Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Pabitra Sahu

Tragedy Inspirational Children

3.5  

Pabitra Sahu

Tragedy Inspirational Children

ପରିଶ୍ରମ ବିନା ଆଶା

ପରିଶ୍ରମ ବିନା ଆଶା

4 mins
131



 ଦଶମ ପରୀକ୍ଷା ଫଳାଫଳ ବାହାରିବାର ଦିନାଙ୍କ ଖବରଟି ପ୍ରସାରଣ ହେଲା । ପିଲାମାନଙ୍କ ମନରେ କେତେ ଆଶା ଆକାଙ୍କ୍ଷା ଭରି ରହି ଥିଲା। ଯେଉଁ ମାନେ ପାଠପଢ଼ା ପାଇଁ ଅଧିକ ପରିଶ୍ରମ କରିଛନ୍ତି ସେମାନେ ଖୁବ୍ ଉତ୍ସାହର ସହ ଅପେକ୍ଷା ରତ ଥିଲେ। କିନ୍ତୁ ଯେଉଁ ମାନେ ଅବହେଳା କରି ଦେଇଥିଲେ ସେମାନେ ଭାରି ଚିନ୍ତିତ। କ'ଣ ହେବ କ'ଣ ନାହିଁ.... ପାସ୍ ହେବିତ ? ନିଜକୁ ପ୍ରଶ୍ନ ପଚାରନ୍ତି।ଆଗରୁ ପାଠ ପଢ଼ିବା ପାଇଁ ଯେତେ କହିଲେବି ଶୁଣିବାକୁ ନାରାଜ। ହେଲେ ସେମାନଙ୍କ ମନରେ ବି ପାସ୍ ହେବି ଏହି ବିଶ୍ବାସ ଥାଏ। ଆମ ଗାଁ ପିଲାଟିଏ କେନ୍ଦା। ସେ ଏଇ ପ୍ରକୃତି ର। ପାଠ ପଢ଼ିବାକୁ ସବୁଦିନ ଯାଏ ହେଲେ ପଢ଼ିବାକୁ ମନ ନଥାଏ। ସାର୍ ପଢ଼ାଉଥିବା ବେଳେ ଶୁଣେ ହେଲେ ମନେ ରଖେ ନାହିଁ। ପାଠ ମନେ ରଖିଲେ କେଉଁ କାମରେ ଆସିବ ସେ ଜାଣେନା। ଆଶ୍ଚର୍ଯ୍ୟର କଥା କି କେନ୍ଦା ଟାସ୍କ କରେନାହିଁ। ଗୋଟିଏ ଖାତା ଧରି ସ୍କୁଲ ଯାଏ। ସେଥିରେ ଯାହା ଲେଖିବା କଥା ଲେଖେ। ଆଉ ଖାତା କିଛି କିଣି ନଥାଏ। ସେ ବା କ'ଣ କରିବ।


ପରିବେଶ ତା' ପାଇଁ ମଧ୍ଯ ଦାୟୀ।ତା'ର ପରିସ୍ଥିତି ସେମିତି। ତା' ପରିବାରେ ଛଅଜଣ ସଦସ୍ଯ। ବାପ ପକ୍କା ଅଳସୁଆ। ଦିନେ କାମକୁ ଗଲେ ଦଶଦିନ ଶୋଇବ। ଦେହ ଝଡ଼େଇବାକୁ ଦଉନି। ତା' ମାଆର ଦେହ ପତଳା, ଗାଲ ଟାକରା ଆଉ ଆଖି ଭିତରକୁ ପଶିଯାଇଛି।କିନ୍ତୁ ଭାରି ପରିଶ୍ରମି। ଖୋଜି ଖୋଜି କାମ କରେ ପିଲାମାନଙ୍କୁ ପୋଷିବାକୁ। ବିପିଏଲ ଚାଉଳ ପାଇଲେ ତିନି ଚାରି ଦିନ ପେଟ ଶାନ୍ତି କରି ଖାଆନ୍ତି। ତା' ପରେ ପୁଣି ସେଇ ଅଭାବ। ବେଳେବେଳେ ଖାଲି ପେଜ ପିଇ ରହିବାକୁ ପଡ଼େ ତ କେତେବେଳେ ଉପାସ।ପେଟପୁରା ଖାଇବା ଭାଗ୍ୟରେ ନାହିଁ, ହଁ କାହାର ବାହାପୁଆଣି ପଡ଼ିଲେ ମିଳେ।      

 

କେନ୍ଦା ସପ୍ତମ ପଢ଼ୁଥିବା ବେଳେ ତା' ମାଆ ଆରପାରିକୁ ଚାଲିଗଲା। ରୋଗରେ କେତେଦିନ ପଡ଼ିଥିଲା ହେଲେ କେନ୍ଦା ତା' ମାଆ ର ସେବା କରିଚି ଶେଷ ସମୟରେ। ତା' ମାଆ ଗଲାପରେ ଏଥର ଆଉ କିଏ ସାହା ହେବ? ପିଲାମାନେ ନିଜେ କାମ ଧାମ କଲେ। ଗାଁର ଟେଣ୍ଟ୍ ମାଲିକ ପାଖରେ କାମ କଲା କେନ୍ଦା ଆଉ ତା ଭାଇ। ଭଉଣୀ ମୂଲ ଲାଗିଲା। କେନ୍ଦା ପଇସା ପାଇଲେ ପରିବାର ଖର୍ଚ୍ଚ ରେ ନ ଦେଇ ଦୁଇ ତିନି ପିଲାକୁ ଡାକି ଖାଇଦିଏ। ନିଜ ପାଇଁ ସାର୍ଟ୍ ପ୍ୟାଣ୍ଟ ଖଣ୍ଡେ କିଣେନି। ସେଇ ପୁରୁଣା ସାର୍ଟ୍ ପ୍ୟାଣ୍ଟ ସବୁଦିନ ପିନ୍ଧି ଥିବ। ତାହା ପୁଣି ମଇଳା। ମୁଁ ତାକୁ ବୁଝାଏ , ଆରେ ତୁ ଭତ୍ତା ପାଉଛୁ, କାମ କରୁଛୁ ହେଲେ ସେ ପଇସା ରେ ବଦଖର୍ଚ୍ଚ କ'ଣ ପାଇଁ କରୁଛୁ। ସାର୍ଟ୍ ପ୍ୟାଣ୍ଟ ଖଣ୍ଡେ କିଣୁନୁ। ସାବୁନ, ତେଲ କିଣ ଟିକେ ପରିସ୍କାର ରହ। ଘରକୁ କିଛି ଦେ...। ମୋ କଥା ଶୁଣିବ ହେଲେ କାନକୁ ନେବ ନାହିଁ। ସ୍କୁଲ ୟୁନିଫର୍ମ ଟି କିନ୍ତୁ ସଫା ରଖେ।      


 ଏମିତି ସମୟରେ ତା'ର ଦଶମ ଚାଲିଲା। କାମଧନ୍ଦା ଆଉ ବେଳ ପାଇଲେ ବୁଲା ବୁଲି। ପାଠର ନାଁ ନାହିଁ। ମୁଁ କେତେଥର କହିଛି ଆସିବୁ ପିଲାମାନେ ଟିଉସନ ହେଲାବେଳେ ତୁ ପଢି଼ବୁ ସେମିତି। କିଛି ଟିକେ ଜାଣିଥିଲେ ସିନା ପରୀକ୍ଷା ରେ ଲେଖିବୁ । ତାକୁ ପାଠ ପଢ଼େଇବା କଥା କହିଲେ ଡରେ ଆଉ କିଛି ଦିନ ଆସିବନି ବୁଲି ଆମ ଘରକୁ।    ଦଶମ ପରୀକ୍ଷା ପହଞ୍ଚିଲା। ଖୁସି ହୋଇ ପରୀକ୍ଷା ଦେବାକୁ ଯାଏ। ପରୀକ୍ଷା ଦେଇକି ଆସିଲେ ବୁଲାବୁଲି, ଆଉ କାମ। ବହି କେବେ ଖୋଲେ ନି। ବାରମ୍ବାର କହିଲି ଆରେ ପରୀକ୍ଷା ଚାଲିଚି ବହି ଟିକେ ଖୋଲ। କ'ଣ ଲେଖିବୁ ? ପରୀକ୍ଷା ପରେ କାମଧନ୍ଦା କି ବୁଲାବୁଲି କର। ସମୁଦ୍ର ପାଣିରେ ଆଞ୍ଜୁଳାଏ ମଧୁର ପାଣି ପଡ଼ିଲେ ଯେମିତି କିଛି ଫରକ ପଡ଼େନା, ମୋ କଥା ତା' ପାଇଁ ସେମିତି।

ଘରେ ତାକୁ ପାଠ ପଢ଼ିବା ପାଇଁ କହିବାକୁ କେହି ନାହିଁ।  ସେ ଯାହାହେଉ ଆଜି ତା'ର ଦଶମ ପରୀକ୍ଷା ଫଳାଫଳ ବାହାରିବାର ଅଛି। ଛୁଆମାନେ ପଚାରିଲେ... କେନ୍ଦା ପାସ୍ କରିବୁତ..? ସେ କହେ ମୁଁ ସବୁ କ୍ଲାସ୍ ରେ ପାସ୍ ହେଇ ଆସିଚି, ଏଠି ବି ପାସ୍ ହେବି। ବେସ୍ ଖୁସି ଅଛି। ୧୧ଟାରେ ଫଳାଫଳ ବାହାରିବ। ଆଉ ୫ମିନିଟ୍ ଥିଲା ଆମ ଘରକୁ ପହଞ୍ଚିଲା। ----- ଟିକେ ରେଜଲ୍ଟ ଦେଖି ଦିଅ। ------ ମୋବାଇଲ୍ ରେ ଚାର୍ଜ ନାହିଁ କିଛି, ସ୍ୱିଚ୍ ଅଫ୍ ହେଇଯିବ, ଗୋଟେ ମିନିଟ୍ ରହ ଦେଖିଦେବି।ତୁ ଯାଇ ଧରିକି ଆସୁଥା ରୋଲ୍ ନମ୍ୱର। ------ ଆଣିଜି। ------ କଉଠି ଦେ ? ସାର୍ଟ୍ ଭିତରୁ ବାହାର କଲା ଆର୍ଡ଼ମିଟ୍ କାର୍ଡ଼ ଟିକୁ। ଭାରି ଯତ୍ନ ରେ ସାଇତି ରଖିଥିଲା ଅମୂଲ୍ଯ ରତ୍ନ ଟିଏ ପରି। ଦାଗ ଟିକେ ବି ପଡ଼ିନି, ଚକ୍ ଚକ୍ କରୁ ଥାଏ। ତା'ର ଆଗ୍ରହ ଦେଖି ମୋବାଇଲ ୫%ଚାର୍ଜ ଥାଏ ଆଣିଲି। କହିଲି ରୋଲ୍ ନମ୍ୱର ଡାକେ। ଛନ୍ଦି ଛନ୍ଦି ହେଲା, କେତେଟା କହିଥାଏ ମୁଁ ଆଣି ଲେଖିଲି। ସବମିଟ୍ ହେଲା...। ସେ ଆଖି ପିଛାଳୁ ନଥାଏ। ମୋବାଇଲ୍ କୁ ଅଷ୍ଟ୍ରେଲିଆ ଜିରାଫ ଭଳି ଚାହିଁ ଥାଏ। ଛାତିର ସ୍ପନ୍ଦନ ଦୁଇ ଗୁଣ ବଢ଼ି ଗଲା। ତା'ର ଏପରି ପ୍ରତିକ୍ଷା ସମୟରେ ସବୁକିଛି ଭୁଲିଯାଇ ଥାଏ ପଛ କଥା। ମୁହଁରୁ ଜଣା ପଡ଼ୁଥାଏ କର୍ମ ଅପେକ୍ଷା ଆଶା ଅଧିକ ରଖିଛି। ----- ଆସିଗଲା ! ଏଫ୍ ଗ୍ରେଡ। ମୋଟ ନମ୍ୱର ୨୫। ଏଫ୍ ମାନେ ଫେଲ୍। ମୋବାଇଲ୍ ରୁ ମୁଁ ଟିକେ ତା' ଆଡ଼କୁ ଚାହିଁଲି। ଏ କ'ଣ ? ମୁହଁ ଲାଲ୍ ପଡ଼ିଯାଇଛି।


ଆଖି ରେ ଗରମ ଲୁହ ଗୁଡ଼ା ପୁରି ଯାଇ ଢଳଢ଼ଳ କରୁଛି। ଥରେ ବନ୍ଦ କରିଦେଲେ ନଦୀ ସୂଅ ଛୁଟନ୍ତା। ମୁଁ ଅଛି, କାଳେ ଥଟ୍ଟା କରିବି ଭାବି ଆଖିପଲକ ପକାଉ ନାହିଁ। ଆଖିର ଲୁହକୁ ଆଖିରେ ମାରିବାକୁ ଚେଷ୍ଟା କରୁଛି। ସେ ଭାବୁଛି ମୁଁ କିଛି ତା' ମୁହଁରୁ ଜାଣି ପାରୁନି । ଭାବିଲି ଯିଏ ମାଆ ରେ ସେ କାନ୍ଦିନି। ହେଲେ ଏ ରେଜଲ୍ଟ ପାଇଁ ଏତେ ଦୁଃଖ। ଗୁମ୍ ହୋଇ ରହିଥାଏ। ସେ ବହୁତ ଅନୁତାପ କରୁଥାଏ। କେତେ ଆଶା ପାଣିଫୋଟକା ପରି ଫାଟି ଗଲା। ସେ ଜାଣି ନଥିଲା ଯେ ସବୁେବେଳ ଜିତି ଆସୁଥିବା ମଣିଷ ଯଦି ଅବହେଳା କରେ ତେବେ ପରାଜୟ ନିଶ୍ଚିନ୍ତ। ସେ କିଛି କହିବା ଆଗରୁ କହିଲି, ଆରେ ଦୁଃଖ କରିବାର କିଛି ନାହିଁ। ତୁ ଦିନେ ବି ବହି ଖୋଲିନୁ ଖାଲି ବୁଲିଲୁ, କାମ କଲୁ, ତ ନମ୍ୱର କଉଠୁ ଆସି ଥନ୍ତା। ଏଥର ପଢ଼ା ପଢ଼ି କର ଆଉ ଥରେ ପରୀକ୍ଷା ଦେଇ ଦବୁ ହେଲା। ସେ ଲୁହ ପୂର୍ଣ୍ଣ ମୁହଁ ହଲାଇ ହଁ କଲା।


Rate this content
Log in

More oriya story from Pabitra Sahu

Similar oriya story from Tragedy