ପୁନର୍ଜନ୍ମ

ପୁନର୍ଜନ୍ମ

5 mins
510


ହଷ୍ଟେଲର ଏକ ସୁନ୍ଦର ସନ୍ଧ୍ୟା। ସନ୍ଧ୍ୟା ପ୍ରାର୍ଥନା ସଭାରେ ସମସ୍ତେ ଅଭିନନ୍ଦନ ଜଣାଉଥିଲେ ମନ୍ଦିରାକୁ। ମନ୍ଦିରା, ହଷ୍ଟେଲରେ କାମ କରୁଥିବା ସାବିତ୍ରୀ ମାଉସୀଙ୍କ ଝିଅ। ସେ ଯୁକ୍ତ ୩ ସଂସ୍କୃତ ସମ୍ମାନରେ କଲେଜ ଟପ୍ପର ହୋଇଥିଲା। ସେଦିନ ସାବିତ୍ରୀ ମାଉସୀଙ୍କ ଖୁସି କହିଲେ ନ ସରେ।


    ସାବିତ୍ରୀ ମାଉସୀ ଭଗବାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଯାଇଥିଲେ ନୀଳକଣ୍ଠେଶ୍ୱର ମନ୍ଦିର। ସଂଧ୍ୟା ଆଳତୀ ଦର୍ଶନ ପୂର୍ବକ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇ, ମିଠା ପ୍ୟାକେଟଟିଏ ସହ ପହଞ୍ଚିଲେ ହଷ୍ଟେଲରେ। ହଷ୍ଟେଲରେ ପହଞ୍ଚି, ସେ ସଞ୍ଜୁ ମ୍ୟାଡମ୍ (ହଷ୍ଟେଲ ମ୍ୟାନେଜର)ଙ୍କ ରୁମକୁ ଗଲେ। ସାବିତ୍ରୀ ମାଉସୀଙ୍କର ହଷ୍ଟେଲରେ କାମ କରିବା ଓ ଝିଅକୁ ପାଠ ପଢେଇବାରେ ସଞ୍ଜୁ ମ୍ୟାଡମ୍ ଙ୍କ ନିର୍ଣ୍ଣାୟକ ଭୂମିକା ଥିଲା। ଖୁବ୍ ଖୁସି ହେଲେ ସେ ସାବିତ୍ରୀଙ୍କୁ ଦେଖି। ଖୁସିରେ ମିଠାଟିଏ ଖୁଆଇବା ବେଳେ କାହିଁକି କେଜାଣି ତାଙ୍କ ଆଖି ଲୁହରେ ଭରିଗଲା? ସେ କହିଲେ ମିଠା ତ ତୁମେ ଖାଇବା କଥା । ତୁମ ଶ୍ରମ ସାର୍ଥକ ହେଇଛି। ଏମିତି ଝିଅଟେ ପାଇ ତୁମେ ଧନ୍ୟ। ପରିଶ୍ରମୀ, ଭଦ୍ର ଓ ଖୁଵ ସାହସୀ ସେ। ସେ ଖୁବ୍ କମ ଦିନ ଭିତରେ ତାର ଜୀବନର ଲକ୍ଷ୍ୟ ପୂରଣ ନିଶ୍ଚୟ କରିବ। ତୁମ ଆଶା ଓ ସମ୍ଭାବନାକୁ ସାକାର କରିବ। ତୁମ ତ୍ୟାଗ ଓ ଭଲପାଇବାର ମୂଲ୍ୟ ଆଣିଦେବ। ତୁମେ ସିନା ତୁମ ପରିବାର ଏବଂ ନିଜ ବିଷୟରେ କେବେ କିଛି କହିନ, ମାତ୍ର ତୁମ ଅସହାୟତା କୁ ମୋ ଛଡା ଅଧିକ କିଏ ଅନୁଭବ କରିଛି? ସ୍ୱଳ୍ପ ରୋଜଗାରରେ ଝିଅକୁ ନେଇ ଜୀବନ ଜୀଇଁବାର ଯେଉଁ ଅଦମ୍ୟ ସାହସ ଦେଖେଇଛ, ତାହା କାହାକୁ ବି ଚକିତ କରିପାରେ। ଭୋ ଭୋ ହୋଇ କାନ୍ଦି ପକେଇଲେ ସାବିତ୍ରୀ ମାଉସୀ। ଯେଉଁ ଲୁହ ଅନେକ ଦିନରୁ ଆଖିକୋଣରେ ଲୁଚି ରହିଥିଲା, ସେ ସବୁ ରୁଦ୍ଧକୋଠରୀ ଅତିକ୍ରମ କରି ବହିଆସିଲା।


     ସାବିତ୍ରୀ ମାଉସୀଙ୍କର ମନେ ପଡିଗଲା ସେ କରୁଣ ଇତିହାସର ବିଭୀଷିକାମୟ ଶହ ଶହ ପୃଷ୍ଠା। ଜୀବନ ଯାତ୍ରାର ଘଟଣା ଓ ଦୁର୍ଘଟଣାର କଣ୍ଟକିତ ପଥ....।


   ସେ ସଞ୍ଜୁ ମ୍ୟାଡମ୍ ଙ୍କୁ କହିଲେ ତାଙ୍କ ଜୀବନର ଅକୁହା କଥା ସବୁ। ବାପା ମା ଙ୍କୁ ହରାଇଥିବା ନିରୀହା କିଶୋରୀ ସାବି ଶାଶୁଘର ଗଲାବେଳେ ମାଇଁଙ୍କ ମୁହଁମୋଡା ଓ ଭୃକୁଞ୍ଚନ ଠିକ ଦେଖି ପାରିଥିଲେ। ଶାଶୁଘର କୁ "ଯମପୁର" ସହ ତୁଳନା କରୁଥିବା ତାର ବିଧବା ସଖୀ ମାଳତୀର କଥା ସବୁକୁ ଖୁବ୍ କମ ଦିନରେ ଅଙ୍ଗେ ଲିଭାଉ ଥିଲେ। ବୋଝ ଉତାରି ମାମୁଁଘର ମୁକ୍ତ ହୋଇ ସାରିଥିଲେ ମାତ୍ର ସେ ମୁକ୍ତିର ବାଟ ଖୋଜୁଥିଲେ ଶାଶୂଘରର ଚାରିକାନ୍ଥ ଭିତରେ, ପଞ୍ଜୁରୀ ଆବଦ୍ଧ ଚଢେଇ ପରି। ମଦ୍ୟପ ସ୍ୱାମୀର ଦୁର୍ଘଟଣାଜନିତ ମୃତ୍ୟୁ ତାଙ୍କ ଜୀବନର ଆଉ ଏକ ଦୁଃଖଦ ମୂହୁର୍ତ୍ତ ସାଙ୍ଗରେ ଧରି ଆସିଥିଲା। ଅଭାବ ଅନଟନ ସାଙ୍ଗକୁ ବୈଧଵ ଯନ୍ତ୍ରଣା, ନିନ୍ଦା ଅପବାଦର ଜ୍ୱାଳାରେ କଅଁଳ ଆତ୍ମାଟିଏ ଜଳୁଥିଲା ଉଲ୍କା ପିଣ୍ଡ ପରି। ଉଆଁସୀ ହେବାର ଭାଗ୍ୟ ତାଙ୍କୁ ତାତ୍ସଲ୍ୟ କରୁଥିଲା। ତାଙ୍କ କାନରେ ଅହରହ ପ୍ରତିଧ୍ବନିତ ହେଉଥିଲା ଶାଶୁ ମା ଙ୍କର ଗୋଟିଏ କଟୁ ବାକ୍ୟ, "ବୋପା ମାଙ୍କୁ ଖାଇଲୁ, ଗେରସ୍ତକୁ ଖାଇଲୁ ଆଉ କାହାକୁ ଖାଇବୁ ଲୋ କୁଳଖାଇ ଡାଆଣୀ।"


   ମରି ମରି ବଞ୍ଚିବା ତାଙ୍କର ଅଭ୍ୟାସ ହୋଇ ସାରିଥିଲା।


ମାଘ ମାସର ହାଡଭଙ୍ଗା ଶୀତରେ ଘଟିଲା ତାଙ୍କ ସହ ଆଉ ଏକ ଲୋମହର୍ଷଣକାରୀ ଦୁର୍ଘଟଣା। ଦିଅର ମନୁଆର ପାଶବିକ ଅତ୍ୟାଚାର। ସେ ରୋକି ପାରିଲେନି ନିଜକୁ, ଉଆଁସୀ ଭାଗ୍ୟ ସାଙ୍ଗକୁ ଅସତୀର ହେବାର କଳଙ୍କ ବୋଳି ହେବା ଆଗରୁ ଧାରୁଆ ପନିକିରେ ପକେଇଲେ ଚୋଟ। ସାଜିଲେ ରକ୍ତମୁଖା ରଣଚଣ୍ଡୀ। ତା ପରେ, ସବୁକିଛି ସରିଯାଇଥିଲା ତାଙ୍କ ପାଇଁ । 


   ନର ହତ୍ୟା ଅଭିଯୋଗରେ ଜେଲ ଭିତରେ ଚଉଦ ବର୍ଷ ସଶ୍ରମ କାରାବାସ ଭୋଗ କରି ଗାଁକୁ ଫେରି ଆସିବାର ବାଟ ବି ବନ୍ଦ ହୋଇ ଯାଇଥିଲା ସବୁ ଦିନ ପାଇଁ। ପେଟ ପାଇଁ ଦାନା ମୁଠେ ଯୋଗାଡ଼ କରିବା କେତେ ଯେ କଷ୍ଟ, କେବଳ ସେ ହିଁ ଅନୁଭବ କରୁଥିଲେ। ଏକ ଘରୋଇ ହସ୍ପିଟାଲରେ କାମ ମିଳିଥିଲା ତାଙ୍କୁ । ସେବେଠାରୁ ସେ ସହରର ଏକ ବସ୍ତିରେ ରହୁଥିଲେ। ଏତିକି କହୁ କହୁ ବାଷ୍ପରୁଦ୍ଧ ହୋଇଯାଇଥିଲା ତାଙ୍କ କଣ୍ଠ। ଲୁହ ସବୁ ଅନାୟାସରେ ବହି ଯାଉଥାଏ ଧାରା ଶ୍ରାବଣର ବର୍ଷା ପରି। ସଞ୍ଜୁ ମ୍ୟାଡ଼ମ୍ କହିଲେ ତାପରେ କଣ ହେଲା ସାବିତ୍ରୀ?


   ସାବିତ୍ରୀ ମାଉସୀ କହିଲେ, "ମୋ ଘର ଆଗରେ ଥିଲା ଏକ ଛୋଟ ଚାଳଘର। ସେଇ ଘରେ ରହୁଥିଲା ମନ୍ଦିରା।ସେତେବେଳେ ତାକୁ ବୟସ ଷୋହଳ। ବାପା ତାର ରାଜ୍ୟ ବାହାରେ କାମ କରୁଥାଏ। ସାବତ ମା', ଭଉଣୀ ଏବଂ ଦୁଇ ଭାଇଙ୍କୁ ନେଇ ତାର ଛୋଟ ସଂସାର । ମନ୍ଦିରା ଖୁବ୍ ନୀରିହ ଓ ପରିଶ୍ରମୀ ଥିଲା। ତାଙ୍କ ଘର ଭିତର କୋଳାହଳ ଶୁଣି ନୂଆନୂଆ ମୁଁ କିଛି ବୁଝି ପାରୁନଥିଲି। ମାତ୍ର ପରେ ସେ ଘରର ଦୃଶ୍ୟ ଦେଖି, ଶବ୍ଦ ଶୁଣି ସବୁକିଛି ବୁଝି ସାରିଥିଲି। ଦିନକୁ ଦିନ ସାବତ ମାଆ ର ଅତ୍ୟାଚାର ବଢି ଚାଲିଥାଏ। ସେଇ କିଛିଦିନ ରହଣୀ ଭିତରେ ଦୁଃଖିନୀ ଝିଅଟା ପାଇଁ ମୋ ମନରେ ଅସୀମ ମମତା ଜାଗି ଉଠିଥିଲା, ତାର ଅଜାଣତରେ। ପାଠପଢ଼ାରେ ଡୋରୀ ବନ୍ଧା ହେଲା ପରେ ପାଖରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି କୁ କାମ କରିବାକୁ ସେ ଯାଏ। ମୋ ଆଗରୁ ସେ କାମକୁ ଯାଏ ଏବଂ ଡେରିରେ ଫେରେ।ଝରକା ଫାଙ୍କରେ ମୁଁ ଚାହିଁ ରହେ ତା ଆସିବା ବାଟକୁ। ବସି ବସି ଦେଖେ ଗୋଟେ କଅଁଳ ଫୁଲ କଢ଼ିକୁ। ନିଷ୍ପାପ ହରିଣ ଛୁଆ ପରି ସେ ଖୁଵ ଚଞ୍ଚଳ, ଘରଟା ଯାକର କାମ କରେ, ବଦଳରେ ଗୁଡ଼ାଏ ମାଡ ଗାଳି ଖାଏ। ସମସ୍ତେ ଶୋଇଗଲା ପରେ ବାସନର ଠନ୍ ଠନ୍ ଶବ୍ଦ ଶୁଭିଲା ବେଳେ ମୁଁ ଲୁଚି ଦେଖେ ମନ୍ଦିରାକୁ । ଦିକ ଦିକ ଆଲୁଅରେ ସେ ବାସନ ମାଜେ। କାଳୀ ଅନ୍ଧାର ରୁ ଉଠି ସବୁ ପାଇଟି ସାରି କାମକୁ ଯାଏ।


    ନିର୍ବାଚନ ପାଖେଇ ଆସୁଥିବାରୁ ସହରଠୁଁ ବସ୍ତି ଯାଏଁ ପରିସ୍ଥିତି ଏବଂ ପରିବେଶ ସରଗରମ ଲାଗୁଥାଏ। କୌଣସି ଏକ ଦଳର ପ୍ରଚାର ଥାଏ ସେଦିନ । ଦଳୀୟ କର୍ମୀମାନେ ରାସ୍ତାକୁ ଏକଦମ ଅକ୍ତିଆର କରି ରଖିଥିଲେ। ଝରକା ପାଖରେ ବସି ମୁଁ ଚାହିଁଥାଏ ମନ୍ଦିରା ଆସିବା ବାଟକୁ। ମାତ୍ର ସେ ଆସୁ ନ ଥାଏ। ଘଣ୍ଟେ ଯାଇ ଦୁଇ ଘଣ୍ଟା ବିତିଗଲା, କିନ୍ତୁ ମନ୍ଦିରା ଆସିଲାନି। ମତେ ଖୁବ ବ୍ୟତିବ୍ୟସ୍ତ ଲାଗୁଥିଲା। କିଛି ସମୟ ପରେ ସାରା ବସ୍ତିରେ ହାଲ୍ଲା ହୋଇଗଲା ମନ୍ଦିରାର ରେପ ହୋଇଛି। ଛି ଛା କରି କିଏ କେତେ କଥା କହୁଥିଲେ। ମୁଁ କିନ୍ତୁ ବିଶ୍ୱାସ କରୁ ନ ଥିଲି। ମୁଁ ଭାବୁଥିଲି ଗରିବ ମାଇପ ସମସ୍ତଙ୍କ ଶାଳୀ। ସଜ ମାଛରେ ପୋକ ପକାଇବା ଲୋକଙ୍କ ସଂଖ୍ୟା କଣ କମ?

   

      କିନ୍ତୁ ସେଦିନ ମନ୍ଦିରାର ରେପ ହୋଇଥିଲା । ତା ବେହୋଶ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା । ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି । ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି । ଅଟୋରିକ୍ସା ତାଠୁଁ ପଇସା ମାଗି ନ ଥିଲା । ସେ ତାର ମାନବିକତା ଦେଖାଇ ମାନବ ଧର୍ମର ଜୟ ଜୟକାର କରିଥିଲା ଯେମିତି। ମାତ୍ର ସେ ମାନବ ଧର୍ମର ବ୍ୟତିକ୍ରମ ଘଟିଥିଲା ତା ନିଜ ଘରେ।


    ମନ୍ଦିରା ଧୀରେ ଧୀରେ ଘର ଭିତରକୁ ଗଲା। ମନ୍ଦିରା କୁ ଦେଖି ସାବତ ମା ଆରମ୍ଭ କଲେ ଗାଳିର ବର୍ଷା। ମା'ଟିଏ କଣ ଏତେ ହୃଦୟହୀନ ହୋଇପାରେ। ଅକଥନୀୟ ଗାଳି ସାଙ୍ଗକୁ ଅନେକ ଗୋଇଠାବିଧା। ନିରୀହ କୋମଳ ଝିଅଟିର କଇଁ କଇଁ କାନ୍ଦ ଖୁବ୍ ବିଚଳିତ କରି ପକାଉ ଥାଏ ମୋତେ। ଏ କି ପ୍ରକାର ଅମାନୁଷିକତା, ମୋ ଅନ୍ତର ଆତ୍ମା ମୋ ବିବେକକୁ ଧିକ୍କାର କରୁଥାଏ। ପାଖରେ ଥାଇ ବି ମୁଁ କିଛି କରି ପାରୁ ନ ଥାଏ।


   ସାବତ ମାଆ ଗାଳି କରି କହୁଥିଲେ, "ମୋ ଦୁଆର ଅପବିତ୍ର କରିବା ଆଗରୁ ତତେ କୂଅ ପୋଖରୀ ମିଳିଲାନି।ମୋ ଘରେ ବଢ଼ିଲା ଝିଅ, ରାତି ପାହିଲେ ମୁଁ କାହାକୁ ମୁହଁ ଦେଖେଇବି । ଅଲକ୍ଷଣୀ ମୋ ଘରୁ ବାହାର।" କିଛି ବି କହୁନଥାଏ ମନ୍ଦିରା। ଚୁଟିକୁ ଟାଣି ଟାଣି ଆଣି ଫାଟକ ବାହାରେ ଛାଡ଼ିଦେଇ ଗଲା ମାଆ ନାମର ଵିପରୀତ ଚରିତ୍ର। ମୁଁ ଲୁଚି ଦେଖୁଥାଏ। ତାର ନିସ୍ତେଜ ଶରୀରର ଟା ଅନ୍ଧାରରେ ହଜିଯିବାକୁ ଲାଗିଲା। ନିଜକୁ ରୋକିବାରେ ଅସମର୍ଥ ହେଲି ମୁଁ।

   ତାର ପିଛା କଲି ସେଇ ଅନ୍ଧାରରେ। ମୁଁ ଜାଣିଥିଲି ତା ସହିତ କଣ ହେବ। ସେ ରେଳ ଧାରଣାରେ ମୃତ୍ୟୁକୁ ଅପେକ୍ଷା କରିଥିଲା । ମୁଁ ଦୌଡ଼ିଲି ତା ପାଖକୁ। ତା ପାଖରେ ପହଞ୍ଚି ତା ଦେହକୁ ଲାଗି ବସି ପଡ଼ିଲି। ସେ ଥିଲା ନିର୍ବିକାର ଆଉ ଭୟଶୂନ୍ୟ। ତା ଆଖିରେ ଲୁହ ଥିଲା ନା ତା ମନରେ ବଞ୍ଚିବାର ଇଚ୍ଛା। ତାର ଅଲରା ଅସରା କେଶ ରାଶିକୁ ଆଉଁଷି ଦେଇ କହିଲି, "ଭୟ କର ନା ଝିଅ। ମୁଁ ପରା ଅଛି। ମୋ ପରି ତୋ ଜୀବନଟା କୁ ମୁଁ ନଷ୍ଟ କରିବାକୁ ଦେବିନି।"


  ସେଇ ଦିନ ଟ୍ରେନରେ ଚଢ଼ି ଚାଲି ଆସିଲି ଏ ସହରକୁ। ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ପରେ ଭଗବାନ ସାହା ହେଲେ। ଜୀବନ ଜୀଇଁ ବାକୁ ଏ ହଷ୍ଟେଲ ଏବଂ ଆପଣଙ୍କ ଭଳି ଦେବୀ ତୁଲ୍ୟ ମଣିଷଙ୍କୁ ମୁଁ ପାଇଲି। ସେହି ଠାରୁ ଦୁଇଟି ବେସାହାରା ମଣିଷଙ୍କର ନୂଆ ଜୀବନ ଆରମ୍ଭ ହେଲା, ନୂଆ ଜୀବନ ନୁହେଁତ ପୁନର୍ଜନ୍ମ। "


   ସାତ ବର୍ଷ ପରେ....। 

   

     ମନ୍ଦିରା ଏବେ ଦେବୀ କନ୍ଦଳ ନିତ୍ୟାନନ୍ଦ କଲେଜର ସଂସ୍କୃତ ବିଭାଗର ଅଧ୍ୟାପିକା। ଆଉ ସମସ୍ତଙ୍କ ଆଦର୍ଶ।


(ଜୀବନର ଅନ୍ୟନାମ ହେଉଛି ନିରବଚ୍ଛିନ୍ନ ସଂଗ୍ରାମ। ଆମକୁ ଆଗେଇବାକୁ ହେବ ଆହତ ସୈନିକ ଭଳି ନୁହେଁ ବରଂ ଏକ ନିର୍ଭୀକ ଯୋଦ୍ଧା ଭଳି, ଠିକ ସାବିତ୍ରୀ ମାଉସୀ ଭଳି।)


Rate this content
Log in

Similar oriya story from Inspirational