STORYMIRROR

Sucharita Patra

Inspirational

3  

Sucharita Patra

Inspirational

ମୋ ସହ କ’ଣ ହେଉଛି ଯେ ଭାରି ଲାଜ ଲାଗୁଛି

ମୋ ସହ କ’ଣ ହେଉଛି ଯେ ଭାରି ଲାଜ ଲାଗୁଛି

2 mins
565


"ମାଳତୀ ସେଇ ଛୁଆଁ ଜାମାପଟା ସଫା କରିବୁ। ଆଉ ହଁ ତାକୁ ଯେମିତି ଅଲଗା ରଖିବୁ" ଭାରି ବ୍ୟସ୍ତ ଜଣାପଡୁଥିଲେ ତାପସୀ ଦେବୀ । ମାଳତୀ କାମ କରୁଥିବା ସମୟରେ ସେ ଏପଟ ସେପଟ ହୋଇ ଫୋନ୍ ବୁକ୍‌ରୁ ନମ୍ବର ଖୋଜି ସମ୍ପର୍କୀୟଙ୍କୁ କଲ୍ କରୁଥିଲେ। ଫୋନ୍‌ରେ ଥିବା ସମ୍ପର୍କୀୟଙ୍କୁ କହୁଥିଲେ କାଲି ସନ୍ଧ୍ୟାରେ ମହାପ୍ରସାଦର ବ୍ୟବସ୍ଥା ହୋଇଛି। ଘରକୁ ଆସି ଝିଅକୁ ଆଶୀର୍ବାଦ କରିବେ। ଝିଅ ଆନି ରୁମ୍ ଭିତରୁ ମାଆଙ୍କୁ କହୁଥାଏ ମାଆ ଟିକେ ବାହାରକୁ ଯାଇ ବୁଲି ଆସିବି ? ଭାରି ଚିଡ଼ା ଲାଗିଲାଣି। ଜେଜେମାଆ ଆନିର ପାଟି ଶୁଣି ଜୋର୍ରେ ଚିଲେଇବାକୁ ଲାଗିଲେ ଆଜିକାଲିର ଝିଅ କଣ ହେଉଛନ୍ତି, କେଜାଣି? ଏସବୁ ଜିନିଷ ହେଲେ ଆମେ ୧୨ରୁ ୧୫ ଦିନ ଘର କୋଣରେ ଲୁଚିକି ରହୁଥିଲୁ। କେତେ ନିୟମ ନିଷ୍ଠା ପାଳନ କରୁଥିଲୁ। ବାପା ଭାଇଙ୍କୁ ଦେଖୁନଥିଲୁ କି ମୁହଁ ଚାହୁଁନଥିଲୁ। ଏବେକାର ଝିଅଙ୍କର ତ ଭାରି ଫେସନ କିଛି ମାନିବାର ନାହିଁ କି କାହା କଥା ଶୁଣିବାର ନାହିଁ। ରଖେଇ ଲୋ, ହଉଥାଉ କେତେ ଦେଖେଇ ଲୋ। ଶାଶୁଙ୍କର ପାଟି ଶୁଣି ଆନିକୁ ମାଆ ତାଗିଦ୍ କଲେ।ଚୁପଚାପ୍ ଘର ଭିତରେ ଦୁଆର କିଳି ବସିବାକୁ କହିଲେ। ତାପସୀ ଦେବୀ ଭାରି ବ୍ୟସ୍ତ ସବୁ ଲୋକଙ୍କୁ ନିମନ୍ତ୍ରଣ କରାଯିବ, ବ୍ରାହ୍ମଣକୁ ଡକାଯିବ, ପୂଜାପାଠ ହେବ ଏତେ ସବୁ କାମ ଆଜି ରାତି ଭିତରେ ସାରିବାକୁ ପଡିବ।   ପରଦିନ ଘରେ ଭିଡ। ଅଜା ଆଇ, ମାମୁଁ ମାଇଁ ଆହୁରି କେତେ କିଏ ସାହି ପଡିଶା, ସମ୍ପର୍କୀୟ। ତାପସୀ ଦେବୀ ଏବଂ ତାପସ ବାବୁ ଅତିଥି ମାନଙ୍କ ସ୍ବାଗତ କରିବାରେ ବ୍ୟସ୍ତ।       

 ରାତିରେ ବଡ ଭୋଜିର ଆୟୋଜନ ହୋଇଛି।ଝିଅ ଆନି ପାଖରେ ସମସ୍ତେ ବସି ଗପସପ କରିବାରେ ମସଗୁଲ। ହେଲେ ଆନି ଆଜି ତୁନି ହୋଇ ବସି ସମସ୍ତଙ୍କୁ ଦେଖୁଥାଏ। ଭାରି ଲାଜଲାଜ ଲାଗୁଥାଏ। କଣ୍ଢେଇ ଭଳି ସଜେଇ ତାକୁ କୁଣିଆ ଘେରି ଯାଇଛନ୍ତି। ମାଆ ତେଣେ ଅତିଥି ଚର୍ଚ୍ଚାରେ ଭାରି ବ୍ୟସ୍ତ। ଓହୋ କଣ ଯେ ଇଏ ହେଉଛି। ଯିଏ ଆସୁଛି ହସିଦେଇ ହାତରେ ପଇସା ଗୁଞ୍ଜି ଦେଇ ଯାଉଛି ଆଉ କିଏ ସୁନା ମୁଦି ପିନ୍ଧେଇ ଦେଇ ଯାଉଛି ତ କିଏ ନୂଆ ଲୁଗାପଟା ଦେଇ ଯାଉଛି। ଆନି ଲାଜରେ ଉବୁଟୁବୁ ହେଇଯାଉଛି। ଯେମିତି ସେ ନୂଆ ନୂଆ ବୟସରେ ପାଦ ଥାପୁଛି। ଆଉ ତାକୁ ପାଛୋଟି ନେବାକୁ ଏଇ ଭିଡ଼ ଜମୁଛି।

ସତରେ ଆମେ ସମୟ ସହ ଦୈାଡି ଦୈାଡି ବହୁତ ପରିବର୍ତ୍ତନ ହୋଇଯାଇଛୁ। ଝିଅକୁ ସେମାନଙ୍କର ଶାରୀରିକ ଗଠନ ଏବଂ ପରିବର୍ତ୍ତନ ବିଷୟରେ ବୁଝାଇବା ପରିବର୍ତ୍ତେ ଆଡ଼ମ୍ବର ସହକାରେ ରଜୋବତୀ ଉତ୍ସବ ପାଳନ କରୁଛେ। ଝିଅଟି ପ୍ରତି ମାସରେ ଏହି କଷ୍ଟକୁ ସହି ଚାଲିଥାଏ। ତା ପରେ ବି ସେ ତା କାମରେ କେବେ ହେଳା କରେନି। ସର୍ବଂସହା ବୋଲି ପ୍ରତିଟି କଷ୍ଟକୁ ଚାପି ରଖେ। ହେଲେ ଏସବୁ ପରେ ବି ତା ଆଗରେ ଏହି ସବୁ ସମୟରେ ପ୍ରତିବନ୍ଧକ କରାଯାଏ। କେତେଜଣ ରକ୍ଷଣଶୀଳ ପରିବାରରେ ତ ଏହି ବିଷୟରେ କଥାହେବା, ସମସ୍ତଙ୍କ ଆଗରେ ଆଲୋଚନା କରିବା କିମ୍ବା ସେହି ସ୍ଥାନକୁ ଯିବା ଭାରି ଲଜ୍ଜାବୋଧର ବିଷୟ ପାଲଟି ଗଲାଣି। ଏଠି ଲୋକ ଖୋଲାରେ ମଦ ପିଇ ସୋସିଆଲ ମିଡିଆରେ ଫୋଟ ଓ ଭିଡିଓ ଭାଇରାଲ କରିପାରନ୍ତି। ହେଲେ ଆଜିବି ଝିଅଟି ଖବରକାଗଜ ଗୁଡେଇ କଳାଜରି ଭିତରେ ଅତି ସାବଧାନରେ ଓଢ଼ଣା କାନିରେ ଲୁଚେଇ ସାନିଟାରି ପ୍ୟାଡ ନେଉଛି। ଯେତେ ଆଧୁନିକ ହେଲେ ଚିନ୍ତାଧାରାରେ ଆମେ ବହୁତ ପଛରେ।

ମାସକର ଏହି କିଛି ଦିନ ଭୟଙ୍କର ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ୁଥିଲେ ମଧ୍ୟ ସରକାରୀ କିମ୍ୱା ବେସରକାରୀ ଅଫିସରୁ ଛୁଟି ମିଳେ ନାହିଁ। ଘର କାମରୁ ମଧ୍ୟ ଟିକେ ଫୁର୍‌ସତ ମିଳେ ନାହିଁ। ଅନ୍ୟପଟେ ସମାଜରେ ଚିରାଚରିତ କିଛି ଅନ୍ଧବିଶ୍ୱାସ ଆହୁରି ମାରି ଦିଏ। କେତେଦିନ ଏହି ସମାଜ ଆଗରେ ମାସକର ନିର୍ଦ୍ଦିଷ୍ଟ ଦିନକୁ ଲୁଚାଇ ରଖିବାକୁ ପଡ଼ିବ? କେବେ ମଣିଷର ମାନସିକତାରେ ପରିବର୍ତ୍ତନ ଆସିବ ? ସଭିଁଏ ଏ ବାବଦରେ ଜାଣିବାର ଆବଶ୍ୟକତା ରହିଛି। ଜଣେ ଝିଅର ସେ ସମୟରେ ହେଉଥିବା କଷ୍ଟକୁ ବୁଝିବାକୁ ପଡ଼ିବ। ଆମକୁ ଅନେକ ଅନ୍ଧ ବିଶ୍ୱାସରୁ ଦୂରେଇବାକୁ ପଡ଼ିବ।                            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational