ଜାମୁକୋଳି
ଜାମୁକୋଳି
ଏମିତି ବାଟରେ ଯିବା ଆସିବା ବେଳେ ରାସ୍ତା କଡରେ ଜାମୁକୋଳି ବିକୁଥିବା ବୁଢ଼ୀ ମାଉସୀ ସହ ଦେଖା ହୁଏ। ଯେତେବେଳେ ଯୋଉ ଋତୁ, ସେ ଅନୁସାରେ ବିଭିନ୍ନ କୋଳି, ଫଳମୂଳ ମାଉସୀ ବିକୁଥାଏ।କିନ୍ତୁ ତାର ବାଡି ବରକୋଳି ଭାରି ମିଠା।
ତା ପାଖକୁ କୋଳି ଆଣିବାକୁ ଗଲେ କହେ ଆଗେ ଚାଖେ ଯଦି ଭଲ ଲାଗିବ ତାହାଲେ ନବ ପୁଅ। ମାଉସୀର ପୁଅ ଡାକ ଯେମିତି ଏକ ଯାଦୁ ଭରିଥିଲା। ତା କଥାରେ କେତେ ଆତ୍ମିୟତା ଥିଲା। ବୁଢୀ ବୟସରେ ଏତେ କଷ୍ଟ କରୁଛି କାହିଁକି ?
ସେଦିନ ଘରକୁ ଫେରିବା ବାଟରେ ମୋ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଗୁଡିକ ମୋ ଆଜାଣତରେ ବାହାରି ଆସିଲା।ବୁଢ଼ୀ ଗୋଟିଏ ପୁଅ ଅଛି ହେଲେ ସେ ଗୁଜୁରାଟରେ ଚାକିରୀ କରିଛି ହେଲେ ଘରକୁ ପଇସା ପଠାଏନି। ବୁଢାକୁ ବୟସ ହେଲାଣି। ସେ ଆଉ କାମ କରି ପାରୁନି। ଏଇ ରାସ୍ତା କଡରେ କୋଳି ବିକି ଯାହା ପାଏ ତା ଦୁଃଖି ସଂସାର ଚଳିଯାଏ।
ବର୍ଷା ହେଲେ ଦୋକାନ ବନ୍ଦ ।ଦିନେ ଦିନେ ଦୁଇ ଜଣ ଯାକ କିଛି ନଖାଇ ରହିଯାଉ। କହୁ କହୁ ବୁଢୀ ମାଉସୀ କାନ୍ଦି ପକେଇଲା।ସେଇ ଦିନଠାରୁ ବୁଢ଼ୀମାଉସୀ ସହ ପ୍ରାୟ ଦେଖା ହୁଏ। ବୁଢୀ ମାଉସୀ ମୋ ପାଇଁ ଅଲଗା ବରକୋଳି, ଜାମୁ କୋଳି ରଖିଥାଏ।ମୁଁ ବି ଯଦି ଅଧିକ ପଇସା ଦେଇଦିଏ ତାର ଯେତିକି ପଇସା ରଖିବା କଥା ଅଵଶିଷ୍ଟ ଫେରାଇ ଦିଏ। ସେ କହେ ପୁଅ ଜାଣିଛୁ ନିଜ ପ୍ରାପ୍ୟ ଠାରୁ ଅଧିକ ନେବା ପାପ ଅଟେ।
ଏମିତି ଅନେକ ଦିନ ବିତିଗଲା ଦିନେ ବୁଢୀ ମାଉସୀ କହିଲା ପୁଅ ଏ ଜାମୁକୋଳି ଚାରା ତୋ ପାଇଁ ଆଣିଥିଲି। ନେଇ ଯା ବାଡିରେ ଲଗେଇ ଦବ।ଏ ଚାରା ହଉଛି ବାରମାସୀ, ସବୁବେଳେ ଏଥିରେ ଫଳ ଫଳୁଥିବ ଆଉ ମୋ କଥା ମନେ ରଖିଥିବୁ।ମୁଁ ବୁଢୀମାଉସୀକୁ ପଚାରିଲି ତୋର ବାର୍ଦ୍ଧକ୍ୟ ଭତ୍ତା ହୋଇନି ବୁଢା ବୁଢୀ ଦୁଇ ଜଣଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ହେବା କଥା। ବୁଢୀ କହିଲା ଆମ ଭଳି ଗରୀବଙ୍କର କିଏ ବା ଭରସା ଅଛି।
ଏଠି ତେଲିଆ ମୁଣ୍ଡରେ ତେଲ।ମୁଁ କିନ୍ତୁ ବୁଢୀଠାରୁ କାଗଜପତ୍ର ଆଣି ସରପଞ୍ଚଙ୍କୁ ଦେଲି। ବୁଢ଼ୀ ଦେଇଥିବା
ଜାମୁକୋଳି ଚାରା ଚାରୋଟି ଆଣି ଅତି ଯତ୍ନରେ ଲଗାଇ ଦେଲି।
ବୁଢୀ ଆଉ ସବୁ ଦିନ ଆସୁନି ପଚାରିଲେ କହେ ତା ଦେହ ଆଉ ଭଲ ରହୁନି। ତାର ଭତ୍ତା କଥା ମଧ୍ୟ ପଚାରେ। କହେ ଯଦି କିଛି ଖର୍ଚ୍ଚ ହେବ ସେ ଦେବ ତେଣୁ କିଛି ଟଙ୍କା ଆଣି ମୋ ପକେଟରେ ଗୁଞ୍ଜି ଦେଲା। ହେଲେ ମୁଁ କହିଲି ପଇସା ରଖ ଲାଗିଲେ ମୁଁ ଦେଇଦେବି। ବୁଢୀ ମୋ ମୋବାଇଲରୁ ପୁଅ ପାଖକୁ ଫୋନ୍ କରେ ହେଲେ ପୁଅ ବ୍ୟସ୍ତ ଅଛି ବୋଲି କାଟିଦିଏ।
ଅଫିସ ଯିବା ବାଟରେ ପ୍ରାୟ ମାସେ ହବ ବୁଢୀମାଉସୀର ଦୋକାନ ବନ୍ଦ ।ବୁଢ଼ୀର ଠିକଣା ଯୋଗାଡ କରି ଖୋଜି ଖୋଜି ଗଲି । ଅନେକ ସମୟ ଖୋଜା ଖୋଜି କରି ଗଲାବେଳକୁ ବୁଢୀ ଯେମିତି ପଥର ପାଲଟି ଯାଇଛି।ବୁଢା ତାକୁ ଛାଡି ଆର ପାରିକି ଚାଲି ଯାଇଛି। ମୋତେ ଦେଖି ବହୁତ କାନ୍ଦିଲା ।ସେଦିନ ଆଉ ବାର୍ଦ୍ଧକ୍ୟ ଭତ୍ତା କଥା ପଚାରିଲା ନାହିଁ।ମୁଁ କିନ୍ତୁ ତାର ଭତ୍ତା କିପରି ହେବ ସରପଞ୍ଚ ଠାରୁ ବ୍ଲକ ଅଫିସ ଗଲି ।ବୁଢ଼ୀର ବାର୍ଦ୍ଧକ୍ୟ ଭତ୍ତା ପ୍ରମାଣ ପତ୍ର ଧରି ବୁଢୀକୁ ଦେଖା କରିବାକୁ ଆସିଲି। ଯାହା ହେଉ ବୁଢୀର ଏସମୟରେ ବାର୍ଦ୍ଧକ୍ୟ ଭତ୍ତା ପୁଅ ଭଳି ସହାୟକ ହେବ।
ସେଦିନ ସକାଳୁ ସକାଳୁ ବୁଢ଼ୀକୁ ଦେଖା କରିବାକୁ ଆସି ତା କବାଟ ବାଡେଇଲି । କିନ୍ତୁ କିଛି ଉତ୍ତର ମିଳିଲାନି।ଜଣେ ଲୋକ ଆସି କହିଲା ବୁଢୀ ଆଉ ନାହିଁ।ପୁଅ ଆଉ ବୁଢାକୁ ଝୁରି ଝୁରି ମରିଗଲା। ଏବେ ମଶାଣି ରେ ଶବସତ୍କାର ହେଉଛି। ବୁଢୀମାଉସୀ ଶେଷ ଦେଖା କରିବାକୁ ମଶାଣି ଯାଏ ଗଲି।ବୁଢୀର ଜୁଇ ଜଳିବା ଆରମ୍ଭ ହେଲା ସମସ୍ତଙ୍କ ଆଜାଣତରେ ବୁଢ଼ୀର ବାର୍ଦ୍ଧକ୍ୟ ଭତ୍ତାର ପ୍ରମାଣ ପତ୍ରକୁ ଜୁଇ ନିଆଁକୁ ପକେଇ ଦେଇ ଭୋ ଭୋ ହୋଇ କାନ୍ଦି ଉଠିଲି।
ଘରକୁ ଆସି ବାଡିରେ ଲଗେଇଥିବା ଜାମୁକୋଳି ଗଛ ଲକ୍ଷ୍ୟ କରୁଥିଲି ଦେଖିଲି ଜାମୁକୋଳି ସବୁ ପାଚି ଗଛ ଡାଳରେ ଲଦି ହୋଇଛି।ମତେ ଯେମିତି ଲାଗିଲା ବୁଢୀ ମାଉସୀ ମୋ ପାଇଁ ଜାମୁକୋଳି ପତ୍ର ଉହାଡରେ ଲୁଚାଇ ରଖିଛି। ଆଉ କହୁଛି ପୁଅ ଥରେ ମୋ ପାଖକୁ ଆ ।ମୋ ଛାଇରେ ଟିକିଏ ଵସ।ମୋ ପୁଅ ଯେତେବେଳେ ମୋର ହୋଇ ପାରିଲାନି ମୁଁ କାହାର ଦୋଷ ଦେବି।
ତୁ ତ ପୁଅ ସହଜେ ପର ।ମୋତେ ଯେମିତି ଲାଗୁଥିଲା ବୁଢୀ ମାଉସୀ ଆମ ସମାଜର ବ୍ୟବସ୍ଥାକୁ ଅଟ୍ଟହାସ୍ୟ କରୁଛି।ଆଉ କହୁଛି ତୁମେ ସିନା ମୋତେ କିଛି ଦେଇ ପାରିଲନି। ମୋର ଏଇ ଉପହାର ତୁମକୁ ସାର ଜୀବନ ଜାମୁକୋଳି ଆଉ ଛାଇ ଦେଇ ଚାଲିଥିବ।ମୋତେ ଲାଗୁଥିଲା ଯେମିତି ବୁଢୀ ମାଉସୀ ବର୍ଷ ସାରା ମୋତେ ମିଠା ମିଠା ଜାମୁକୋଳି ଦେଇ ଚାଲିଛି ହେଲେ ପ୍ରତି ବଦଳରେ ମୁଁ ତାକୁ ଖାଲି ଦୁଃଖ ଆଉ ଆଶ୍ୱାସନା ଦେଉଥିଲି।ମୋର ଏଇ ଅସହାୟ ଅବସ୍ଥା ଦେଖି ଜାମୁକୋଳି ଗଛ ମତେ ଖାଲି ଥଟ୍ଟା କରୁଛି।
