Subhashree Panda

Tragedy Crime

4  

Subhashree Panda

Tragedy Crime

ମଉଳା ଫୁଲ

ମଉଳା ଫୁଲ

4 mins
92


ବିଶ୍ୱାସର ଲୁହାବାଡ଼ଟି ଯେତେବେଳେ କଳଙ୍କି ଲାଗିଯାଏ, ସେଠି ଆଉ ସମ୍ପର୍କର କୌଣସି ମୂଲ୍ୟ ରହେନି । ମୁଁ ସବୁ ସହିପାରିବି ହେଲେ, ବିଶ୍ୱାସରେ ବିଷ ଆଉ ମିଥ୍ୟା ଆରୋପ,ଏଇ ଦୁଇଟି ଆଦୌ ସହ୍ୟ ହୁଏନି ମୋ ଦ୍ୱାରା । ଆଜି ତୁ ସୀମା ପାର କରିସାରିଛୁ ଫୁଲ । ମନେରଖ ଉଦ୍ୟାନର ସବୁ ପୁଷ୍ପ ଦେବୋପଯୋଗୀ ନୁହେଁ | ଏକଥା ବୋଧହୁଏ ତୁ ଭୁଲିଯାଇଛୁ ଯେ କିଛି ଫୁଲର ସୁଗନ୍ଧ ତଥା ସୋନ୍ଦର୍ଯ୍ୟ ଥାଇପାରେ, ହେଲେ ତାହା ଯେ ଦେବତାଙ୍କ ଲାଗି ନିହାତି ଉପଯୁକ୍ତ ତାହା ଭାବିବାଟା ତୋ ଭଳି ବଣର ଅଦରକାରୀ ଫୁଲ ପାଇଁ ଦିବା ସ୍ୱପ୍ନ । ବାମନ ହେଇ ଚନ୍ଦ୍ରମାକୁ ହାତ ବଢ଼େଇବାକୁ ତୁ ସାହସ କେମିତି କରିପାରିଲୁ ? "


  ଅତି ସ୍ପଷ୍ଟ ଭାବେ ଏଲିନା ମାଡାମଙ୍କ କଣ୍ଠସ୍ୱର ଭାସିଆସୁଥିଲା ମୋ ରୁମକୁ । ଲ୍ୟାପଟପକୁ ଅଫ୍ କରି ମୋର ବାକି କାମକୁ ସେଇଠି ଅଧାରେ ଛାଡିଦେଇ ଚାଲିଆସିଲି ଵାଲକୋନିକୁ । ସବୁବେଳେ ଶାନ୍ତ ନିଶ୍ଚଳ ରହୁଥିବା ଏଲିନା ମାଡାମଙ୍କର ଆଜି କ'ଣ ହେଇଛି । ଅସ୍ତବ୍ୟସ୍ତ ହୋଇପଡ଼ିଲି କିଛି ଦୁର୍ଘଟଣାର ଆଶଙ୍କାରେ । ମୋ ବାଲକୋନିରେ ତାଙ୍କ ଘରର ଅଗଣା ସୁସ୍ପଷ୍ଟ ଦୃଶ୍ୟମାନ । 


  ଶାନ୍ତ ନିଶ୍ଚଳ ଘରଟିରେ ଭର୍ତ୍ସନାର କ୍ରୂର ସ୍ୱର । ସେ ପୁଣି ଆଉ କାହାର ନୁହେଁ ଖୋଦ ଏଲିନା ମାଡାମଙ୍କର । ରାଗ ପୁରା ପଞ୍ଚମରେ । ତାଙ୍କର ଏମିତି ରୂପ ମୁଁ ଆଗରୁ କେବେ ଦେଖିନଥିଲି । 


   ହଁ, ରକ୍ତସମ୍ପର୍କ ଆଗରେ ସବୁ ହାର ମାନିଯାଏ । ଇଏ ପୁଣି ନିଜ ସାନ ଭାଇ । ଗୋଟିଏ ମାଆର ନାହି ଦୁଇ ଖଣ୍ଡ ହୋଇଛି ଏଠି । ଭାଇ ପାଇଁ ଓକିଲାତି ତ ନିହାତି ଯୁକ୍ତିଯୁକ୍ତ ଏଠାରେ । ହେଲେ ସବୁ ସୁନ୍ଦର ଖୋଳପା ଯେ ଭିତରେ ସତେଜ ଫଳ ଧାରଣ କରିଥିବ ତା'ର କିଛି ନିର୍ଦ୍ଦିଷ୍ଟତା ନଥାଏ । ହେଲେ ଅଙ୍ଗୁର ଯେତେ ଖଟା ହେଇଥିଲେ ବି ଲତା କ'ଣ ନିଜ ସମ୍ମାନ ବଞ୍ଚେଇବାକୁ ଯାଇ କେବେ ସ୍ୱୀକାର କରିପାରିବ ଯେ ସେ ଖଟା ଫଳ ମୋ ଗଛର ଫଳ ନୁହେଁ ବୋଲି? ସେଠାରେ କଥା ଉଠେ, "ଅଙ୍ଗୁର ନ ଖାଇପାରିଲେ ଖଟା" । ସବୁ ଦୋଷ ଆସେ ଖାଦକର ଖାଇବା ଶୈଳୀ ଉପରେ । ନିଜର ଆତ୍ମସମ୍ମାନରେ ମିଛ ଆଞ୍ଚ ମଣିଷକୁ କ୍ରୂର କରିଦିଏ ଖୁବ ସହଜରେ । ଆଜି ଆରୋପ ଆସିଛି ସେ ପୁଣି ଜୀବନଠାରୁ ଅତିପ୍ରିୟ ସାନ ଭାଇ ଉପରେ । କେମିତି ବା ସହି ପରିଥାନ୍ତେ ଏଲିନା ମାଡାମ ? 


  କାନ୍ଦି କାନ୍ଦି ସବୁ ସହିଯାଉଥାଏ ଫୁଲ । ଦେହର ଯନ୍ତ୍ରଣା ଓ ମନର କୋହ ସୀମା ଲଙ୍ଘି ବହି ଯାଉଥିଲେ ଆଖିରୁ ଦୁଇ ଧାର ହୋଇ । ଯୋଉଠି ରକ୍ଷକ ନିଜେ ଭକ୍ଷକ ସାଜିବ, ସେଠି ଆଉ ଶୁଣିବ ବା କିଏ? ନିଜ ସପକ୍ଷରେ ଓକିଲ ନଥିଲେ ନିର୍ଦ୍ଦୋଷ ବି କାଠଗଡ଼ାରେ ଦୋଷୀ ବୋଲି ପ୍ରମାଣିତ ହୋଇଯାଏ ଅନାୟାସରେ । ଏଠି କିଏ ବା ଅଛି ରୋଜିର ଦୁଃଖ ଶୁଣିବ । ବିଶ୍ୱାସ କରିବ ତାର ନିଷ୍କପଟ ମନର ବେଦନାକୁ ଓ ତାର ଅପ୍ରିୟ ସତ୍ୟତାକୁ । 

ଅପ୍ରିୟ ସତ୍ୟ ସମସ୍ତଙ୍କୁ କଷ୍ଟ ଦିଏ । ଆଉ ନିଜର କି ନିଜ ସମ୍ପର୍କୀୟ କଥା ଉଠିଲେ, ବିନା ତର୍ଜମାରେ ସାମ୍ନାରେ ଥିବା ଲୋକଟିକୁ ମିଥ୍ୟା ବୋଲି ଧରିନେବାକୁ ଆଦୌ କୁଣ୍ଠାବୋଧ ହୋଇନଥାଏ । ହେଲେ ପ୍ରମାଣ ଓ ତର୍ଜମାଟିଏ ଯେ ନିତାନ୍ତ ଆବଶ୍ୟକ,ତାର ହିସାବ ବା ରଖେ କିଏ ? ?


  ବିଶ୍ୱକୁ କରୋନା ଭୁତାଣୁ କବଳିତ କରି ରଖିଥିବା ବେଳେ ତାକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ଘୋଷିତ ଲକଡାଉନ ରଣନୀତିଟି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ପୂର୍ଣ୍ଣ ମିଠା ଅବସର ଆଣିଦେଇନପାରେ କେବେହେଲେ । କିଏ ବ୍ୟସ୍ତଭରା ଜୀବନରୁ ମୁକ୍ତି ଟିକେ ପାଇ ପରିବାର ସହ ଖୁସିରେ ଘରେ ରହିଥିବା ବେଳେ କାହା ଘରେ ଚୁଲି ଜଳିବା ବି ସାତ ସ୍ୱପ୍ନ ହେଇପଡିଛି ଏଇ ସମୟରେ । 


  ସହର ତଳି ବସ୍ତି ଅଞ୍ଚଳରେ ଫୁଲ ରହେ ତା'ର ବାପା ଓ ମା'ଙ୍କ ସହ । ମା' ନାନା ରୋଗରେ ପୀଡିତ । ବାପା କାମ ଧନ୍ଦା କରି ପରିବାର ଚଳାନ୍ତି କଷ୍ଟେ ମଷ୍ଟେ । ମା'ର ଔଷଧ ଖର୍ଚ୍ଚକୁ ପଇସା ନିଅଣ୍ଟ । ଆଉ ଗଣ୍ଡେ ଖାଇବାଟା ତ ଖୁବ କଷ୍ଟକର ବ୍ୟାପାର । ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡେ । ହେଲେ ବାପା ଝିଅ ଦୁହେଁ ଘରର କଣା ଛପର ଦେଇ ନିତି ରାତିରେ ସ୍ୱପ୍ନ ଦେଖନ୍ତି ଫୁଲକୁ ପାଠ ପଢେଇ ଆକାଶରେ ଉଡେଇବା ପାଇଁ । ସ୍ୱପ୍ନ ତ ସ୍ୱପ୍ନରେ ହିଁ ରହିଯାଏ । ସବୁ ସ୍ୱପ୍ନର ଭାଗ୍ୟରେ କୋଉ ପୂର୍ଣ୍ଣତାର ସ୍ପର୍ଶ ଲେଖାଥାଏ କି । ସତକୁ ସତ ଫୁଲର ସ୍ୱପ୍ନଟା ମଉଳିଗଲା ଅବେଳରେ । ଅଦିନରେ କରୋନାରେ ବାପା, ମା' ଦୁହିଁଙ୍କୁ ହରାଇ ନିଃସହାୟ ହୋଇପଡିଲା ଫୁଲ । ଏତିକିବେଳେ ସାହାଯ୍ୟର ହାତ ବଢାଇଥିଲେ ଡକ୍ଟର ଏଲିନା ପଟ୍ଟନାୟକ । ଫୁଲକୁ ନେଇ ଯାଇଥିଲେ ନିଜ ଘରକୁ । ଖୁବ ଭଲ ପାଆନ୍ତି ତାକୁ । ପାଠ ପଢ଼ିବା ସହ ଘର କାମରେ ବି ସାହାଯ୍ୟ କରେ ସେ ଏଲିନା ମାଡାମଙ୍କୁ । ବହୁତ ଥର ଏଲିନା ମାଡାମଙ୍କ ସହ ଆସିଛି ସେ ମୋ ଘରକୁ ବୁଲିବାକୁ । ୟା ଭିତରେ ଫୁଲକୁ ଚିହ୍ନିବାଟା ଆଉ ବାକି ରହିନଥିଲା ମୋର । ନାଁ ଯେମିତି ସେ ବି ସେମିତି | ଖୁବ କୋମଳ ଓ ନିଷ୍କପଟ । ପନ୍ଦର ଷୋହଳ ବର୍ଷ ଝିଅଟିଏ ଫୁଲ । 


  ଗତ ରାତିରେ ଏଲିନା ମାଡାମ କୌଣସି ଏମରଜେନ୍ସି ଅପରେସନ ପାଇଁ ଘରକୁ ଫେରିନଥିଲେ । ସକାଳେ ଘରକୁ ଆସିଥିଲା ମାଡାମଙ୍କ ସାନ ଭାଇ ସନ୍ଦୀପ । ଭାଇଟି ନିଜର ଆଉ ପୁଣି ପେଶାରେ ଜଣେ ପୋଲିସ ଅଫିସର । ସନ୍ଦେହ କି ଅବିଶ୍ୱାସର ଟିକେ ବି ପ୍ରଶ୍ନ ନାହିଁ । କାଲି ସନ୍ଦୀପର ଡିଉଟି ଅଫ ଥିଲା | ଫୁଲକୁ ସନ୍ଦୀପର ଜିମା ଦେଇ ଏଲିନା ମାଡାମ ବାହାରିଯାଇଥିଲେ ଡାକ୍ତରଖାନା | ଆଉ ଠିକ ଏଇ ସୁଯୋଗରେ ନିଜର ଦୁଇ ସାଥିଙ୍କ ସହ ମିଶି ସନ୍ଦୀପ ଖିନଭିନ କରିଦେଇଥିଲା ଫୁଲର ସତେଜ ମହକକୁ । 

  

  ସବୁ ଜାଣି ମଧ୍ୟ ନିଜ ରକ୍ତର ଏପରି କୁକାର୍ଯ୍ୟକୁ ଆଦୌ ଗ୍ରହଣ କରିପାରୁନଥିଲେ ଏଲିନା ମାଡାମ । ଭାଇ ସ୍ନେହରେ ଅନ୍ଧ ହୋଇ ସେ ଅଗ୍ନି ବର୍ଷେଇ ଚାଲିଥିଲେ ଫୁଲ ଉପରେ । ଲକଡାଉନ ହୋଇଯାଇଥିଲା ଫୁଲର ନିରୀହ ହୃଦୟ । ମହାମାରୀର କାୟା କବଳିତ କରିସାରିଥିଲା ତାର ଶରୀର, ପ୍ରାଣକୁ ସମ୍ପୂର୍ଣ୍ଣ ଭାବେ । ଲୁହର ସୁଅରେ ଗରିବୀର ମାସ୍କ ପିନ୍ଧି, ଭାସିଯାଉଥିଲା ତାର କଅଁଳ ସ୍ୱପ୍ନ ସବୁ | ଆଉ ମୁଁ ....ସବୁକିଛି ଦେଖି ମଧ୍ୟ ଅବିବେକୀ ଭଳି ନିଜ ଆଖି ଦୁଇଟିକୁ କ୍ୱାରେଣ୍ଟାଇନରେ ରଖିବା ଠିକ ଭାବୁଥିଲି.......



Rate this content
Log in

More oriya story from Subhashree Panda