ବୋଉକୁ ଚିଠିଟିଏ
ବୋଉକୁ ଚିଠିଟିଏ
ବୋଉ ଲୋ,
ଝିଅଟିଏ ହୋଇ ଜନ୍ମ ହେଲୁ।ଝିଅ ଜନ୍ମର କଷ୍ଟ ସବୁ ଜାଣିଲୁ।ସବୁ ଜାଣି,ବୁଝି ପୁଣି ମୋତେ କାଇଁ ସେ ନର୍କ ଯନ୍ତ୍ରଣା ସହିବାକୁ ଜନ୍ମ କଲୁ ?ଯଦି ଝିଅଟିଏ କରି ଜନ୍ମ ଦେଲୁ,ଝିଅ ହୋଇ
ରହିବାକୁ କାଇଁ ଦେଲୁନି! ଝିଅରୁ ବୋହୂ ହେବାର ଯେଉଁ କଠିନ ରାସ୍ତା ତୁ ଅତିକ୍ରମ କରିସାରିଛୁ ସେ ରାସ୍ତା ମୋ ପାଇଁ କାଇଁ ବାଛିଲୁ ?ଏମିତି ଯଦି କଷଟି ପଥରରେ ଘସି ହେବା ଥିଲା,ଏତେ ଗେହ୍ଲ ବସରରେ କାଇଁ ପାଳିଲୁ?ସମାଜରେ ନାରୀର ଇଚ୍ଛା ବୋଲି କିଛି ନାହିଁ ଜାଣି ବି ମୋ ଇଚ୍ଛାକୁ ସବୁବେଳେ ଗୁରୁତ୍ଵ ଦେଇଥିଲୁ ନା
ବୋଉ..ମା'ଲୋ ଏଇଟା ଖାଇବୁ ନା,ସେଇଟା ବନେଇ ଦେବିକି,
ଏ ସବୁ କହି ମୋ ନଖରାମିକୁ କାଇଁ ପ୍ରଶ୍ରୟ ଦେଲୁ! ଯୋଉ ଝିଅର ମତ ନେଇ ବ୍ୟଞ୍ଜନ ବନାଉଥିଲୁ,ସେ ଝିଅକୁ ଆଜି ସକାଳୁ ଉଠି କଣ ଜଳଖିଆ କରିବି, ରୋଷେଇରେ ଆଜି କଣ ହେବ ଆଦେଶ ନେବାକୁ ପଡୁଛି।ତୁ କହିଲୁ ବୋଉ, ଏସବୁ ପାଇଁ ତୋତେ କେତେ ଲୁଚି କାନ୍ଦିବାକୁ ପଡ଼ି ନଥିବ ! ନିଜ ଇଚ୍ଛାକୁ ତୁ ଛାତି ତଳେ ଦବେଇ ରଖି,ଓଠରେ ନକଲି ହସ ହସି ହସି ସମସ୍ତଙ୍କ ଇଚ୍ଛା ପଚାରି ବୁଝିଲା ବେଳେକୁ ତୋ ମାଆ ମୁଁହ କଣ ତୋ ଆଖିରେ ନାଚି ଯାଇ ନଥିବ ଲୋ ବୋଉ ! ମୁଁ ଜାଣେ ତୁ ଏସବୁ ହସି ହସି ସହି ଯାଇଥିବୁ।କାଇଙ୍କିନା ଆଈ ପରା ତୋତେ ସବୁ କଥା ସହିବା ଶିଖେଇ ଥିବା,ଅନ୍ୟ ଖୁସି ପାଇଁ ନିଜକୁ ବଳି ପକେଇବା ଶିଖିଥିବା। ସତ କହିଲୁ,ମୁଁ ଠିକ୍ କହୁଛି ନା ?ହେଲେ ବୋଉ ,ତୁ କାଇଁ ମୋତେ ଏମିତି ଶିକ୍ଷା ଦେଲୁନି,ନିଜ ଇଚ୍ଛା ମାରି ବଞ୍ଚିବା ଶିଖେଇଲୁନି?ନାକ ଚିପି ରୁଚୁ ନଥିବା ଖାଦ୍ୟ ଖାଇବା କାଇଁ ଶିଖେଇନୁ ଲୋ? ଶିଖେଇଲୁନି ବୋଲି...ଆଜି ମୋତେ କେତେ ଅସୁବିଧା ହେଉଛି ଦେଖ। ଛୋଟ କାମ କଲା ଭଳି ବେଳେ ବେଳେ ଖାଇବା ପିଇବା ରେ ଅସନ୍ତୋଷ ପ୍ରକାଶ କରି ପାଟି ଖୋଲି କହି ଦେଉଛି।ଛିଃ!ମୋତେ ନିଜକୁ ଘୃଣା ଲାଗୁଛି।ଯାହା ତ ନିଜେ ଖରାପ ହେଉଛି ତୁମ ନାଆଁ ବି ପକାଉଛି।ତୁ କହ ବୋଉ, ଏ ସବୁ ପାଇଁ କଣ ମୁଁ ଏକା ଦାୟୀ ?ନା,ତୁ ବି ଦାୟୀ। ଆଉ ବାପା..ତାଙ୍କ କଥା କହନା,ସେ ବେଶି ମୋ ମନ ବଢେଇ ଦେଇଛନ୍ତି।ମୋ ପାଖକୁ ଜିନିଷ ଆସିବା ଆଗରୁ କହିବେ, ନା..ନା...ସେ ଏ ଖାଇବା ଖାଇବନି, ତା ପାଇଁ ଅଲଗା ଟିକେ କଣ କରିଦେ,ସେ ଏ ଚା ଜମା ପିଇବନି ,ଟା ପାଇଁ ଅଲଗା ଟିକେ କ୍ଷୀର ଦେଇ କରି ଦେ।ଜୀବନ କେମିତି ହଠାତ୍ ଏମିତି ବଦଳି ଯାଇଛି ନା ବୋଉ ?ନିଜେ ଏତେ ପ୍ରାଧାନ୍ୟ ପାଉଥିଲି ଯେ , ଏଠି ଅନ୍ୟକୁ ପ୍ରାଧାନ୍ୟ ମିଳୁଥିବା ଦେଖି ତୁମ କଥା ମନେ ପଡୁଛି ଲୋ,ବହୁତ୍ ମନେ ପଡୁଛି,ଇଚ୍ଛା ହଉଛି ଦୌଡ଼ିକି ତୁମ ପାଖକୁ ପଳାନ୍ତି।
ବୋଉ ଲୋ, ଆଜି ଯେମିତି ମୁଁ ତୋତେ ମନେ ପକେଇ ବାହୁନି କାନ୍ଦୁଛି,ବାପାଙ୍କୁ ଝୁରି ହେଉଛି,ତୁ ବି ତୋ ମା ବାପାଙ୍କୁ ମନେ ପକାଇ କେତେ କାନ୍ଦିଥିବୁ ନା??ଆମେ କେବେ ତୋ ଦୁଃଖ ବୁଝିନୁ,ତୋ ଆଖିରେ ତୋ ଛାତି ତଳର କଷ୍ଟ ,ଅକୁହା କୋହକୁ ପଢ଼ିନୁ। କିନ୍ତୁ ଏବେ ମୁଁ ଠିକ୍ ବୁଝୁଛି ଲୋ ବୋଉ,ପର ଘରକୁ ଆସି ,ନିଜ ଲୁହକୁ ପିଇ କେମିତି ବଞ୍ଚିବାକୁ ହୋଇଥିଲା ତୋତେ।
ତୁ କିନ୍ତୁ ଆଦୌ ଠିକ୍ କରିନୁ।ତୁ ସତେ ଯେମିତି, ତୋ ପାଇଥିବା ଦୁଃଖ , ଭୋଗିଥିବା କଷ୍ଟ ପାଇଁ ସବୁ ଦଣ୍ଡ ମୋତେ
ଦେଇ ଦେଲୁ!! ପଠେଇ ଦେଲୁନା ପରଘରକୁ...ଦୂର କରିଦେଲୁ ମୋତେ ତମ ଠାରୁ...ମୁଁ କେବେ ତୋତେ ଆଉ ବାପା ଦୁଇ ଜଣଙ୍କୁ କ୍ଷମା କରିବିନି,ସତ କହୁଛି।ମୋତେ ଝିଅଟିଏ କରି ଜନ୍ମଦେଇ ,ଝିଅ ହୋଇ ସବୁଦିନ ତୁମ ଅଲିଅଳି ହୋଇ ରହିବାକୁ କାଇଁକି ଦେଲା ନାହିଁ...କାଇଁ ମୋତେ ସଂସାର ଜଞ୍ଜିରରେ ବାନ୍ଧି ମରିବାକୁ ଛାଡ଼ିଦେଲ ? ଏ କାଇଁକିର ଉତ୍ତର ଆଜି ମୁଁ ଖୋଜି ଯେତେ କଷ୍ଟ ପାଉଛି...ଭଗବାନ କରନ୍ତୁ ,ମୋତେ କାହାକୁ ଏ କାଇଙ୍କିର ଉତ୍ତର ଯେମିତି ଦବାକୁ ନ ପଡେ।
ଇତି
ତୋ ଅଲିଅଳି
