ରାତିକ ସ୍ଵାମୀ
ରାତିକ ସ୍ଵାମୀ
ଏଇ ବୋଧେ ଆଜିକାର ପ୍ରେମ.।ଯା'ହେଲାଣି ଆଜି କାଲି କେମିତି ଏ ବାପା ଓ ମାଆ ଉପାଧିଗୁଡା ସମ୍ମାନ ବଦଳରେ ଖାଲି ଅପବାଦର ପୁରସ୍କାରମାନ ପାଉଛନ୍ତି ଏ ପିଲାମାନଙ୍କୁ ଜନ୍ମ ଦେଲାପରେ ।ମଣିଷ କରିବାକୁ ଚାହୁଁ ଚାହୁଁ ଏ ପିଲାଗୁଡାକ ଅମଣିଷ ହୋଇ ଯାଉଛନ୍ତି କେତେବେଳେ ତାହା ବି ଜଣା ପଡୁନି ।ବାପା ମାଆଙ୍କ ମୁହଁରେ କାଳି ବୋଳିବା ଏ ପିଲା ମାନଙ୍କର ନିତିଦିନିଆ ଅଭ୍ୟାସ ହୋଇଗଲାଣି। ଏଇଟା ବି ସତ୍ଯ,ଆଜିକାଲି କୋଉ ବାପା ମାଆ ନିଜ ଛାତିରେ ହାତରଖି କହିପାରିବେନି ଯେ ନିଜ ପିଲାମାନେ ସଇ ସୁନା ବୋଲି। କିନ୍ତୁ ଏ ପିଲାମାନେ ପ୍ରେମ ନଈର ବୟସ ଜୁଆରେ ଜଳକ୍ରୀଡା କରୁକରୁ ପ୍ରାୟ ବୁଡ଼ି ଆତ୍ମ ବିସର୍ଜନ କରୁଥିବାର ଅନେକ ନଜିର ରହିଛି।ଏହା କହିବାର କାରଣଟା ହେଉଛି କେହି ବି କଳ୍ପନା ସୁଦ୍ଧା କରି ନ ଥିଲେ ବେବୀ ଭଳିଆ ଝିଅ ଏଭଳି କାମ କରିବ ।ଏତେ ସୁନ୍ଦର ଚେହେରା ଭିତରେ ଏ ରୂପଟି ବି ତାହାର ଥିଲା। ବୁଡ଼ି ବୁଡ଼ି ପାଣି ପିଉଥିଲା ମ ! ତାଙ୍କ ଘରେ ମଧ୍ଯ କେହି ଏସବୁ ଜାଣିପାରିଲେନି।
ହଁ ,ସବୁ ଏଇ ମୋବାଇଲ କରାମତି। ଫେସବୁକ୍ରେ କାହା ସାଙ୍ଗରେ ଚ୍ଯାଟିଂ କରୁକରୁ ଲଭ୍ କରି କାଲି ରାତିରୁ ବୟ ଫ୍ରେଣ୍ଡ୍ ସାଙ୍ଗରେ ଫେରାର। ଗାଁ ଭୂଇଁ, ସାହିଭାଇ,ସାରା
ପଞ୍ଚାୟତ ଡିକିଲାର୍ ହୋଇଗଲାଣି। ତୁଣ୍ଡ ବାଇଦ ଦେଖୁ ଦେଖୁ ବ୍ଯାପିଗଲାଣି ଚାରିଆଡ଼େ।ମନୁ ସାହୁ ଝିଅ କାହା ସାଙ୍ଗରେ ଫେରାର।
କିଛି ଲାଭ ନାହିଁ ଆଉ ତାକୁ ଖୋଜିବାରେ। ହଁ ଦେଇଦିଅ ଗୋଟେ ଏଫ୍ଆଇଆର୍ ଥାନାରେ ମନ ବୁଝିବାକୁ।ବେଳ ତ ସେଇଆ ହୋଇଛି ।ବୟସ ତ ତାର ଅଠର ଟପି ସାରିଛି।କଲେଜ ପଢୁଆ ଝିଅ।
ତେଣୁ ଆଇନ ବି ତା ସପକ୍ଷରେ।ବିଚରା ବାପା ମାଆ ଏକମାତ୍ର ଝିଅଟିକୁ ଝୁରି ଆଖିରୁ ଲୁହଗଡେଇବାଟା ଛଡ଼ା ଆଉ କିଛି ଉପାୟ ନାହିଁ।
ଏହା ଭିତରେ ଦୁଇବର୍ଷ ବିତିଗଲାଣି। ବେବୀ ଆଉ ବୋଧେ ଆମ ଏ ଆଖ ପାଖରେ ନାହିଁ। ତା ବୟଫ୍ରେଣ୍ଡ୍କୁ ଲଭ୍ ମ୍ଯାରେଜ୍ କରି ଭୁବନେଶ୍ୱରରେ ରହୁଥିବାର କେହିକେହି ସନ୍ଦେହ କରୁଥାନ୍ତି।ବାପା ମନୁ ସାହୁ,ମାଆ ସଜନୀ,ବଡ଼ ଭାଇ ଅଶୋକ ଭାଉଜ କୁନି ବି ନିଜ ହୃଦୟରୁ ପୋଛିସାରିଲେଣି ବେବୀ କଥାକୁ। ପୋଡ଼ା ମୁହିଁଟା କାହା ସାଙ୍ଗରେ ଚାଲି ଗଲାନି ଯେ ମରିଗଲା ଆମପାଇଁ। ଯାଉ ତା' ମୁହଁ ଆଉ ଚାହିଁବା ଦରକାର ନାହିଁ।
ସମୟ ସର୍ବଦା ପରିବର୍ତ୍ତନଶୀଳ।ଦିନ ଆସିଲା ବେବୀର ଆଧାର କାର୍ଡ,ଭୋଟର ପରିଚୟ ପତ୍ର, ବ୍ୟାଙ୍କ ଆକାଉଣ୍ଟ, ସାର୍ଟିଫିକେଟ ଏମିତି କି ସମସ୍ତ ଡକ୍ୟୁମେଣ୍ଟ ଆବଶ୍ୟକ ପଡିଲା କୌଣସି ଚାକିରୀ କରିବା ପାଇଁ।କେମିତି ଘରେ ମୁହଁ ଦେଖାଇବ ବେବୀ ? ଏସବୁ କାଗଜ ପତ୍ର କେମିତି ପୁଣି ଆଣିବ? ସ୍ଵାମୀ ସ୍ତ୍ରୀ ଚିନ୍ତାରେ ପଡ଼ିଗଲେ। ସ୍ଵାମୀ ଆଲୋକ ଭୟରେ ଅଜଣା ଶଶୁର ଘରେ ଆସିବାକୁ ଭୟ କରି ଅରାଜି ହେବାରୁ ବେବୀ ଚ୍ୟାଲେଞ୍ଜ କଲା ଯେ ନିଶ୍ଚୟ ନିଜ ବାପଘରକୁ ଯିବ ଓ ସାର୍ଟିଫିକେଟ ମଧ୍ୟ ଆଣିବ।
ସକାଳୁ ସକାଳୁ ବେବୀ ଆସି ନିଜ କଲେଜ ସାଙ୍ଗ ମାନୀ ଘରେ ପହଞ୍ଚିଗଲା।ମାନୀ ଦେଖି ଆଶ୍ଚର୍ଯ୍ୟ।ଆରେ ବେବୀ କେବେ ତୁ ମ୍ଯାରେଜ୍ କରିସାରିଛୁ ମୋତେ ଜଣେଇନୁ କାହିଁକି?ବେବୀଠାରୁ ସମସ୍ତ ଘଟଣା ଶୁଣି ପାରିଲା ମାନୀ। ନିଜ ବାପ ଘରକୁ ଯିବାକୁ ହେଲେ ପାଖରେ ନିଜ ସ୍ଵାମୀଙ୍କୁ ନେଇଗଲେ ଫେରିହେବ ନଚେତ୍ ନ ଛାଡ଼ି ବି ପାରନ୍ତି। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଲା ବେବୀ ମନରେ। କ'ଣ କରିବ ? ସ୍ଵାମୀ ଆଲୋକ ତ ସାଙ୍ଗରେ ଆସିଲେନି।ଏଣେ ଚ୍ୟାଲେଞ୍ଜ ବି ଦେଇ ଆସିଛି ବେବୀ। ତେଣୁ ସାଙ୍ଗ ମାନୀକୁ ଏ କଥାଟା ବି କହିଲା ବେବୀ। କେମିତି ଏ କାମ ସକ୍ସେସ୍ ହେବ।
ମନ ଥିଲେ ଉପାୟ ବି ଆପେ ଆପେ ଆସେ।ମାନୀ ସହିପାରିଲାନି ସାଙ୍ଗର ଦୁଃଖକୁ।ତା' ବୟ ଫ୍ରେଣ୍ଡ୍ ଆକାଶ କଥା ତାର ମନେ ପଡିଗଲା।
ତାକୁ ବେବୀର ନକଲି ସ୍ଵାମୀ କରି ଛାଡ଼ିବ ତା'ସହିତ ବୋଲି ମନେ ମନେ ସ୍ଥିର କରିନେଲା।ଏମିତି ପୁଣି ସନ୍ଦେହ କାଳେ ମିଛିମିଛିକିଆ ସ୍ଵାମୀରୁ ସତ ପାଲଟିଯିବନି ତ !ସାଙ୍ଗର ରିକ୍ଯୁୟେଷ୍ଟ।ମାନୀ ଆକାଶର ପରିଚୟ ଦେଇ ବେବୀର
ନକଲି ସ୍ଵାମୀର ପ୍ରସ୍ତାବ ଦେଲା।ଆକାଶ ସର୍ବଦା ଆକାଶ ଭଳି ନିର୍ମଳ।ଭାରି ଭଦ୍ର। ହ୍ଯାଣ୍ଡସମ୍ ମଧ୍ୟ।
ମାନୀ କାହିଁକି, ଯେଉଁ ଝିଅ ବି ଦେଖିବ ସିଏ ମଧ୍ୟ ଆକାଶ ଆଡ଼କୁ ଆକର୍ଷିତ ହୋଇପାରିବାର ସନ୍ଦେହକୁ ଏଡାଇ ଦିଆଯାଇ ନ ପାରେ।ମାନୀର ଫୋନ୍ କଲ୍ରେ ଆକାଶ ବାଇକ୍ଟି ଧରି ମାନୀ ଘରେ ପହଞ୍ଚିଗଲା।ସମସ୍ତ ଘଟଣା ବି ବୁଝିଲା। ହଠାତ୍ ପ୍ରଶ୍ନ କରେ ଆକାଶ, ହଁ ବୁଝିପାରିଲି ଯେ, ମୋତେ ଏ ସବୁ କହିବାର କାରଣ କ'ଣ ମୁଁ ଜାଣିପାରେ କି? ମାନୀ କହେ ହଁ ଆକାଶ ତୁମକୁ ମୋ ରାଣ।ମୋତେ ଯଦି ପ୍ରକୃତରେ ଭଲ ପାଉଥାଅ।ମୋ ଭଲ ପାଇବାର ପରୀକ୍ଷା ଦେବାକୁ ପଡ଼ିବ ତୁମକୁ ଆଜି।ମୋ କଥା ରଖିବ। ଗୋଟିଏ ଦିନ ପାଇଁ ବେବୀର ମିଛ ସ୍ଵାମୀର ଅଭିନୟ କରିବାକୁ ପଡ଼ିବ।"ହ୍ଵାଟ୍ "
ଏ କ'ଣ କହୁଚୁ ମାନୀ ! କେବେ ବି ସମ୍ଭବ ନୁହେଁ।ତୋ ମୁଣ୍ଡ ଖରାପ ହୋଇଗଲାଣି ନା କ'ଣ? ବ୍ୟସ୍ତ ବିବ୍ରତରେ କହି ବସିଲା ଆକାଶ। ମୁଁ ଆସୁଛି ଏଥର ..ଚାଲି ଯିବାକୁ ତତ୍ପର ହେଉଥାଏ।ବେବୀ ହଠାତ୍ ଆକାଶର ଏ ନିର୍ମଳ ଭାବ ମୂର୍ତ୍ତିକୁ ଦେଖି ତାର ମନରୁ ଭୟ ବି ଦୂରେଇ ଯାଉଥିଲା।।ହାତ ଧରି ପକେଇଲା ଆକାଶର ବେବୀ।ଯଦି ମୋତେ
ଏ ବିପଦରୁ ଉଦ୍ଧାର ନ କରିବ ମୁଁ
ନିଶ୍ଚୟ ସୁଇସାଇଡ୍ କରିଦେବି।ନିରୂପାୟ ଆକାଶ ବାଧ୍ୟ ହୋଇ ରାଜି ହୋଇ ଯାଇଥିଲା । ହଁ ଯେମିତି ସତସତିକା କିଛି ନ ଆଗାଅ,ଏହାଥିଲା ମାନୀର ଉଭୟଙ୍କୁ ସାଙ୍ଗ ହିସାବରେ ତାଗିଦ୍।ବେଷ୍ଟ ଅଫ୍ ଲକ୍।ବାଏ.....
ବାଇକ୍ଟି ଧରି ବେବୀ ଓ ଆକାଶ
କିଛି ମିଠା ସହିତ ଆଗେଇଲେ ମନୁସାହୁ ଘର ଅଭିମୁଖେ ।ପହଞ୍ଚିଗଲେ ଯେତେବେଳେ ହଠାତ୍।
ଥାଟ ପତ୍ର ଭାଙ୍ଗିଗଲା ସେଠାରେ ବେବୀ ଓ ତା ବରକୁ ଦେଖିବାକୁ।
ବେବୀ ତା ବର ସହ ଫେରିଛି।ବେବୀ ଯାଇ ବାପା ,ମାଆ,ଭାଇ,ଭାଉଜ ସମସ୍ତଙ୍କ ଗୋଡ ଧରି ଭୁଲ୍ ମାଗିବାରୁ ସମସ୍ତେ ଆପେ ତରଳିଗଲେ।ରକ୍ତ ରକ୍ତକୁ ଛୁଇଁଦେଲା ପରେ ସମ୍ପର୍କଟା କେବଳ ନିଜର କରିନେଲା।ଏକ ଆନନ୍ଦର ମୁହୂର୍ତ୍ତ ଖେଳିଗଲା ସେଠାରେ।ଆକାଶ ବି ନିଜ ସ୍ନେହରେ ସମସ୍ତଙ୍କୁ ନିଜର କରିନେଲା। ସମସ୍ତେ ବି ଖୁସି ଆମ ବେବୀ ଉପଯୁକ୍ତ ବରପାତ୍ରଟିଏ ଚୟସ୍ କରିଛି।ଦିନ ଗଡି ଗଲାଣି। ସନ୍ଧ୍ୟା ଉପଗତ।ଆଜି ଗୋଟିଏ ଦିନ ବାପ ଘରେ ରହିବାକୁ ବଢିବ ନିଶ୍ଚୟ।ଆସନ୍ତା କାଲି ଡକ୍ୟୁମେଣ୍ଟ ନେଇ ବାହାରିଯିବାକୁ ପଡ଼ିବ।
ଶଶୁର ଘର ଜିନ୍ଦାବାଦ୍। ଜ୍ବାଇଁ ଭୋଜନଟା ସିନା ମିଳିଗଲା। କିନ୍ତୁ ଆକାଶ ତ ପ୍ରକୃତ ଜ୍ବାଇଁ ନୁହଁ ନା।କ'ଣ କରିବ ସେ? ଠାକୁରଙ୍କୁ ଡାକୁଥାଏ ସେ ।ଅକଳିରେ ପଡ଼ିଯାଇଛି ବିଚରା।ଏଣେ ଶଳା ଭାଉଜର ଗେଲ ନକଲି।ଶଳା ଶାଶୁ ଶଶୁରଙ୍କ ଆଦର ।ନିଜେ ଯେମିତି ଗୋଟେ ଅଡ଼ୁଆ ଜାଲରେ ଛନ୍ଦି ହୋଇଯାଉଥିଲା ସତେ। କ'ଣ କରିବ ରାତ୍ରି ଭୋଜନ ସରିଗଲାଣି।।
ଛେପ ଢୋକିଢୋକି ଆକାଶ କହୁଛି।ବେବୀ ତୁମେ ଭାଉଜଙ୍କ ପାଖରେ ଶୋଇପଡ଼ ମୁଁ ସେପଟ ରୁମ୍ରେ ରେଷ୍ଟ ନେବି। କ'ଣ କହିଲ ଶୋଇ ପାରିବନି ।ଗୋଟିଏ ରୁମ୍ରେ ବେବୀ ଓ ତୁମେ ଶୋଇବ ।ସ୍ଵାମୀ ସ୍ତ୍ରୀ ପରା।ଏଥିରେ ଲାଜ କ'ଣ।ଏହା ଥିଲା ଶଳା ଭାଉଜଙ୍କ ତାଗିଦ୍।ଯଦି ବେବୀ ପାଖରେ ନ ଶୋଇବ ମୋପାଖରେ ଶୋଇପଡିଲେ ଚଳିବ। ଶଳା ଭାଉଜଙ୍କ ଏଭଳି କଥାରେ ଅଣନିଃଶ୍ବାସୀ ହୋଇପଡ଼ିଲା ଆକାଶ। ଠାକୁରଙ୍କୁ ଡାକି ରାଜି ହୋଇଗଲା ସିନା ଅନିଦ୍ରାରେ ନୀରବରେ ବସିରହିଲା ବେବୀ ପାଖରେ। ପୁଣି ହଠାତ୍ ମୁହଁ ଖୋଲିଲା ମୋତେ ଭଲ କରି ନାମ ଦେଲ ମାନୀ ଆଉ ତୁମେ।ମୋ ବାପା ମାଆ ଜାଣିଲେ କ'ଣ ଅବସ୍ଥା ମୋର ହେବ ଚିନ୍ତା କରିପାରୁଛ? ବେବୀ
ପାଖକୁ ଲାଗି ଆସୁଥିଲା ।ଆଉ କହୁଥିଲା ତୁମେ ପରା ମୋ ବଡ଼ ଭାଇ।ଏ ବିପଦରୁ ଉଦ୍ଧାର କରିବନି ତ ଆଉ କିଏ କରିବ?ଏ ପଦେ କଥାରେ ଆକାଶ ଭୁଲିଯାଉଥିଲା ନିଜକୁ।ନୀରିହ ଆଖିରୁ ତାର ଅଜାଣତରେ ଦୁଇଟୋପା ଲୁହ ଝରି ପଡୁଥିଲା।ବାସ୍ ଏତିକି ରାତି ପାହିଯାଏ।
ଭଳି ଭଳି ମିଠା ପିଠା ସକାଳ ଜଳଖିଆ ପାଇଁ ରେଡି।ଭଲ ଡ୍ରେସ୍ ବି ଆସିଛି ଝିଅ ଜ୍ବାଇଁଙ୍କ ପାଇଁ।ବିଦା କରିବାକୁ ମନ ନାହିଁ କାହାର।ହେଲେ
ବିଧିର ବିଧାନ ହିଁ ମାନିବାକୁ ପଡ଼ିବ।
ସବୁ ମାୟା ବନ୍ଧନକୁ ପୁଣି କାଟିଦେଉଥିଲା ବେବୀ। ଏକ ଦୁଃଖଦ ମୁହୂର୍ତ୍ତକୁ ନିଜ ବାପା ଘରେ
ଛାଡ଼ି ଦେଇ ଆକାଶ ସହିତ ଫେରି ଆସିଥିଲା ବେବୀ।ମାନୀ କରିଥିବା ଅପେକ୍ଷାର ଅନ୍ତ ଘଟିଲା। ସେତେବେଳେ ବେବୀ ପଛକୁ ଚାହିଁ ଚାହିଁ ନିଜ ବାଁ ହାତଟିକୁ ହଲେଇ ହଲେଇ ଆଗକୁ ଆଗକୁ ଚାଲିଯାଉଥିଲା।
