Prabhat Kumar Mallick

Inspirational

4  

Prabhat Kumar Mallick

Inspirational

ପଦିଏ କଥା

ପଦିଏ କଥା

2 mins
274



     ଗୋଟିଏ ଗାଆଁରେ ରାମ ସାହୁ ନାମକ ଜନୈକ ବ୍ଯକ୍ତି ଥିଲେ । ସେ ଚୋରି କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଘରେ ତା'ର ଗୋଟିଏ ଦଶ ବର୍ଷର ପୁଅ ଥିଲା । ସମୟ ସମୟରେ ସେ ଚୋରି କାର୍ଯ୍ଯରେ ନିଜର ପୁଅକୁ ବ୍ୟବହାର କରୁଥିଲା । ରାମ ସାହୁ ଚିନ୍ତା କଲା ମୋ ଅନ୍ତେ ମୋ ପୁଅ ମୋର ବୃତ୍ତିକୁ ଆଗକୁ ବଢାଇବ। ଏଣୁ ସେ ଭଲ ଲୋକଙ୍କ ସହିତ ପୁଅକୁ ମିଶିବାକୁ ଦେଉ ନଥିଲା । ସବୁ ସମୟରେ ପୁଅକୁ ଚୋରି କୌଶଳର ପ୍ରଶିକ୍ଷଣ ଦେଉଥିଲା । 

      ଥରେ ତାଙ୍କ ଗ୍ରାମ ନିକଟସ୍ଥ ଏକ ସ୍ଥାନରେ ଗୋଟିଏ ପ୍ରବଚନ କାର୍ଯ୍ଯକ୍ରମ ହେଉଥିଲା । ଅନେକ ସାଧୁ ସନ୍ଥ ମାନେ ପ୍ରବଚନ ଦେବାଲାଗି ଆସିଥିଲେ । ନଅ ଦିନ ପର୍ଯ୍ୟନ୍ତ କାର୍ଯ୍ଯକ୍ରମ ହେବାର ଥିଲା । ଗ୍ରାମର ସମସ୍ତ ଲୋକ ପ୍ରବଚନ ଶୁଣିବା ଲାଗି ଯାଉଥିଲେ କିନ୍ତୁ ରାମ ସାହୁର ପରିବାର ସେଠାକୁ ଯାଉ ନଥିଲେ । ପୁଅକୁ ସେଠାକୁ ନଯିବା ଲାଗି ତାଗିଦ୍ ମଧ୍ଯ କରିଥିଲା । ସେଠାକୁ ଗଲେ ଆମର କ୍ଷତି ହେବ ବୋଲି ପୁଅକୁ ବୁଝାଇ ଦେଇଥିଲା। ସାରାଦିନ ପ୍ରବଚନ କାର୍ଯ୍ଯକ୍ରମ ଚାଲୁଥାଏ । ସେହି ପାଖରେ ଗୋଟିଏ ପୋଖରୀ ଥାଏ, ଗ୍ରାମବାସୀ ମାନେ ସ୍ନାନ କରିବା ନିମିତ୍ତ ସେଠାକୁ ଯାଆନ୍ତି , ରାମ ସାହୁର ପରିବାର ମଧ୍ଯ ସେଠାକୁ ଯାଆନ୍ତି । ରାମ ସାହୁ ପୁଅକୁ କହିଥାଏ ଦୁଇକାନ ବନ୍ଦ କରି ପୋଖରୀ ପାଖକୁ ଯିବା ଆସିବା କରିବୁ , ପ୍ରବଚନ ପାଖରେ ଠିଆ ହେବୁନି କି କାନରୁ ହାତ କାଢିବୁ ନାହିଁ । ରାମ ସାହୁର ଏହି ଧାରଣା ଥିଲା କି ସାଧୁଙ୍କ କଥା ଶୁଣି ହୁଏତ ପୁଅ ବିଚଳିତ ହୋଇପାରେ ।


     ପ୍ରବଚନ କାର୍ଯ୍ଯକ୍ରମର ଶେଷଦିନ, ପୁଅ ଦୁଇକାନ ବନ୍ଦ କରି ସ୍ନାନ କରିବା ନିମିତ୍ତ ପୋଖରୀକୁ ଗଲା ଏବଂ ସ୍ନାନ କରିସାରି ଦୁଇକାନ ବନ୍ଦ କରି ଦୌଡି ଦୌଡି ଘରକୁ ଆସିବା ସମୟରେ ପ୍ରବଚନ ମଣ୍ଡପ ପଖାପାଖି ପାଦରେ ଗୋଟିଏ କଣ୍ଟା ଫୁଟିଗଲା , କ'ଣ କରିବ କାନରୁ ହାତ ନକାଢିଲେ କଣ୍ଟା କାଢି ପାରୁନାହିଁ ଏବଂ କଣ୍ଟା ନକାଢିଲେ ଚାଲିପାରୁନାହିଁ । ବାଧ୍ଯ ହୋଇ ଶେଷରେ କାନରୁ ହାତ କାଢି କଣ୍ଟା ବାହାର କଲା, ଠିକ୍ ଏହି ସମୟରେ ଜଣେ ସାଧୁ ସୁନ୍ଦର ପ୍ରବଚନ ଦେଉଥିଲେ । ତାଙ୍କର "ପଦିଏ କଥା" ପୁଅ କାନରେ ବାଜିଲା । ଆମେ ଯାହା କରୁଛନ୍ତି ତାକୁ ଜଣେ ନିଶ୍ଚିତ ଦେଖୁଛନ୍ତି । ଆଉ କିଛି ଶୁଣିବା ପୂର୍ବରୁ ସେ ପୁଣିଥରେ କାନବନ୍ଦ କରି ଘରକୁ ଚାଲିଗଲା । ଏହି ପଦିଏ କଥା ତାକୁ ଆନ୍ଦୋଳିତ କଲା , ସବୁ ସମୟରେ ସେ ସେହି କଥାକୁ ଗଭୀର ଭାବେ ଚିନ୍ତାକଲା କିନ୍ତୁ କିଛି ବୁଝିପାରିଲା ନାହିଁ ।


      ପରଦିନ ରାତିରେ ରାମ ସାହୁ ପୁଅକୁ ସାଙ୍ଗରେ ଧରି ଚୋରି କରିବାକୁ ଗଲା । ପୁଅକୁ ଜଗାଇ ଦେଇ ସେ ଗୋଟିଏ ନଡିଆ ଗଛକୁ ଚଢିଲା ନଡିଆ ପାରିବା ପାଇଁ, ଏହି ସମୟରେ ପୁଅର ସେହି ପଦକ କଥା ମନକୁ ଆନ୍ଦୋଳିତ କଲା, ସେ ହଠାତ୍ ଚିତ୍କାର କରି ଉଠିଲା , କହିଲା ବାପା ଆମକୁ କିଏ ଦେଖୁଛନ୍ତି । ବାପା ମଧ୍ଯ ଭୟ କରି ଶୀଘ୍ର ଶୀଘ୍ର ତଳକୁ ଓହ୍ଲାଇ ଆସି ପଚାରିଲା କାହିଁ କିଏ ? ପୁଅ ଭୋ ଭୋ ହୋଇ କାନ୍ଦି କାନ୍ଦି ସବୁ କଥା ବାପାକୁ କହିଲା ଏବଂ ପ୍ରକୃତ କଥା ଜାଣିବା ପାଇଁ ଗୋଡଧରି ନେହୁରା ହେଲା । ବାପ ମଧ୍ଯ କିଛି ଉପାୟ ନପାଇ ଶେଷରେ ପୁଅକୁ ସେହି ପଦିଏ କଥାର ଅସଲ ରହସ୍ଯ କହିଲା ଏବଂ ସେହିଦିନ ଠାରୁ ସେ ଚୋରି କାର୍ଯ୍ଯ ଛାଡି ଦେଇ ଭଲ ରାସ୍ତାରେ ଚାଲିଲା ।



Rate this content
Log in

Similar oriya story from Inspirational