Manoj Kumar Behera

Tragedy Crime


3  

Manoj Kumar Behera

Tragedy Crime


ମାଛ ବୁଢ଼ୀ

ମାଛ ବୁଢ଼ୀ

6 mins 7.3K 6 mins 7.3K


ମୁଁ - ଆରେ ଆଜି ରବିବାର ରୋଷେଇରେ କଣ କରିବା ? ଚିକେନ କି ମଟନ ?

ସାଙ୍ଗ -ଚିକେନ ଖାଇ ଖାଇ ବୋର ଲାଗିଲାନି । ଟମାଟ ପକେଇ ମାଛ ଝୋଳ ଟିକେ କଲେ ଭାରି ଭଲ ଲାଗନ୍ତା ମ, ନା କଣ କହୁଚୁ ତୁ ?

ମୁଁ -କିଛି ନାଇଁ ଜେ ମାଛ ଆଣିଲେ ଏବେ ଧୋଇବ ସଜାଡ଼ିବ କିଏ ? ମୁଁ କରି ପାରିବିନି ଏ ସବୁ । ଖାସ ସେ ମାଛ ବୁଢ଼ୀ ତା ଏଠିକୁ ଭି ଆସନ୍ତା ହେଲେ ମୁଁ ହିଁ ତ ମାରିଦେଲି ତାକୁ ଏଇ ନିଜ ହାତରେ , କଉଠୁ ଆସିବ ପୁଣି ସେ ?

ସାଙ୍ଗ -କଣ !! ତୁ ମାରିଦେଲୁ ? କୋଉ ମାଛ ବୁଢ଼ୀ ଆଉ କେବେ !!


*******


ହଁ ମାଛ ବୁଢ଼ୀ ।

+୨ ରେ ପଢୁ ଥାଏ ମୁଁ । କଲେଜ ପାଖରେ ଗୋଟେ ଭଡା ଘରେ ରହୁଥାଏ । ହଁ ସେଦିନ ଭି ରବିବାର ଥିଲା । ଭାତ ରସଟା କିରୋସିନ stove ରେ ବସିଥିଲା । କଣ ତରକାରୀ କରିବି ଭାବୁଥିଲି ବସିକି, ହଟାତ ବାହାର ପଟୁ ଡାକ ଶୁଭିଲା ..ମାଛ ନବ ମାଛ ....।

ମୁଁ ବାହାରକୁ ଆସେ ଦେଖେ ତ ୬୦-୭୦ ବର୍ଷର ବୁଢ଼ୀଟେ ଛିଡ଼ା ହେଇଚି ଦାଣ୍ଡ ଆଗରେ । ଛିଣ୍ଡା ଅଣ୍ଡିରା ଜୋତା ହଳେ ପିନ୍ଦିଛି ଆଉ ମୁଣ୍ଡରେ ବଡ ଟୋକେଇଟେ । ସେ ଟୋକେଇକୁ ଆଖି ବୁଲେଇ ଦେଖେ ତ ଗୋଟେ ପଟେ ଛୋଟ କେରାଣ୍ଡି ମାଛ ଗଣ୍ଡେ ଆଉ ଆର ପଟରେ କଞ୍ଚା ଲେମ୍ବୁ , ମରିଚ , ଧନିଆ ପତ୍ର , ଶାଗ ଏମିତି ଟିକେ ଟିକେ କରି କେତେ ରକମର ଅଛି । 

ମୁଁ - ଏ ବୁଢ଼ୀ ମା , ସଜ ମାଛଟି ?

ମାଛ ବୁଢ଼ୀ - ହଁ ରେ ବାବୁ , ଆମ ଗାଁ ନଦୀ ମାଛ ପା । ଏଇ ସକାଳେ ଧରା ହେଇଚି ।

ମୁଁ - ହଉ ହଉ ସଫା ସଜଡା କରିଦେବୁ ଯଦି ୨୦ ଟଙ୍କାର ଦେ ନହେଲେ ଯା ଏଠୁ ।

ମାଛ ବୁଢ଼ୀ - ଆରେ ତୁ ତ ମୋ ପୁଅ ପରି । ପୁଅ ପାଇଁ କଣ ଏତିକି କରିପାରିବିନି । ଏତିକି କହି ଭଲ ସେ ସଜାଡି ଦେଲା ୨୦ ଟଙ୍କାର ମାଛ ।

ମୁଁ - ଏ ବୁଢ଼ୀ ମା, ଏଇ ୧୦୦ ଟଙ୍କା ନେ ଆଉ ବଳକା ୮୦ ଟଙ୍କା ଦେ ମତେ , ଧନିଆ ପତ୍ର ଭି ଟିକେ ପକା ସେଥିପାଇଁ କଣ ପଇସା ଦେଵି।

ମାଛ ବୁଢ଼ୀ -ମୁଁ ତ ଏଇ ଏବେ ଆସିଲି ଗାଁ ରୁ ମୋ ପାଖରେ କଣ ଖୁଚୁରା ଅଛି ଏବେ । ଆସିଲା ବେଳେ ଏଇ ବାଟ ଦେଇ ତ ଯିବି ସେତେବେଳେ ଦେଇ ଦେଵି ବାବୁ ।

ମୁଁ -ନା ନା ମୋର ତୋ ଉପରେ ଭରସା ନାଇଁ, ଯା ଫେରିଲା ବେଳେ ୮୦ ଟଙ୍କା ନେଇ ଆସିବୁ ଆଉ ମୋ ଠୁ ପଇସା ନେଇ ଯିବୁ ।

ମାଛ ବୁଢ଼ୀ ମୋ କଥାରେ ହଁ ଭରି ଚାଲିଗଲା ।

ଭାତ ହେଇଗଲାଣି, ହଉ ମାଛଟା ଭାଜି ନିଏ । ଆଉ ଡାଲି କରିବିନି ଖରା ହଉଚି ପଖାଳ କରି ଖାଇବି ।


***


୨ ଟା ବାଜିଲାଣି , ଢ଼ୋ ଢ଼ୋ ଖରା । ମୁଁ ପେଟେ ଖାଇ ସାରି ବୁଢ଼ୀର ବାଟକୁ ଜଗିଥାଏ ୧୦୦ ଟଙ୍କା ନୋଟଟା ହାତରେ ଧରି ।

ବୁଢ଼ୀ ଡାକ ଶୁଭିଲା - ପଇସା ନେରେ ପୁଅ ।


ମୁଁ ଯାଇ ଦେଖେ ତ ବୁଢ଼ୀଟା ଖରାରେ ଆସିକି କଳା କାଠ ପଡି ଯାଇଥାଏ । ମୁଁ ସଂଗେ ସଂଗେ ଯାଇ ପାଣି ଗିଲାସଟେ ଆଣି ବୁଢ଼ୀକୁ ଦେଲି କହିଲି, ଏତକ ପିଇ ସାରେ ପରେ ପଇସା କଥା ହବା। ବୁଢ଼ୀ ଢକ ଢକ କରି ସବୁ ପାଣି ପିଇ ଦେଲା ।


ମୁଁ - ଏଇ ମା , ସକାଳୁଟା ଟୋକେଇ ଧରି ବୁଲୁଛୁ କିଛି ଖାଇଛୁ କି ନାଇଁ ?


ମାଛ ବୁଢ଼ୀ- ଘରକୁ ଗଲେ ଖାଇବି । ତୋ ଠୁ ପାଣି ପି ତ ସବୁ ଭୋକ ମୋର ମରିଗଲା ଭଗବାନ ତୋତେ କୋଟି ଆୟୁଷ ଦିଅନ୍ତୁ ।


ମୁଁ -ଏଁ , ହେଇଟି ଶୁଣେ ମାଛ ଭଜା ଅଛି ଆଉ ପଖାଳ ଭାତ ଭି ଅଛି,ନେ ଖାଇ ନେ ନହେଲେ ମୁଁ ତୋ ପଇସା ଦେଵି ନାଇଁ । ମୋ ହାତ ରନ୍ଧା ଖାଇ କି ଦେଖେ ଭୁଲିବୁନି କେବେ । ବୁଢ଼ୀ ନାଇ କଲା ଆଗ ବହୁତ କହିଲା ପରେ ଭାତ କଂସାଟା ନେଲା । ମୁଁ ୧୦୦ ଟଙ୍କା ନେଇ ୮୦ ଟଙ୍କା ଖୁଚୁରା ନେଲି । ବୁଢ଼ୀ ଖାଉ ଥାଏ । ମୁଁ ଖଟ ଉପରେ ଗଡ଼ ତଡ଼ ହୋଉ ହୋଉ କେତେବେଳେ ଯେ ସୋଇପଡିଲି ଜାଣି ହେଲାନି । ଉଠିଲା ବେଳକୁ ଦେଖେ ବୁଢ଼ୀ ନାଇ ହେଲେ ଗଲା ବେଳେ ସବୁ ଅଇଁଠା ବାସନ ବୁଢ଼ୀ ମାଜି ଦେଇ ପଳେଇଚି । ଆରେ ଭାରି ଭଲ ବୁଢ଼ୀ ତ, ଯା ହଉ । ହେଲେ ବୁଢ଼ୀ ଏତେ ବୟସରେ ଖରାରେ ବୁଲି ବୁଲି ମାଛ ବିକୁଛି ତାର ପୁଅ ଝିଅ କିଏ ନାଇ ନା କଣ ? କିଏ ଜାଣିଛି , ଆଉ କେବେ ଆସିଲେ ପଚାରିବି ।

 

୪-୫ ଦିନ ପରେ ପୁଣି ବୁଢ଼ୀ ସହ ଦେଖା ହେଲା । ଡାକିଲି ଏଇ ବୁଢ଼ୀ , କଣ ମ ତୋର ଏଇ ପୁଅକୁ ଭୁଲି ଗଲୁ ? ଦେ ବିଡ଼ାଏ ଶାଗ ଆଉ କଞ୍ଚା ଲଙ୍କା ଦିଟା ଦେ ।  ବୁଢ଼ୀ ହସିଲା , ହଁ ମୋ ସୁନା ପୁଅ କହି ସଜ ଶାଗ ଆଉ କଞ୍ଚା ଲଙ୍କା ଦେଲା ।

ମୁଁ - ତୋର କେତେ ପୁଅ ଝିଅ ? ପୁଅ କଣ ରୋଜଗାର କରୁନି ? ତୁ ଏଇ ବୟସରେ ଖରାରେ ବୁଲି ବୁଲି ମାଛ ଆଉ ପରିବା ବିକୁଚୁ ।


ମାଛ ବୁଢ଼ୀ ବଡ ନିଶ୍ୱାସ ଟେ ନେଲା । ଆଉ ତା ପରେ ତା ଦୁଃଖ କହିଲା ...


ମାଛ ବୁଢ଼ୀ - କାଇଁ କେତେ ବର୍ଷ ପୂର୍ବରୁ ମୋ ସ୍ୱାମୀ ଆର ପାରିକୁ ଏକା କରି ମତେ ପଳେଇଲା । ଝିଅଟା ସାନ ହେଇଥାଏ ବଡ କଷ୍ଟରେ ମାଛ ବିକି ବିକି ବଡ କଲି ତାକୁ । ବାହା ବି ଦେଲି ଏବେ ଜୋଇଁ ପୁଅ ମୋରି ଘରେ ରହୁଛି । ଅଳସୁଆଟା !କୁଆଡେ ଯାଉନି ମଦ ପିଉଚି ମତେ ଆଉ ମୋ ଝିଅକୁ ବାଡ଼ଉଛି ଭି । ମୁଁ ଯେତକି ପଇସା ରୋଜଗାର କରୁଛି ମାଛ ବିକି ସବୁ ଛଡେଇ ନେଇ ଯାଉଛି ନଦେଲେ ବାଡ଼ଉଛି ମତେ ଆଉ ମୋ ଝିଅକୁ ।  ଛାଡେ କଣ ଆଉ ଦୁଃଖ କହିବି । 


ଏତକ କହି ବୁଢ଼ୀ ଚାଲିଗଲା ବିକିବାକୁ । ତା କଥା ଶୁଣି ବଡ ଦୁଃଖ ଲାଗିଲା ।


ଏଇ ୨-୩ ମାସ ଭିତରେ ବଡ ପରିଚୟ ହେଇଯାଇଥିଲା ବୁଢ଼ୀ ସହ । ଫେରିଲା ବାଟରେ ବୁଢ଼ୀକୁ ଯେବେ ଦେଖେ ଖାଇ ବାକୁ ଡାକେ । ବୁଢ଼ୀ ଭି ଖାଇ ଦେଇ ସାରି ସବୁ ବାସନ ମାଜି ଦିଏ । କେବେ କେବେ ଘରଟା ସଫା ସଫି କରି ଚାଲିଯାଏ ।


****


ଶୁକ୍ରବାର ଟା ସେଦିନ । ବାପାକୁ ଫୋନ କଲି ଆଉ କହିଲି ବାପା ମୋର ପଇସା ସରିଯାଇଛି , ପଠେଇ ବ କି ? ବାପା କହିଲେ କାଲି ନହଲେ ରବିବାର ଦିନ ଗାଁ ବସ ହେଲ୍ପର ହାତରେ ପଠେଇବେ ଆଉ ଚାଉଳ ୫ କେଜି ଭି ପଠେଇବେ, ମୁଁ କହିଲି ଠିକ ଅଛି ।

 

 ହଟାତ ବାହାର ପଟୁ ମାଛ ବୁଢ଼ୀର ଡାକ ଶୁଭିଲା । ବାବୁ ମାଛ ନବୁ ଆ । ଆମ ଗାଁ ପୋଖରୀ ରୋହି ମାଛ । ଭାରି ମିଠା ମାଛ ।

 

ମୁଁ - ନାଇଁ ନାଇଁ , ମୋ ପାଖରେ ବିଲକୁଲ ପଇସା ନାଇଁ ମୁଁ ନେବିନି ଯା ତୁ ।

ମାଛ ବୁଢ଼ୀ - ପଇସା ପରେ ଦବୁନି କିଏ ମାଗୁଛି ତତେ ଏବେ । ଏମିତିକା ସଜ ମାଛ କଣ ଆଉ କେବେ ମିଳିବ ।

ମୁଁ - ନାଇଁ ମୁଁ ବାକି ନେବିନି ଯା ତୁ । କେତେ ମନା କଲେ ଭି ବଡ ପେଟି ମାଛଟେ ବୁଢ଼ୀ କାଟି ସଜାଡି ଦେଇକି ଗଲା ।ମୁଁ ଆଉ କଣ କରିବି ଅଧେ ମାଛ ଭାଜି ଦେଲି କାଲି ପାଇଁ , ଆଉ ବାକି ଝୋଳ କାଲି ଆଜି ପାଇଁ । ସେଦିନ ଫେରିଲା ବେଳେ ବୁଢ଼ୀ ପୁଣି ଆସିଲା ମୋ ପାଖକୁ ।

ମୁଁ - ଏଇ ବୁଢ଼ୀ ମା, କାଲି ତୋ ପଇସା ଦେଵି ବାପା ପଠେଇବେ କହିଛନ୍ତି । ଏବେ ତ ମୋ ପାଖରେ ଟଙ୍କାଟେ ଭି ନାଇ ଯା କାଲି ଆସିବୁ, ହେଲେ ବୁଢ଼ୀ ମୋ ହାତକୁ ୫୦୦ ଟଙ୍କିଆ ନୋଟଟେ ବଢ଼େଇ ଦେଲା , କହିଲା ଆଜି ଗାଁ ପୋଖରୀ ମାଛ ବିକି ଭଲ ଲାଭ ହେଇଚି ନେ ରଖେ ।


ମୁଁ - ନା ନା , ରଖେ ତୋ ପଇସା । ତୋ ଜୋଇଁ ପୁଅ ପିଟିବ ନହଲେ ।


ମାଛ ବୁଢ଼ୀ - ତୁ ବି ମୋ ପୁଅ । ମା ହାତରୁ ପଇସା ନବାକୁ କି ଏମିତି ହଉଛୁ । ତୋ ସୁବିଧା ହେଲେ ପୁଣି ଫେରେଇ ଦବୁ । ମୋ ପାଖରେ ଟଙ୍କାଟେ ଭି ନଥିଲା , ଇଚ୍ଛା ନଥିଲେ ଭି ୫୦୦ ଟଙ୍କା ତ ନେଇଗଲା । ବୁଢ଼ୀ ଖୁସି ଖୁସିରେ ଚାଲିଗଲା।

ତା ପରଦିନ ବସ ହେଲ୍ପର ହାତରେ ୮୦୦ ଟଙ୍କା ଆଉ ଚାଉଳ ଭି ଆସିଲା । ପ୍ରଥମେ ୫୭୦ ଟଙ୍କା (ବୁଢ଼ୀ ର ବାକି ୫୦୦ ଆଉ ମାଛ ର ୭୦ ) କାଢି ବୁଢ଼ୀକୁ ଦେଵି ବୋଲି ରଖିଲି । କେଜାଣି ମନକୁ ମୋର କଣ ହେଲା ଭାବିଲି ବୁଢ଼ୀ ମତେ ଏତେ ସାହାଯ୍ୟ କରୁଛି , ମୁଁ ବି କିଛି କରିବି ହେଲେ ମୁଁ କଣ କରିପାରିବି । ହଁ ସେଦିନ ବୁଢ଼ୀ ପାଇଁ ୧୦୦ ଟଙ୍କିଆ ପୁଅ ପିଲା paragon ଜୋତା ହଳେ କିଣିଲି , ବୁଢ଼ୀଟା ଖରାରେ ଚି଼ନ୍ଧା ଜୋତା ପିନ୍ଧି କେତେ ଚାଲିବ । ଏଇ ଜୋତା ହଳକ କାଇଁ କେତେ ମାସ ପଳେଇବ । ବୁଢ଼ୀ ଭି ଖୁସି ହବ । ତା ଏଇ ସୁନା ପୁଅର ଜୋତା ଉପହାର ପାଇ କି ।


ହଁ , ସେଇ ନୂଆ ଜୋତା ହଳକ ଆଉ ୫୭୦ ଟଙ୍କା ଧରି ମୁଁ ଜଗି ଥାଏ ବୁଢ଼ୀ ବାଟକୁ । ମନରେ ଗୋଟେ ନିଆରା ଖୁସି ଥାଏ । ହେଲେ ୧୦ ଦିନ ହେଇଗଲାଣି , କାଇଁ ବୁଢ଼ୀର ଦେଖା ନାଇଁ । କୁଆଡେ ଗଲା ସେ ମାଛ ବୁଢ଼ୀ ? ପାଖ ଆଖରେ କେତେ ଜଣକୁ ପଚାରିଲି, ସମସ୍ତେ କହିଲେ ନାଇ ଆମେ କେହି ଦେଖିନୁ ସେ ବୁଢ଼ୀକୁ ।

  

୧୫ ଦିନ ହେଇ ଗଲାଣି ହେଲେ ବୁଢ଼ୀର ଜମା ଆଉ ଦେଖା ନାଇଁ । କେଜାଣି କୁଆଡେ ଗଲା । ହଉ ଆଜିର ଖବର କାଗଜ ଏଠି ଦାଣ୍ଡରେ ବସି ପଢେ ମୁଁ , କାଳେ ବୁଢ଼ୀ ଦେଖା ହବ ।

ଖବର କାଗଜ ପଢୁ ପଢୁ ଦେଖିଲି ଲେଖା ହେଇଚି ମଦୁଆ ଜୋଇଁପୁଅ ପିଟି ପିଟି ୭୨ ବୟସ୍କ ଶାଶୁକୁ ମାରିଦେଲା । ପୁଲିସି ଶବ ଜବତ କରିଛି । ବୁଢ଼ୀର ଗୋଟେ ଝିଅ ଅଛି ଆଉ ବୁଢ଼ୀ ନିଜ ଝିଅ ଜୋଇଁପୁଅ ପାଖରେ ରହେ ..ମାଛ ବିକିବାକୁ ଯାଏ । ଦି ସପ୍ତାହ ତଳେ ବୁଢ଼ୀ ସବୁ ଦିନ ପରି ମାଛ ବିକି ଫେରିଲା ହେଲେ ଜୋଇଁପୁଅର ହିସାବରେ ବୁଢ଼ୀ ପାଖରେ ୫୭୦ ଟଙ୍କା କମ ଥିଲା , ଏଥିରେ ମଦୁଆ ଜୋଇଁପୁଅ ରାଗି ଯାଇ ବୁଢ଼ୀକୁ ପିଟି ପିଟି ମାରି ଦେଲା ..ଇତ୍ୟାଦି ଇତ୍ୟାଦି ଇତ୍ୟାଦି ...।


ହଟାତ ଅନ୍ଧାର ଦେଖାଗଲା ମତେ ସ୍ତବ୍ଧ ହେଇ ବସି ପଡିଲି । ବୁଢ଼ୀ ମରିଗଲା !! ମୋତେ ପଇସା ଦେଇ ବୁଢ଼ୀ ଚାଲିଗଲା । ମୋ ପାଇଁ ବୋଲି ବୁଢ଼ୀ ମରିଗଲା ..ମୁଁ ହିଁ ନିଜ ହାତରେ ମାଛ ବୁଢ଼ୀକୁ ମାରି ଦେଲି ।


   ***


ସାଙ୍ଗ - ଆରେ ମନୋଜ କଣ ଭାବୁଛୁ ସେତେବେଳୁ ? ଆଜି ରୋଷେଇ କରିବାକି ନାଇଁ , ଭୋକ ହେଲାଣି ପା ।


ମୁଁ - ଆଁ !! କଁ କଣ କହିଲୁ .. ହଁ ହଁ ଯାଉଛି ମାଛ ଆଣିବା ଟମାଟ ପକେଇ ଝୋଳ କରିବା ଭଲ ଲାଗିବ ।


ମୁଁ ଆଉ ମୋ ସାଙ୍ଗ ପାଖ ବଜାରକୁ ଗଲୁ .....।


Rate this content
Log in