STORYMIRROR

Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ନବକଳେବର

ନବକଳେବର

5 mins
240



ଅଜା ଆଈ ତଥା ଜେଜେ ଜେଜେମାଙ୍କର ବିବାହ ବାର୍ଷିକୀ ପୁଣି ପଚାଶତମ. ସମସ୍ତେ ଚଳ ଚଞ୍ଚଳ. ଦୁଇ ଝିଅ ଓ ଦୁଇ ପୁଅଙ୍କ ପୁଅ ଝିଅ ସବୁ ନିଜ ନିଜ ପରୀକ୍ଷା ପତ୍ର ସରିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି କେଵେ ସେ ସମୟ, ଦିନ, ବାର, ତିଥି ଓ ତାରିଖ ଆସିବ. ବଡ଼ଝିଅର ଦୁଇ ଝିଅ ତା ତଳ ଝିଅର ଦୁଇ ପୁଅ, ଏମିତି ଦୁଇ ନାତୁଣୀ ଓ ଦୁଇ ନାତି ଆସିବେ ଅଜାଘର. ଯେଉଁମାନେ କି ସମସ୍ତେ ଇଞ୍ଜିନିଅର ଲାଇନ ଧରିଥିଲା ବେଳେ ଦୁଇପୁଅଭିତରୁ ବଡ଼ର ଝିଅଟିଏ ସୁରୁ ଓ ସାନର ପୁଅଟିଏ ଋଷି . ସେ ଦୁହିଁକି ଭିତରୁ ନାତୁଣୀ ସୁରୁ ମାଟ୍ରିକ ସ୍ତରରେ ଥିଲା ବେଳେ ସବା ସାନ ନାତି ଋଷି ଥିଲା ଷଷ୍ଠଶ୍ରେଣୀ ଛାତ୍ର. ସମସ୍ତେ ଜେଜେ ଓ ଜେଜେମାଙ୍କୁ ଖୁବ ଭଲ ପାଉଥିଲା ବେଳେ ରିଷିର ଭଲପାଇବା ଟିକେ ଅଧିକ ଥିଲା ଭଳି ସମସ୍ତେ ହୃଦବୋଧ କରନ୍ତି . ଜେଜେ ଜେଜେମା ଦୁହେଁ ବୁଢା ବୁଢ଼ୀ ହେଲେଣି ତ ଆସିପାରନ୍ତି ନାହିଁ କାହାପାଖକୁ. ପାଠ ପଢ଼ା ଆଳରେ ନାତି ନାତୁଣୀମାନେ ମଧ୍ୟ ଦଶହରା ପୂଜା ସମୟରେ ଯେତିକି ଆସୁଥିଲେ ସେତକ ବି ବନ୍ଦ ହେଲାଣି ଏଇ ଇଞ୍ଜିନିଅର ପାଠ ପଢ଼ା ଓ ପରୀକ୍ଷାସବୁ ଭିତରେ. ଏଥର ସମସ୍ତେ ଏକାଠି ହେବେ ତେଣୁ ମାମୁଁ ଓ ମାଉସୀମାନଙ୍କ ତିନି ଭଉଣୀ ଓ ତିନିଭାଇଙ୍କ ଭିତରେ ସବୁଦିନିଆ କନଫରେନ୍ସରେ ସେଇ ଗୋଟିଏ କଥା ଅଜା ଆଈଙ୍କୁ କଣ ଦେବା? ଯାହା ତାଙ୍କୁ ସବୁଠୁ ବେଶୀ ଖୁସି ଦେଇପାରିବ ତ କିଏ କହୁଥିଲା ରକ୍ତଚନ୍ଦନ ତ କିଏ କହୁଥିଲା ରୁଦ୍ରାକ୍ଷମାଳ ଓ ତୁଳସୀମାଳ. ପୁଣି କିଏ କହୁଥିଲା ବଙ୍କୁଲିବାଡ଼ି ତ କିଏ କହୁଥିଲା ଅଜାଙ୍କୁ କାନଯନ୍ତ୍ର ଓ ଆଈ ପାଇଁ ଚଷମା. ପୁଣି କିଏ କହୁଥିଲା ଗୀତା, ଭାଗବତ କି ଗୀତଗୋବିନ୍ଦ ବହି ତ କିଏ କହୁଥିଲା ଆଈ ପାଇଁ ଲଷ୍ମୀପୁରାଣ. କିଛି କହୁନଥିଲା ଷଷ୍ଠ ଶ୍ରେଣୀର ବାଳକ ଋଷି. ସମସ୍ତ ବଡ଼ ଭାଇଭଉଣୀମାନେ ତାକୁ ଚିଡାଉଥିଲେ ତୁ କଣ ଦେବୁ ତ କହୁନୁ ଋଷି!ତୋର ପରା ତୋ ଜେଜେ ଓ ଜେଜେମା ସବୁଠୁ ପ୍ରିୟ ବୋଲି ତୁ ବାପା ଵା ଫାଦରଙ୍କ ବିଷୟରେ ରଚନା ଲେଖିବାକୁ କହିଲେ ଜେଜେଙ୍କ ବିଷୟରେ ଲେଖୁ ଓ ମାଆ ଵା ମଦର ବିଷୟରେ ରଚନା ଲେଖିବାକୁ କହିଲେ ଜେଜେମା ବିଷୟରେ ଲେଖୁ. ଲାଜେଇ ଯାଏ ଋଷି.   

    ଋଷି ଭାବୁଥାଏ ସେଥର ମଦର ବିଷୟରେ ରଚନାରେ ସେ ଲେଖିଥିଲା ମୋ ମାମା ମତେ ଟିଭିର ରିମୋର୍ଟ ମୋଡି ଭିର୍ନ୍ନ ଭିର୍ନ୍ନ ଗୀତ ଶୁଣେଇ ଓ କାର୍ଟୁନ ଦେଖେଇ ଖୁଆଇ ଶୁଆଇ ଦିଏ ସିନା କିନ୍ତୁ ମୋ ଜେଜେମା ଯେବେ ସେଇ ଧାଡିଏ କି ଦି ଧାଡି ଧୋରେ ବାୟା ଧୋ କହି ବିନା ଛବି, ଲାଇଟ କି ବିନା କାର୍ଟୁନରେ ବୋଲେ ସେଇ ନାନାବାୟା ଗୀତ ସତରେ ମତେ ଭୋକ ନଥିଲେ ଭୋକ ହୁଏ ଓ ନିଦ ନମାଡୁଥିଲେ ବି ନିଦ ଆସିଯାଏ. ଜେଜେମା କୋଳ ମତେ ନରମ ଗୋଲାପ ଫୁଲର ଶେଜ ପରି ଲାଗେ. ଏମିତି ସବୁ ପଢି ଶିକ୍ଷୟିତ୍ରୀ ଯେମିତି ହସିଥିଲେ ସାଙ୍ଗମାନେ ବି ସେମିତି ଥଟ୍ଟା ଓ ବିଦ୍ରୁପ କରି କହିଥିଲେ ଜେଜେମା କଣ ତୋ ମଦର? ଋଷି ବଡ଼ପାଟିରେ ହଁ ବୋଲି କହିବାକୁ ଚାହିଁ ମଧ୍ୟ ଶିକ୍ଷୟିତ୍ରୀଙ୍କ ଆଖିକୁ ଚାହିଁ ଚୁପ ରହିଗଲା କିନ୍ତୁ ଭାବୁଥିଲା ତୁ ମୋର ଭାରି ପ୍ରିୟ ଜେଜେମା, କେମିତି ବୁଝେଇବି କାହାକୁ ଯେ ମାମା ମତେ କ୍ଷୀରରେ ଧୋଇ ଖଣ୍ଡରେ ମୋହିଲେ ମଧ୍ୟ ମୋର ଜେଜେମା କୋଳ ଓ ତା ନାନାବାୟା ଗୀତର ସ୍ୱର ଲହର ମୋର ଖୁବ ପ୍ରିୟ. ଜେଜେମା କାହିଁକି ଜେଜେଙ୍କୁ ଛାଡି ଗାଁରୁ ତାଙ୍କ ବଡ଼ ସହରକୁ ଆସୁନି କି ଆସିଲେ ଦିନେ ଦୁଇଦିନ ରହି ଚାଲିଯାଉଛି ତ ସେ ଖୁବ କାନ୍ଦେ.ମାମା କୁହନ୍ତି ଜେଜେଙ୍କୁ ଛାଡି ଜେଜେମା ଏଠି କେମିତି ରହିବେ? ଜେଜେଙ୍କୁ ପରା ଧରିଧାରି ନେବା ଆଣିବା କରିବାକୁ ପଡୁଛି ଜେଜେମାଆଙ୍କୁ ତ ଋଷି ରାଗେ. ଭିଡିଓ କଲ କଲେ ଜେଜେ ଜେଜେମା ସଙ୍ଗେ କଥା ହୁଏନି ସେଇ କିଛି ଦିନ କିନ୍ତୁ ଭୁଲିଯାଏ ରାଗ ଅଭିମାନ ପୁଣି . ଦିନେ ସେ ଦୁହିଁଙ୍କ ମୁହଁ ନଦେଖିଲେ ଭଲ ଲାଗେନି ତାକୁ କିନ୍ତୁ ସେ ଭାବି ପାରେନା କଣ ଦେବ ଅପା ଭାଇମାନଙ୍କ ଭଳି ସେ ତା ଜେଜେ ଜେଜେମାଙ୍କୁ!

  ଋଷି ବାର୍ଷିକୀ ପୂର୍ବରୁ ଥରେ ତା ପାପା ସହ ଗାଁକୁ ଆସିଥାଏ. ଦେଖିଲା ଶାନ୍ତି ମାଉସୀ ଓ ତା ସ୍ୱାମୀ ଶରତ ମଉସା ଗାଁ ଘର ଦ୍ୱାର ପୁରା ଚିକ ଚିକ କରିସାରିଲେଣି. ଆଉ କେଇ

ଟା ଦିନ ମାତ୍ର ବିବାହ ବାର୍ଷିକୀ ତ ଏବେଠୁ ଘର ରଙ୍ଗ କରିବା, ଅଳିଆ ଅସନା ସବୁ ସଫା ନହେଲେ ତ ହେବନି.ସେଥିରେ ଋଷି ବାବା ଆସିଛନ୍ତି ତ ତାଙ୍କୁ ପଚାରି କୋଉ ଫୁଲ କୁଣ୍ଡ କୋଉଠି ରହିବ କୋଉ ରଙ୍ଗର ଜିରୋ ଲାଇଟ କୋଉଠି ଖଞ୍ଜା ହେବ ପଚାରିବାକୁ ଯାଇ ଶାନ୍ତି ମାଉସୀ ଦେଖିଲେ ଋଷିବାବା ଅଳିଆ ଅସନା ଭିତରୁ ଜେଜେଙ୍କ ସୁନୁଗାଡି ଓ ଜେଜେମାଆଙ୍କ କାଠ ଚପଲ ହଳକ ଅଲଗା କରି ରଖୁଛିନ୍ତି ତ ଶାନ୍ତି ମାଉସୀ ଭାବିଲେ ବୟସ୍କ ମଣିଷ ଭିତରେ ଏବେବି ବାଳ ଗୋପାଳଟିଏ ଲୁଚି ରହି ପଛକୁ ଫେରି ଦେଖୁଥାଏ ତା ପିଲାଦିନର ମଣିଷ, ଗାଁ ଓ ପିଲାଦିନ ସଂସ୍ପର୍ଶରେ ଆସିଥିବା ଜିନିଷସବୁକୁ ଆଉ ଏ ତ ସହଜେ ସବୁଠୁ ଛୋଟ ପୁଣି ପିଲା ଭାବି ଅନ୍ୟକାମରେ ମନ ଦେଲା ଶାନ୍ତି. ସାନବାବୁ ନିଜ ପୁଅ ଋଷିବାବା ସହ ଖାଇପିଇ ଫେରିବେ ଯେ! ମାଆଙ୍କର ବରାଦ ଅନୁଯାୟୀ ସେ ଲାଗିପଡ଼ିଲା ରୋଷେଇବାସରେ.

  ସେଇ ଅପେକ୍ଷିତ ଦିନ ପାଖେଇ ଆସିଲା.ଗାଁ ଘର ପରି ସଜେଇ ହୋଇ ମାମୁଁ ମାଇଁ, ପିଇସୀ ପିଇସାମାନେ ରଙ୍ଗବେରଙ୍ଗର ପୋଷାକ ପତ୍ରରେ ସଜେଇ ହୋଇ ସାରିଲେଣି. କେକ କଟା ହେବା ପରେ ସମସ୍ତଙ୍କ ଉପହାର ଖୋଲା ଯିବ. ଥରକୁ ଥର ଋଷି ଯାଇ ଦେଖିଆସୁଥିଲା ଜେଜେ ଓ ଜେଜେମାଙ୍କୁ. ମାଆ ଓ ଦେଠେଇ ଅପାମାନଙ୍କ ସଙ୍ଗେ ଜେଜେମାଙ୍କୁ ଖୁବ ସୁନ୍ଦର ସଜେଇ ଦେଇଛନ୍ତି. ଜେଜେମା କୋଳରେ ଥରେ ବସିଯିବାକୁ ଇଛା ଋଷିର କିନ୍ତୁ କାଳେ ଜେଜେମାଆଙ୍କ ସୁନ୍ଦର ଶାଢ଼ୀଟି ନଷ୍ଟ ହୋଇଯିବ ଭାବି ଜେଜେମାଆ ଡାକୁଥିଲେ ବି ତାକୁ ପାଖକୁ ମଧ୍ୟ ସେ ଯାଇ ପାରିନି.ଏଣେ ବନ୍ଧୁବାନ୍ଧବ ଓ ନିମନ୍ତ୍ରିତ ଅତିଥି ପହଁଞ୍ଚି ଗଲେଣି. ମନ୍ଦିରରୁ ଫେରି ଆସିଲେଣି ପିଇସୀ ଅପା ପିଇସାମାନେ. ସେମାନଙ୍କ ଗହଣରେ ଜେଜେମା ହସୁଥିଲେ ଖୁବ କିନ୍ତୁ ତରତର ହେଉଥିଲେ ଜେଜେଙ୍କ ପାଇଁ. ତାଙ୍କୁ କେମିତି ଗାଧୁଆ ପାଧୁଆ କରେଇବେ ଓ ଡ୍ରେସ ପିନ୍ଧେଇବେ ଇତ୍ୟାଦି ଇତ୍ୟାଦି. ଋଷି ବୁଝିପାରୁନଥିଲା ଜେଜେମା ନିଜେ ସବୁ କାମ କରିପାରିବାର କ୍ଷମତା ଥାଇ ମଧ୍ୟ ତାଙ୍କୁ ସମସ୍ତେ ଲାଗିପଡି ବେଶଭୁଷା ଶାଢ଼ୀପିନ୍ଧା ଇତ୍ୟାଦି କରୁଥିଲେ ମଧ୍ୟ ଜେଜେଙ୍କ କାମ କାହିଁକି ଜେଜେମାକୁ କେବଳ ଏକୁଟିଆ କରିବାକୁ ପଡୁଛି!ଆସିଗଲା କେକକଟା ପରେ ଉପହାର ଦେବା ପାଳି. ଋଷି ତୁ ଆଗ ଦେ କଣ ସବୁ ଆଣିଛୁ କେତେ ବଡ଼ ବଡ଼ ପ୍ୟାକେଟରେ ଦେଖିବା କହୁଥିଲା ସୁରଅପା . ଋଷି କଣ କହିବାକୁ ଯିବା ପୂର୍ବରୁ ନିଜେ ଜେଜେମା କହିଥିଲେ ସେ ସବୁଠୁ ଛୋଟ.ତା ପାଳି ସବା ପଛରେ. ସତରେ ଏ ଜେଜେମା ତା ମନକଥା ଠିକ ବୁଝନ୍ତି. ଏଥର ଜେଜେମାଙ୍କୁ ତା ସାଙ୍ଗରେ ସହରକୁ ନେଇଗଲେ ତାର ଖୁବ ମଜ୍ଜା ହେବ. ଜେଜେ ମଧ୍ୟ ଏଣିକି ସବୁ କାମ ନିଜେ କରିପାରିବେ ଭାବୁ ଭାବୁ ତା ପାଳି ଆସିଥିଲା ତ ସେ ତା ନିଜ ବଡ଼ ପ୍ୟାକେଟ ଭିଡି ଭିଡି ଆଣି କାଢିଥିଲା ଜେଜେଙ୍କ ସୁନୁଗାଡି କିନ୍ତୁ ତାହା ଏବେ ନୂତନ କଳେବର ବୃଦ୍ଧି ହୋଇ ଭିର୍ନ୍ନ ଧରଣର ହୁଇଲ ଚେୟାର ହୋଇସାରିଥିଲା. ଜେଜେମାଆ ପାଇଁ ତା କାଠ କଠଉ କାଢିଲା ବେଳେ ଜେଜେମା ତାକୁ କୋଳକୁ ନେଇ କହୁଥିଲେ ତୁ କେମିତି ମୋ ମନକଥା ଜାଣିଲୁ ଧନ? ସୁର ଅପା କହୁଥିଲା ଅପା ଭାଇମାନେ ସମସ୍ତେ ଇଞ୍ଜିନିଅର ହେବାକୁ ପାଠ ପଢୁଥିଲା ବେଳେ ମୁଁ ଭାବୁଥିଲି ତୋର ମୋର ଡାକ୍ତର ହେବା କିନ୍ତୁ ତୁ ତ ବଡ଼ ଇଞ୍ଜିନିଅର ହେବୁ ଜଣାଅପଡ଼ିଲା. ଜେଜେମା ପୂଜା ବେଳେ କାଠ ଚପଲ ପିନ୍ଧି ପୂଜା କରିବେ ଆମ ଘରକୁ ଗଲେ.ଜେଜେ ମଧ୍ୟ ଗାଁରେ ରହି ହୁଇଲ ଚେୟାର ସହାୟତାରେ ନିଜ କାମ ନିଜେ କରିପାରିବେ ଜେଜେମାଙ୍କ ବିନା.ଏତେ ସବୁ ପରେ କିନ୍ତୁ ଜେଜେମା ଗାଁ ଛାଡି ଜେଜେଙ୍କୁ ଛାଡି କାହିଁକି ଆସୁନଥିଲେ ସେ ବୁଝିପାରୁନଥିବା ବେଳେ, ଶାନ୍ତିମାଉସୀ କହିଥିଲେ ବଡ଼ ହେଲେ ଜେଜେମାଙ୍କୁ ନେଇଯିବ. ଋଷି ଭାବୁଥିଲା ଆଉ କେତେ ବଡ଼ ହେଲେ ଜେଜେମା ତା ପାଖେ ପାଖେ ସବୁଦିନ ରହିବେ କେଜାଣି!ଏ ଭିତରେ ଜେଜେ ଗଲେଣି ଆକାଶକୁ ତାରା ହୋଇ ଆଉ ଜେଜେମା ଗାଁରେ ସେଇ ହୁଇଲ ଚେୟାରରେ ବସି ଶାନ୍ତିମାଉସୀ ସହାୟତାରେ ନିଜ କାମ କରୁଛନ୍ତି ସତ ହେଲେ ସେ ଗାଁକୁ ତାଙ୍କୁ ଆଣିବାକୁ ଯାଇ ଜେଜେମାଙ୍କଠୁ ନାସ୍ତିବାଣୀ ଶୁଣିଥିଲା. ଏ ଗାଁ ଘରେ ଜେଜେ ଅଛନ୍ତି ଋଷି. ତାଙ୍କୁ ଛାଡି କୁଆଡେ ଯିବି! ଏକଥା ବୁଝିବାକୁ ଋଷିର ତଥାପି ବୟସ ହୋଇ ବି ହୋଇନଥିଲା.


Rate this content
Log in

Similar oriya story from Tragedy