍ ସବୁ କିଛି ବଦଳିଗଲା।କିଏ ଜାଣିଥିଲା ରୁଟିକିଣିବା ଗରାଖୀ ବଦଳରେ ନିରୋଳା ଦେଖି ଦୁଇ ଜଣ ଦୃବୁତ୍ତ ସୁନ୍ଦରୀର ମୁହଁରେ ରୁମାଲ ଭର୍ତ୍ତି କରି ଅପହରଣ କରି ନେଇଯିବେ ବୋଲି!
ସେ ସୁନ୍ଦରୀକି ଗୋଟିଏ କଳା ପଲ୍ସର ବାଇକ୍ର ମଝିରେ ବସେଇ ନେଇ ଯାଉଛନ୍ତି,ଯାହା ସିସିଟିଭିର କଏଦୀରୁ ସ୍ପଷ୍ଟ ଦୃଶ୍ୟମାନ।ରହିଗଲା ଏଥର ଦୋଷୀଙ୍କୁ ଚିହ୍ନଟ ପ୍ରକ୍ରିୟା। ନିଶ୍ଚୟ ଗଣ ଦୁଷ୍କର୍ମ ଓ ମର୍ଡର।"ସମୟର ନିଷ୍ଠୁର ଓ ନିର୍ମମ ଚାବୁକ୍ ପାହାର। ବେଳେ ବେଳେ ଜୀବନର ପଶାପାଲିରେ ବାରମ୍ବାର ଏମିତି ହାରିଯାଇ ନିଜକୁ ବଳି ଦେବାକୁ ପଡିଥାଏ ବିନା ଦୋଷରେ । ଠିକ୍ ଯେମିତି ସୁନ୍ଦରୀର କପାଳରେ ଭାଗ୍ୟ ଆଜି ଯାହା ଲେଖି ଦେଲା।ମାଆ ପକ୍ଷୀଟି ଆଜି ନିର୍ମମ ବ୍ୟାଧ କବଳରେ ଜୀବନ ଦେଇଦେଲା। ପକ୍ଷୀ ଶାବକ ଦୋଓଟି ଓ ଡେଣାହରା ଅକର୍ମଣ୍ୟ ବାପଟା କ'ଣ କରିବେ ? ଆଉ ବୋଧେ ସେଠି "ରୁଟି ନିଅନ୍ତୁ ବାବୁ"ଡାକଟା କେବେ ବି ଶୁଣିବାକୁ ମିଳିବନି।
ଧନ୍ୟ ହେ ଈଶ୍ୱର। ଏଇ କ'ଣ ତୁମର ବିଚାର? ଗରୀବ ଆଖିରେ ଲୁହ ଦେଖିବାକୁ ତୁମକୁ କ'ଣ ସତରେ ଭଲ ଲାଗେ? ଦୀନବନ୍ଧୁ ନାମଟା ତୁମର ବଦଳେଇ ଦିଅ ଏଥର। ମନରେ ବେଳେ ବେଳେ ପ୍ରଶ୍ନ ଆସେ,ଏଇ ରାକ୍ଷସ ମାନଙ୍କୁ କ'ଣ ଦୁନିଆଁରେ ଜନ୍ମ କରାଇବା ନିହାତି ଦରକାର? ରାକ୍ଷସଙ୍କୁ ବଧ କରିବାକୁ ତୁମେ କୁଆଡେ଼ ଅବତାର ନିଅ। କାହିଁ ଆଜି କ'ଣ ନୀରବ ରହିଲ? ଇଏ କି ଅନ୍ତରପ୍ରାନ୍ତର ନୀତି? ସର୍ବଶକ୍ତିମାନ ହୋଇଛ ବୋଲି ଯାହା ତୁମ ଇଚ୍ଛା ତାହା କରୁଛ। କ'ଣ ପାଇଁ ଏ ସବୁ? ବୋଝ ଉପରେ ନଳିତା ବିଡା କେବଳ କ'ଣ ଏହିଭଳି ସୁନ୍ଦରୀ ମୁଣ୍ଡେବେ ! କି ଅପରାଧ କରିଥିଲା ସୁନ୍ଦରୀ?
କେବେ ମିଳିବ ଏ ରୁଟି ବିକାଳି ସୁନ୍ଦରୀକୁ ନ୍ୟାୟ ? ତାର ପିଲା ଦୋଓଟି କ'ଣ ଉପାସରେ ମରିଯିବେ ? ତା'ର ଅକର୍ମଣ୍ୟ ସ୍ଵାମୀଟା କ'ଣ ଗୋଟାଏ ଜାଗାରେ ପଡ଼ି ଏମିତି ଲୁହ ଝରାଇବ?
ଏହାର ଉତ୍ତର କିଏ ଦେବ? ତୁମେ, ଏ ଆଇନ୍ ନା ମୋର ପାଠକ ମାନେ?
କେବେ ସୁଧୁରିବ ଏ ସମାଜ? କେବେ ଏ ନରାଧମ ମାନଙ୍କର ବିନାଶ ହେବ? କେବେ ମାଆଜାତିକୁ ସେମାନଙ୍କର ପ୍ରାପ୍ୟ ନ୍ୟାୟ ମିଳିବ? ନାରୀ ସଶକ୍ତିକରଣ ଓ ନାରୀ ସ୍ବାଧୀନତା କ'ଣ ଏଇୟା?ଆଉ କେତେ ନିର୍ଭୟା କେତେ ସୁନ୍ଦରୀ ଏମିତି ବଳି ପଡିଲେ ତୁମମାନଙ୍କ ମନ ଶାନ୍ତି ହେବ? ବାଃ ବାଃରେ ଦୁନିଆଁ.......। ଏମିତି ମୁଁ ନିଜେ ନିଜେ କହିକହି ଆସୁଥିଲି। ମେଡିକାଲ କ୍ଯାମ୍ପସରୁ ମିସେସ୍ କହିଲା ଆଜି ପୁଅ ଡିସ୍ଚାର୍ଯ ହେବ।