ଗଙ୍ଗଶିଉଳି
ଗଙ୍ଗଶିଉଳି


ମୁଁ ବି ତ କିଛି କରିପାରିଥାନ୍ତି । ଏମ . ଏ ସାରି ନେଟ୍ ପାସ କରି ସାରି ଥିଲି । ଆର୍ଟ ଆଉ ଡ୍ୟାନ୍ସ ରେ ସ୍ଵତନ୍ତ୍ର ଶିକ୍ଷା ପ୍ରାପ୍ତ କରିଥିଲି, ହେଲେ ଚାହିଁଲିନି। ନିଜର ଶିକ୍ଷା କୁ ନେଇ ହୁଏ ତ ଭଲ ଚାକିରୀ ଟିଏ କରିପାରିଥାନ୍ତି, ମାସ ଶେଷକୁ ଭଲ ଦରମା ବି ହାତକୁ ଆସିଥାନ୍ତା । ହେଲେ, ମା ଙ୍କର ଇଚ୍ଛା କୁ ସମ୍ମାନ ଦେଇ ବାହାଘର ପାଇଁ ରାଜି ହେଲି। ଆଗ ଧାଡି ର ଚାକିରିଆ ମହିଳା କୁ ଭୁଲି ଏକ ସୁ ଗୃହିଣୀ ହେବାକୁ ମନ ବଦଳାଇ ଦେଲି। ତାଙ୍କ ସ୍ବପ୍ନ କୁ ସତ କରିବାକୁ ନିଜକୁ ଭୋର୍ ରୁ ଉଠେଇବାକୁ ପ୍ରସ୍ତୁତ ହେଇଗଲି। ନିଜର ପସନ୍ଦର ରଙ୍ଗ ଗୋଲାପି କୁ ଭୁଲି କେବେ ତାଙ୍କର ପ୍ରିୟ ନୀଳ କୁ ଆପଣାଇ ଦେଇଥିଲି ମନେ ନାହିଁ। ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ତାଙ୍କ ଅଗଣାରେ ଦୀପ ଜାଳି ଥିଲି। ତାଙ୍କ ନାଁ ରେ ସିନ୍ଦୁର , ହାତରେ ଶଙ୍ଖା, ମଙ୍ଗଳସୂତ୍ର କୁ ପିନ୍ଧି ତାଙ୍କ ପାଖେ ସମର୍ପି ଦେଇଥିଲି ।
ସେ ଅଫିସ୍ ଯିବେ, ଟେନସନ ରେ ମନେ ପଡିବନି ଭାବି ଭଲ ରୋଷେଇ ଶିଖିବା ଆଳ ରେ ସବୁଦିନ ନୂଆ ନୂଆ ମେନୁ ତିଆରି ରେ ବ୍ୟସ୍ତ ରହି ଯାଉଥିଲି। ତାଙ୍କ ହସ ମୋ ଖୁସି, ତାଙ୍କର ସଫଳତା ମୋ ଲକ୍ଷ୍ୟ ଭାବି କେଜାଣି କେବେ ଯେ ମୋର ଅଧ୍ୟାପିକା ହେବାର ସ୍ପପ୍ନ ଥିଲା ସେ ସ୍ଵପ୍ନ ଦେଖିଥିବା ରାତି କଥା ଭୁଲି ଯାଇଥିଲି। ହେଲେ . . . . ଅଭିଷେକ୍ !! ବାସ୍ ଏତିକିରେ ସେ ଉଚ୍ଛୁଳା ନଦୀ ର ବନ୍ଧ ଭାଙ୍ଗି ବାହାରକୁ ଚାଲି ଆସିଲା ଲୁହ ଗୁଡାଏ ।
ବେଳେବେଳେ ଯାହା ବାଧି ଥାଏ, ତାକୁ ନ କହିଲେ ମଧ୍ୟ କିଛି ଟୋପା ଲୁହ ତା'ର ପ୍ରମାଣ ଦେଇ ଦିଅନ୍ତି । ଏ କଥା ସ୍ଵୟଂମ୍ ବୁଝିପାରିଥିଲେ ସେଦିନ । ପକେଟ୍ ରୁ ରୁମାଲ ବାହାର କରି ସ୍ମିତା ଆଡ଼କୁ ବଢାଇ ଦେଇ ଝରକା ଫାଙ୍କ ଦେଇ ମେଘୁଆ ଆକାଶ କୁ ଟିକେ ଚାହିଁବାକୁ ଇଚ୍ଛା ହେଲା। ବାଦଲ ସବୁ ଆକାଶ କୁ ଆଚ୍ଛ୍ଵାଦିତ କରିସାରିଥିଲେ , ବହୁତ ବର୍ଷା ବୋଧେ ହେବ। ହେଲେ ସେ ଆକାଶ କ'ଣ ଖୁସି ? ସେ ତ ତା ନୀଳରଙ୍ଗ କୁ ଏଇ ବର୍ଷା ପାଇଁ ହରାଇ ସାରିଛି। ଯେଉଁ ରଙ୍ଗ ରେ ସେ ଦୁନିଆ ଆଗରେ ପରିଚିତ, ଯେଉଁ ରଙ୍ଗରେ ରଙ୍ଗୀନ ହୋଇ ତା'ର ପ୍ରତିଟି ମୂହୁର୍ତ୍ତିକୁ ଗଢିଥାଏ , ୟେ କିଛି ସମୟର ମେଘ କ'ଣ ତା'ର ଏତେ ପ୍ରିୟ ଯେ ସେ ନିଜେ ନିଜକୁ ଭୁଲିଯିବ !!
ସ୍ମିତା- କ'ଣ ଭାବୁଛ "ସ୍ଵୟଂମ୍"? , ହଠାତ୍ ଏକ ଘଡ଼ଘଡ଼ି ର ଶବ୍ଦ !ସ୍ଵୟମ୍ କୁ ଜୋର୍ ରେ ଭୟ ରେ ଧରିବା ପରେ ସ୍ଵୟମ ର ହାତ ମଧ୍ୟ ସ୍ମିତା ର ପିଠି ଉପରକୁ ଚାଲି ଯାଉଥିଲା, ହେଲେ ଅଟକି ଗଲା। ମନେ ପଡ଼ିଗଲା ସ୍ମିତା ଆଉ ଅଭିଷେକ ଙ୍କର ହାତଗଣ୍ଠି । ଭଲ ଘର, ଗୋଟିଏ ପୁଅ, ସିକ୍ସ ଡିଜିଟ୍ ର ସାଲାରୀ । ଆଉ କ' ଣ ଦରକାର ? ହଁ ଆରମ୍ଭରୁ ସ୍ମିତା ଟିକେ ବିରୋଧ କରୁଥିଲା, ହେଲେ ଭଲ ପ୍ରସ୍ତାବ ଆଉ ମାଆଙ୍କ ଇଚ୍ଛା କୁ ସମ୍ମାନ ଦେଇ ରାଜି ହୋଇଗଲା।
ସ୍ମିତା- "ସ୍ଵୟମ୍" .... !!!
ଏକ ଉଷ୍ମ ବାତାବରଣ ଏଇ ଡାକରେ ଥିଲା ବୋଧହୁଏ ।
ସ୍ମିତା- (ଦେହରୁ ହାତ କାଢି ନେଇ ) , " ଆଇ ଆମ୍ ସରି ! , ମୁଁ ଜାଣେ ଏସବୁ ତମକୁ କହି ତମର ସମୟ ନଷ୍ଟ କରୁଛି। ହେଲେ ସ୍ଵୟଂମ୍ ତମେ କୁହ ମୋ ଇଚ୍ଛା, ସ୍ଵାଭିମାନ, ସମ୍ମାନ ର କ' ଣ କିଛି ମୂଲ୍ୟ ନାହିଁ ? ଏ ପୁରୁଷ ପ୍ରାଧାନ୍ୟ ସମାଜ ରେ ନାରୀଟିଏ କ' ଣ ତା' ର ନିଜର ପରିଚୟ ରେ ବଞ୍ଚିପାରିବନି ! ଯିଏ ସର୍ବସ୍ଵ ଛାଡ଼ି ଅନ୍ୟ ପାଇଁ ନିଜକୁ ବଦଳାଇଲା, ନିଜର ସ୍ଵପ୍ନକୁ ତାଙ୍କ ନିଦରେ ଦେଖିଲା, ତାଙ୍କର ଲକ୍ଷ୍ୟ ପାଇଁ ନିଜେ ରାସ୍ତା ହେବା ପାଇଁ ପ୍ରସ୍ତୁତ ଥିଲା, ତା' ର ପରିଣତି କ' ଣ ମୁଁ ଅଯୋଗ୍ୟ ? ଗୃହିଣୀ ଭାବେ ନିଜକୁ ନିଜର ସଂସାର ଗଢିବା ରେ ପ୍ରସ୍ତୁତ କରାଇବା କ' ଣ ମୋର ଭୁଲ୍ ? ସକାଳୁ ଉଠି ତାଙ୍କ ବେଡ଼ ଟି ତିଆରି ଠାରୁ ଡିନର ପର୍ଯ୍ୟନ୍ତ ଅପେକ୍ଷା କରିବା ରେ କ' ଣ କେଉଁଠି ମୋର ସ୍ଵାର୍ଥ ଥିଲା? ଏ ସବୁର ମାନେ କ'ଣ ମୋର ଯୋଗ୍ୟତା ନାହିଁ , ନିଜର ପରିଚୟ ନାହିଁ, ଆଉ ଟିକିଏ ଅପେକ୍ଷା କରିଥିଲେ ମୁଁ ବି ନିଜେ ଗୋଟେ ଭଲ ଚାକିରୀ କରିପାରିଥାନ୍ତି । "
ମାଆ ସବୁବେଳେ କୁହନ୍ତି ଯାହା ହେଲେ ବି ସହିଯିବୁ । ଆରେ ସହିବା ର ତ ମଧ୍ୟ ଗୋଟେ ସୀମା ଥାଏ । ସବୁ କିଛି ଜଣ ଙ୍କ ପାଖେ ଅଜାଡ଼ି ଦେଲା ପରେ ଆଉ କ'ଣ ବାକି ରହିଗଲା ? ନିଜେ ନିଜ ଗୋଡ଼ ରେ ଠିଆ ହେବାକୁ ଚେଷ୍ଟା ଆଉ କଲିନି , ଏଇଆ ଭାବିକି କାଳେ ସିଏ ଅସୁବିଧା ରେ ପଡିଯିବେ । କାଳେ କିଛି ଦୂରତା ଆସିଯିବ ! ସେଥିପାଇଁ ତାଙ୍କ ଇଚ୍ଛାରେ ମୋ ଇଚ୍ଛା କୁ ଲୋପ କରିଦେଲି। ଆଉ ଶେଷକୁ ....!!!! "
ରୁମାଲ୍ ସମ୍ପୁର୍ଣ୍ଣ ଓଦା ହୋଇ ସାରିଥିଲା। ସ୍ଵୟଂମ୍ ଭାବୁ ଥିଲେ କିଛି ପୁରୁଣା କଥା ।
ହଁ ଠିକ୍ .... ସେଇ ସ୍ମିତା ଆଉ ସ୍ଵୟଂମ୍ ର କଥା !
କଲେଜ ରେ ପଢିଲାବେଳେ ଏମିତି ଅତୁଟ ସମ୍ପର୍କ ହୁଏତ କୋଉଠି ମିଳିପାରେ । ଛୋଟ ଛୋଟ ଖୁସିର ପାହାଚ଼ ଚଢି ଜୀବନର ଶିଖର କୁ ଅନୁଭବ କରିବାରେ ଯେଉଁ ଆତ୍ମୀୟତା ଥାଏ , ସେ ସବୁ କ'ଣ କାଗଜ କଲମରେ ଲେଖି ହୁଏ ? ଶୀତ ସ୍ମିତ କୁହୁଡ଼ି ର ସ୍ପର୍ଶ ରେ ପତ୍ର ସିନା ଓଦା ହୋଇଯାଏ, ହେଲେ ପତ୍ର କ'ଣ କେବେ ସେ ଶିଶିର କୁ ବିରୋଧ କରିଛି ? ସେ ତ ସବୁବେଳେ ଓଦା ହେବାକୁ ତା ଜୀବନର ସାର୍ଥକତା ବୋଲି ଭାବି ନେଇଥାଏ । ଠିକ୍ ସେମିତି ଘଟିଥିଲା ସ୍ଵୟଂମ୍ ର ଜୀବନ ରେ । ଏତେ ଝିଅଙ୍କ ଭିତରେ ସ୍ମିତା ଯେ ଏକମାତ୍ର କାକର ବୁନ୍ଦା ଥିଲା, ଏ କଥା କେହି ନ ବୁଝିଲେ ବି ସ୍ଵୟଂମ୍ ତ ବୁଝି ସାରିଥିଲା । ତେଣୁ ସ୍ଵୟଂମ୍ ର ଆଦ୍ୟ ପ୍ରାନ୍ତ ଏକ ରେଖା ଭଳି ସ୍ମିତା ଭଳି ଏକ ସରଳରେଖା ରେ ଲୀନ ହୋଇସାରିଥିଲା । ତା'ର ଜୀବନ ସ୍ମିତାର ଚାରିପାଖେ ରହିଯାଉଥିଲା ଯେପରି ନୂଆ ଏକ କଢ଼ି ପାଖେ ଭ୍ରମର ଟିଏ ପାଗଳ ହୋଇ ବୁଲୁଥାଏ।
ଏସବୁ ଭିତରେ ସ୍ମିତା ଏକ ସଜ ସକାଳର କଢି ଟିଏ ହୋଇ ତା' ର ବାସକୁ ମଧ୍ୟ ସେ ଭ୍ରମର ଆଗରେ ପ୍ରକାଶ କରିଦିଏ । ନିଜ ଆଖିରେ ସେ ସ୍ଵୟଂମ୍ ର ସୁନୋଲି ଭବିଷ୍ୟତ କୁ ଦେଖିବାକୁ ଚାହୁଁଥିଲା। ହେଇପାରେ ଏତେ ସ୍ନେହ ଭିତରେ ପ୍ରେମର ସ୍ନିଗ୍ଧା, ପିୟୂଷ ହୋଇ ସ୍ଵୟଂମ୍ ର ଜୀବନକୁ ଭରିଦେଇ ଥାଇପାରେ ।
ଯେତେବେଳେ ଧୀରେ ଧୀରେ ସ୍ମିତା ପାଇଁ ପ୍ରସ୍ତାବ ଆସିବାକୁ ଲାଗିଲା, ସ୍ଵୟଂମ୍ ମଧ୍ୟ ନିଜର ଅଭିଳାଷ ସ୍ମିତା ସାମ୍ନାରେ ଉପସ୍ଥାପନା କଲା। କିନ୍ତୁ ସ୍ମିତା ଥିଲା ଶିଥିଳ ସୁଲଭ । ବୁଝାଇ ଦେଲା ସ୍ଵୟଂମ୍ କୁ ଏ ସବୁ ତା' ର ମରିଚିକା ସଦୃଶ ଆଶା । ଜଣେ ଯିଏ ନିଜ ଗୋଡ଼ରେ ଠିକ୍ ରେ ଠିଆ ହୋଇନାହିଁ , ତା ଉପରେ ସେ ନିଜେ ବୋଝ ହୋଇ କିପରି ଲଦି ହୋଇଯିବ ? କଥା ପଦକ ସ୍ଵୟଂମ୍ କୁ ହୁଏ ତ ସ୍ଫୁଲିଙ୍ଗ ଯୋଗାଇଥିଲା। ଅପେକ୍ଷା କରିବାକୁ କହିଥିଲା ସ୍ମିତା , ହେଲେ କଲାନି !! ହଁ ବୋଧହୁଏ ମାଆ ଙ୍କ ଇଚ୍ଛା ପାଇଁ । ସ୍ଵୟଂମ୍ ମଧ୍ୟ ଆଉ ପଛକୁ ଦେଖିଲାନି, ସେ ସ୍ମିତା କୁ ଠିକ୍ ଚିହ୍ନିଥିଲା। ବୁଝିଥିଲା ତା' ର ତ୍ୟାଗ କୁ, ବାଧ୍ଯତା ମୂଳକ ନିଷ୍ପତ୍ତି କୁ । ବାହାଘର ଯେ ସବୁ ପ୍ରେମର ଶେଷ ନୁହେଁ, ଏଇଟା ବି ତ ସତ ନା I
କିଛି ନଦୀ ସାଗର ରେ ମିଶି ପାରନ୍ତିନି , ତା ମାନେ କ'ଣ ତାଙ୍କ ଶରୀର ର ଜଳରାଶି ମନରେ ସାଗର ପ୍ରତି ସ୍ନେହ, ଦୁର୍ବଳତା ନାହିଁ ? ଥାଏ, ହେଲେ ପରିସ୍ଥିତି ରେ ପ୍ରମାଣ କରି ହୁଏନା, ମାତ୍ର ଅନୁଭବ କରି ହୁଏ । ସେ ଜଳରାଶି ର ଉଚ୍ଛଳା ଢେଉ ରେ ସାଗର ପ୍ରତି ଥିବା ପ୍ରେମକୁ, ମୋହ କୁ । ସ୍ମିତା ମଧ୍ୟ ବୁଝି ଯାଇଥିଲା ସ୍ଵୟଂମ୍ ହେଉଛି ତା ପାଇଁ ରାତି ର ସେଇ ନୀଳ ଆକାଶ ର ଜହ୍ନ, ଆଉ ସେ କଇଁ ଟିଏ । କଇଁ କ'ଣ କେବେ ଜହ୍ନ କୁ ଛୁଇଁ ପାରେ ? ହେଲେ ପ୍ରେମ ତ ନିବିଡ଼ ଥାଏ, ନିଜ ହାତ ରେ ପ୍ରେମିକ କୁ ଛୁଇଁ ନ ପାରିବାର କଷ୍ଟ ବି ତ ପ୍ରେମ !!!
ସ୍ଵୟଂମ୍ ଙ୍କୁ ତାଙ୍କ ଜୀବନ ର ସେଇ ଆକାଶ ର ଜହ୍ନ ହେବାକୁ ହେଲେ ସ୍ମିତା କୁ ସେଇ ଛୋଟ ପୁଷ୍କରିଣୀ ର କଇଁଟିଏ ହେବାକୁ ପଡିବ ।
ସ୍ମିତା ସହ ଅଭିଷେକ ଙ୍କ ର ହାତଗଣ୍ଠି , ସ୍ଵୟଂମ୍ ଆଉ ସ୍ଥିତା ଙ୍କୁ ବିପରୀତ ଦିଗର ପଥିକ ସଜେଇ ଦେଇଥିଲା। ସେବେଠୁ ସ୍ଵୟଂମ୍ ମଧ୍ୟ ଅନ୍ୟ କାହାକୁ ନିଜର ଜୀବନକୁ ଆଣିବାକୁ ଭାବିନି। ସେ ଜାଣିଥିଲା , ପଛକୁ ବୁଲି ଚାହିଁବା ହେଉଛି ଲିଭିଯାଇଥିବା ଅଙ୍ଗାର ରେ ପବନ ସଦୃଶ। ସ୍ଵୟଂମ୍ ର ପ୍ରେମ ରୂପକ ଅଗ୍ନି ସ୍ମିତା ର ସଂସାର କୁ ଜଳେଇ ନ ଦେଉ , ଏମିତି ଗୋଟେ ଭୟ ରେ ଅତୀତକୁ ସାଉଁଟି ନଥିଲା ସେ। ସ୍ମିତା ମଧ୍ୟ ସ୍ଵୟଂମ୍ ଙ୍କର ଚଲାପଥ କୁସୁମିତ ହେଉ , ସେ ଖାଲି ଜହ୍ନ ନୁହେଁ ପୂର୍ଣ୍ଣିମା ର ଜହ୍ନ ହୁଅନ୍ତୁ, ଏମିତି ଆଙ୍କାକ୍ଷା ରେ ନିଜକୁ ଅଭିଷେକ ଙ୍କ ସହ ଯୋଡି ଦେଇଥିଲା। ଭୁଲି ଯାଇଥିଲା ତା' ର ନିଜସ୍ଵ ଇଚ୍ଛା, ପସନ୍ଦ । ଭୁଲିବନି ବା କେମିତି , ଘର ଡେଇଁ ଆସିଲା ବେଳ କୁ ମା ପରା ଶିଖାଇଥିଲେ," ସବୁବେଳେ ସ୍ତ୍ରୀ କୁ ସହିବାକୁ ହୁଏ "l
ଆଜି ଅନେକ ବର୍ଷ ବିତିଗଲେଣି। ବହି ହୋଇଥିଲେ ପୃଷ୍ଠା ଗୁଡିକରେ ଧୂଳି ଲାଗି ସାରନ୍ତାଣି। କାହିଁକି ନା ଏବେ ତ ସେ ବହିର ପୃଷ୍ଠା ଗୁଡ଼ିକୁ ପଢିବାକୁ ଆଉ କେହି ନାହାନ୍ତି.....। ସ୍ମିତା ଏବେ କେଉଁ ଏକ କାହାଣୀ ର ଅଂଶ ବିଶେଷ ଆଉ ସ୍ଵୟଂମ୍ ନିଜେ ଗୋଟେ କାହାଣୀ । ଆଜିର ସ୍ମିତା , ସ୍ମିତା ନୁହେଁ ବରଂ ଶ୍ରୀମତୀ ସ୍ମିତା ମହାପାତ୍ର ହୋଇ ସହର ର ବିଶିଷ୍ଠ ଆଇନଜୀବି ଆଡଭୋକେଟ୍ ସ୍ଵୟଂମ୍ ରଥ ଙ୍କ ନିକଟକୁ ଆସିଥିଲେ ଏକ କ୍ଲାଏଣ୍ଟ ସାଜି । ଛାଡ଼ପତ୍ର ପାଇଁ ....!!!!
ବର୍ଷା ଯୋର ରେ ହେଉଥିଲା, ସ୍ମିତା ଚାଲିଯାଉଥିଲା ସେମିତି ଓଦା ହୋଇ, ବୋଧ୍ ହୁଏ ସ୍ଵୟଂମ୍ ଙ୍କ ଠାରୁ ନିଜର ଲୁହକୁ ଲୁଚେଇବା ପାଇଁ।
ସ୍ଵୟଂମ୍ ସେଇ ବାଟକୁ ଚାହିଁ ରହିଥିଲେ ଝରକା ଫାଙ୍କରେ । ଭାବୁ ଥିଲେ ରାତି ରେ ଫୁଟି ସାରା ସଂସାର କୁ ବାସ୍ନାରେ ବିମୋହିତ କରୁଥିବା ସେ ଗଙ୍ଗଶିଉଳି ର ଜୀବନ ଟା ସକାଳ ହେଲେ କ'ଣ ଏତେ ମୂଲ୍ୟହୀନ ହୋଇଯାଏ ଯେ ଗଛ ସେଇ ଫୁଲ କୁ ଦୂରକୁ ଫିଙ୍ଗିଦିଏ... !!
ଆସନ୍ତା କି ଏକ ମହାବାତ୍ୟା, ଅଭିଷେକ ଙ୍କ ପରି ଗଛଗୁଡ଼ିକୁ ଉପାଡି ଫିଙ୍ଗି ଦିଅନ୍ତା ! ତେବେ ଯାଇ ବୁଝିପାରନ୍ତେ ସେ ଅଲୋଡ଼ା ଗଙ୍ଗଶିଉଳି ର ମୂଲ୍ୟ ......!!!!