Rajeet kumar Das

Tragedy Others

2  

Rajeet kumar Das

Tragedy Others

ନିଃସଙ୍ଗତା

ନିଃସଙ୍ଗତା

3 mins
603


ଲନ ସାମ୍ନାରେ ଆର୍ମ ଚେୟାରଟେ ପକେଇ ନିମଗ୍ନ ଚିତ୍ତରେ ବସିଥିଲା ଚିତ୍ରା, ଅସମାପ୍ତ ଭାବନାରେ ବୁଡି ଯାଇଥିଲା, ଭାବି ଚାଲିଥିଲା ବିଗତ ଦିନର କଥା ସବୁ । ବାହାଘର କିଛିଦିନ ପୂର୍ବରୁ ଏଇ ଫ୍ଲାଟଟେ ନେଇଛନ୍ତି ଅବିନାଶ । ଘର ସାମ୍ନାରେ ସୁନ୍ଦର ଲନଟେ । ଅଲବମା ସହରର ଅନତି ଦୂରରେ ଅବସ୍ଥିତ ଟେଲଡାଗ ନ୍ୟାସନାଲ ପାର୍କ । ପାର୍କର ଠିକ ସାମ୍ନାରେ ବିତ୍ତ ଶାଳି ମାନଙ୍କର ଅନେକ ଗୁଡିଏ ବଙ୍ଗଳା । ତା’ ମଧ୍ୟରୁ ଗୋଟିଏ ଚିତ୍ରାର । କାଚ ଲଗା ବାଲକୋନିରେ ବରଫର ସରୁ ଚାଦରଟେ ଆଚ୍ଛାଦିତ କରି ରଖିଛି । ଲନ ସାମ୍ନା ବ୍ୟାରିକେଡରେ ଆସ୍ଥାନ ଯମେଇ ଥିବା ଗୁଲଫେରିଆ ଫୁଲର ବାସ୍ନା ବି ବିଚଳିତ କରିପାରୁନି ଚିତ୍ରାକୁ ।

ବାହାଘର ପାଖାପାଖି ଦୁଇ ବର୍ଷ ହୋଇଗଲାଣି । ସାଧାରଣ ମଧ୍ୟ ବିତ୍ତ ପରିବାରର ଝିଅ ଚିତ୍ର। ବାପା ଉମା ଶଙ୍କର ମିଶ୍ର ଗାଁ ସ୍କୁଲର ସଂସ୍କୃତ ଶିକ୍ଷକ । ଚିତ୍ରା ତାଙ୍କର ଏକ ମାତ୍ର ଝିଅ । ଇଂରାଜୀରେ ସ୍ନାତକ।

ଅଚାନକ ଏକ ପ୍ରସ୍ତାବରେ ଯେଉଁଦିନ ଚିତ୍ରାର ବାହାଘର ଠିକ ହୋଇଗଲା,ସେଦିନ ଖୁସିରେ କାହା ଗୋଡ଼ ତଳେ ଲାଗୁ ନଥାଏ । ଜ୍ଵାଇଁ ଆମେରିକାରେ ସଫ୍ଟୱେର ଇଞ୍ଜିନିୟର, ଗୋଟିଏ ପୁଅ, ବାପା ମାଆ କେହି ନାହାନ୍ତି । ଚିତ୍ରା ବି କମ ଖୁସି ନ ଥିଲା ସେ ଦିହି ସାଙ୍ଗ ମାନଙ୍କୁ ଫୋନ କରି ଜଣେଇ ଦେଇଥିଲା ତୁରନ୍ତ ।


ଗୋଟିଏ ସପ୍ତାହରେ ବାହାଘର ସାରିବା ପାଇଁ ପୁଅ ପଟୁ ଖବର ଆସିଥିଲା । ଯେନ ତେନ ପ୍ରକାରରେ ବାହାଘର ସାରିଦେଲେ ଉମା ଶଙ୍କର ବାବୁ । ବାହାଘରର ପନ୍ଦର ଦିନ ଭିତରେ ଭିସା ବି ରେଡି ହୋଇ ଯାଇଥିଲା । ଖୁସିରେ ଖୁସିରେ ବିଦା କରିଥିଲେ ଝିଅ ଜ୍ୱାଇଁଙ୍କୁ ଉମା ଶଙ୍କର । ଗଲାବେଳେ ଚିତ୍ରା ଭଲ ପାଉଥିବା ବାଡିର ଆମ୍ବ ଆଚାରକୁ ସଯତ୍ନରେ ମାଆ ଭରି ଦେଇଥିଲେ ଟ୍ରଲି ବ୍ୟାଗରେ ।

ଭୁବନେଶ୍ୱରରୁ ଦିଲ୍ଲୀ, ଦିଲ୍ଲୀରୁ ଆଣ୍ଟଲାଣ୍ଟା ଏଆର ପୋର୍ଟରେ ସକାଳୁ ସକାଳୁ ଫ୍ଲାଇଟ ଲାଣ୍ଡ କରିଥିଲା । ତାପରେ ଦୀର୍ଘ ଆଠ ଘଣ୍ଟାର ରାସ୍ତା ଅଲବମା ଓ ଟେଲଡାଗକୁ ।

ଖୁଵ ଟାଏଡ଼ ହୋଇଯାଇଥିଲା ଚିତ୍ରା ଏତେ ଲମ୍ବା ଯାତ୍ରା କେବେ ଅତିକ୍ରମ କରିନଥିଲା । ଶୀଘ୍ର ଶୋଇ ପଡ଼ିଲା କିଛି ଡ୍ରାଏ ଫୂଡ୍ସ ନେଇ । ସକାଳଟି କିନ୍ତୁ ତା ପାଇଁ ଥିଲା ଖୁଵ ଚମତ୍କାର । କାଚ ଲଗା ଘର ଭିତରୁ ଟେଲଡାଗ ଜାତୀୟ ଉଦ୍ୟାନର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋରମ ଅଭିଭୂତ ହୋଇଯାଇଥିଲା ସେ ।


ଲମ୍ବା ଲମ୍ବା ପାଇନ ଗଛରେ ବରଫ ପାତର ଦୃଶ୍ୟ ଥିଲା ଅତ୍ୟନ୍ତ ଚମତ୍କାର । ତାକୁ ଲାଗିଲା ସେ ଜୀବନର ସବୁ କିଛି ପାଇଁ ଯାଇଛି । ଶିକ୍ଷିତ ସ୍ୱାମୀ, ମୋଟା ଅଙ୍କର ଦରମା, ଗାଡି, ବଙ୍ଗଳା, ପ୍ରାକୃତିକ ପରିବେଶ ଇତ୍ୟାଦି।

ବେଶ କିଛିଦିନ ଚାଲିଯାଇଥିଲା ନୂଆ ଘରକୁ ସଜାଡ଼ିବା ରେ।ଜଣେ ବିଶିଷ୍ଟ ଇଣ୍ଟରିୟେର ଡିଜାଇନରର ତତ୍ତ୍ଵାବଧାନରେ ଘରର ସାଜସଜ୍ଜା କରାଯାଇଥିଲା । ବିଶେଷ କରି ରୋଷେଇ ଘରଟିକୁ ବି । କାଚ ଲଗା ଥାକ ଭିତରେ ଅତି ଯତ୍ନରେ ରଖି ଦେଇଥିଲା ଆଚାର ଜାର ଟିକୁ । ସ୍ୱାମୀଙ୍କ ସହ ପାର୍କ ବୁଲା, ସପିଙ୍ଗ, ଥିଏଟରରେ କଟିଯାଇଥିଲା ଅନେକ ଗୁଡିଏ ସମୟ ।

ପାଖାପାଖି ଗୋଟିଏ ବର୍ଷ ଅତିବାହିତ ହୋଇଯାଇଥିଲା ହସ ଖୁସିରେ । ସେତେବେଳକୁ ସ୍ୱାମୀ ଅବିନାଶର କାର୍ଯ୍ୟ ଭାର ବଢିଯାଇଥିଲା । ଖାଲି weekend ରେ ଯାହା ଟିକେ ବୁଲାବୁଲି ଓ ମନ ଖୋଲା କଥା।

ଧୀରେ ଧୀରେ କିଛି ଅଭାବର ଅନୁଭବ କଲା ଚିତ୍ରା । ସାଙ୍ଗ ସାଥି, ଗାଁ, ନଈ, ବାପା, ମା’ ସମସ୍ତେ ମନେ ପଡ଼ିଥିଲେ ତା’ର । ଟେଲିଫୋନରେ ମା’ ସହ କେତେବେଳେ କେମିତି କଥା ହୁଏ ତଥାପି ମନ ପୁରେନି । ଇଚ୍ଛା ହୁଏ ମନଭରି ଦେଖିବାକୁ ।


ଧୀରେ ଧୀରେ ସେ ନିଃସଙ୍ଗତା ଅନୁଭବ କଲା । ବଲକୋନିରୁ ଲନ ଯାଏ ମାଡିଥିବା ଗୁଲଫେରିଆ ଫୁଲ ଗୁଡାକ ତା’କୁ ଆଉ ଭଲ ଲାଗୁନି । ସେ ଖୋଜୁଛି ଗାଁର ରଜନିଗନ୍ଧା, ସୁଗନ୍ଧରାଜ ଓ ରଂଗଣି ଫୁଲକୁ । ଜାତୀୟ ଉଦ୍ୟାନକୁ ଉଡିଯାଉଥିବା ପଲ ପଲ ମକାଓ ମାନେ ସତେ ଯେମିତି ତାକୁ ଛିଗୁଲେଇ ହେଇ ହେଉଛନ୍ତି ।


ଏତେ ବଡ଼ ବଙ୍ଗଳାରେ ଏକୁଟିଆ ସେ । ନିଃସଙ୍ଗତାକୁ ଦୂର କରିବା ପାଇଁ କେବଳ ଟିଭି, କମ୍ପୁଟର ଓ ଦାମୀ ଦାମୀ ସୋଫା । କାଲି ଠୁଁ ଅବିନାଶ ଯାଇଛନ୍ତି କାଲିଫର୍ଣ୍ଣିଆ ପନ୍ଦର ଦିନ ପାଇଁ ଟୁରରେ । ସେବେ ଠୁଁ ନିସ୍ତବ୍ଧ ସେ ।


ଆଜି କାହିଁ ଭାରି ମନେ ପଡୁଛି ଗାଁ କଥା । ଗାଁ ନଈ ଓ ତା ମଥାନର ପୁନେଇଁ ଉଦିଆ ଜହ୍ନ, ଖାସ କରି ରଜ ଦୋଳି । ଆଖି ଦୁଇଟି ଜକେଇ ଆସିଛି ତାର । କ’ଣ ପାଇଁ ସେ ବାହା ହୋଇଥିଲା ଅବିନାଶକୁ କେବଳ ଡଲାର ଓ ନିଃସଙ୍ଗତା ।


ନା... କିଛି ଗୋଟେ ନିଷ୍ପତି ନେବ ସେ, ହଁ ଦୃଢ଼ ନିଷ୍ପତି । ସେ ଫେରିବ ଗାଁକୁ ତା ମାଟିକୁ ତା ମା ପାଖକୁ ।


Rate this content
Log in

Similar oriya story from Tragedy