ମରି ମରି ଆସୁଥିଲା ଆଶା
ମରି ମରି ଆସୁଥିଲା ଆଶା


ଆଷାଢ଼ ମାସ । ମୌସୁମୀର ୠତୁ । ଏକ ଲଘୁଚାପ ଫଳରେ ତିନି ଦିନ ହେବ ଝିପିରି ଝିପିରି ବର୍ଷା ଲାଗି ରହିଛି । ବେଳ ବୁଡି ରାତି ହେଲାଣି । ଗାଁ ଚାରି ପାଖେ ଥିବା ନଈ ନାଳ ପୋଖରୀ ସବୁ ବର୍ଷା ପାଣିରେ ଉଛୁଳିଲାଣି । କୋଉ କାଳରୁ ଗାଁ ରେ ବିଜୁଳି ନାହିଁ । କେମିତି କାହା ଘରେ ଡିବିରି ଗୋଟେ ଜୁକୁ ଜୁକୁ ହେଇ ଜଳୁଥାଏ । ଅନେକ ଘର କିଟି କିଟି ଅନ୍ଧାର ଭିତରେ । ସୁନସାନ୍ ରାତି , ମୁହଁକୁ ମୁହଁ ଦିଶୁ ନଥାଏ । ସିଆଡୁ ଗୋଟେ ଚାଳ କୁଡ଼ିଆ ଘରୁ ଶୁଭି ଆସୁଥିଲା ଆକାଶ ବାଣୀ କଟକର ସଂଧ୍ୟା ସମାଚାର । କୁନି ଚୌକିଟିରେ ବସି ରଘୁ ମଉସା ରେଡ଼ିଓକୁ କାନ ଡେ଼ରି ଶୁଣୁଥାଆନ୍ତି । ଗୋଟେ ପୁରୁଣା କାଳିଆ ଖଞ୍ଜା ଘର । ଘରେ ଖାଲି ରଘୁ ମଉସା ଆଉ ତାଙ୍କ ଭାରିଜା ବସନ୍ତ । ଗୋଟିଏ ବୋଲି ପୁଅ ଦିନିଆ କଲିକତାର ଏକ ସୁତା କମ୍ପାନୀରେ କାମ କରେ । ମାସ ପୁରିଲା ପରେ ରଘୁ ମଉସାଙ୍କ ପାଖକୁ ଡାକରେ ଦୁଇ ହଜାର ଲେଖାଏଁ ପଠାଇ ଦିଏ ପୁଅ ଦିନିଆ । ସେଇ ଟଙ୍କାରେ ରଘୁ ମଉସାଙ୍କ ଘର ଦୁଃଖେ ସୁଖେ ଚଳିଯାଏ । ଏଇ ଦିନ କେଇଟା ହେବ ପୁଅର ରଙ୍ଗୀନ ଫୋଟଟେ ମଧ୍ୟସ୍ଥିଙ୍କୁ ଦେଇଦେଇଛନ୍ତି ପୁଅ ପାଇଁ ବୋହୂଟେ ଦେଖିବାକୁ । ଭାରି ସପନ ଦେଖନ୍ତି ୨ ଜଣ, ଗୋଟିଏ ବୋଲି ପୁଅ ଦିନିଆ , ହାତକୁ ଦି ହାତ ହେବ, ଘରକୁ ନୂଆ ବୋହୁଟିଏ ଆସିବ, ନାତି ନାତୁଣୀ ସହ ଘରଟା ପୁରି ଉଠିବ । ମୁକ ପାଲଟି ଯାଇଥିବା ଘରଟା ପୁଣି ହସି ଉଠିବ । ଏପଟେ ରେଡ଼ିଓର ଖବର କାନ ଡେରି ଶୁଣୁ ଶୁଣୁ ହଠାତ୍ ରଘୁ ମଉସା ଚମିକି ପଡ଼ିଲେ । ଖବର ଥିଲା କଲିକତାର ଏକ କମ୍ପାନୀରେ ନିଆଁ ଲାଗି ୫ ଜଣଙ୍କର ଜୀବନ ଚାଲିଯାଇଛି । ଖବରଟି ଶୁଣି ରଘୁ ମଉସାଙ୍କ ମନ ଆଉ ଥୟ ଧରିଲାନି । ଧୀରେ ଧୀରେ ଦୁଇ ଆଖିରେ ଦୁଃଖର ବୁନ୍ଦା ବୁନ୍ଦା ଲୁହସବୁ ଜମାଟ ବାନ୍ଧି ଆସୁଥାଏ । ରାତିଟାରେ କଣ କରିବେ, କାହାକୁ ପଚାରିବେ କଲିକତାରେ ତାଙ୍କ ପୁଅ ଭଲରେ ଅଛି କି ନାହିଁ । ଆକାଶରୁ ଝିପିରି ଝିପିରି ବର୍ଷାର ଧାର କମୁ ନଥାଏ । କିଟି କିଟି ଅନ୍ଧାରର କାଳ ରାତିଟା ସେଦିନ ଝଅଟି ବି ପାହୁ ନଥାଏ, ରଘୁ ମଉସା ବିଛଣାକୁ ଯିବାକୁ ଇଚ୍ଛା କରୁନଥାନ୍ତି, ସେମିତି ଡିବିରି ଗୋଟେ ମିଞ୍ଜି ମିଞ୍ଜି ହେଇ ଜଳୁଥାଏ ରଘୁ ମଉସାଙ୍କ କାଠ ଚୌକି ପାଖେ । ରଘୁ ମଉସା ଚୌକିଟିରେ ବସୁ ବସୁ , ଆଖି ଲଗିଯାଉ ଥାଏ । ଏମିତି ରାତି ପାହି ସକଳା ହୋଇଗଲା । ବସନ୍ତ ମାଉସୀ ରଘୁ ମଉସାଙ୍କୁ ଡାକିବା
କୁ ଲାଗେ ।
ଆରେ ଶୁଣୁଛ , ଶୁଣୁଛ ନା ନାଇଁ ।
ତମେ ରାତି ଯାକ ସେଇ ଚୌକିଟାରେ ଶୋଇ ପଡିଥିଲ ନା କଣ ।
ରଘୁ ମଉସା ଆଖି ଦୁଇଟିକୁ ମଳି ମଳି ବସନ୍ତ ମାଉସୀ ଆଡ଼କୁ ଚାହିଁ ଗମ୍ଭୀର ସ୍ୱରରେ କହିଲେ , ନାଁ ମ କିଛି ନୁହେଁ । ଏମିତି କାଲି ରାତିରେ ବସୁ ବସୁ ଆଖିରେ ନିଦ ଲାଗିଯାଇଥିଲା ତ ।
ହଉ ହଉ - ମୁହଁ ହାତ ଧୋଇ ପକାଅ, ମୁଁ ଅଦା ପକାଇ ନାଲି ଚା ଟୋପେ ଚୁଲିରେ ବସୁଉଛି ଝଅଟି ପିଇଦେବ । ଧୀରେ ହୁଁ ଟିଏ ମାରି ରଘୁ ମଉସା ଉତ୍ତର ଦେଲେ । ଏପରି ଏକ ଖବର ବସନ୍ତ ମାଉସିକୁ କହିଲେ ସେ ଜମା ବି ସହି ପାରିବନି , ମନେ ମନେ ନିଷ୍ପତ୍ତି ନେଲେ ବସନ୍ତ ମାଉସୀଙ୍କୁ ଏ କଥା ଜଣେଇବେ ନାହିଁ ବୋଲି, ଇଆଡ଼େ ମନ ଭିତରେ ଦୁଃଖର କଳା ବାଦଲ ଘୋଟି ଆସୁଥାଏ ପୁଅ ଦିନିଆ କଥା ଭାବି । କପେ ଚା'ରୁ ଅଧେ ଚା ପି ବାହାରି ଗଲେ ପଡୋଶୀ ଗାଁ ର ମହାଜନଙ୍କ ଘରକୁ । ମହାଜନଙ୍କ ଘରେ ପୁରୁଣା ଟେଲିଫୋନ ଟେ ଅଛି । ସୁବିଧା ହେବ କମ୍ପାନୀ ନମ୍ବରରେ ଫୋନ ଟିକେ କରି ପୁଅ କଥା ପଚାରିବା ପାଇଁ । ମହାଜନଙ୍କୁ ନମ୍ବରଟି ଦେଇ କହିଲେ, ଆଜ୍ଞା ମହାଜନେ ଏଇ ନମ୍ବର ଟା ଘରୁ ଖଣ୍ଡେ କାଗଜରେ ଲେଖିକି ଆଣିଛି ଫୋନ ଟିକେ କଲ କଲିକତାକୁ । ମହାଜନେ ଟେଲିଫୋନର ନମ୍ବର ବଟମକୁ ଟିପି ଫୋନ କରୁଥାନ୍ତି । ରଘୁ ମଉସା ବ୍ୟାକୁଳ ହୋଇ ଚାହିଁରହିଥାନ୍ତି ପୁଅ ଭଲରେ ଅଛି କି ନାହିଁ ଶୁଣିବାକୁ । କିଛି ସମୟ ପରେ ଫୋନ ଲାଗିଲା , ସିଆଡୁ ହେଲୋ ବୋଲି ଉତ୍ତର ଆସିଲା...
ମହାଜନେ - ଆଜ୍ଞା ଆମେ ଓଡ଼ିଶାରୁ କହୁଛୁ । ଶୁଣିବାକୁ ପାଇଲୁ ଗତ କାଲି ଆପଣଙ୍କ କମ୍ପାନୀରେ ନିଆଁ ଲାଗି ୫ ଜଣଙ୍କ ଜୀବନ ଚାଲିଯାଇଛି । ଆଜ୍ଞା, କହିବେକି ଦୀନବନ୍ଧୁ ଦାସ କେମିତି ଅଛନ୍ତି, ତାଙ୍କର କିଛି ହେଇନି ତ । ସେଠୁ ଉତ୍ତର ଆସିଲା, ନାଁ ଆଜ୍ଞା ।
ଦୀନବନ୍ଧୁଙ୍କର କିଛି ହୋଇନି । ସେ ୫ ଜଣ ଶ୍ରମିକଙ୍କ ଘର ବିହାର ରାଜ୍ୟରେ...।
ଫୋନ୍ କଟିଗଲା ......
ରଘୁ ମଉସା ସେଇଠି ଖାଲି ଚଟାଣ ଉପରେ ନଥ୍ କିଣି ବସିପଡିଲେ...।
ରଘୁ ମଉସାଙ୍କ ଆଖି ଦୁଇଟି ଲୁହରେ ଛଳ ଛଳ ହୋଇଯାଉଥିଲା , ଘୋଟି ଆସିଥିବା ଦୁଃଖର କଳା ବାଦଲ ସବୁ ଆସ୍ତେ ଆସ୍ତେ ଅପସରି ଯାଉଥିଲା, ପୁଅର ଜିଇଁବା ଖବର ଶୁଣି ରଘୁ ମଉସାଙ୍କ ମରିଯାଇଥିବା ଆଶାଗୁଡିକ ଆଉ ଥରେ ଜନ୍ମନେଉଥିଲା......।