ଦାଗ ।
ଦାଗ ।


ମୋତେ ପିଲାଦିନରୁ ରଙ୍ଗ ଖେଳିବାକୁ ଭଲ ଲାଗେନା। ମୋତେ ଖରାପ ଲାଗେ ସେ କଳା ଆଉ ନାଲି ରଙ୍ଗର ଦାଗ ଯାହା ହୋଲି ର ପନ୍ଦର ଦିନ ପର୍ଯ୍ୟନ୍ତ ଲାଗିରହେ । ତାଠାରୁ ଭଲ ହୋଲି ଗୋଟେଦିନ ଏକ୍ ଦମ୍ ଚୁପ୍ ହୋଇ ଘରେ ବସିବା ।
ତିନି ବର୍ଷ ତଳର ହୋଲିରେ ମୁଁ ଥିଲି ମାମୁ ଘରେ । ଘରେ ମାମୁଁ ମାଇଁ ଓ ମୁଁ । ମାମୁଁ ଚାଲିଗଲେ ଦୋଳବାମନଙ୍କ ମେଳଣ ଦେଖିବାକୁ। ମୁଁ ଘରେ ଏକା ବସି ଟିଭି ଦେଖୁଥାଏ ହଠାତ୍ କାହା ହାତର ନରମ ଛୁଆଁରେ ମୋର ତନ୍ଦ୍ରା ଭଙ୍ଗହେଲା । ଇ.....ହି.... ମୁହଁଟା ସାରା କଳାରଙ୍ଗ ଭରିଯାଇଥିଲା ମୋର । ବୁଲି ପଡି ଦେଖେ ତ ପ୍ରିତୀ । ମାମୁଁଙ୍କ ପଡିଶା ଘର ଝିଅ ।
ମୁହଁଟା ତାର ଚିହ୍ନି ହେଉନଥାଏ । ବିଭିନ୍ନ ରଙ୍ଗର ଛିଟା ତା ମୁହଁ ସାରା । ସତେ ଯେପରି ତା ଗୋରା ମୁହଁ ର କାନ୍-ଭାସ୍ ରେ କେଉଁ ଚିତ୍ରକରର ସବୁତକ ରଙ୍ଗ ଅଜାଡ଼ି ଦେଇଛି ।
ମୋତେ ଭାରି ବିରକ୍ତ ଲାଗୁଥିଲା ମୋ ମୁହଁରେ ସେ କଳାରଙ୍ଗର ଦାଗ ଦେଖି । ହେଲେ କିଏ ଜାଣିଥିଲା ସେ ଦାଗ ମୁହଁରୁ ଆସି ମନରେ ଲାଗିଯିବ ବୋଲି ।
ମନ ତଳର ଦାଗଟା ଆହୁରି ଗଭିର ହେଲା ଠିକ୍ ତା ପର ବର୍ଷ। ମାଇଁ ଯେତେବେଳେ କହିଲେ ପ୍ରିତିର ବାହାଘର ସରିଯାଇଛି । ଚେଷ୍ଟା କରୁଥିଲି ସେ ଦାଗକୁ ଲିଭେଇବାକୁ।
ସେବେଠୁ ଯାଇନଥିଲି ମାମୁଁ ଘର । ଏ ବର୍ଷ ହୋଲିରେ ପୁଣି ମାମୁଁ ଘରେ ଦେଖାହେଲା ପ୍ରିତୀ। କାଖରେ ତାର ପାଞ୍ଚମାସର ଝିଅ। ମୁହଁ ଫେରେଇ ଆଣିବାକୁ ଚେଷ୍ଟା କରୁଥିଲି। ହସିଦେଲା ସିଏ ।"କ'ଣ ଏବେବି ଦାଗକୁ ଡରୁଛ?" ମୁଁ ଚୁପ୍ ରହିଲି। ସିଏ ବି ଚୁପ୍ । ନୀରବତା ଭାଙ୍ଗି ମୁଁ ପଚାରିଲି "କେମିତି ଅଛ?" ସେ "ଭଲ ଅଛି" କହି ଚାଲିଯାଉଥିଲା। ଦଲକାଏ ପବନରେ ଉଡିଗଲା ତା କାନି । ସ୍ପଷ୍ଟ ଦେଖା ଯାଉଥିଲା ତା ପିଠିରେ ଖୁସି ର ଦାଗସବୁ ।ଆଖିରେ ମୋର ଭରି ଆସୁଥିଲା ମେଞ୍ଚାଏ ସମବେଦନା।