ରେଡମୁନ
ରେଡମୁନ
ଖବର କାଗଜରେ ପଢ଼ିବା ପରଠାରୁ ସାରା ଓଡ଼ିଶା ଲୋକ ଅନେଇ ବସିଥାନ୍ତି "ରେଡମୁନ୍" ଦେଖିବା ପାଇଁ। ଦେଢ଼ଶହ ବର୍ଷରେ ଥରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲ ରଙ୍ଗରେ ଦେଖାଯାଆନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ଶିକ୍ଷାବିତ୍, ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଥିଲେ ସେହି ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ।
ଦୁଇଦିନ ପରେ ରେଡମୁନ ଦେଖାଯିବାର ଥିଲା। ଅନ୍ୟ ମାନଙ୍କ ପରି ମନ୍ତ୍ରୀ ଲମ୍ବୋଦର ମଧ୍ୟ ଅପେକ୍ଷା କରିଥିଲେ ସେହି ବିରଳ ଦୃଶ୍ୟ ଦେଖିବା ପାଇଁ। ମୁହଁ ସନ୍ଧ୍ୟା ହୋଇ ଆସୁଥାଏ। ହଠାତ ସାମ୍ନା ଗେଟର କଲିଂ ବେଲ ବାଜି ଉଠିଲା। ମନ୍ତ୍ରୀଙ୍କ ଘରକାମ କରୁଥିବା ସାଧୁମଉସା , ନସର ପସର ହେଇ ଦୌଡିଲେ ଗେଟ ଖୋଲିବାକୁ। ଗେଟ ଖୋଲିବା ପରେ, ଜଣେ କେହି ଅଜଣା ବ୍ୟକ୍ତି ତାଙ୍କ ହାତକୁ ବଢେଇ ଦେଲା ଚିଠି ଖଣ୍ଡିଏ। ଲୋକଟାର ମୁହଁରେ ରୁମାଲ୍ ବନ୍ଧା ହୋଇଥିଲା। ମୁଣ୍ଡରେ ହେଲମେଟ ଆଉ ଆଖିରେ କଳାଚଷମା । ଲୋକ ଟା ଫୁସଫୁସ୍ କରି ସାଧୁ ମଉସା କାନରେ କହିଗଲା....ବାବାଙ୍କ ପ୍ରସାଦ....ଅନ୍ୟ କେହି ଛୁଇଁ ବେନି ଯେମିତି...କେବଳ ସାରଙ୍କ ହାତରେ ଦେବ।
ଏତିକି କହି ଲୋକଟା ଗାଡ଼ି ଷ୍ଟାର୍ଟ କଲା। ଦେଖୁ ଦେଖୁ ସନ୍ଧ୍ୟା ବେଳର ଝାପସା ଅନ୍ଧାର ଭିତରେ ସେ କୁଆଡେ ହଜିଗଲା। ସାଧୁ ମଉସା ଯେମିତି ନସର ପସର ହୋଇ ଆସିଥିଲେ , ଠିକ୍ ସେମିତି ଚିଠିଟାକୁ ନେଇ ଦଉଡ଼ି ଦଉଡ଼ି ଘର ଭିତରକୁ ଚାଲିଗଲେ।
ଦୀର୍ଘ ଏକ ଘଣ୍ଟା ପରେ, ଲମ୍ବୋଦର ବାବୁ ସନ୍ଧ୍ୟା ପୂଜା ସାରି ପୂଜାଘରୁ ବାହାରିଲେ। ନିତିଦିନିଆ କର୍ମ ତାଲିକା ଅନୁସାରେ ସିଧା ଚାଲିଲେ ଛାତ ଉପରକୁ ଟିକେ ଖୋଲା ପବନ ଖାଇବାକୁ। ସିଡି ଚଢ଼ୁଥିବା ସମୟରେ ସାଧୁ ମଉସା ତାଙ୍କ ହାତକୁ ବଢ଼େଇଦେଲେ ଚିଠି ଖଣ୍ଡିକ । ଆଖିଠାରରେ ଜଣାଈଲେ, ବାବାଙ୍କ ଆଶ୍ରିବାଦ ବୋଲି। ଲମ୍ବୋଦର ବାବୁ କଣ ବୁଝିଲେ କେଜାଣି? ଗୋଟିଏ ନିଃଶ୍ୱାସରେ ଚଢ଼ିଗଲେ, ସିଡି। ସିଧା ସଳଖ ପଶିଗଲେ, ଛାତ ଉପରେ ଥିବା ତାଙ୍କ ନିଷିଦ୍ଧ ଘରକୁ।
ଦି - ମହଲା ଉପରେ ଥିବା ଏ ରୁମଟି ଭାରି ନିଆରା। ସବୁବେଳେ ବନ୍ଦଥାଏ। ଏ ରୁମର ଚାବି କେବଳ ଲମ୍ବୋଦର ବାବୁଙ୍କ ପାଖରେ ଥାଏ। ସେ ହିଁ ଖୋଲନ୍ତି , ଆଉ ସେ ହିଁ ବନ୍ଦ କରନ୍ତି। ତାଙ୍କୁ ଛାଡ଼ି ସେ ଘର ଭିତରକୁ ପ୍ରବେଶ ପାଇଁ କାହାରିକୁ ଅନୁମତି ନାହିଁ। ସେଇ ରୁମ୍ ଭିତରକୁ ପଶିଗଲେ ଲମ୍ବୋଦର ବାବୁ। ଖୁବ୍ ସତର୍କତା ସହ ପକେଟରୁ ବାବାଙ୍କ ଆଶିର୍ବାଦ ସ୍ୱରୂପ ଚିଠିଟିକୁ କଢ଼ିଲେ। ଚିଠିଟିରେ ଲେଖା ଥିଲା:
ଓଁ ଶ୍ମଶାନ ଚଣ୍ଡିକେ ନମ୍ଃ
ଚନ୍ଦ୍ର ମହାଗ୍ରହଙ୍କ ବାମଚଳନେ ରାହୁଦେବତା ମହାଗ୍ରାସ୍ ଭୋଗ କରିବେ। ପୂର୍ଣାଗ୍ରାସ ମାତ୍ରେ ରକ୍ତିମ ଚନ୍ଦ୍ରଙ୍କ ଉଷ୍ମକୀର୍ତ୍ତି ରକ୍ତଗ୍ନି ବର୍ଷିବ। ପାକ ତଥା ଦେବନୀତି ନିଷିଦ୍ଧ ରହିବ।ତନ୍ତ୍ର ଶକ୍ତି ବର୍ଦ୍ଧିତ ହେବ। ପିଶାଚୀ , ଡାଙ୍କିନି ଙ୍କ ସହ ମା ରକ୍ତଭୋଜି ଖୋଜିବ। ତନ୍ତ୍ରମୁହୂର୍ତ୍ତ ରେ ମାକୁ କୁମାରିରକ୍ତ ମାର୍ଜନା କଲେ, ସର୍ବ ମନସ୍କାମନା ପୂର୍ଣ୍ଣ ହେବ। ନିରାଶେ ବିନାଶ ନିଶ୍ଚିତ। ଆସନ୍ତା ଅଗ୍ନି ଉତ୍ସବରେ ତିଥି ଧାର୍ଯ୍ୟ। ଅନ୍ୟାନ୍ୟ ସାମଗ୍ରୀ ସହ ନିଶା ଦି - ଘଡିରେ ଯଜ୍ଞ ବେଦୀରେ ଉପସ୍ଥିତ ରହିବା ହେବେ।
ଚିଠିଟି ଆସିଥିଲା ଜଙ୍ଗଲି ଗାଁ ଭାଟପଡାରୁ । ଭୁବନେଶ୍ୱରରୁ ଦକ୍ଷିଣ ଆଡକୁ ପାଖାପାଖି ଶହେ କିଲୋମିଟର ଦୂର ହେବ ଗାଁଟି। ଚିଠିଟି ପଠେଇଥିଲେ, ବିଶ୍ବମ୍ବର ବାରିକ୍ ଓରଫ୍ ଵଇବାବା । ଚିଠିଟିକୁ ତନ୍ନତନ୍ନ କରି ପଢିଗଲେ ମନ୍ତ୍ରୀ ଲମ୍ବୋଦର। ତାଙ୍କର ଆଗଧ ଭରସା ବାବାଙ୍କ ଉପରେ।
ଜଣେ ସାଧାରଣ କର୍ପୋରେଟରରୁ , ସେ ମନ୍ତ୍ରୀ ହୋଇପାରିଥିଲେ କେବଳ ବଇବାବାଙ୍କ ଆଶିର୍ବାଦ ପାଇଁ। ଆଗକୁ ସହଜପୂର୍ ଉପନିର୍ବାଚନ। ଶାସକଙ୍କ ଠାରୁ ବିରୋଧୀ ଯାଏ ସଭିଙ୍କ ନଜର ସେଇଠି। କଳ, ବଳ, କୌଶଳ ଖର୍ଚ୍ଚ କରି ସଭିଏଁ ନିର୍ବାଚନ ଜିତିବାକୁ ଅଙ୍କ କଷୂଥାନ୍ତି। କିନ୍ତୁ ମନ୍ତ୍ରୀ ଲମ୍ବୋଦରଙ୍କର କେବଳ ଗୋଟିଏ ଭରସା "ବଇବାବା" । ତାଙ୍କ ଅନୁସାରେ, ଏ ନିର୍ବାଚନ ଆଉ ଏହାର ଫଳାଫଳ ସବୁ ବାବାଙ୍କ ହାତରେ।ତାଙ୍କ ଆଶିର୍ବାଦ ଥିଲେ, ସବୁ କିଛି ମିଳିବ.
କିନ୍ତୁ ମନ୍ତ୍ରୀ ଲମ୍ବୋଦରଙ୍କର କେବଳ ଗୋଟିଏ ଭରସା "ବଇବାବା" । ତାଙ୍କ ଅନୁସାରେ, ଏ ନିର୍ବାଚନ ଆଉ ଏହାର ଫଳାଫଳ ସବୁ ବାବାଙ୍କ ହାତରେ। ତାଙ୍କ ଆଶିର୍ବାଦ ଥିଲେ, ସବୁ କିଛି ମିଳିଯିବ ଅତି ସହଜରେ.
ବାବାଙ୍କ ଗୁପ୍ତ ଚିଠିର ଗୁମର ବୁଝି ତାକୁ ଚାରିଚଉତା କରି, ଅଣ୍ଟା ତଳ ଚୋରାପକେଟରେ ପୁରାଇଲେ ମନ୍ତ୍ରୀ ଲମ୍ବୋଦର। ହେଲେ ଚିଠିଟା ଥିଲା ଖୁବ ଚତୁର। ସଙ୍ଗେ ସଙ୍ଗେ ହୋଇଗଲା ଗୋଟେ ବାଘ। କଲରାପତରିଆ ଟାଏ ତ! ଲମ୍ଫ ଦେଇ ବାହାରି ଆସିଲା ପକେଟ ବାହାରକୁ। ଲୋମ ଝାଡ଼ିହେଲା। ଗୋଲାପି ରଙ୍ଗର ଦିହଜାର ଟଙ୍କିଆ ନୋଟ ବଣ୍ଡଲରେ ଦାନ୍ତ ମାଜିଲା। ଧଳା ଗରଗର ମୁନିଆ ଦାନ୍ତ। କୋହ, କ୍ଷତ, ଯନ୍ତ୍ରଣା ଆଉ ରକ୍ତ ଲଗା ଦାନ୍ତ। ଦାନ୍ତଗୁଡା ପୁଣି ହୋଇଗଲେ ଗୋଟେ ଗୋଟେ ବାଘ। ନିଆଁ ଡହଡହ ଆଖିରେ ତରାଟୀ ହେଲେ। ଲଙ୍ଗୁଳ ପିଟିଲେ। ପୁଣି ଝପଟି ଯାଇ ମିଳେଇଗଲେ, ରାସ୍ତା କଡ଼ ମରକ୍ୟୁରୀ ଆଲୁଅ ଭିତରେ।
ଛପି ରହିଲେ ସଭିଏଁ। ଶିକାର କୁ ଅପେକ୍ଷା କରି। କଅଁଳିଆ ଶିକାର.. ନିରୀହ ଶିକାର... ନିଷ୍ପାପ ଶିକାର। ଶିକାରଟା ପାଇଗଲା ମାତ୍ରେ ତଣ୍ଟିଚିପି ରକ୍ତ ଝୁଣି ପକେଇବାକୁ, ଛପିରହିଲେ ସଭିଏଁ। କିଏ ଛପିଥିଲା କ୍ୟାପିଟାଲ ହାଇସ୍କୁଲ ସାମ୍ନା ଦହିବରା ଆଳୁଦମ ହାଣ୍ଡି ଭିତରେ, ତ ଆଉ କିଏ ନେପେଟେଇ ଥିଲା କଳିଙ୍ଗ ଷ୍ଟାଡ଼ିଅମ ଘାସ ଗାଲିଚା ଉପରେ। କିଏ ଛପିଥିଲା ଉତରା ଛକର ବସଷ୍ଟାଣ୍ଡ ଉପରେ ତ ଆଉ କିଏ ଛକିଥିଲା ଖଣ୍ଡଗିରି ଟିକେଟ ଗେଟ ତଳେ। ଯୁଆଡେ ଦେଖ ଖାଲି ପୁଞ୍ଜା ପୁଞ୍ଜା ବାଘ । ଝପକିନା ମାଡିବସି ଅନ୍ତଃବୁଜୁଳା ଓଟାରି ପକେଇ ବାକୁ ଭୁବନେଶ୍ୱରର ପ୍ରତ୍ୟେକ ଗଳିରେ ଛକିଥିଲେ ଗୋଟେ ଗୋଟେ ବାଘ।
କଅଁଳିଆ ମାଉଁସଲଗା ହାଡ଼କୁ କଡ଼ମଡ଼ କରି ଚୋବେଇବାକୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ସଭିଙ୍କ ମନରେ ଆତୁରତା। କିଏ ହେବ ଗେଲ୍ହା ବାଘ। କାହା ବେକକୁ ସୁଲୁସୁଲ କରି ଗେଲ କରିବେ ମନ୍ତ୍ରୀ। ଖାଉଥିବା ଖାଦ୍ୟଥାଳିରୁ, କାହାମୁହଁକୁ ଅଇଁଠା ମୁଠେ ଫୋପାଡ଼ି ଦେବେ ସେ। କିଏ ନିମିଷକେ ଚାଟି ଚାଟି ସଫା କରିଦେବ ମନ୍ତ୍ରୀଙ୍କ ଅଇଁଠା। କାହାର ଭାଗ୍ୟ ଖୋଲିବ କେଜାଣି? ସଭିଏଁ ଦ୍ୱନ୍ଦ୍ୱରେ ଥାନ୍ତି। ସଭିଙ୍କ ମନରେ ଆଶଙ୍କା। ହେଲେ ବହୁତ ଜଲଦି ସବୁ ଆଶଙ୍କାର ପୂର୍ଣ୍ଣଛେଦ ପଡିଲା।
ସନ୍ଧ୍ୟା ସୁଦ୍ଧା ବାଜି ମାରିନେଲା କଳା ମଚମଚ ଯଦୁଆ ବାଘଟା। ପହିଲି ଶିକାରର ହକଦାର ହେଲା ସେ। ଶିକାର ତ ନୁହେଁ କଅଁଳ ଛନଛନ ଶିଶୁ ହରିଣୀଟିଏ। ସାଲିଆସାହି ବସ୍ତିପାଖ ପ୍ରାଥମିକ ସ୍କୁଲରୁ ପାଇଗଲା ତା ପହିଲି 'ଶିକାର '। କଣ କଲା କେଜାଣି? ଦାନ୍ତ ନିକୁଟି ଡରେଇଲା ନା ଲାଞ୍ଜ ହଲେଇ ଗେଲ୍ହେଇଲା? ଯାହା ବି କରୁ, ସେ ପାଇଗଲା ତାର ପହିଲି ଶିକାର। ବେକଧରି ଘୋଷାରି ଆଣିଲା। କେହି କିଛି ବୁଝିବା ପୂର୍ବରୁ ତଣ୍ଟି ଧରି ଝାଡିଦେଲା ସେ। ଦରମରା ହୋଇଗଲା ଶିକାର ଟା। ଶିକାରଟାକୁ ପକେଟରେ ପୁରେଇ ଯାଦୁଆ ବାଘଟା କ୍ଷେପିଗଲା ମନ୍ତ୍ରୀଙ୍କ ଡ଼ାକବଙ୍ଗଳାକୁ ସବୁଥର ପରି।
ଖବରଟା ପୁଣି ହେଇଗଲା ଗୋଟେ ବାଘ। କ୍ଷେପିଗଲା ନିମିଷକେ। ବ୍ୟାପିଗଲା ଅନ୍ୟ ବାଘଙ୍କ ମଧ୍ୟରେ। ସଭିଏଁ ହେଲେ ଏକଜୁଟ। ଲହ ଲହ ଜ୍ୱିଭା କାଢି ସଭିଏଁ ଥରେ ଲେଖେଁ ନିରୀହ ଶିକାର ଟା ଉପରେ ଆଖି ବୁଲେଇ ଆଣିଲେ। ଲାଙ୍ଗୁଡ଼ରେ ଲାଙ୍ଗୁଡ଼ ଯୋଡି ଯାଦୁଆ ବାଘଟାକୁ ସବାସୀ ଜଣେଇଲେ। ସଭିଏଁ ଲାଗିପଡିଲେ ପ୍ରସ୍ତୁତି ରେ। ରାତି ନ ଟା ବେଳକୁ ସବୁ ପ୍ରସ୍ତୁତି ଶେଷ। ରାତି ଘଡିଏକୁ ନିଜର ଖାସ ବାବୁମାନଙ୍କୁ ଧରି ମନ୍ତ୍ରୀ ଲମ୍ବୋଦର ବାହାରିଲେ ଚିଠି ପ୍ରେରକଙ୍କ ଠିକଣାରେ। ସାଥିରେ ଥାଏ ଆଜି ଶିକାରର ମୁଖ୍ୟ ଆକର୍ଷଣ, ସେଇ ଯାଦୁଆ ବାଘଟା।
ସବୁ ନିଶବ୍ଦ। ଶୂନଶାନ। ଖାଲି ଯାହା ଝିଙ୍କାରିଟାକୁ ନିଦ ନଥାଏ। ରାତି ଘଡ଼ିକ ପରେ ବି କାହାକୁ କେଜାଣି ଷୋହସି ହୋଇ ଖୋଜୁଥାଏ। ତା ଝିଂ ଝିଂ ସ୍ବରରୁ ଲାଗୁଥିଲା ସତେ ଯେମିତି ମା ମା ବୋଲି ବିକଳ ହେଉଥିଲା। ତାରି ଶବ୍ଦ ତାଳେ ତାଳେ ମଟରଗାଡି ରାଜରାସ୍ତା ଛାଡି ମାଟି ରାସ୍ତା କୁ ଓଲ୍ହେଇଲା। ଗାଡିଟି ଥିଲା ଖୁଵ ବିଶ୍ଵସ୍ତ। ଲାଞ୍ଜଜାକି ରବରଲଗା ଚକାରେ ପାଦ ଥାପିଥାପି ଆଗକୁ ବଢୁଥାଏ। ଗାଡିର କଳା କାଚ ଗୁଡାକ ଭିତରୁ କିନ୍ତୁ ବାଘ ଗୁଡ଼ାଙ୍କର ଜଳନ୍ତା ଆଖି ମିଟମିଟ ହେଉଥାନ୍ତି।
ରାତି ଦି ଘଡିକେ, ଘଣ୍ଟଶିଳା ପାହାଡ଼ର ପାଦତଳେ ପହଂଚିଲା ଗାଡି। ସେଠୁ ମାଇଲିଏ ପାଦଚଲା ରାସ୍ତା। ଘଞ୍ଚ ଜଙ୍ଗଲ। ମୁହଁ କୁ ମୁହଁ ଦିଶୁନଥାଏ। ଜଙ୍ଗଲୀ ରାସ୍ତା ବି ଭାରି ସ୍ୱାର୍ଥପର। ନିଜ ଛାଇକୁ ବି ଦୁରେଇ ଦେଉଥିଲା ନିଜ ଠାରୁ। କିନ୍ତୁ କଳା ବିଟିବିଟା ଯାଦୁଆ ବାଘଟା ଖୁଵ ଆପଣେଇ ନେଇଥାଏ ଶିକାର ଟାକୁ। ହଳଦୀ ବୋଳା ନଣ୍ଡାମୁଣ୍ଡିଆ ଶିକାରଟାର ସଂଖୀ ଧରି ବୋହି ନେଉଥିଲା ଆଗକୁ ଆଗକୁ। ନିଷ୍ପାପ ଶିକାରଟି ଥିଲା ନିସ୍ତେଜ ଆଉ ନଃଶ୍ଚଳ। ଗୁଡେଇ ହୋଇଥିଲା ନିର୍ମମତା ର ନାଲିପାଟ ଟିଏ। ଠିକ ସମୟରେ ସଭିଏଁ ଯାଇ ପହଁଚିଲେ ଯଜ୍ଞବେଦୀ ଠାରେ।
ଅଲକ୍ଷଣିଆ ରେଡମୁନଟା ବି ଭୟାବହ ରକ୍ତରଙ୍ଗରେ ରଙ୍ଗେଈ ହେଇ ଠିକ ମୁଣ୍ଡ ଉପରେ ଟାକି ବସିଥିଲା, କୁମାରୀ ଶିକାରର ରକ୍ତମାଜଣା ପାଇଁ.
ଅଲକ୍ଷଣିଆ ରେଡମୁନଟା ବି ଭୟାବହ ରକ୍ତରଙ୍ଗରେ ରଙ୍ଗେଈ ହେଇ ଠିକ ମୁଣ୍ଡ ଉପରେ ଟାକି ବସିଥିଲା, କୁମାରୀ ଶିକାରର ରକ୍ତମାଜଣା ପାଇଁ......( ଆଉ ତା ପରେ)।
ଯଜ୍ଞ ପୂର୍ବରୁ ମାତାଲ ହେଲେ ସଭିଏଁ। କିଏ ନିଶାରେ.. କିଏ ପେସାରେ ତ ପୁଣି କିଏ ଦଶାରେ। ପାଦ ଠିକରେ ପଡୁନଥାଏ କାହାର। ସେଇ ନିଶାରେ ନିଶାରେ ଆରମ୍ଭ ହେଲା ଯଜ୍ଞ। ଅଜ୍ଞାନତାର ଯଜ୍ଞ, ଘୃଣ୍ୟତାର ଯଜ୍ଞ, ଆଉ ନିର୍ମମତାର ଯଜ୍ଞ। ଆହୁତି ପରେ ଆହୁତି ଦିଆଗଲା। ସ୍ନେହର ଆହୁତି..ପ୍ରେମର ଆହୁତି ଆଉ ମଣିଷପଣିଆ ର ଆହୁତି। ଆଉ ଶେଷରେ ରକ୍ତ ମାଂସର ପ୍ରାଣ ପୂର୍ଣ୍ଣାହୁତି।
ଯଜ୍ଞ ସରିଲା ବେଳକୁ ପଶ୍ଚିମ ଆକାଶରେ ପାହାନ୍ତିଆ ତାରା ଉଇଁ ଆସୁଥାଏ। ଫେରିବା ସମୟ ଏବେ। ସଭିଏଁ ଫେରିଲେ ନିଜ ନଜ ବାଟରେ। କଳାରାତିର କାଳିମା ଧୋଇ ମୁହଁରେ ଭଦ୍ରତାର କ୍ରିମ ବୋଳିବାକୁ। ବାଘରୁ ମଣିଷ ହେବାକୁ। ଯଜ୍ଞବେଦୀ ହୋଇସାରିଥିଲା ଶୂନଶାନ। ପୂର୍ବପରି ନିସ୍ତବ୍ଦ।
ଭାଟପଡାରେ ଆଜି କିନ୍ତୁ ନାହିଁ ନିସ୍ତବ୍ଦତା। ଚାରିଆଡେ ଖାଲି କୋଳାହଳ। ମୌନ କୋଳାହଳ। ଏ ମୌନତା କିନ୍ତୁ ବେଶୀ ସମୟ ତିଷ୍ଠି ରହିପାରିଲା ନାହିଁ। ଦ୍ରୌପଦୀ ବସ୍ତ୍ରହରଣର ମୌନଦ୍ରଷ୍ଟା ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ, ଆଉ କୃପାଚାର୍ଯ୍ୟଙ୍କ ପରି ଆଜି ବି ସଭିଏଁ କୃପଣ ଶବ୍ଦଟିଏ ବ୍ୟୟ କରିବା ପାଇଁ। ସଭିଏଁ ଚୁପ। ନିରୋଳା ଚୁପ।
ସରଭାଉଜର ନାକ ଶୋଷଡା ସୁଂ ସୁଂ ଶବ୍ଦଟି କିନ୍ତୁ ମଝିରେ ମଝିରେ ଶୁଭୁଥାଏ। ବଇନନାର କୋହ ବୈତରଣୀ ବି ଉଜାଣି ବହୁଥାଏ। ମେଳଛ ପିଇସା ଆଉ ଦଇଆଭାଇ, ଉପଦେଶର ଦୋଛକିରେ ଛିଡା ହୋଇ ଧନ୍ଦି ହେଉଥାନ୍ତି। ଗାଁ ପୁରୋଧା ହିସାବରେ ସବୁ ନ୍ୟାୟ ନିଶାପରେ ଏମାନେ ଭାରି ଆଗଭର। ହେଲେ ଆଜି କାହିଁକି କେଜାଣି, ଏମାନଙ୍କ ଅକଲ ଗୁଡ଼ୁମ।
ମାଟି କାନ୍ଥକୁ ଲାଗି ଡ଼ିବିରୀ ଆଲୁଅଟା ଧୁ ଧୁ ହୋଇ ଜଳୁଥିଲା। ମନର କଳା ଧାସକୁ ବାହାରକୁ ଫୋପାଡ଼ି ଦେଇ, ଉଜ୍ଜଳ ଆଲୋକକୁ ଧରିବାର ନିରନ୍ତର ପ୍ରୟାସ କରୁଥାଏ ସେ। ହେଲେ ତା ଠାରୁ ଢେର ହିନ ବଇନନା। ନା ମନର କଳାକୁ ବାହାରକୁ ଫୋପାଡ଼ି ପାରୁଛି, ନା ମନରେ ରଖି ଅଣନିଶ୍ୱାସୀ ହେବାକୁ ଚାହୁଁଚି।
ହଠାତ ମାଟି କାନ୍ଥ ରେ ହାତ ବାଡେଇ ମାମା ମାମା ବୋଲି ରଡି ଛାଡିଲା ବଇନନା। ପାଗଳ ପରି ମୁଣ୍ଡ ପିଟୁଥାଏ କାନ୍ଥରେ ସେ। ଚତୁର୍ଥଥର ମଧ୍ୟ ମେଳଛ ପିଇସା ଆଉ ଦଇଆ ଭାଇ ତା ହାତ ଧରି ତଳେ ବସେଇଲେ।
ଶେଷରେ ମେଲଛ ପିଇସା ମୁହଁ ଖୋଲିଲେ। ଦେଖ ବଇ... ଯାହା ହେବାର ହେଲାଣି। ତୁ ଟିକେ ଧର୍ଯ୍ୟ ଧର। ତୁ ଏମିତି ହେଲେ କଣ ମାମା ଫେରିଲେ ଆସିବ।
ଦଇଆ ଭାଇ ପଚାରିଲା.. ହଇରେ ବଇନନା.. ତୁ ପରା ଆମର ଏଡ଼େ ବଡ଼ ଗୁଣିଆ। ଆଖ ପାଖ କୋଡିଏ ଖଣ୍ଡ ଗାଁରେ ତୋର ନାଁ ଟେକ ଅଛି। ତୋ କଥା ଶୁଣିଲେ ପରା ପିଲାଖାଇ ଡାହାଣୀ ବି ବାଟ ଛାଡିଦିଏ। କେତେ ନେତା, ବାବୁ ଧାଇଁ ଆସନ୍ତି ତୋ ଦୁଆରକୁ ଗୁହାରି ନେଇ। ଆଉ ତୁ ଘରେ ବସି ଆଖିରୁ ଲୁହ ଗଡ଼ଉଛୁ। କିଛି ନ ହେଲେ ବି ନଖଦର୍ପଣ କରି ଦେଖ। ମାମା କୁ କିଏ ନେଇଛି? କୋଉଠି ରଖିଛି?
ଏଇ କଥା ଶୁଣି ସର ଭାଉଜ କହିଲେ, ଏଇ ଲୋକଟାର କୁକର୍ମ ପାଇଁ ମୋ ମାମାର ଆଜି ଏଇ ଅବସ୍ଥା। ମନ୍ତ୍ର ଯନ୍ତ୍ର କରି କରି ବୋପା ମଲା, ମା ମଲା, ବଂଶ ବୁଡିଗଲା। ତଥାପି ଏ ଲୋକଟାର ଚେତା ପଶିଲାନି। ପାଞ୍ଚ ବରଷର ଝିଅକୁ ନେଇ ମୁଁ ଘର ଛାଡ଼ିଲି। ୟା ଘରେ ତା ଘରେ ବାସନ ମାଜିଲି। ଝାଡୁ ମାରିଲି। ଏକୁଟିଆ ମାଇପି ଲୋକ, ଭୁବନେଶ୍ୱରରେ ରହିବ ଯେ କେତେ କଷ୍ଟ, ସେ କଥା ମୁହିଁ କେବଳ ଜାଣିଛି। ତଥାପି ମୋ ଝିଅ କୁ ଦି ଅକ୍ଷର ପାଠ ପଢ଼େଇ ମଣିଷ କରିବା ପାଇଁ ସବୁ କିଛି ଦାନ୍ତ ଚିପି ସହିଗଲି।
କମ ସେ କମ ଏ ମୂର୍ଖଲୋକ ପରି ଗୁଣିଠୂଣି ରେ ତ ବିଶ୍ୱାସ କରିବନି। ଦୁନିଆ ଯାଇ କୋଉଠୁ କୋଉଠି ପହଂଚି ସାରିଲାଣି, ହେଲେ ଏ ମୂର୍ଖଲୋକ ତା ସେଇ ତନ୍ତ୍ରମନ୍ତ୍ର ରେ ପଡିକି ଅଛି। ମୋ ଝିଅ କୁ କେବଳ ଏଇ ଲୋକଟା ଆଉ ତା ତନ୍ତ୍ରମନ୍ତ୍ରଠୁ ବଞ୍ଚେଇବା ପାଇଁ ଭୁବନେଶ୍ୱରର କୋଉ ମସିଆ ବସ୍ତିରେ ଲୁଚିକି ଜୀବନ କଟେଇଲି। ହେଲେ ଶେଷରେ ଦଇବ ଦଉ ସାଧିଲା। ଏତେ ସବୁପରେ ବି, ଏ ଲୋକଟାର ମନ୍ତ୍ରତନ୍ତ୍ର ଭଲ ତ ସବୁଭଲ। କିଏ ମଲେ କେତେ ନା କିଏ ହଜିଲେ କେତେ?
ବଇନନା ସବୁକିଛି ଶୁଣି ପୁରା ନିର୍ବାକ ପରି ବସିଥାଏ। ତା ହୃଦୟ ର ଅସରନ୍ତି ଯନ୍ତ୍ରଣା ଆଖି ଦେଇ ଭୂଇଁରେ ଥପଥପ ହୋଇ ଝରୁଥାଏ। ରାତିର ବୟସ ବି ବଢ଼ି ଚାଲିଥାଏ। ହଠାତ ଘର ବାହାରେ କେତେବେଳେ ଗୁଡିଏ ଗାଡି ଅଟକିବାର ଶବ୍ଦ ଶୁଣାଗଲା। ସମସ୍ତେ ଚମକି ଉଠିଲେ।
ଏତେ ରାତିରେ, ମଫସଲି ଗାଁର କଣମୁଣ୍ଡିଆ ଘର ପାଖରେ ମଟରଗାଡି ଶବ୍ଦ, ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରୁଥାଏ। ଘଟଣା କୁ ବୁଝିବା ପାଇଁ ବଇ ନନା କବାଟ ଖୋଲି ବାହାରକୁ ଗଲା। ଅନ୍ୟ ମାନେ କବାଟ ଫାଙ୍କାରୁ ଚାହିଁ ରହିଥାନ୍ତି। ଗାଡ଼ିରୁ ଓଲ୍ହେଇଲେ ଧୋବା ଫରଫର ବାବୁମାନେ।
ବାବୁମାନେ ଦି ତିନିଟା ଗାଡିରେ ରାତି ଅନ୍ଧାରରେ ଲୁଚିଛପି ଆସିଥିଲେ ଯେମିତି ସେ ଲୋକଗୁଡାକ ଆସିଥିଲେ। କବାଟ ଫାଙ୍କରେ ଲୁଚିଥିବା, ସରଭାଉଜ, ମେଳଛପିଇସା, ଆଉ ଦଇଆଭାଇର ଛାତି ଆଶଙ୍କାରେ ଧଡଧଡ଼ ହେଉଥାଏ।
ସପ୍ତରଥୀ ଯେମିତି ଅଭିମନ୍ୟୁଙ୍କୁ ଚାରିଆଡୁ ଘେରି ଯାଇଥିଲେ, ଠିକ ସେମିତି ବାବୁ ମାନେ ବଇନନା କୁ ଘେରିଗଲେ। ସେମାନଙ୍କ ଭିତରୁ ଜଣେ ବଡ ବାବୁ ବାହାରି ଆସିଲେ। ଆଟାଚି ରୁ କେତେ ବିଡା ଟଙ୍କା ବଣ୍ଡଲ କାଢି ଗୁଞ୍ଜି ଦେଲେ ବଇନନା ହାତରେ।
ଫୁସଫୁସ କରି ବଇନନା କାନରେ କହିଲେ... "ପୁରା ପାଞ୍ଚଲକ୍ଷ ଅଛି। କାହାରିକୁ କିଛି କହିବୁନି.. ହେଲା। ଯଦି ମୁହଁ ଖୋଲୁ ନିଜେ ହଇରାଣ ରେ ପଡ଼ିବୁ। ଆମର କିଛି ହବନି। ଯାହା ସବୁ ଘଟିଗଲା... ଆକସ୍ମିକ ଆଉ ଅବାଂଛିତ ଥିଲା । ଆମ କଥା ମାନ, ସବୁ କିଛି ଭୁଲିଯା। ଖୁସିରେ ରହିବୁ।"
ସେତିକିରେ ବାବୁମାନେ ଫେରିଗଲେ ତାଙ୍କ ଆସିବ ବାଟରେ। ବଇନନା ହାତରେ କେଇବିଡା ଟଙ୍କା ଧରି ବାବୁମାନଙ୍କ ଫେରିଯିବା ଗାଡିର ପଛ ଲାଇଟକୁ ନିଘେଇ ଚାହିଁ ରହିଥାଏ। ଆଉ କବାଟ ଫାଙ୍କରୁ ଏମାନେ ଚାହିଁ ରହିଥାନ୍ତି, ବଇନନା କୁ।
କେହି କିଛି ବୁଝିପାରୁ ନଥାନ୍ତି। ହେଲେ, "ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ " କଥା ଟିକୁ ଠିକ ବୁଝି ପାରୁଥିଲା ବଇନନା।
ଧୀରେ ଧୀରେ ବାବୁ ମାନଙ୍କର ଗାଡିର ପଛଆଲୁଅ ଗୁଡାକ ମିଳେଇ ଗଲା ରାତିର ଏକାନ୍ତ ଅନ୍ଧାର ଭିତରେ। ଆଖିରେ ଆଖିଏ ଲୁହ, ମନରେ ମେଞ୍ଚାଏ କୋହ, ଆଉ ହାତରେ କେଇବିଡା ଟଙ୍କା ଧରି ବଇନନା ଧିକାର କରୁଥିଲା ନିଜ କୁକର୍ମ ଆଉ ଅଭିଶପ୍ତ "ରକ୍ତପୂର୍ଣମୀ" କୁ।
