ଡାହାଣୀ

ଡାହାଣୀ

7 mins
635



ଗାଁ ଯାକରେ ହୁରି ପଡ଼ିଥିଲା ନଖି ଡାହାଣୀ ତା ନିଜ ପୁଅ କୁ କାଲି ରାତିରେ ଖାଇ ଦେଇଛି । ତେଇଶି ଚବିଶି ବରଷର ଭେଣ୍ଡିଆ ପୁଅ କିଛି କାରଣ ନଥାଇ ଏମିତି ରକ୍ତ ବାନ୍ତି କରି ମରିବ ନା ? ନଖି ବୁଢ଼ୀ ଶେଷରେ ତା ନିଜ ପୁଅକୁ ବି ଛାଡିଲାନି ?

" ଆରେ ତୁମେ ଜାଣିନ । ଯେତେବେଳେ ଡାହାଣୀ ସୁଆର ହେବ କିଏ ନିଜ କିଏ ପର ସେତେ ବେଳେ କଣ୍ ଦେଖା ଯିବ ? ଯିଏ ତା ଆଗରେ ପଡିଲା ମଲା ।" ସର୍ବ ଜ୍ଞାନୀ ଭଳି ଗପି ଯାଉଥାଏ ରାଧୀ ନାନୀ । ଆଉ କିଛି ପଡିଶା ମାଇପୀ ମାନେ ତା କଥା ରେ ହଁ ମାରୁ ଥାନ୍ତି। ଏମିତି ପ୍ରତି ଛକ ରେ ବସିଥାଏ ଗୋଟିଏ ଗୋଟିଏ ପଞ୍ଚାୟତ । 

ନଖୀ ର ପୁଅ ରତନା କାଲି ରାତି ରୁ ମଲାଣି ଅଥଚ ଶବ ସେମିତି ଘର ଓଳି ତଳେ ପଡି ରହିଛି । କେହି ସେ ଘର ପାଖକୁ ଯିବାକୁ ନାରାଜ । ଯଦି ନଖି ଡାହାଣୀ ପୁଅ ଶବ ଦେହରେ ତା ଗୁଣ ରଖି ଥିବ ? ଯିଏ ଛୁଇଁବ ସେ ହିଁ ପୁଣି ଡାହାଣୀ ହୋଇ ଘୁରି ବୁଲିବ ଗାଆଁ ରେ । କଣ କରା ଯିବ ଶବ କୁ ତ ସେମିତି ପକେଇ ରଖି ହେବନି ଗାଁ ମଝି ଟାରେ । ଗାଁ ର ଭଲ ଭଦ୍ର ପ୍ରଧାନେ ଉପାୟ ବତାଇଦେଲେ ଶବ ପାଖକୁ ଲାଗି ବଡ ଗାତ ଟିଏ ଖୋଳା ଯାଉ ଆଉ ଶବକୁ ନଛୁଇଁ ସେଇ ଗାତ ରେ ପକେଇ ପୋତି ଦିଆ ଯାଉ । ସମସ୍ତଙ୍କୁ କଥା ବି ଠିକ୍ ଲାଗିଲା ବେଳ ବୁଡୁ ଵୁଡୁ କାମ ବି ସରିଗଲା । 

  ରତନା ର କ୍ରିୟା କର୍ମ ତ କରିବାକୁ କେହି ନାହିଁ । ସେ ଆଠ ଦଶ ବର୍ଷ ର ହୋଇଥିଲା ତା ଵୋପା ମଲା । ନଖି ତାକୁ ମଗିଯାଚି ପାଳି ଆଣିଥିଲା । କେଉଁଠୁ କେଜାଣି ଏଇ ଡାହାଣୀ ମନ୍ତ୍ର ଆଣିଲା ଯେ କେଇ ବର୍ଷ ହେଲାଣି ଆଖ ପାଖ ପାଞ୍ଚ ଖଣ୍ଡ ଗାଁ ରେ ପିଲା ମାନଂକ ବାପ ମାଆ ଆତଙ୍କ ଗଣୁଚନ୍ତି । ରତନା ଟା ଦାଦନ ଖଟିବାକୁ ସୁରଟ ଯାଇଥିଲା ବୋଲି ବଞ୍ଚି ରହିଥିଲା ।

 । କେଇ ଦିନ ତଳେ ଆସିଥିଲା ନିଜ ସାଙ୍ଗ ର ବାହାଘର ଭୋଜି ରେ ଯୋଗ ଦେବାକୁ । କାଲି ରାତିରେ ଭୋଜି ଖାଇ ବୋଧ ହୁଏ ଡେରିରେ ଘରକୁ ଫେରିଥିବ ଆଉ ତା ମାଆ ଆଖିରୁ ବର୍ତ୍ତି ପାରି ନଥିବ। ଡାହାଣୀ ମାନେ ବିଷ୍ଠା ଖାଇବାକୁ ରାତିରେ ଯାଆନ୍ତି । ସେତେବେଳେ ତାଙ୍କ ଉପରେ ପୁରା ମନ୍ତ୍ର ସୁଆର ରହେ । ସେ ସମୟରେ ଯିଏ ଆଗରେ ପଡିବ ତାର ନିସ୍ତାର ନାହିଁ । ରତାନା ଘରେ ପଶୁ ପଶୁ ବୁଢ଼ୀ ଆଖିରେ ପଡି ଯାଇଥିବ ଆଉ ନଖି ବୁଢ଼ୀ ତା ଛାତି ଭିତରୁ କଲିଜା ଟା ଖାଇ ଦେଇଥିବ । 

ଘଟଣା କଣ୍ ହୋଇ ଥିବ କେହି ନିଜ ଆଖିରେ ନଦେଖି ଥିଲେ ବି ଅନୁମାନ କରିବା କାହାକୁ କଷ୍ଟ ହେଇନଥିଲା । କାରଣ ନଖି କୁ ରାତି ଅଧରେ ଉଲଗ୍ନ ହୋଇ ପଦା ରୁ ଵିଷ୍ଠା ଚରି ଫେରିଥିବା ର ସ୍ଵ ଚକ୍ଷୁରେ ଦେଖି ଥିବା ଲୋକ ଏବେ ବି ଗାଁ ରେ ଅଛନ୍ତି । ଅବଶ୍ୟ ସେ ଘଟଣା କୁ ବହୁ ବର୍ଷ ବିତି ଗଲାଣି । କିନ୍ତୁ ଏବେ ବି ସେ ଯାଉ ନଥିବ ତାର ମାନେ କିଛି ନାହିଁ । କାହା ଆଖିରେ ଆଉ ପଡି ନାହିଁ ସେଇ ଦିନଠୁ ସେଇଟା ଅଲଗା କଥା । ଏମିତି ଯାହା ଆଖିରେ ପଡ଼ିବ ସେ କଣ କହିବା ପାଇଁ ଆଉ ବଞ୍ଚିକି ଥିବ କି ସକାଳ ଯାଏ? ଏଇ ଯେମିତି ତା ପୁଅ ରତନା ଆଖିରେ କାଲି ପଡ଼ିଗଲା ବୋଲି ରତନା ବିଚରା ଗଲା ।  

 ସକାଳୁ ସକାଳୁ କିଏ ଜଣେ ଦେଖିଲା ମୁହଁ ମାଡ଼ି ରତନା ପଡ଼ିଛି ପିଣ୍ଡା ତଳେ । ରକ୍ତ ମିଶା ବାନ୍ତି ରେ ପୁରା ମାଟି ଓଦା । ବୁଢ଼ୀ ଘରେ ନାଇଁ । ନଖି ବୁଢ଼ୀର ନିତି ଦିନିଆ ଅଭ୍ୟାସ ରାତି ନପାହୁଣୁ ଗାଁ ଯାକରୁ ଫୁଲ ତୋଳି ଆଣିବ ,ଆଉ ଗାଧୋଇ ପାଧୋଇ ପାଖ ଗାଁ ଚଣ୍ଡୀ ମନ୍ଦିର ରେ ଫୁଲ ଦେଇ ମୁଣ୍ଡିଆ ମାରି ଆସିବ । ସବୁ ଡାହାଣୀ ମାନେ କୁଆଡ଼େ ଚଣ୍ଡୀ ଙ୍କ ଭକ୍ତ । ଏଣୁ ନଖିର ଚଣ୍ଡୀ ମନ୍ଦିର ଯିବା ବି ସେ ଡାହାଣୀ ହୋଇ ଥିବାର ଗୋଟିଏ ମସ୍ତ୍ ବଡ଼ ପ୍ରମାଣ । 


     ସେଦିନ ଫୁଲ ତୋଳି ଆସିଲା ବେଳକୁ ତା ଘର ପାଖରେ ଲୋକ ରୁଣ୍ଡ । ଭେଣ୍ଡିଆ ପୁଅ ଟା ମରି କି ପଡ଼ିଛି । ସେ ତ ଭାବିଥିଲା ପୁଅ ରାତିରେ ଭୋଜି ଖାଇ ଆସି ଘର ଭିତରେ ସୋଇଛି । ଏମିତି ବାହାରକୁ ପୁଣି କେତେ ବେଳେ ଆସିଲା ? ଏମିତି କଣ ହେଲା ତାର ? ମୁଣ୍ଡ କଣ ହେଇ ଯାଉଥାଏ ନଖି ର । କେତେ ଦୁଃଖ କଷ୍ଟ ସହି ବଞ୍ଚି ରହିଥିଲା କେବଳ ଏଇ ରତନାଟା ପାଇଁ । କଞ୍ଚା ବୟସରେ ସ୍ବାମୀ କୁ ହରେଇ ଲକ୍ଷ୍ମୀ ରୁ ହୋଇ ଯାଇଥିଲା ନଖି ରାଣ୍ଡ । ବଡ ଘରେ ଧନ୍ଦା ପାଇଟି କରି ରତନା କୁ ବଡ଼ କରିଥିଲା । ନିଆଶ୍ରି ବୋଲି କେତେ କିଏ ତା ଉପରେ ଦାଉ ସାଧିଛନ୍ତି । ଏ ଇ ପ୍ରଧାନେ , ଗାଁ ର ବଡ଼ ଲୋକ ବୋଲଇ ହୁଏ । ତାଙ୍କ ଘରେ ଲିପା ପୋଛା କରୁଥିଲା ବେଳେ ଥରେ ଏକୁଟିଆ ପାଇ ତା କାନି ଭିଡ଼ି ଧରିଥିଲା । ହାତରେ ଧରିଥିବା ଗୋବର କାଦୁଅ ବାଲ୍ଟି ତାଙ୍କ ଉପରକୁ ସେଦିନ ଫିଙ୍ଗି ଦେଇ ପଳେଇ ଆସିଥିଲା ନଖି । କିନ୍ତୁ ତାଙ୍କ କବଳ ରୁ କଣ ମୁକ୍ତି ପାଇଥିଲା ସେତିକିରେ ? କେଇ ଦିନ ପରେ ପାଖ ଗାଁ ମିଶ୍ର ଘର ବାହାଘର ଭୋଜି ଥିଲା । ଭୋଜିରେ ଆଇଁଠା ପତ୍ର ଉଠେଇବା, ଧୁଆ ମଜା କରିବା କାମ ଥିଲା ନଖି ର । କାମ ସାରି ଫେରୁ ଫେରୁ ରାତି ଏଗାର କି ବାର । ଭୟରେ ତର ତର ହୋଇ ସେ ଫେରୁଥିଲା ଘରକୁ । କେଜାଣି ଗାଁ ମୁଣ୍ଡ ରେ ବୁଦାଳିଆ ଜଙ୍ଗଲ ପାଖରେ ତାକୁ କିଏ ଦୁଇ ଜଣ ଛିଡ଼ା ହେଲା ଭଳି ଲାଗିଲା । ଟିକିଏ ସାହସ ମିଳିଗଲା ତାକୁ । ଯାହା ହେଉ ଏତେ ରାତିରେ ବି ଲୋକ ଚେଇଁ ଛନ୍ତି । ଭୂତ୍ ପ୍ରେତ୍ ଭୟ ମନରୁ ଦୂରେଇ ଯାଉଥିଲା ତାର କିନ୍ତୁ ପାଖକୁ ଯାଇ ଯାହା ଦେଖିଲା ସେ ଭୟ ଦୁଇ ଗୁଣ ହୋଇ ଯାଇଥିଲା । ପ୍ରଧାନେ ଓ ତାଙ୍କ ଗୁମାସ୍ତା ଯେମିତି ତାହାରି ଅପେକ୍ଷା ରେ ଥିଲେ । ସେ ଚିତ୍କାର କରିବା ପୂର୍ବରୁ ତା ପାଟି କୁ ବନ୍ଦ କରି ତାକୁ ଭିଡ଼ି ନେଇ ଯାଇଥିଲେ ସେଇ ନିର୍ଜନ ଜଙ୍ଗଲ ଭିତରକୁ । ପ୍ରଧାନେ ଙ୍କ ଆଖି ନିଆଁ ପରି ଜଳୁଥିଲା । ପୂର୍ବ ରାଗ ଓ ଅପମାନ ର ପ୍ରତିଶୋଧ ନେବାକୁ ସେ ଯେମିତି ଏହି ସୁଯୋଗ ଅପେକ୍ଷା ରେ ଥିଲେ । ଦୁଇ ଯୋଡ଼ା ବଳିଷ୍ଠ ପୁରୁଷ ହାତ ପାଖରେ ବିଚାରି କଣ୍ କରି ପାରି ଥାନ୍ତା । ତା ଦେହରୁ ସବୁ ଲୁଗା କୁ ବଳପୂର୍ବକ ବାହାର କରି ଦିଆ ଯାଇଥିଲା । କଣ କରିବ ଭାବି ପାରୁ ନଥିଲା । ନିଜ ହାତରେ ନିଜ ଉଲଗ୍ନ ଦେହ କୁ ଢାଙ୍କିଵ କି ସେମାନଙ୍କୁ ପ୍ରତିରୋଧ କରିବ ? କେଜାଣି କେଉଁଠୁ ସାହସ ସଞ୍ଚୟ କଲା ସେ ? ପ୍ରଧାନେ ଓ ତାଙ୍କ ଗୁମାସ୍ତା ଦୁହିଁଙ୍କୁ ଦାନ୍ତ ନଖରେ ଖଣ୍ଡିଆ ଖାବରା କରି ତାଙ୍କ କବଳରୁ ନିଜକୁ ମୁକ୍ତ କରି ଦଉଡ଼ି ଥିଲା ଘର ଆଡେ । ସେତେ ବେଳେ ନା ଲୁଗା ଗୋଟେଇବା ର ସମୟ ଥିଲା ତା ପାଖରେ ନା ଥିଲା ନିଜ ଉଲଗ୍ନ ଦେହ ପ୍ରତି ନିଘା । ଅନ୍ଧାର ର କୁ ଚିରି ଦଉଡ଼ି ଥିଲା ଏକ ନିଃଶ୍ୱାସରେ । କିନ୍ତୁ ସେଇ ଅନ୍ଧାର ଭିତରେ ବି କିଛି ଆଖିରୁ ନିଜ ଉଲଗ୍ନ ଦେହକୁ ଲୁଚେଇ ପାରି ନଥିଲା । ରାତି ପାହୁ ପାହୁ ପ୍ରଧାନେ ଓ ତାଙ୍କ ଗୁମାସ୍ତା ଗାଁ ଯାକ ପ୍ରଚାର କରି ଦେଇଥିଲେ ଯେ ନଖି ଡାହାଣୀ ଟିଏ ।ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ମାନଙ୍କର ବି ଅଭାବ ନଥିଲା । ବାହାଘର ଭୋଜିରୁ ବିଳମ୍ବ ରେ ଫେରୁଥିବା ବହୁ ଲୋକ ସେଦିନ ନିଜ ଆଖିରେ ଦେଖିଥିଲେ ନଖିକୁ ଉଲଗ୍ନ ହୋଇ ବୀଷ୍ଠା ଚରି ଫେରୁଥିବାର ।


ସେଇ ଦିନ ଠୁଁ ସେ ହେଇଗଲା ନଖି ରାଣ୍ଡ ରୁ ନଖି ଡାହାଣୀ । କାମ ତ ଦେବା ଦୂର କଥା ଲୋକେ ତାକୁ ଘର ଦୁଆର ମାଡି ଦେଲେନି । କାହା ଘରେ ଯଦି ଛୋଟ ପିଲା କୁ ଥଣ୍ଡା ଜ୍ବର ଟିକିଏ ବି ହୁଏ ତାହେଲେ ଦୋଷ ନଖିର । ସେ ହିଁ ପିଲାକୁ ନଜର କରିଛି । ଆଉ ଯଦି ଦୁର୍ଭାଗ୍ୟ କୁ କାହା ଘରେ ପିଲା ରୋଗରେ ପଡି ମରିଗଲା ତାହେଲେ ନଖିର ମାଡ ଖାଇ ହଟହଟା ହେବା ଥୟ । ଏସବୁରୁ ନିଜ ପୁଅ କୁ ତ୍ରାହି ଦେବାକୁ କେଇ ବର୍ଷ ହେବ ତାକୁ ସୁରଟ ପଠେଇ ଦେଇ ଥିଲା ସେ । କିନ୍ତୁ ତା ପୋଡ଼ା କପାଳକୁ ସେ କଣ ବଦଳେଇ ପାରିବ । ରାତିରେ ସେ ଭୋଜି ଖାଇ ଘରକୁ ଫେରିବା ବେଳେ ସାପ ଚୋଟ ରେ ମଲା । କିନ୍ତୁ ଲୋକ ଙ୍କୁ କଣ ସେ କ୍ଷତ ଦେଖିବାକୁ ତର ଥିଲା କି ନଖି ର ପୁଅ ହେଉ କି ଯିଏ ହେଉ ନଖି ଘର ପାଖରେ ମରିଚି ମାନେ ତାକୁ ନଖି ହିଁ ଖାଇଛି । ବିଚାରୀ କୁ ପୁଅର ମଲା ମୁଁହ ଟିକିଏ ଦେଖିବାକୁ ବି ସୁଯୋଗ ମିଳିଲା ନାହିଁ । ଲୋକେ ବାଡେଇ ବାଡେଇ ଗାଁ ପାରି କରି ଦେଇ ଆସିଲେ । ତା ଆଗରେ ତା ଗୋଟିଏ ବୋଲି ପୁଅର ଶବ ତାକୁ ଯେତିକି ଦୁଃଖ ଦେଉଥିଲା ତା ଠୁଁ ଅଧିକ ଦୁଃଖ ଦେଉଥିଲା ଗାଁ ଲୋକଙ୍କ ତାକୁ ହିଁ ତା ପୁଅ ମରଣ ପାଇଁ ଦାୟୀ କରିବା ଟା। ଆଜି ଯାଏ ବର୍ଷ ବର୍ଷ ଧରି ଏଇ ଗାଁ ଲୋକ ଙ୍କ ଠୁଁ ଡାହାଣୀ ବୋଲି କେତେ ନିନ୍ଦା ଅପବାଦ ସହି ଆସିଥିଲା । ଦେହ ତାର ପଥର ପାଲଟି ଯାଇଥିଲା ଶୁଣି ଶୁଣି । ନା ତାକୁ କେହି ନଖି ଡାହାଣୀ କହୁଥିଲେ ଲାଗୁଥିଲା ନା ମାଡ ମାରିଲେ କାଟୁ ଥିଲା । ଗରିବ ନିଆଶ୍ରୀ ବିଧବା ଟିଏ ସେ । ଡାହାଣୀ ଗୁଣ ଟି ସବୁ ବେଳେ ତାହାରି ଭଳି ଲୋକ ଙ୍କ ପାଖକୁ ଆସି ଥାଏ ଯାହା ପାଇଁ କହିବାକୁ କେହି ନଥାଂତି । କେବେ କେହି ଥିଲା ବାଲା ଘର ଲୋକ ଡାହାଣୀ ହୋଇଥିବାର ନଜିର ନଥାଏ। ଏ ଅନ୍ଧ ବିଶ୍ୱାସ ର ଶିକାର ସବୁ ବେଳେ ଗରିବ ଓ ଅସହାୟ ଟିଏ ହିଁ ହୋଇ ଥାଏ । ଡାହାଣୀ ହେବାର ସବୁ ଯୋଗ୍ୟତା ତାର ଥିଲା ଏଣୁ ସେ ଡାହାଣୀ ସାଜିଛି। ଗାଁ ଲୋକ ଯେତେ ଯାହା ଲାଞ୍ଛନା ଦେଲେ ବି ସେ ସହିବାକୁ ବାଧ୍ୟ ତେଣୁ ଚୁପ୍ ଚାପ୍ ବର୍ଷ ବର୍ଷ ଧରି ସହି ଆସିଥିଲା ,। କିନ୍ତୁ ସେଦିନ ନଖିର ସହିବା ର ସବୁ ଶକ୍ତି ସରି ଯାଇଥିଲା । ତା ପୁଅ କୁ ସେ ହିଁ ମାରିଚି ଏଇ କଥା ପଦକ ତା କାନରେ ବାରମ୍ବାର ବାଜୁଥିଲା । ତା ଗାଁ ରୁ ତାକୁ ତଡାଖାଇ ଆସିବା କେତେ ମାସ ହୋଇ ଗଲାଣି ।ହେଲେ ଆଜି ବି ସେ ସେଇ କଥା କୁ ଗୁଣୁଗୁଣୁ ହେଉଛି "ମୁଁ ମୋ ନିଜ ପୁଅ କୁ ଖାଇଛି । 

ମୁଁ ନଖି ଡାହାଣୀ ।

 ମୋ ପାଖକୁ ଆସନି । 

ମୁଁ ପରା ମୋ ପୁଅ କୁ ଖାଇଛି ।

 ତୁମକୁ ବି ଖାଇ ଯିବି । "

ନଖି ଡାହାଣୀ ଏବେ ନଖି ପାଗଳୀ ନା ରେ ଚିହ୍ନା ହେଉଛି। ନିଜ ଗାଁ ରାସ୍ତା ତ ଭୁଲି ଯାଇଛି ସେ କେବେଠୁ। ଆଉ କେବେ ଗାଁ କୁ ଫେରି ଦେଖିନି କେମିତି ପ୍ରଧାନେ ତା ଘର ଭାଙ୍ଗି ସେଇ ଡିହ ରେ ଏବେ ପାରିବା ଚାଷ କରୁଚି । ପ୍ରଧାନେ ଙ୍କୁ ଛାଡି ଡାହାଣୀ ଡିହ କୁ ବାକି ସମସ୍ତଙ୍କ ଡର । ତେଣୁ ଗାଁ ରେ କେହି ଆଉ କେବେ ନଖି କୁ ଖୋଜି ନାହାନ୍ତି । ଗାଁ ର କଣ୍ଟା ଗୋଟିଏ ଥିଲା ସେ ଯାଇଛି ଯେ ଗାଁ ଏବେ ଶାନ୍ତି। ଅବଶ୍ୟ ଏବେ ବି ସେଠି ପିଲାଙ୍କୁ ଜ୍ବର ହେଉଛି, ପିଲା ବି ରୋଗରେ ମରୁଛନ୍ତି ।କିନ୍ତୁ ତା ଦୋଷ ମୁଣ୍ଡେଇ ବୁଲିବାକୁ ଆଉ ସେ ଆଖପାଖ ଗାଁ ରେ ନଖି ଡାହାଣୀକୁ ଦେଖିବାକୁ ମିଳୁନି ।


Rate this content
Log in

More oriya story from Asit Kumar

Similar oriya story from Tragedy