STORYMIRROR

Bibhu Prasad

Tragedy

3  

Bibhu Prasad

Tragedy

ଲୁଡୁ ଖେଳ

ଲୁଡୁ ଖେଳ

2 mins
981


ଅଳ୍ପ ଦିନର ଗଳ୍ପ:

ଲୁଡୁ ଖେଳ

ନିଝୁମ ଖରାବେଳେ,ପାଲି ଆଉ ସାର ଧରି ,ସେ ଚାଲିଆସେ ଲୁଡୁ ଖେଳିବାକୁ । ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ,କେତେ ଅଳିକରେ ;କେତେ ଝଗଡା ପରେ ,ମୁଁ ରାଜି ହୁଏ ତା କଥାରେ,ବାଜିଏ ଖେଳିବାକୁ। ବାଜି ରହେ ସିନେମା ଯିବା ନହେଲେ ଆଇସ୍କ୍ରିମ ଖୋଇବା ।

ସେ ନିଏ ଲାଲ ମୋର ନୀଳ,ସେ ଆଗ ବାହାରେ ମୋ ଘରକୁ ଚାଲିଆସେ ,ଆସି ବାଟ ଜଗେ।ମୋର ଘରୁ ବାହାରିବାକୁ ଅପେକ୍ଷା କରେ। ମୁଁ କିନ୍ତୁ ଏତେ ଜଲଦି ବହାର ପାରେନା । ତା'ର ଗୋଟିକ ପରେ ଗୋଟିଏ ପାଚିଯାଏ। ମୁଁ ତାର ବାଟ ଜଗେ , ଯୁଗ ବସାଏ , ହଇରାଣ କରେ। ସେ ତଥାପି ମାନେନି । ଲାଗିଯାଏ ଯୋକ ପରିକା, ମିଛିମିଛିକା ରାଗେ। ମୁଁ ଛାଡିଦିଏ ତା ରାସ୍ତା ,ସେ ଚାଲିଯାଏ ସହଜରେ। ଠିକ ଶେଷ ସାରଟି ପାଚିବା ବେଳକୁ , ତା'ର ଦାନା ପଡେନି ଭଲ।ସେ ବିବ୍ରତ ହୁଏ। ମୁଁ ଖେଳ କମ ତାକୁ ବେଶି ଦେଖୁଥାଏ।ମୁଁ ଜାଣିଜାଣି ହାରିବା ଆଗରୁ ଉଠିଯାଏ। ସେ କିନ୍ତୁ ଛାଡେନି।

ଜୀବନଟା ଆମର ବ ଏମିତି ଅବିକଳ ଲୁଡୁ ଖେଳପରି ।କେବେ ସେ ଆଗରେ ତ କେବେ ମୁଁ ଆଗରେ। ମୋତେ କିନ୍ତୁ ଆଗରେ ରହିବାକୁ ଭଲ ଲାଗେନି। କାରଣ ଆଗରେ ରହିଲେ ମୁଁ ଏକା ପଡ଼ିଯାଏ। ଏକା ରହିବାକୁ କ'ଣ କାହାକୁ ଭଲଲାଗେ? ବେଳେବେଳେ ଠିକ ଦାନା ପଡେନି ବେଳେବେଳେ ସାର ଭୁଲ ଚଲାହୁଏ । ଆଉ ପଛକୁ ଫେରିବାର ନାହିଁ। ଦଣ୍ଡ ଭୋଗିବାକୁ ବି ପଡେ। ଦୋଛକିର ନିଷ୍ପତ୍ତି କେତେ ଠିକ, ଭାଗ୍ୟ ଉପରେ କଥା। ଖେଳ ଚାଲିଥାଏ ପରିଣାମର ମୁହଁ ଦେଖିବାକୁ ସମୟର ହାତ ଧରି ।

ଶେଷରେ ଜିତେ ସିଏ। ଖୁସିରେ ତାଳିମାରି, ଝୁମିଯାଏ। ମୁଁ ମିଛିମିଛିକା ରାଗେ ,ସେ କିନ୍ତୁ ଜାଣିଦିଏ। ଆଲମାରୀରୁ ପର୍ସଟା ନେଇଆସେ ।ତା ଭିତରୁ ସବୁ ନେଇଯାଇ ଖାଲି ପର୍ସଟା ଧରେଇଦିଏ । ପର୍ସଟା ଖାଲି ନ ରଖିବାକୁ ଦୟାରେ ଅଳ୍ପ ନୋଟ ରଖିଦିଏ । ମୁଁ ଚୁପଚାପ ଦର୍ଶକଟିଏ ହୋଇ ସବୁ ଦେଖୁଥାଏ । ତା ହସ ତା ଖୁସି ଆଗରେ ଏଇ କାଗଜ ଟୁକଡା ଗୁଡିକ ମୂଲ୍ୟହୀନ ଲାଗେ। ସତରେ, ଜାଣିଶୁଣି ହାରିବାର ଖୁସିଟା ବୁଝାପଡ଼େ।

କିଏ ଜାଣିଥିଲା ଏମିତି ହେବ? ବାଜି ଜିତି ସେ ଚାଲିଯିବ, କଥା କ'ଣ ଏମିତି ସରେ କି? ମିଛିମିଛିକା ହାରୁ ହାରୁ ମୁଁ ସତରେ ହାରିଯାଏ ।ସେ ମୋତେ ଠକି ଚାଲିଯାଏ। ଆଉ ଜୀବନର ସାର ସବୁ ସେମିତି ପଡିଥାଏ,ଅଧବାଟରେ, ଅଧଖଣ୍ଡିଆ ହେଇ। ଦୂରରେ ଠିଆ ସେ ମୋତେ ଚିଡାଏ, ଜିଭ କାଢି ଖତେଇ ହୁଏ । ଆଉ କହେ....
" ମୁଁ ପୁଣି ଆସିବି ଖରାବେଳକୁ,
ଏଥର ତୁମକୁ ସାଙ୍ଗରେ ନେବାକୁ "

ବିଭୂ ସାମନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy