ଛିନ୍ନ ବୀଣା
ଛିନ୍ନ ବୀଣା
( ଏ କାହାଣୀଟି ମୋର ଅଧା...ପୁରା କାହାଣୀ ଟି ଟାଇପ ହୋଇ ପାରିନି l)
ମନ ବାୟାଚଢେଇର ବସାପରି ଖୁବ ସୁନ୍ଦର । ନିଜର ସ୍ଥିତି ଓ ସ୍ଥାଇତ୍ୱ ସମ୍ପର୍କରେ ବୁଝିବାକୁ ଚାହେଁନା । ବୁଝିପାରେନା ସାମାନ୍ୟ ଝଡବର୍ଷାର ଭୟ।ବହତାକୁ । ଭାବିପାରେନା କ୍ଷଣକମଧ୍ୟରେ ସେ.., ଆଉ ସେ-ହୋଇ ନଥିବ,ଝଡି ଲୋଟିଯାଇଥିବା ଆଉ କାହାର କର୍କଶ ସ୍ପର୍ଶରେ ।
ହଠାତ କେତେଟା ବୁଲା କୁକୁରଙ୍କ ଝଗଡାରେ ମୁଁ ଚମକି ପଡିଲି । ଭାଙ୍ଗିଗଲା କଳ୍ପନାର ସ୍ୱରଚିତ ପ୍ରାସାଦ, ବିଛୁଡ଼ିଗଲେ ଭାବନାଗୁନ୍ଥା ଅଦୃଶ୍ୟ ମାଳୀମାନେ । ଦୂରରୁ ସେହି ବୁଲା କୁକୁରମାନଙ୍କର ଝଗଡା ଶୁଣି ବୁଝିଗଲି ଗତକାଲି କାହାର ଭୋଜିର ସେହି ବଳକା ଅଇଁଠା ଖାଦ୍ୟକୁନେଇ ଚାଲିଛି ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦିତା ।
ଯାହାହେଉ ସେଇ କୁକୁରମାନଙ୍କଠାରୁ ମୁକ୍ତିପାଇବା ପାଇଁ ରାସ୍ତାକଡ଼ରେ ଥିବା କଲମବାଡ଼ରୁ ବାଡିଟିଏ ହାତେଇ ଆଗେଇ ଚାଲିଲି । ଦୂରରୁ ମୁହଁଅନ୍ଧାରରେ ଝାପ୍ସା ଦିଶୁଥିବା କୁକୁରମାନେ ଏବେ ଟିକେ ସ୍ପଷ୍ଟ ଦିଶୁଥିଲେ ମୋ ହାତର ସେ ବ।ଡିଟିକୁ ଦେଖି ଭୟରେ କିଏ କୁଆଡେ ଖେଳିଗଲେ l ହେଲେ ସେଇ କଲମ ବ।ଡ଼ ମୂଲକୁ ଆଉଜି ଅଇଁଠା ପତ୍ରପାଖରେ ମାଇକୁତୀଟିଏ ପେଟ ବିକଳରେ ଲାଞ୍ଜକୁ ଜାକି ବାସି ବଳକା ଅଇଁଠା ଭାତ, ତରକାରୀ, ଡାଲି, ଖାଇଚାଲିଥାଏ । ଅତି ବେଶୀରେ ତା ଠାରୁ ମୋର ଦୂରତା 6/7 ହାତ ହେ।ଇପାରେ । ମାଡର କଷ୍ଟଠାରୁ ଭୋକର ଜ୍ୱାଳା ତାକୁ ବେଶୀ କାଟିଛି । ତା' ପେଟର ଭୋକ ପାଖରେ ମୋର ହଜାରେ ବାଡ଼ିପ୍ରହାର କିଛି ପ୍ରଭାବ ପକେଇ ନପାରେ । ସେ ବି ସେଇୟା ବୁଝିନେଇଛି । କାହାକୁ ଭ୍ରୁକ୍ଷେପ ନକରି ଏଆଡ଼େ ସେଆଡେ଼ ଅନାଉଥାଏ ଓ ଅନବରତ ଖାଇଚାଲିଥାଏ । ତା ନହେଲେ ଅନ୍ୟମାନେ ନିଜ ନିଜ ଭାଗକୁ ନେଇ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସେ ସେଥିରେ ଭାଗ ନ ନେଇ ତାଙ୍କଠାରୁ ଦୁରେଇ ଅଳ୍ପ ଖାଦ୍ୟଥିବା ପତ୍ରରୁ ହାଉଁ ହାଉଁ କରି ଖାଇଚାଲିଥାଏ । ମଝିରେ ମଝିରେ... ତାଠାରୁ କେହି ଛଡେଇ ନେଉ ସେଥିଲାଗି ଦାନ୍ତ ଦେଖେଇ କେଁ କେଁ ହେଉଥାଏ । କୁତୀଟିର ଭଗ୍ନ ଓ ଶୀର୍ଣ୍ଣ ସ୍ୱାସ୍ଥ୍ୟକୁ ଦେଖି ଯିଏ କେହି କହିପାରେ, ସେ ଅନେକ ଦିନରୁ ଭୋକିଲା ।
ଯାହାହେଉ ସେଠାରୁ ମୁଁ ଆଠ ନଅ ହାତ ଆଗକୁ ଆଗେଇଛିକି ନାହିଁ ଦେଖିଲି, ଅଧ୍ୟାଘୋଡେଇ ହୋଇ ବାଡ଼ ଆଡକୁ ମୁହଁକରି ବସି ଖଲିପତ୍ର ଖଣ୍ଡେଧରି ମହାଆନନ୍ଦରେ ସେଥିରେ ଲାଗିଥିବା ଅଇଁଠା ବାସି ଭାତ ତରକାରୀକୁ ଚାଟି ଚାଲିଥାଏ ୪୦/୪୫ ବର୍ଷର ସ୍ତ୍ରୀ ଲୋକଟିଏ । ମଝିରେ ମଝିରେ ସେ କୁକୁରଟି ଆଡକୁ ଅନେଇ ୟାଡୁ ସାଡ଼ୁ ମେଞ୍ଚାଏ ଅସ୍ପଷ୍ଟ କଥା କହିଚାଲିଥାଏ । କୋଟିନିଧି ପାଇଲାପରି ପତ୍ରଟିକୁ ଅଧାଲୁଚା ଆଣ୍ଠୁଯୋଡିକ ମଝିରେ ରଖି ଖାଇଚାଲିଥାଏ । ଠାଏ ଠାଏ ଛିଣ୍ଡି ଯାଇଥିବା ଲୁଗାଟି ତାର ପୁରା ଅବୟବକୁ ସମ୍ପୂର୍ଣ ଢାଙ୍କି ରଖିବାରେ ଅସମର୍ଥ ଥିଲା l ଶାନ୍ତ ଆଉ ଅନ୍ଵେଷା ଆଖିଯୋଡିକର ଚାହାଣୀ ମଝିରେ ମଝିରେ ଭୟାଳୁ ହୋଇଉଠୁଥିଲା ତାର । ଆଖିର ଲୁହକୁ ମୁଁ ଆଉ ରୋକିପାରିଲିନି । ମୁଁ ମୋ ମନକୁ ହାଲକା କରିପାଇଁ ଲୁହ ଝରେଇଦେଲି ସିନା... ହେଲେ ସେ...?
ସେଇ ଦୁଇଜୀବନର ସମାନତାକୁ ଲକ୍ଷ୍ୟ କରି ମୁଁ ନିଜକୁ ଧିକ୍କାରିବାକୁ ଲାଗିଲି । ସେ ଦରମଲା କୁକୁରଟିର ଜୀବନ ଓ ଏ ସ୍ତ୍ରୀଲୋକଟିର ଜୀବନ ମଧ୍ୟରେ ଫରକ ରହିଲା କେଉଁଠି? ଦୁଇଜଣ ଉଦର ଜ୍ୱାଳାକୁ ମେଣ୍ଟାଇବାପାଇଁ ଯୁଧ୍ୟ କରିଚାଲିଛନ୍ତି ଏଠି । ନିଜର ଅପାରଗତା ଉପରେ ମୋର ଘୃଣା ଆସିଲା । ଘୃଣାଆସିଲା ଏଇ ସମାଜର ବଡ଼ପାଣ୍ଡାମାନଙ୍କ ଉପରେ । ଗରିବ, ଶ୍ରମିକ, ଖଟିଖିଆ, ମଜୁରିଆ ଭଳି ସରଳ ଜୀବନମାନଙ୍କୁ ନେଇ ଖେଳ ଖେଳୁଥିବା ବଡ଼ବାବୁମାନଙ୍କୁ ମନେ ମନେ ଧିକ୍କାରିଲି । ସତରେ ଏସବୁ ଅବସ୍ଥା ଦେଖି ଏ ବଡ଼ପଣ୍ଡା ଓ ବଡ଼ବାବୁମାନଙ୍କର ହୁଦୟ କଣ କେବେ କାନ୍ଦେନି? କେବେ କଣ କମ୍ପିଉଠେନି ତାଙ୍କ ଛାତି ଗରିବମାନଙ୍କର ନିଶ୍ୱାସରେ ?