ଢ଼ୋଲ
ଢ଼ୋଲ
ହରିହର ନାଁ ତାର । ମୋ ବଡଭାଇର କ୍ଳାସମେଟ ଆଉ ସବୁଠୁ ଭଲ ସାଙ୍ଗ । ଦୁହେଁ ମୋର ଉପର ବ୍ୟାଚରେ ପଢ଼ନ୍ତି ଆଉ ମୋଠୁ ବୟସରେ ମାତ୍ର ବର୍ଷେ ବଡ । ମୁ ଦୁହିଁଙ୍କୁ ନାଁ ଧରି ଡାକେ ହେଲେ ସମ୍ନାନ ଦିଏ ।
ହରି ପ୍ରାୟତଃ ଆମ ଘରକୁ ଆସେ , ଆମ ପଢାଘରେ ବସି ପାଠ ପଢେ, ଖାଏ ପିଏ ଏବଂ ଖେଳେ । ମୋ ବୋଉର କଡା ତାଗିଦ ଥାଏ ଯେ ହରି ଯେମିତି ପଢ଼ାଘର ବ୍ୟତୀତ ଆମର ଅନ୍ୟ ଘରକୁ ନ ଯାଏଁ ଏବଂ କିଛି ଜିନିଷ ନ ଛୁଁଏ କାରଣ ସେ ହରିଜନ ।ହରି ବୋଉର ହାବଭାବ ବୁଝିପାରେ ବୋଧେ ତେଣୁ ସେ ପଢ଼ାଘର ବ୍ୟତୀତ ଅନ୍ୟଘରକୁ ଯାଏନାହିଁ ସେ ଆମ ଘରକୁ ଆସେ ବୋଲି ପ୍ରତି ମାସର ସଂକ୍ରାନ୍ତି ଦିନ ଆମ ପଢ଼ାଘରକୁ ଗୋବର ପାଣିରେ ଧୋଇଦିଏ ।ମୁଁ ଆଉ ଭାଇ ବୋଉକୁ ଯେତେ ମନୁଷ୍ୟତାର କାହାଣୀ ଆଉ ପ୍ରବଚନ ଶୁଣାଇଲେ ବି ସେ ସେହି ଅନ୍ଧବିଶ୍ୱାସରେ ବୁଡିରୁହେ ।
ସମୟ ଆଗକୁ ଗଡି଼ଲା ସିନା ଆମ ସମ୍ପର୍କ ପୂର୍ବପରି ସେମିତି ରହିଲା । ବୟସ ବଢିଲେ ବି ହରି , ଭାଇ ଓ ମୁଁ ସେହିପରି ସାଙ୍ଗପରି ଥିଲୁ ।
ଶିକ୍ଷାରେ ସ୍ନାତକ ପରେ ଭାଇ ଗାଁ ବିଦ୍ୟାଳୟରେ ଶିକ୍ଷକତା କଲା , ଦ୍ୱାଦଶ ପରେ ହରି ନିଜ କୌଳିକ ବୃତ୍ତିକୁ ନେଲା । ଢୋଲ , ଚାଙ୍ଗୁ , ସିଂହ ପରି ପାରମ୍ପରିକ,ଡିଜେ ଓ ବ୍ୟାଣ୍ଡପ୍ରତି ପରି ଆଧୁନିକ ବାଦ୍ୟଗୁଡା଼ର ସମାହାରରେ ସେ ଆମ ଅଂଚଳର ଏକ ନମ୍ବର ପାର୍ଟି ତିଆରି କରିପାରିଲା । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବାଜା ବଜାଇବାର କଣ୍ଟ୍ରାକଟ ନେଇ ସେ ଭଲ ରୋଜଗାର କଲା ମଧ୍ୟ । ତଥାପି ସମୟ ମିଳିଲେ ଆମ ପଢାଘରେ ଆମେ ସମସ୍ତେ ଅତୀତ ବର୍ତମାନ ଓ ଭବିଷ୍ୟତର କରୁଥିଲୁ ।ସେମିତି ବୋଉ ମୋର ଅନ୍ଧବିଶ୍ୱାସରେ ବୁଡି ରହିଥିଲା ଆଉ ହରିକୁ ପସନ୍ଦ ମଧ୍ୟ କରୁନଥିଲା ।
ଭାଇର ବିବାହ ସ୍ଥିର ହେଲା । ଝିଅ ଘର ଗାଁରେ ପ୍ରସେସନ କରିବା ପାଇଁ ନାନା ଦେଲେ , କିଏ କହିଲା ଡିଜେ କିଏ କହିଲା ବନ୍ଦପାର୍ଟି କିଏ କହିଲା ସମ୍ବଲପୁରୀ ସିଂହବାଜା ।
କିନ୍ତୁ ଭାଇର ପସନ୍ଦ ହିସାବରେ ହରି ଓ ଭାଇ ନିଷ୍ପତ୍ତି ନେଲେଯେ ଆମର ପାରମ୍ପରିକ ବାଦ୍ୟର ତାଳେ ତାଳେ ହିଁ ପ୍ରସେସନ ହେବ । ପୁରାତନ ହେଲେବି ସମସ୍ତଙ୍କ ମନ ମୋହିଲ। ହରିର ବାଦ୍ୟ । ମାଲିକ ହେଲେ ହରି ବି ନିଜେ ସେଦିନ ଭାଇର ପ୍ରସେସନରେ ଢୋଲ ବଜାଉଥିଲା । ପରବର୍ଷ ହରିର ବାହାଘର ହେବାର ବ୍ୟବସ୍ଥା ହେଲା । ତାରିଖ ଧାର୍ଯ୍ୟ ହେଲାପରେ ଭାଇ ସବୁଠୁ ବେଶୀ ଖୁସି ହେଲା ।ହରି ଘରକୁ ଆସି ବାପା ବୋଉଙ୍କୁ ଡାକିଥିଲା ତା ବାହାଘରକୁ । ତାକୁ ତା ହଁ ମାରିଲେ ଦିହେଁ ପଛରେ ମୁ ଯେତେବେଳେ ପଚାରିଲି ବୋଉ ଚିଲେଇଲ: ହାଡ଼ିଘର ବାହାଘରକୁ ଯିବି , ତା ଘରେ ଖାଇବି ମୋ ଜାତି ରହିବତ ? ଘରର ବଡ ବୋହୁ ମୁଁ ଇଶାଣ କଣରେ କ୍ଷୀରଚାଉଳ ଦେଲେ ଛୁଆଁ ହେବନି ? ଶାଶୁ ଶଶୁରଙ୍କୁ ଶ୍ରଦ୍ଧା ଦେଲେ ସେମାନେ ମୋ ହାତରୁ ପାଣି ପାଇବେତ ?ଭାଇ ଓ ମୁଁ ଚୁପ ରହିଲୁ , ଯେତେବେଳେ ଏତେ ବର୍ଷର ଆମର କିଛି ପ୍ରଭାବ ପକେଇପାରିନି ଏବେ ପ୍ରବଚନ ଦେଇ କଣ ?
ବାହାଘର ଦିନ ରାତି ପ୍ରାୟ ଆଠଟା ବେଳକୁ ବରଯାତ୍ରୀ ଦଳ ଗାଁରୁ ବାହାରିଲୁ । ଆଗେ ଆଗେ ବର ଗାଡି ପଛରେ ବରଯାତ୍ରୀ ଗାଡି ।ଗାଁଠୁ ପାଞ୍ଚ ସାତ କିଲୋମିଟର ଯିବାପରେ ବରର କାର ସହ ସାମ୍ନାରୁ ଆସୁଥିବା ଗୋଟେ ବୋଝେଇ ଟିପରର ଧକ୍କା ହେଲା ।ଗାଡ଼ିରେ ହରି , ମାରୁକୁଣ୍ଡି , ଡ୍ରାଇଭର ଏବଂ ହରିର ବାପା ଦାଦା ବସିଥିଲେ । କାହାର ବି ହୋସ ନଥିଲା । ଆମେ ତାଙ୍କୁ ସଂଗେ ସଂଗେ ବରଯାତ୍ରୀ ବସରେ ଡାକ୍ତରଖାନାକୁ ନେଇଗଲୁ । ସମସ୍ତେ କିଛି ସମୟ ପରେ ହୋସ ଫେରିପାଇଲେ ହେଲେ ହରି ଫେରିଲାନି, ହରିକୁ ଡାକ୍ତର ମୃତ ଘୋଷଣା କଲେ । ଭାଇ ପୁରା ସ୍ତବ୍ଧ । ସାରାରାତି ଆମେ ଡାକ୍ତରଖାନାର ବସି ରହିଲୁ ଡାକ୍ତରଖାନା ବାରଣ୍ଡାରେ । ପରଦିନ ସକାଳେ ହରିର ପୋଷ୍ଟମର୍ଟମ କରାଗଲା ।
ହରିର ମୃତ ଦେହ ଖଣ୍ଡବିଖଣ୍ଡିତ ହୋଇ ସେ ବର ବେଶରେ ପିନ୍ଧିଥିବା ସଲ୍ୱାର କାମିଜର ଗୁଡାହୋଇ ସ୍ଵର୍ଗରଥରେ ଗାଁକୁ ଫେରିଲା । ସାରା ଗାଁଟା ନୀରବ । ସେଦିନ ମୋ ବୋଉ ବି କାନ୍ଦିପକାଇଲା ।କୋହ ସମ୍ଭାଳି ପାରିଲାନି ବିଚାରୀ । ଗାଁର କ୍ଲବ ପିଲା ଆଉ ହରିର ପରିଜନ ମାନେ ମିଶି ଶବ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ,ହରିର ଶବକୁ ଗାଁ ସାରା ଶୋଭାଯାତ୍ରା କରି ମସାଣିକୁ ନେବାକୁ ଯୋଜନା ହେଇଥିଲା କ୍ଲବ ପିଲାଙ୍କ ଦ୍ୱାରା । ସେଠି ବାପା ଆଉ ଭାଇ ଥିଲେ , ମୁଁ ଘରେ ବୋଉ ସହ ଥିଲି । ତାର ଯେହେତୁ ପାରମ୍ପରିକ ବାଦ୍ୟ ପସନ୍ଦ ଥିଲା ତେଣୁ ତା ବ୍ୟାଣ୍ଡପାର୍ଟିର ପିଲା ମାନେ ଆଉ ତା ଜାତିଭାଇମାନେ ତା ଶବ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ବଜାଇବାର ଯୋଜନା କଲେ ।ଶବ ଶୋଭାଯାତ୍ରା ଆମ ଘର ବାଟ ଦେଇ ଯିବାବେଳେ ବୋଉ ଆଉ ମୁଁ ବାହାରକୁ ଗଲୁ । ମୋ ଭାଇ ଶବ ଶୋଭାଯାତ୍ରାରେ ଢୋଲ ବଜାଉଥିଲା , ଆଖିରୁ ତାର ଲୁହ ଧାର ବହିଚାଲିଥିଲା । ମୃତ ହରିର ଅବିର ବୋଳା ମୁହଁକୁ ଦେଖୁ ଦେଖୁ ବୋଉ ଦୌଡ଼ିଯାଇଁ ଭାଇକୁ କୁଣ୍ଢେଇପକେଇଲା , ଭୋ ଭୋ କରି କାନ୍ଦି ଉଠିଲା । ଭାଇ ବି କୋହ ସମ୍ଭାଳି ପାରିଲାନି । ମୁଁ ବୋଉ କୁ ଜୋରକରି ଘରକୁ ନେଇ ଆସିଲି , ସେ ମୁଣ୍ଡରେ ହାତ ଦେଇ ଆମ ପଢ଼ାଘରଟାରେ ବସିପଡିଲା ।ଶବଯାତ୍ରା ଆଗକୁ ଚାଲିଯାଇଥିଲା । ପାରମ୍ପରିକ ଢୋଲ ଶବ୍ଦ ଅନେକ ବେଳଯାଏଁ ଶୁଭୁଥିଲା ସେଦିନ ଆମ ଗାଁ ମଶାଣିରୁ ।