STORYMIRROR

Mamata Pradhan

Drama Tragedy Others

4  

Mamata Pradhan

Drama Tragedy Others

ଭାରତର ଝିଅ ଭାରତୀ

ଭାରତର ଝିଅ ଭାରତୀ

4 mins
623


ଭାରତୀ ପାହାଡ଼ୀ ଝରଣାଟିଏ l କଳକଳ ଛଳଛଳ ଚଞ୍ଚଳୀ ଝିଅଟିଏ l ମୁଣ୍ଡରେ ବାବୁରି ବାଳ l ପାନିଆ ମୁଣ୍ଡରେ ଲଗାଏ ନାହିଁ l ହାତ ମାରି ବାଳ ସଜାଡି ଦିଏ l କେବେ ଦର୍ପଣ ସାମନାରେ ଠିଆ ହୋଇ ନିଜ ମୁହଁକୁ ଦେଖିନାହିଁ l

ସେଇଥିପାଇଁ ତ ପିଉସୀନାନୀ କେତେକଥା ଶୁଣାନ୍ତି l ଅସୁନ୍ଦରୀ, ଭୁତମୁଣ୍ଡି,, ଅସନୀ,କେମିତି ଏ ଘରେ ଜନ୍ମ ହେଲା କେଜାଣି l ମାଆ ଯେମନ୍ତ, ଝିଅ ସେମନ୍ତ l ମାଳତୀକୁ ଅସୁନ୍ଦର, ଅସଭ୍ୟ କହିଲେ କିଛି ସେ ମନରେ ନିଏ ନାହିଁ l କିନ୍ତୁ ମାଆ ବିଷୟରେ କିଏ କିଛି କହିଲେ ତାର ମୁଣ୍ଡ ଖରାପ ହେଇଯାଏ l ତାର ହୃଦୟ ଖଣ୍ଡ ବିଖଣ୍ଡ ହେଇଯାଏ l ଆଖି ତାର ରାଗରେ ଲାଲ ହେଇଯାଏ l

ସୁନ୍ଦରୀ ସୋମ୍ୟା ମା' କମଳିନୀ ରକ୍ଷଣଶୀଳ ପରିବାରର ସୁଶ୍ରୀ, ସ୍ନେହୀ,ମିତଭାଷୀ ଓ ସରଳ ପ୍ରକୃତିର ଝିଅ ଥିଲେ l ତାଙ୍କର ପିତା ବୀର ପ୍ରତାପ ସିଂ ଥିଲେ ସେ ଅଞ୍ଚଳର ପ୍ରତିପତ୍ତିଶାଳୀ ବିରାଟ ଜମିଦାର ବଂଶଜ l ଝିଅ କମଳିନୀଙ୍କୁ ଘରେ ଗୃହ ଶିକ୍ଷିକାମାନଙ୍କ ଠାରୁ ସଂସ୍କୃତ, ଇଂରାଜୀ ଓ ଓଡ଼ିଆ ଭାଷା ରେ ଶିକ୍ଷା ଗ୍ରହଣ କରିଥିଲେ l ପିତା ବୀର ପ୍ରତାପ ସିଂ ସୁନ୍ଦର, ଗୁଣଵାନ ଓ ବିଦେଶରୁ ଉଚ୍ଚ ଶିକ୍ଷାପ୍ରାପ୍ତ ବାରିଷ୍ଟର ଅଶୋକ ଚୌଧୁରୀଙ୍କର ସୁସନ୍ତାନ ବାରିଷ୍ଟର ଅଂଶୁମାନ ଚୌଧୁରୀ ସହ ବିବାହ କରିଦେଲେ l

ବିବାହର ପରବର୍ତ୍ତୀ ଦିନଗୁଡିକ ତାଙ୍କର ଖୁଵ ଆନନ୍ଦପୂର୍ଣ୍ଣ ଥିଲା l ସ୍ୱାମୀଙ୍କ ସହ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରି ସାମାଜିକ କାର୍ଯ୍ୟରେ ଯୋଗ ଦେଉଥିଲେ l ସମାଜର ଉନ୍ନତ୍ତିମୂଳକ କାର୍ଯ୍ୟରେ ଅଂଶ ଗ୍ରହଣ କରୁଥିଲେ l ଜୀବନ ଥିଲା ସୁନ୍ଦର ସାବଲୀଳ l

ଭାରତୀକୁ ଜନ୍ମ ଦେବା ପରେ କମଳିନୀ ଦୁର୍ବଳ ଓ ଅସୁସ୍ଥ ରହିଲେ l ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ବର୍ଷକ ପରେ ପୁନର୍ବାର ଗୋଟିଏ ପୁତ୍ର ସନ୍ତାନର ଜନନୀ ହେଲେ l ଏଵେ ସ୍ୱାସ୍ଥ୍ୟର ଅଧିକ ଅବନତି ଘଟିଲା l ପୁଅ ଅଭିଷେକର ସବୁବେଳେ ଥଣ୍ଡା ଜନିତ ଅସୁସ୍ଥତା ଲାଗିରହିଲା l କମଳିନୀଙ୍କ ସ୍ଵାମୀ ଅଂଶୁମାନ ସେତେବେଳେ କଟକ ହାଇକୋର୍ଟର ବରିଷ୍ଠ ଓକିଲ l ସବୁବେଳେ ବ୍ୟସ୍ତ l ସେଥିରେ ସାହିତ୍ୟଚର୍ଚ୍ଚା l ସ୍ତ୍ରୀଙ୍କୁ, ପିଲାମାନଙ୍କୁ ସମୟ ଦେଇପାରିଲେନି l

ଏମିତି ଭାବରେ ପାଞ୍ଚ ବର୍ଷ ବିତିଗଲା l ମାଆ ଆଉ ପୂର୍ଣ୍ଣ ସୁସ୍ଥ ହେଲେନାହିଁ l ଘରେ ସହାୟିକାଙ୍କର, ପିଉସୀନାନୀ ଓ ତାଙ୍କ ସାଙ୍ଗମାନଙ୍କର ଭିଡ l ସେଇ ଭିଡ ଭିତରେ ଏକଲା ପଡିଯାଇଥିଲା ଭାରତୀ l ମାଆଙ୍କର ଅବସନ୍ନ ଶରୀରକୁ ଦୂରରୁ ଅସହାୟ ଦୃଷ୍ଟି ନେଇ ଦେଖୁଥିଲା l ଛଅ ବର୍ଷର କୋମଳମତି ଶିଶୁଟିଏ ସେ l ବହୁତ କିଛି କରିବାକୁ ଚାହିଁ କିଛି କରିପାରୁ ନଥିଲା l ଆଖିର ଲୁହକୁ ଲୁଚେଇ ପୋଛି ଦେଉଥିଲା l କୁନୁଭାଇଟିକୁ କୋଳରେ ଅନୁଭବ କରିବା ଓ ତା ସହ ଖେଳିବା ପାଇଁ ସହାୟିକାଙ୍କୁ ଅନୁରୋଧ କରୁଥିଲା l ଅଭିଷେକ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇ ଦିନେ ତାଙ୍କ ପରିବାରରୁ ଅସ୍ତ ହୋଇଗଲା l ଅଭିଷେକକୁ ହରାଇ କମଳିନୀ ସମ୍ପୂର୍ଣ୍ଣରୁପେ ଭାଙ୍ଗି ପଡିଲେ l ଭାରତୀ ଦେଖୁଥିଲା ମାଆଙ୍କର ଯନ୍ତ୍ରଣା l ନିଜ କଷ୍ଟ ଠାରୁ ମାଆଙ୍କର କଷ୍ଟକୁ ବେଶୀ ଅନୁଭବ କରୁଥିଲା l

ଦିନରାତି ପିଉସୀନାନୀଙ୍କର ଅକଥ୍ୟ ଗାଳି ମାଆଙ୍କ ପାଇଁ, ପିତାଙ୍କର ଉଦାସୀନତା ଭାରତୀକୁ ଅସ୍ତବ୍ୟସ୍ତ କରିପକାଉଥିଲା l ଏହିପରି ଭାବରେ ଚାରି ବର୍ଷ ବିତିଗଲା l ତାଙ୍କ ବିରାଟ ପ୍ରାସାଦ ପଛପଟେ ଛୋଟ ବସ୍ତିଟିଏ ଅଛି l ବେଳେବେଳେ ସେ ବସ୍ତିର ପିଲାମାନଙ୍କୁ ଯାହା ପଢିଥାଏ, ପଢ଼ାଏ l କିଛି ଖାଇବା ଜିନିଷ ଦିଏ l ବଗିଚାର ଫଳ, ପରିବା ବାଣ୍ଟିଦେଇ ଆସେ l ସେଇ ଗୋଟିଏ ଜରିଆ ଥାଏ, ସ୍ନେହ ଶ୍ରଦ୍ଧା ବାଣ୍ଟି କିଛି ସ୍ନେହ ମମତା ସାଉଁଟି ନେବାରେ l

କମଳିନୀ ଅନେକ ସମୟ ବିଛଣାରେ ପଡିରହୁଥିଲେ l ଚାଲିବାପାଇଁ ମାନସିକ ଶକ୍ତି ହରାଇ ବସିଥିଲେ l ଶାରୀରିକ ଓ ମାନସିକ କଷ୍ଟ ତାଙ୍କୁ ଆହୁରି କ୍ଷୀଣ କରୁଥିଲା l ଡାକ୍ତର ଆସି ଦେଖୁଥିଲେ l କିଛି ପ୍ରଭାବ ପଡୁନଥିଲା l ପିଉସୀନାନୀଙ୍କର ଚିତ୍କାର, ଜନ୍ମରୋଗୀ, ମୂର୍ଖନାରୀ, ଅଲକ୍ଷଣୀ --ଏସବୁ ଭାରତୀର ମୁଣ୍ଡ ଗୋଳମାଳ କରିଦେଲା l ନିଜକୁ ଶାନ୍ତ କଲା l ମାଆଙ୍କ ପାଖରେ ବସି ସାନ୍ତ୍ୱନା ଦେଲା l କିଛିଦିନ ପାଇଁ ଦିଲ୍ଲୀଯାଇ ଜେଜେବାପାଙ୍କୁ ଦେଖାକରିବ ଓ ନିଜ ପାଠ ବିଷୟରେ ତଥା ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରିଆସିବ ବୋଲି କହିଲା l ମାଆ ତାଙ୍କ ପରିବାରର ବନ୍ଧୁ ଗୋପୀନାଥ ଦାସଙ୍କ ସହ ଭାରତୀଙ୍କୁ ଦିଲ୍ଲୀ ପଠାଇଥିଲେ l

ଭାରତୀ ର ଜେଜେବାପା ବାରିଷ୍ଟର ଅଶୋକ ଚୌଧୁରୀ ଦିଲ୍ଲୀ ସୁପ୍ରିମକୋର୍ଟର ପ୍ରଖ୍ୟାତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ l ମାଳତୀକୁ ଗୋପୀନାଥ ଦାସଙ୍କ ସହ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ l ମାଆଙ୍କର ଶାରୀରିକ ଅସୁସ୍ଥତା, ପିତାଙ୍କର ଉଦାସୀନତା ଓ ପିଉସୀନାନୀଙ୍କର ନିର୍ଯାତନା ଓ ଅସଭ୍ୟ ଆଚରଣ ସବୁ ବଖାଣି ବସିଲା ଜେଜେ ଓ ଜେଜେମାଙ୍କ ଆଗରେ l ଜିଦିକଲା ମାଆଙ୍କୁ କଟକରୁ ବାହାର କରି ଏକ ସୁସ୍ଥ ବାତାବରଣରେ ରଖିବାକୁ l ସେଠି ତାର ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ କହିଲା l

ଛୋଟ ଝିଅଟିଏ ଭାରତୀ l ହେଲେ ତାର କଥାଥିଲା ପ୍ରାଞ୍ଜଳ ଓ ଯୁକ୍ତିସଂଗତ ବୋଲି ଜେଜେବାପା ଅନୁଭବ କଲେ l ଡେରାଡୁନରେ ଗୋଟିଏ ଘର ନେଇ ବୋହୂ କମଳିନୀଙ୍କର ରହିବାପାଇଁ ସବୁ ସୁବିଧା କରିଦେଲେ l ନାତୁଣୀ ଭାରତୀର ବିଦ୍ୟାଳୟରେ ପଢ଼ିବାର ବ୍ୟବସ୍ଥା କରିଦେଲେ l ଖୁଵ ଶୀଘ୍ର ସବୁକିଛି ଭଲଭାବରେ ହୋଇଯାଇଥିବାରୁ ଭାରତୀର ଆତ୍ମସନ୍ତୋଷ ହୋଇଥିଲା l ମାଆ କମଳିନୀ ଖୁଵ କମ କଥା କହୁଥିଲେ l ଅନବରତ ତାଙ୍କ ଆଖିରୁ ଲୁହ ଝରୁଥିଲା l ଡେରାଡୁନର ସୁସ୍ଥ ବାତାବରଣ ରେ ରହିବା ପରେ ଅନେକ ପରିବର୍ତ୍ତନ ଆସିଥିଲା କମଳିନୀଙ୍କର ଶରୀର ଓ ମନ ଭିତରେ l ଝିଅ ଓ ସ୍ନେହଶୀଳା ଶାଶୁଙ୍କର ଯତ୍ନରେ ତାଙ୍କ ଦେହ ଭଲ ଆଡକୁ ଗତି କରୁଥିଲା l ସେହି ସମୟ ଥିଲା ଭାରତୀ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ବୋଲି ଭାରତୀର ମନେହୁଏ l ସେ ଅପର୍ଯ୍ୟାପ୍ତ ସମୟ ମାଆଙ୍କ ସହ ବିତେଇବା ପାଇଁ l

ବିଦ୍ୟାଳୟ ପାଠ ଶେଷ କରି କଲେଜରେ ନାମ ଲେଖେଇଲା ଭାରତୀ l ଶାଢ଼ୀ ପିନ୍ଧି କଲେଜରେ ଯେତେବେଳେ ପାଦ ଦେଲା, ତାର ସୌନ୍ଦର୍ଯ୍ୟର ପ୍ରଶଂସା ସାଙ୍ଗ ସାଥୀ କଲେ l ସେ ଅପରୂପା ସୁନ୍ଦରୀ ରୂପେ ପରିଚିତି ଲାଭ କଲା l ସେ ଆଶ୍ଚର୍ଯ୍ୟ ହେଲା l ପିଉସୀନାନୀ ମିଛ କହୁଥିଲେ ବୋଲି ସେ ଜାଣି ପାରିଲା l କଲେଜରେ ନିଜ ସୁନ୍ଦର ବ୍ୟବହାର, ହସ ହସ ମୁହଁ ସମସ୍ତଙ୍କ ମନକୁ ଛୁଇଁ ପାରୁଥିଲା l

କମଳିନୀ ଓ ଭାରତୀ ପରସ୍ପର ସହିତ ସୁନ୍ଦର ସମୟ ବ୍ୟତୀତ କରୁଥିଲେ l ମାଆ ଝିଅଙ୍କ ସମ୍ପର୍କ ପ୍ରଗାଢ଼ ହୋଇଥିଲା l ଛୁଟିଦିନରେ ମାଆ ସୁସ୍ୱାଦୁ ଖାଦ୍ୟ ରାନ୍ଧିବା ଶିଖାଉଥିଲେ l ଏକାଠି ବସି ମାଆ କମଳିନୀ ଝିଅ ଦିନର କଥା କହୁଥିଲେ l ତାଙ୍କ ବାପାଙ୍କର ଛୋଟ ଡାକ୍ତରଖାନା ଯାଇ କିପରି ସବୁ ଦେଖାଶୁଣା କରୁଥିଲେ l ସମାଜ ସେବା କରିବାପାଇଁ ପ୍ରେରଣାତ୍ମକ ବିଷୟ ଝିଅକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଥିଲେ l ମାଆ ଝିଅଙ୍କ ଭିତରେ ଅପୂର୍ବ ବନ୍ଧୁତା ଗଢି ଉଠିଥିଲା l

କମଳିନୀ ହଠାତ ଅସୁସ୍ଥ ହୋଇପଡିଲେ l ଭାରତୀର ଯତ୍ନ, ଡାକ୍ତର ପ୍ରଚେଷ୍ଟା ସବୁ ବିଫଳ ହେଲା l ମାଆ କମଳିନୀଙ୍କର ଜୀବନର ଶେଷ ଦୃଶ୍ୟ ସମାପନ ହୋଇଗଲା l ମାଆଙ୍କୁ ଫେରେଇ ଆଣି ପାରିଲlନି ବୋଲି ଜୀବନରେ ତାର ଗ୍ଲାନୀ ଓ ଅବସୋସ ରହିଗଲା l 

ଭାରତୀ ମାତୃହରା ହୋଇଗଲା l ଖବର ପାଇଲା ବାପା ତାଙ୍କର ସହକର୍ମୀ ଓ ବନ୍ଧୁଙ୍କୁ ବିବାହ କରିବାକୁ ମନସ୍ଥକରିଛନ୍ତି l ସେ ଦୃଢ଼ତାର ସହ ପିତାଙ୍କ ସମ୍ମୁଖରେ ଠିଆହୋଇ ପ୍ରତିବାଦ କରିଥିଲା l ତୀକ୍ଷ୍ଣ ସ୍ୱରରେ କହିଥିଲା ତାର ମାଆଙ୍କର ସ୍ଥାନରେ ସେ କାହାକୁ ଦେଖିବାକୁ ଚାହେଁନାହିଁ l ତାର ସ୍ୱରର ଦୃଢତା ଓ ଗମ୍ଭୀରତାର ପ୍ରଭାବ ବାପାଙ୍କ ଉପରେ ପଡିଲା l ସେ ଦ୍ଵିତୀୟ ବିବାହ କରିବାରୁ କ୍ଷାନ୍ତ ହେଲେ l

ମାଆ କମଳିନୀଙ୍କର ଫଟ ପାଖରେ ଭାରତୀ ହାତଯୋଡି ପ୍ରଣିପାତ କରି କହିଲା, " ପୁନର୍ଜନ୍ମ ଯଦିଥାଏ, ପୁନର୍ବାର ମୁଁ ଜନ୍ମ ନେବି ତୁମରି କୋଳରେ l ମନଭରି ତୁମର ସେବାଯତ୍ନ କରିବାର ଅଧିକାର ଦେବ l"


Rate this content
Log in

Similar oriya story from Drama