Susanta kumar Das

Tragedy

3  

Susanta kumar Das

Tragedy

କର୍ତ୍ତବ୍ୟ

କର୍ତ୍ତବ୍ୟ

6 mins
7.7K


ଜୀବନର ବାଟ ଭାରି ଅଙ୍କାବଙ୍କା, ସେଇ ଅଙ୍କାବଙ୍କା ବାଟରେ ଅନେକ ଲୋକ, ସେଇ ଅନେକ ଲୋକଙ୍କ ଭିତରେ ଅନେକ ଚେହେରା, ସେଇ ଅନେକ ଚେହେରା ଭିତରେ କିଛି ଚେହେରା ଅସାମଞ୍ଜସ୍ୟ ଅସମ୍ପୂର୍ଣ୍ଣ ତ ଆଉ କିଛି ବେଶ୍ ସୁନ୍ଦର ହୃଦୟ । ସେଇ ସତ ମିଛ ଆବରଣ ତଳେ କେବେ ଦୁଃଖ ଆଉ ସୁଖରେ ବଞ୍ଚିବାର ପ୍ରୟାସରତ ମଣିଷ । ଏଇ ପ୍ରୟାସରତ ମଣିଷ ଭିତରେ ଖୋଜି ପାଇଥିଲି ଏକ କର୍ତ୍ତବ୍ୟନିଷ୍ଠ ମଣିଷ ।

ସେଦିନ ଭୁବନେଶ୍ୱର ରେ ସି.ଆର୍.ପି. ରାସ୍ତାରେ ଗଲାବେଳେ ହଠାତ୍ ଆଖି ଆଗରେ ଗୋଟିଏ ମଣିଷକୁ ଦେଖିଲି । ସେ ମଣିଷଟାକୁ ଦେଖି ହଠାତ୍ କିଛି ଭାବି ପାରିଲିନି । ଯଦିଓ ସେ ଲୋକଟାକୁ ମୁଁ ଆଗରୁ ଜାଣିନଥିଲି ତଥାପି କିଛି ମୁଣ୍ଡରେ ପଶିଲାନି । ତାକୁ ଦେଖି କିଛି ସମୟ ରହିଗଲି । ମନେ ମନେ ଭାବିଲି ଏ ଦୁନିଆଟା ସତରେ କେତେ ଅଜବ ନା । ଦୁନିଆରେ ସତରେ କେତେ ପ୍ରକାର ଅଲଗା ଅଲଗା ମଣିଷ ଅଛନ୍ତି । ଭଗବାନ ସମସ୍ତଙ୍କୁ କେତେ ପ୍ରକାରରେ ଅଲଗା ଅଲଗା କରି ବନେଇଛନ୍ତି । କିଛି ସମୟ ମୁଁ ସେଠି ରହିଲା ପରେ, ସେ ଲୋକଟି ସେଠୁ ଚାଲିଗଲା । ମୁଁ ବି ସେଠୁ ଚାଲି ଆସିଲି । କିନ୍ତୁ ଗୋଟିଏ ପ୍ରଶ୍ନ ମୋ ମନରେ ବାରମ୍ବାର ଆସୁଥାଏ । ଆଉ ସେ ଲୋକଟା ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛା ହେଉଥାଏ । ତା ପରଦିନ ଗଲାବେଳେ ସେ ଲୋକଟିକୁ ସେଇଠି ସେଇ ସମୟରେ ଦେଖିଲି । ମନେ ମନେ ଭାବିଲି ଏ ଲୋକଟା କିଏ? ସେ ଏମିତି କାହିଁକି କରୁଛି । ଏମିତି ସବୁଦିନ ସେ ରାସ୍ତାରେ ଗଲାବେଳେ ମୁଁ ସେ ଲୋକଟାକୁ ଦେଖେ ଆଉ ସେ ଗଲାପରେ ସେଠାରୁ ଚାଲିଆସେ । ଦିନେ ମନେ ମନେ ଭାବିଲି ସେ ଲୋକଟା ପାଖକୁ ମୁଁ ଯିବି ଆଉ ପଚାରିବି ସେ ଏମିତି କାହିଁକି କରୁଛନ୍ତି । ସେଦିନ ଭାବିଲି ଯିବି ବୋଲି କିନ୍ତୁ ଯାଇପାରିଲିନି । ତା ପରଦିନ ସେ ଲୋକଟାକୁ ପୁଣି ସେଇଠି ସେଇ ଅବସ୍ଥାରେ ଦେଖିଲି । ଆଜି ଭାବିଲି ନା ଆଜି ଯାହା ହେଇଯାଉ ନା କାହିଁକି ମୁଁ ଯିବି ଆଉ ପଚାରିବି । ତା ପରେ ମନରେ ସାହସ ବାନ୍ଧି ସେ ଲୋକଟା ପାଖକୁ ଗଲି , ତାଙ୍କୁ ପଚାରିଲି ।

ମୁଁ ପଚାରିଲି ମଉସା ତମେ ଏଠି କଣ କରୁଛ । ମୁଁ ସବୁଦିନ ତମକୁ ଏମିତି ଦେଖୁଛି କିନ୍ତୁ ଜାଣିପାରୁନି । ତମେ କଣ କରୁଛ । ମୁଁ ପଚାରୁଥାଏ ହେଲେ ସେ ମତେ କିଛି ବି କହୁନଥାନ୍ତି । ମୁଁ ପୁଣି ପଚାରିଲି ମଉସା ତମେ କଣ କରୁଛ । ତାପରେ ସେ ଲୋକଟି କହିଲା- "ମୁଁ ମୋ କର୍ତ୍ତବ୍ୟ କରୁଛି ।" ଏମିତି କହି ସେ ସେଠୁ ଚାଲିଆସିଲି । ଦିନକୁ ଦିନ ସେ ଲୋକଟା ବିଷୟରେ ଜାଣିବା ପାଇଁ ବହୁତ ଇଚ୍ଛା ହେଉଥାଏ । ମୁଁ ସବୁଦିନ ଯାଇ ସେ ଲୋକଟାକୁ ପଚାରୁଥାଏ ହେଲେ ସେ ମତେ ଗୋଟିଏ ହିଁ କଥା କହୁଥାନ୍ତି ଯେ ମୁଁ ମୋର କର୍ତ୍ତବ୍ୟ କରୁଛି । ଏମିତି ମୁଁ ତାଙ୍କୁ ସବୁଦିନ ପଚାରେ ସେ ମତେ ଉତ୍ତରରେ ସେଇ ଗୋଟିଏ କଥା ହିଁ କହୁଥାନ୍ତି । କିନ୍ତୁ ମୁଁ ବୁଝି ପାରୁନଥାଏ ଯେ ଏ ଅବସ୍ଥାରେ ଏତେ ଖରାରେ ସବୁଦିନ ଏ କି କର୍ତ୍ତବ୍ୟ କରୁଛନ୍ତି ।

ତା ପରଦିନ ସେଇ ବାଟରେ ଗଲାବେଳେ ମୁଁ ସେ ଲୋକକୁ ଆଉ ଦେଖିଲିନି । କିନ୍ତୁ କାହିଁକି କେଜାଣି ମୋ ଆଖି ତାଙ୍କୁ ଖୋଜି ବୁଲୁଥାଏ । ହେଲେ ପାଇଲିନି ସେ ଦିନ ଏମିତି ଦିନ ପରେ ଦିନ ଚାଲୁଥାଏ ପ୍ରାୟ ୧୦-୧୫ ଦିନ ହବ ମୁଁ ସେ ଲୋକକୁ ଆଉ ଦେଖିଲିନି । କିନ୍ତୁ ମୁଁ ସବୁଦିନ ତାଙ୍କୁ ଖୋଜୁଥାଏ କାଳେ କେବେ କେଉଁଠି ତାଙ୍କୁ ଦେଖିପାରିବି କି ?

ସେଦିନ ସୋମବାର ଥାଏ । ସମୟ ପ୍ରାୟ ଦିନ ୧୧ ଟା । ମୋର class ସମୟ ବିଳମ୍ବ ହୋଇ ଯାଉଥାଏ । ମୁଁ ତର ତର ହୋଇ ସି.ଆର୍.ପି ଆଡେ ଯାଉଥାଏ । ହଠାତ୍ ମୋ ଆଖିରେ ଗୋଟେ କୋଳାହଳ ପୂର୍ଣ୍ଣ ଦଳେ ଲୋକ ଏକାଠି ହୋଇ ଗୋଟିଏ ବୟସ୍କ ଲୋକକୁ ପିଟୁଥାନ୍ତି । ମୁଁ ସେଠାକୁ ଯାଇ ଦେଖିଲି ଏଇ ହେଉଛି ସେଇ ଲୋକ ଯାହାକୁ ମୁଁ ସବୁଦିନ ଖୋଜୁଥିଲି । ହଠାତ୍ ସେ ଲୋକକୁ ଆଖି ଆଗରେ ଦେଖି ଟିକେ ଖୁସି ହୋଇଗଲି ଆଉ ତାଙ୍କୁ ଏପରି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ଯାଇ ସେଠୁ ସେ ଲୋକକୁ ଆଣିଲି । ଅମାନବିକତାର ନଗ୍ନ ରୂପକୁ ନିଜ ଆଖି ଆଗରେ ଦେଖି ଏ ମଣିଷ ସମାଜକୁ ଧିକ୍କାର କରିବାକୁ ଇଚ୍ଛା ହେଉଥାଏ । ଜଣେ ୬୫ ବର୍ଷର ବୃଦ୍ଧକୁ ଏମିତି ପିଟିଛନ୍ତି ଯେ ମୁଣ୍ଡରୁ ରକ୍ତଧାର ଧାର ହୋଇ ବହୁଥାଏ । ଗୋଡହାତ ଖଣ୍ଡିଆ ହୋଇଯାଇଥାଏ । ତାଙ୍କୁ ସେଠୁ ଉଠେଇ ନେଇ ମୁଣ୍ଡରେ ପଟି ବାନ୍ଧିଲି । ସେ ଲୋକମାନଙ୍କ ଭିତରୁ ଗୋଟେ ଲୋକ କହିଲା - ଏ ଝିଅ, ସେ ଲୋକକୁ ତୁମେ ଜାଣିଛ । ତାକୁ କାହିଁକି ଆମ ହାତରୁ ଛଡେଇ ନେଉଛ । ଜାଣିଛ ସେ କଣ କରିଛି । ମୁଁ ଉତ୍ତରରେ କହିଲି - ସେ ଯାହାବି କରିଥାନ୍ତୁ କିନ୍ତୁ ଆପଣମାନଙ୍କର ଏ ଦଣ୍ଡ ଆପଣମାନଙ୍କ ମଣିଷ ପଣିଆକୁ ଆଜି ପଦାରେ ପକେଇ ଦେଇଛି । ସେ ଏମିତି କି ଭୁଲ କରିଛନ୍ତି ଯେ ଆପଣମାନେ ତାଙ୍କୁ ଏମିତି ମାରି ଲହୁ ଲୁହାଣ କରିଛନ୍ତି ।

ଜାଣିଛ , ଶୁଣିବ ସେ କଣ କରିଛି ସେ ଏ ପିଲାକୁ ଚୋରି କରି ନେଇ ଯିବାକୁ ବସିଥିଲା । ଠିକ୍ ସମୟରେ ସେ ପିଲାର ମାଆ ପାଟି କରି ଡାକିବାରୁ ଆଜି ଏ ପିଲାଟି ବଞ୍ଚିଗଲା । ମୁଁ ଏସବୁ ଶୁଣି ହଠାତ୍ କିଛି ବୁଝିପାରିଲିନି । ମୁଁ ଏଠି କାହାକୁ ବିଶ୍ୱାସ କରିବି । ମୁଁ ସବୁଦିନ ଦେଖୁଥିବା କଥାକୁ ନା ଏ ଲୋକଙ୍କର କଥାକୁ ।

ଠିକ୍ ସେତିକି ବେଳେ ସେ ବୃଦ୍ଧ ଜଣକ କହିଲେ ନା ଝିଅ ମତେ ବିଶ୍ୱାସ କର ମୁଁ ଏ ପିଲାକୁ ଚୋରି କରୁନଥିଲି । ମୁଁ ତାକୁ ବାସ୍ ଟିକେ ଗେଲ କରିବାକୁ ଚାହୁଥିଲି । ଏ ବୃଦ୍ଧଙ୍କ କଥା ନସରୁଣୁ ସେ ମହିଳା ( ପିଲାଟି ର ମା) ଜଣଙ୍କ ମନ ଇଚ୍ଛା ଗାଳି ଦେଲେ ଯାହା ପାଟିକୁ ଆସିଲା ସବୁ କହିଦେଇ ଗଲେ । ମୁଁ ସେତେବେଳେ ସେ ବୃଦ୍ଧଙ୍କ ଆଖିକୁ ଆଉ ତାଙ୍କ ମୁହଁକୁ ଦେଖୁଥାଏ । ସେ ଲୋକର ଆଖିରେ ଆଖିଏ ଲୁହ ସତେ ଯେପରି କାହାଠାରୁ ଟିକେ ସାହାଯ୍ୟ ପାଇବା ପାଇଁ ବିକଳ ହୋଇ ଅନାଇଥାଏ । ତା ଆଖି ତା ମୁହଁରୁ ନିର୍ଦ୍ଦୋଷ ର ପ୍ରତିବିମ୍ବ ସ୍ପଷ୍ଟ ଭାବେ ବାରି ହୋଇ ଯାଉଥାଏ । କାହିଁକି କେଜାଣି ବହୁତ୍ ଇଚ୍ଛା ହେଉଥାଏ ତାକୁ ସାହାଯ୍ୟ କରିବା ପାଇଁ । ତାପରେ ମୁଁ ତାଙ୍କୁ ନେଇ ସେଠାରୁ ଚାଲି ଆସିଲି । ମୋ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଥାଏ । ଏଇ ସେଇ ଲୋକଟି ଯାହାକୁ ମୁଁ ସବୁଦିନ କଣ ଦେଖୁଥିଲି । ମୁଁ ସବୁଦିନ ସେ ବାଟରେ ଗଲାବେଳେ ସେ ଲୋକଟି ଗୋଟେ ଦୋକାନରେ କାମ କରିଥାଏ । ସେ ଦୋକାନୀ ବୃଦ୍ଧ ଜଣଙ୍କୁ ଦିନକୁ ୧୦୦ ଟଙ୍କା ଦିଏ । ମୁଁ ପ୍ରତ୍ୟେକ ଦିନ ଦେଖେ ଗୋଟିଏ ସ୍କୁଲ୍ ବସ ଆସି ସେ ଦୋକାନ ଆଗରେ ରୁହେ । ସେ ସ୍କୁଲ ବସ ଭିତରୁ ୨ - ୩ ଜଣ ଛୋଟ ପିଲା ଆସନ୍ତି । ଆଉ ସେ ବୃଦ୍ଧଙ୍କ ଠାରୁ କିଛି ଚକୋଲେଟ ନେଇ ପୁଣି ସେଇ ସ୍କୁଲ୍ ବସ ରେ ଚାଲିଯାଆନ୍ତି । ମୁଁ ଏଥିରୁ ବୁଝିପାରେନି ଯେ ସେ ବୃଦ୍ଧ ଜଣଙ୍କ କର୍ତ୍ତବ୍ୟ କଣ କଲେ ।ତାପରେ ସେଦିନ ସେ ବୃଦ୍ଧ ଜଣଙ୍କୁ ସେଠୁ ଆଣି ତାଙ୍କର ଆଶୁ ଚିକିତ୍ସା କରାଇଥିଲି । ମୁଁ ତାଙ୍କୁ ପାଖରେ ବସାଇ ପଚାରିଲି ମଉସା ଏସବୁ କଣ ? ମୁଁ ତୁମକୁ ସେବେଠୁ ପଚାରୁଛି କିନ୍ତୁ ଆପଣ ମତେ କିଛି କହୁନାହାନ୍ତି କାହିଁକି । ତାପରେ ସେ ବୃଦ୍ଧ ଜଣଙ୍କ ମତେ କହିଲେ ମା ରେ ଯଦି ଶୁଣିବାକୁ ଚାହୁଁଛୁ ତାହେଲେ ଶୁଣୁ ।

ମୁଁ ଗୋଟେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ମୋର ଘରଦ୍ବାର ଧନ ସଂପତ୍ତି ସବୁ ଥିଲା । ଏବେବି ଅଛି କିନ୍ତୁ ମୁଁ ସେଥିରୁ ବଞ୍ଚିତ । ୪ ବର୍ଷ ପୂର୍ବରୁ ମୋ ସ୍ତ୍ରୀ ବି ମତେ ଏକା କରି ସବୁଦିନ ପାଇ ଆରପାରିକୁ ଚାଲିଗଲା । ସେ ଦିନଠୁ ମୁଁ ଏକା । ତାପରେ ମୁଁ ପଚାରିଲି କାହିଁକି ତୁମର ପୁଅ ଝିଅ କେହି ନାହାନ୍ତିକି ? ହିଁ, ଅଛନ୍ତି ମୋ ପୁଅ ଅଛି । ହେଲେ ତା ପାଇଁ ମୁଁ ନାହିଁ । ମୋର ଗୋଟେ ଝିଅ ବି ଥିଲା । ତାକୁ ଯେତେବେଳେ ୨୦ ବର୍ଷ ହୋଇଥିଲା ଗୋଟେ କାର୍ ଦୁର୍ଘଟଣାରେ ସେ ଆମଠୁ ବହୁତ ଦୂରକୁ ଚାଲିଗଲା । ୬ ବର୍ଷ ତଳେ ପୁଅର ବାହାଘର କରିଥିଲି । ମୋ ପୁଅ ସଫ୍ଟୱେର ଇଞଜିନିୟର ଏବଂ ବୋହୁବି ଇଂଜିନିୟର । ମୁଁ ବି ତା ଇଚ୍ଛାରେ ବାଧା ଦେଇନଥିଲି । ତା କଥାରେ ତା ଇଚ୍ଛାରେ ତା ଜୀବନ ତା ହାତରେ ଛନ୍ଦି ଦେଇଥିଲି । ସେତେବେଳେ ମୋ ଘର ହସ ଖୁସିରେ ପୁରି ଉଠୁଥାଏ । ମୋ ଘରେ ନୂଆ ବୋହୁ ମୋର ଆଉ ମୋ ସ୍ତ୍ରୀ ର ପାଦ ତଳେ ଲାଗୁ ନା ଥାଏ । କିନ୍ତୁ କେଜାଣି କାହାର କଳା ନଜର ମୋ ପରିବାର ଉପରେ ଲାଗିଗଲା ଯାହାକୁ ଵୋହୁ କରି ମୋ ଘର ସଜାଡ଼ିବା ପାଇଁ ଆଣିଥିଲି । ସେ ବୋହୁ ନିଜ ହାତରେ ମୋ ଘରକୁ ଭାଙ୍ଗିଦେଲା । ଘର ସଜାଡ଼ିବା ବଦଳରେ ମୋ ଘର ଉଜାଡି ଦେଲା । ମୋ ପୁଅକୁ ସେ କି ଗୁଣି କଲା କେଜାଣି ଯାହାକୁ ଏତେ ବର୍ଷ ଧରି ରକ୍ତକୁ ପାଣି କରି ବଡ଼ କରିଥିଲି ସେ ହିଁ ଆମକୁ ଘରୁ ବାହାର କରିଦେଲା । ସେ ଦୁଃଖ ରେ ସହି ନ ପାରି ମୋ ସ୍ତ୍ରୀ ହୃଦଘାତରେ ମତେ ଛାଡ଼ି ଦେଇ ଚାଲିଗଲା ।

ଏବେ ଯେଉଁ ମହିଳା ଜଣଙ୍କ ମତେ ଗାଳି କରିଥିଲେ ସେ ହିଁ ମୋ ବୋହୁ, ଆଉ ସେ ଛୋଟ ଛୁଆଟି ହେଉଛି ମୋ ନାତି । କେବଳ ସେ ଛୁଆଟାକୁ ଦେଖିବା ପାଇଁ ତା ସହ କଥା ହେବା ପାଇଁ ମୁଁ ସେ ଦୋକାନରେ କାମ କରେ । ଜାଣିଛୁ ସେ ଜାଣିନି ମୁଁ ତା "ଜେଜେ" , ତା ମା ତାକୁ ମୋ ସହ ମିଶିବା ପାଇଁ ବାରଣ କରିଛି । ସେ ମତେ ମୋ ନାତି ସହ ଦେଖା କରିବାକୁ ଦିଏନି ।

ଆଜି ମୁଁ ତାକୁ ଚକୋଲେଟ ଦେଇ ଟିକେ ଗେଲ କଲାବେଳେ ତା ମା ଦେଖିନେଲା । ଜୋରରେ ପାଟି କରି ସବୁ ଲୋକଙ୍କୁ ଡାକି କହିଲା ମୁଁ କୁଆଡ଼େ ତା ଛୁଆକୁ ଚୋରି କରୁଥିଲି । ତମେ କହିଲା କିଏ କଣ କେବେ ତା ନିଜ ରକ୍ତକୁ ଚୋରି କରି ନେଇପାରେ । ଭଗବାନ ମତେ କେଉଁ ଭୁଲର ଦଣ୍ଡ ଦେଉଛନ୍ତି କେଜାଣି ସବୁ ଥାଇବି ମୁଁ ଆଜି ନିଶ୍ୱ । ସମସ୍ତେ ଥାଇ ବି ମୁଁ ଆଜି ଏକା, ମୋ ପାଇଁ କେହି ନାହାନ୍ତି । ବୃଦ୍ଧଙ୍କର ଏଇ କଥା ଶୁଣି ମୁଁ ନିର୍ବାକ ହୋଇ ଯାଇଥାଏ । ସେ ବୃଦ୍ଧଙ୍କୁ କଣ କହି ଆଶ୍ଵସନା ଦେବି ମୁଁ ଜାଣି ପାରୁନଥାଏ ।

ଏ ସ୍ଥଳରେ ଭୁଲ କାହାର ବୃଦ୍ଧଙ୍କର , ବୋହୁର ନା ପୁଅର । ଯେଉଁ ବାପା ମା ରକ୍ତକୁ ପାଣି କରି ସାରା ଜୀବନ ଲୁହ ପିଇ ପିଇ ଆମକୁ ମଣିଷ କରିଛନ୍ତି ତାଙ୍କ ଶେଷ ପରିଣତି କଣ ଏଇଟା? ଯେଉଁ ମା ଛାତି ରୁ କ୍ଷୀର ପିଇ ଆଜି ମଣିଷ ହେଇଛି ସେ ଛାତିକୁ ପଦାଘାତ କଲାବେଳେ ଟିକେ ବି କୁଣ୍ଠାବୋଧ ହୁଏନି କିପରି ?

ଯେଉଁ ପୁଅ ବୋହୁମାନେ ଏମିତି କର୍ମ କରନ୍ତି ସେମାନେ ଏ ସମାଜ ପାଇଁ କେଉଁ ଧରଣର କଳଙ୍କ ? ମଣିଷ ଆଜି ନିଜ ସ୍ବାର୍ଥ ପାଇଁ ପଶୁଠୁ ବି ହିନ ଆଚରଣ କାହିଁକି କରୁଛି । ୟାର ଉତ୍ତର ଦାୟୀ କିଏ ?

ସୁଶାନ୍ତ କୁମାର ଦାସ

ନାଲକୋନଗର,ଅନୁଗୋଳ

ଦୂରଭାସ- ୭୮୭୩୫୬୨୨୮୧

eMail- susantagudu143@gmail.com


Rate this content
Log in

Similar oriya story from Tragedy