ପବିତ୍ର ପାପ
ପବିତ୍ର ପାପ
କେଜାଣି କାହିଁକି ଗୁମ୍ ମାରି ବସିରହିଥିଲା ଗୁରୁବାରି । କଅଣ କରିବ, ନକରିନ ବୁଦ୍ଧିବାଟ ଦେଖା ଯାଉନଥିଲା ତାକୁ । କିଛି ବି ଭାବିବାକୁ ତା ପାଖରେ ସମୟର ଥିଲା ଘୋର ଅଭାବ । ସାନ ଭାଇଟାର ଲୁହ ଛଳଛଳ ଆଖି ଦି'ଟା ନାଚି ଯାଉଥିଲା ତା' ଆଖି ସାମନାରେ । ବା'ଟା ବି କିଛି ଶୁଣି ନ ଶୁଣିଲା ପରି ଚୁପ୍ ରହିଥିଲା । ହଁ, ସେ ବା କଅଣ କରିପାରିବ ଯେ? ଏ ବୟସରେ ତ ଦିନେ ନଖଟିଲେ ତିନିଟା ପେଟ ଭୋକିଲା ରହିବ । ସକାଳୁ ସକାଳୁ ବାସି ପେଜତୋରାଣି ଢୋକେ ପିଇଦେଇ ବାହାରି ଗଲାଣି ସେ ମୂଲ ଲାଗିବାକୁ । ନ ହେଲେ ରାତିରେ ଚୁଲି ଜଳିବନି ଯେ! ତିନି ତିନିଟା ଭୋକିଲା ପେଟ ପୁଣି ଉପାସରେ ଶୋଇବେ ।
ବସିବା ଜାଗାରୁ ଏଥର ଉଠିଲା ଗୁରୁବାରି । ମା' ତା'ର ସେପୁରକୁ ଗଲା ପରେପରେ ନିଜ ମନ ଆକାଶର ସବୁତକ ସପନକୁ ଛାତିତଳେ ଚାପିଦେଇଥିଲା ଏଇ ଗୁରୁବାରି । ପାଠରେ ଡୋରି ବନ୍ଧା ହୋଇଥିଲା ତା'ର । କଅଣ ବା ଆଉ କରିଥାଆନ୍ତା ଯେ ! ଶେଷରେ ପାଠ ଛାଡି ଘର ପାଇଟିକୁ ଆପଣେଇ ନେଇଥିଲା ସେ ।
ଚାହିଁଲା ଭାଇର ମୁହଁକୁ । କାଲିଠୁ ପିଲାଟା ବାଟିରେ କିଛି ବି ଦେଇନି । ମନମାରି ବସିଛି ଯେ ବସିଛି । ଟଙ୍କା ଚାରି ହଜାର ଯୋଗାଡ ନହେଇ ପାରିଲେ ଭାଇର କଲେଜରେ ନାଁ ଲେଖା ହୋଇ ପାରିବନି । ଆଉ ଏକାଥରେ ଟଙ୍କା ଚାରିହଜାର ସେମାନଙ୍କ ପାଇଁ ଥିଲା ସାତ ସପନ । ହେଲେ ସେ ଚାହୁଁଥିଲା ଭାଇ ତା'ର ବହୁତ ପାଠ ପଢୁ । ଶହେରେ ଜଣେ ହୋଇ ଦୁନିଆ ଦାଣ୍ଡରେ ମୁଣ୍ଡଟେକି ଗରବରେ ବାଟଚାଲୁ । ସେ ସିନା ଘରର ଅଭାବକୁ ବୁଝି ପାଠରେ ଡୋରି ବାନ୍ଧିଦେଲା । ହେଲେ ସେ ସାନ ଭାଇ ସହିତ ସେମିତି ହେବାକୁ ଦେବନି । ତାକୁ ହିଁ କିଛି କରିବାକୁ ହେବ ଏଥର ।
ମା' ତା'ର ମରିବା ଆଗରୁ ହାତରେ ଧରାଇ ଦେଇ ଯାଇଥିବା ସୁନା କଙ୍କଣ ଦି ପଟକୁ ହାତରେ ଧରିଲା ଗୁରୁବାରି । ସେଇଟି ଥିଲା ମା' ଦେଇ ଯାଇଥିବା ଶେଷ ସନ୍ତକ । ମା'ର ସେଦିନର କଥା ଦିପଦ ଗୋଟିଗୋଟି ହୋଇ ମନେ ପଡି ଯାଉଥିଲା ଗିରୁବାରିର ।
-" ନେଲୋ ମା' ଏହାକୁ ସାଥିରେ ରଅଖ । ମୁ୍ଁ ତ ତୋ' ପାଇଁ ଏହାଛଡା ଅଧିକ କିଛିବି ଦେଇପାରୁନି । ଏହାକୁ ତୁ ତୋ' ଶାଶୁ ଘରକୁ ଗଲାଦିନ ପିନ୍ଧିକି ଯିବୁଲୋ ଝିଅ" ।
ଆଖିରୁ ଝରିଯାଉଥିଲା ଲୁହର ଧାର । ନିଜ ଲୁହ ଧାରକୁ ନିଜର ପଣତରେ ପୋଛିଲା ଗୁରୁବାରି । ଭାଇ ତା'ର ହାକିମ ହେଲେ ତା' ପ
ାଇଁ କେତେ ସୁନା କଙ୍କଣ ଗଢି ଦେବ । ଶେଷରେ ସେଇଟିକୁ କାନିରେ ବାନ୍ଧି ଗାଁ ସାହୁକାତ ଘର ମୁଖେ ବାହାରି ପଡିଲା ଗୁରୁବାରି ।
ଭଦ୍ର ମୁଖା ପିନ୍ଧି ଦୁନିଆରେ ନିଜକୁ ବଡ ବୋଲାଉଥିବା ଲୋକଗୁଡାଙ୍କ ମନ ତଳେ ଯେ ଏପରି କୁ ଚିନ୍ତାଧାରା ଲୁଛି ରହିଥାଏ ତାହା ସରଳ ଗୁରୁବାରି ବୁଝି ପାରୁନଥିଲା । ଯାହାକୁ ଦେବତା ଭାବି ସାହାଯ୍ୟ ଟିକିଏ ପାଇଁ ଧାଇଁ ଆସିଥିଲା, ସେହି ବାପ ବୟସର ସାହୁକାର ମନରେ ଏତେ ପାପ ଲୁଚି ରହିଛି ଗୁରୁବାରି ଭାବି ପାରୁନଥିଲା । କ'ଣ କରିବ ନକରିବ କିଛି ବି ବୁଦ୍ଧିବାଟ ପାଉ ନଥିଲା ସେ । ଗୋଟେ ପଟେ ସାନ ଭାଇର ଭବିଷ୍ୟତ ତ ଆଉ ଗୋଟେ ପଟେ ତା'ର ପାପା ପୁଣ୍ୟର ହିସାବ ଖୋଜି ପାଉ ନଥିଲା ଗୁରୁବାରି ।
ଶେଷରେ ଭାଇର ଉଜ୍ବଳ ଭବିଷ୍ୟତ ଆଗରେ ନିଜକୁ ନଇଁବାକୁ ପଡିଥିଲା ତାକୁ । ଆଜି ପର୍ଯ୍ୟନ୍ୟ ସାଇତି ରଖିଥିବା ନିଜ ଜୀବନର ଶ୍ରେଷ୍ଟ ସନ୍ତକ ନିଜର କୁମାରୀତ୍ବକୁ ଗାଁ ସାହୁକାର ନିକଟରେ ସମର୍ପିଦେଇ ଭାଇର ଭବିଷ୍ୟତ ସ୍ବରୂପ ଟଙ୍କା ଚାରିହଜାର ଧରି ଲୁହ ଛଳଛଳ ଆଖିରେ ତରତର ହୋଇ ଘରକୁ ଫେରିଆସୁଥିଲା ଗୁରୁବାରି ।
- "ଦିଦି" । କାହାର ସ୍ନେହଭରା ଡାକରେ ଅତିତର ସ୍ମୃତିଭରା କାହାଣୀରୁ ବାସ୍ତବକୁ ଫେରିଅାସିଲା ଗୁରୁବାରି । ନିଜକୁ ବିଶ୍ବାସ କରିପାରୁନଥିଲା ସେ । ଆଖି ଆଗରେ ଠିଆ ହୋଇଥିଲା ତା'ର ସାତ ସପନକୁ ସତକରି ଫେରିଥିବା ତା'ର ସାନଭାଇ । ବାସ୍, ଏଇ ଦିନଟିକୁ ତ ଅପେକ୍ଷା କରିଥିଲା ସେ । ନିଜ ଜୀବନର ସବୁକିଛି ତ୍ୟାଗ ବଦଳରେ ଭାଇର ସଫଳତା ଦିନକୁ ଚାହିଁ ବସିଥିଲା ସେ । ସାନଭାଇର ସଫଳତା ଗୁରୁବାରିକୁ ଭୁଲେଇ ଦେଉଥିଲା ତା'ର ଅଲିଭା ଅତୀତକୁ । ଜୀବନର ସେ ଦୁଃଖ ସବୁକୁ । ଭୁଲି ଯାଉଥିଲା ଗୁରୁବାରି କରିଥିବା ସେ ପାପ ଟିକକ ! ସତେ ଯେମିତି ସେଦିନର ସେ ତ୍ୟାଗ ବଳିଦାନ ତା ପାଇଁ ବଦଳି ଯାଇଥିଲା ପବିତ୍ର ପାପରେ । ଅସରନ୍ତି ଖୁସିରେ ରାକ୍ଷୀ ଆଉ ବନ୍ଦାଣ ଥାଳି ଧରି ଆଗକୁ ବଢୁଥିଲା ଗୁରୁବାରି । ଆଜି ରାକ୍ଷୀ ପୂର୍ଣ୍ଣିମା । ଆଉ ଆଜି ବି ତା ଭାଇ ବଡ ହାକିମ ହୋଇ ଘରକୁ ଫେରିଛି । ଫୁଲ, ଚନ୍ଦନ ଆଉ ଦୀପରେ ବନ୍ଦାଇ ଭାଇ ହାତରେ ରାକ୍ଷୀ ବାନ୍ଧୁଥିଲା ଗୁରୁବାରି । ଭାଇର ଆଖିରୁ ବହିଯାଉଥିଲା ଲୁହ ଦିଟୋପା କହିଦେଉଥିଲା, "ତୁ ମୋର ଖାଲି ଦିଦି ନୁହଁ ଲୋ, ମୋ ପାଇଁ ଠୁ ଦେବୀ ଠାକୁରଙ୍କଠୁ ବି ବଡ" ।