ପ୍ରତୀକ୍ଷା
ପ୍ରତୀକ୍ଷା


ଆଜକୁ ଠିକ ତିରିଶି ବରଷ ବିତିଗଲାଣି , ସେ ଯାଇଛିନ୍ତି ତ ଯାଇଛିନ୍ତି ତାଙ୍କର କଣ ମୋ କଥା ମନେ ପଡୁନାହିଁ । କୋଉଠି ସେ ଏବେ ଅଛନ୍ତି , କଣ କରୁଛିନ୍ତି , କେମିତି ଅଛନ୍ତି । ଏମିତି ନିଇତି କହିହୋଉ ଥାଏ ରତନପୁର ଗାଁର ମନ୍ଦାର ନାନୀ ତା ନୁଆଣିଆ ଚାଳ ଘର ଦୁଆର ପିଣ୍ଢାରେ ବସି । ବକୁଟେ ଘର , ମୁକୁଳା କବାଟ, ଘର ଭିତରେ ଗୋଟେ ପୁରୁଣା କାଳିଆ ଖଟ ଆଉ ତା ଉପରେ ମଳି ଜରଜର କନ୍ଥା ଓ ତକିଆ ।
ଏକୁଟିଆ ମଣିଷଟିଏ, ସାଧାସିଧା ଗାଉଁଲୀ ଢ଼ଙ୍ଗରେ କଥାବାର୍ତ୍ତା କରେ ମନ୍ଦାର ନାନୀ । ସବୁବେଳେ ଉଦାସ ମନରେ କାହାର ଆସିବା ବାଟକୁ ସେ ଚାହିଁ ରହିଥାଏ । ମୁଁ ତା ଘର ବାଟ ଦେଇ ମୋ ୨୪ ଇଞ୍ଚିଆ ସାଇକେଲଟେ ଚଢି ନିଇତି କଲେଜ ଯାଏ । ଯେତେବେଳେ ଯାଏ ସେତେବେଳେ ମନ୍ଦାର ନାନୀକୁ ଦେଖେ । ମୁଁ ସେଇ ଗାଁର ଜଣେ ଲୋକକୁ ମନ୍ଦାର ମାଉସୀ ବିଷୟରେ ପଚାରିବାରୁ , ସେ କହିଲେ, ହେ ! ସେ ପାଗିଳି ଟା, ତା ମୁଣ୍ଡ କାମ କରୁନି, ସବୁବେଳେ ବକର ବକର ହୋଉଥାଏ ସେଇ ଗୋଟିଏ ଜାଗାରେ ବସି । ଏ କଥା ସବୁ ଲୋକଟି ମୁହଁରୁ ଶୁଣି ମୁଁ ଭାବିଲି ଏ ବୁଢ଼ୀଟିର କିଏ ଅଛି, କାହିଁକି ସେ ଏମିତି ସବୁବେଳେ ମନ ଦୁଃଖରେ ବସି ତାର ନିରୀହ ଆଖିରୁ ଲୁହ ଝରାଉଛି । ଦିନେ ମୁଁ ମନେ ମନେ ଠିକ୍ କଲି, ତା ସହ କଥା ହେବି ତା ଦୁଃଖ ପଛର କାରଣ ଜାଣିବି । ସେଥିପାଇଁ ଦିନେ କଲେଜ ବନ୍ଦ କରିଦେଲି ମନ୍ଦାର ନାନୀ ସହ ମନ ଖୋଲି କଥା ହେବା ପାଇଁ । ତା ଘର ପାଖରେ ପହଞ୍ଚି ସାଇକେଲଟିକୁ ତା ବାଡ଼ରେ ଡେରି ଦେଇ ମନ୍ଦାର ନାନୀ ବସିଥିବା ଜାଗାକୁ ଗଲି । ତାକୁ ଡାକିଲି, ମାଉସୀ ମାଉସୀ- ସିଆଡୁ ସ୍ନେହଭରା କଅଁଳ କଣ୍ଠରେ ଉତ୍ତର ଆସିଲା- ବାବା ତୁ କିଏରେ । ମୁଁ ଜଗନ ପାଖ ଗାଁ ରେ ମୋ ଘର । ଏଇ ବାଟେ ମୁଁ ନିଇତି କଲେଜ ଯାଏ, ତତେ ଦେଖେ, ତୁ ସବୁବେଳେ କାହା ପ୍ରତୀକ୍ଷାରେ ରହୁ । ମନଟା ଆଉଟୁ ପାଉଟୁ ହେଲା ତ ସେଥିପାଇଁ ଆଜି କଲେଜ ଯିବାକୁ ଇଚ୍ଛା ହେଲାନାହିଁ । ତୁ କହିଲୁ ମୋତେ କଣ ହେଇଛି ତୋର ? ମନ୍ଦାର ନାନୀର ଆଖିରୁ ଧାର ଧାର ହେଉ ଝରି ଆସିଥାଏ ଦୁଃଖର ଗରମ ଗରମ ଲୁହ । ତା ଲୁହ ଦେଖି ମୋ ଆଖିରେ ଲୁହ ବୁନ୍ଦା ସବୁ ଜମାଟ ହୋଇଆସୁଥାଏ । ମନ୍ଦାର ନାନୀ କହିଲା ଏ ଗାଁର ସବୁ ଯାକ ଲୋ
କ ମୋତେ ଘୃଣା ଆଖିରେ ଦେଖନ୍ତି । କେହି ମୋ ପାଖକୁ ଆସନ୍ତି ନାହିଁରେ । ତୁ ଆଉ କାହିଁକି ଆସିଛୁ ଏଠିକି ।
ଠିକ୍ ତିରିଶି ବରଷ ତଳେ ମୋ ଜୀବନରେ ଏକ ଝଡ଼ ଆସିଥିଲା । ସେ ଝଡ଼ ମୋ ମନର ମେରୁଦଣ୍ଡ ଭାଙ୍ଗିଦେଇଛି । ସେତେବେଳେ ଏଇ ଗାଁ ର ମୁଁ ଗେଲ୍ହା ଝିଅଟେ ଥିଲି । ଗାଁ ର ସବୁ କାମରେ ମୁଁ ଆଗଭର ହୋଇ ବାହାରିଯାଏ କାମ କରିବାକୁ । ବାପା ମାର ଗୋଟିଏ ବୋଲି ଝିଅ ଥିଲି ମୁଁ, ମା କହୁଥିଲା ମୁଁ ୧ ବର୍ଷ ହୋଇଥିବା ବେଳେ ବାପା ମୋର ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା । ବାପା ଆମ ମା ଝିଅକୁ ଛାଡ଼ି ଗଲାପରେ ମା ପୁରା ଦୁଃଖରେ ଭାଙ୍ଗିପଡିଥିଲା , ପର ଘରୁ ପାଇଟିଏ କାମ କରି ମତେ ସେ ଛୋଟ ଠୁ ବଡ଼ କଲା , ଏମିତି ଦୁଃଖେ ସୁଖେ ମା ଝିଅ ଚଳିଯାଉଥିଲୁ । ଦିନେ ଏଇ ଗାଁ କୁ ଗୋଟେ ପରଦେଶୀ ବାବୁ ଆସିଥିଲା, ଗାଁ ପାଖ ଡାକ୍ତରଖାନାକୁ ବଦଳି ହେଇ । ଏମିତି ଦେହ ଠିକ ନ ଲାଗିଲେ, ମୁଁ ସେଇ ଡାକ୍ତରଖାନାକୁ ଯାଏ ଦେହ ଦେଖେଇ କିଛି ମେଡ଼ିସିନ୍ ଆଣିବାକୁ । ଏମିତି ଦୁଇ ତିନି ଥର ଗଲା ପରେ ସେ ଡାକ୍ତର ବାବୁ ସହ ମୋର ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ସେ ଡ଼ାକ୍ତର ବାବୁ ଆମ ଗାଁ ରେ ଘର ଭଡ଼ା ନେଇ ରହୁଥିଲା । ମୁଁ ମଝିରେ ମଝିରେ ତା ପାଇଁ ରକମ ରକମର ଖାଇବା ତିଆରି କରି ନେଉଥାଏ । ଏମିତି କିଛି ବର୍ଷ ପରେ ସେ ମୋ ମଥାର ସିନ୍ଦୁର ଲଗେଇ ସାତ ଜନମ ପାଇଁ ସାଥି କରିଥିଲା । ହେଲେ ଆମ ବାହାଘରର ୧ ମାସ ପରେ ସେ ମୋତେ ଛାଡ଼ି କୁଆଡ଼େ ଚାଲିଗଲେ , ଆଉ ଆସିଲେ ନାହିଁ । ପରେ ଏ ଗାଁ ଲୋକ ମୋତେ ଛି ଛାକର କଲେ । ସ୍ୱାମୀଛାଡ଼ି କହି କେତେ ନିନ୍ଦା ଅପବାଦ ଦେଲେ । ଶେଷରେ ମୋର ବୁଢ଼ୀ ମା ଟି ଦୁନିଆ ଯାକର ଦୁଃଖ ସହି ନ ପାରି ମୋତେ ଛାଡ଼ି ସବୁଦିନ ପାଇଁ ଆଖି ବୁଝି ଦେଲା । ସେଇ ଦିନଠୁ ଏଇ ଘରେ ମୁଁ ପଡ଼ି ରହିଛି । ସେଇ ଡାକ୍ତର ବାବୁର ଆସିବା ବାଟକୁ ଚାହିଁ । ଏସବୁ କଥା ମନ୍ଦାର ନାନୀର ମୁହଁରୁ ଶୁଣି, ମୁଁ ହତବାକ୍ ହେଇଯାଇଥାଏ , ଏଆଡ଼େ ବେଳ ବୁଡ଼ି ସଞ୍ଜ ଆସିଲାଣି । ହେଲେ ଏପଟେ ମନ୍ଦାର ନାନୀ ସେମିତି ବକର ବକର ହେଉଥାଏ-
ସେ ଆସିବେ , ନିଶ୍ଚୟ ଆସିବେ, ଆସିବେନି କେମିତିବା । ସେ କଣ ତାଙ୍କ ପ୍ରେମକୁ ଭୁଲି ପାରିବେ , ସେ କଣ ତାଙ୍କ ମନ୍ଦାରକୁ ଭୁଲି ପାରିବେ .....!!!!!!!!!!