Pratiksha Dash

Tragedy

5.0  

Pratiksha Dash

Tragedy

ଭାଗ୍ୟ

ଭାଗ୍ୟ

3 mins
416



କାହିଁକି କେଜାଣି ଝିଅଟିକୁ ଦେଖିଲେ ଇର୍ଷା ହୁଏ। ସବୁବେଳେ ହସହସ ମୁହଁ। ଯେବେବି ଦେଖିଛି ଯେତେଥର ଦେଖିଛି ସବୁବେଳେ ସଜଫୁଟା ଫୁଲଟିଏ ପରି ସତେଜ ପ୍ରଫୁଲ୍ଲ । ଚିନ୍ତା କି ଦୁଃଖ ର ଲେଶ ମାତ୍ର ଚିହ୍ନ ନ ଥାଏ ତା' ମୁହଁରେ। ସତେ ଯେମିତି ଏ ସଂସାର ର ସବୁତକ ସୁଖ ଓ ଐଶ୍ୱର୍ଯ୍ୟ ଠୁଳ ତା' ପାଦତଳେ। ମୁଁ ନିୟମିତ ଯାଉଥିବା ମନ୍ଦିର ପାଖରେ ତା' ଘର- ସୁନ୍ଦର, ସୁଦୃଶ୍ୟ , ଦୃଷ୍ଟି ଆକର୍ଷଣ କଲାଭଳି ଘର ଆଗରେ ସୁନ୍ଦର ବଗିଚା। ଯେଉଁଦିନ ପ୍ରଥମ ଥର ଦେଖିଥିଲି ବଗିଚାରେ ପାଣି ଦେଉଥିଲା 'ହସି ହସି' । ଦେଖିଲେ ଲାଗୁଥିଲା ସତେଯେମିତି ପ୍ରଜାପତିଟିଏ ଉଡିବୁଲୁଛି ବଗିଚାରେ। ତା' ପରେ ଅନେକ ଥର ଦେଖିଛି- କେବେ ପାର୍କ ରେ ଛୋଟ ପିଲାଙ୍କ ସଙ୍ଗେ ସ୍କିପିଙ୍ଗ କଲାବେଳେ କେବେ ରିଙ୍ଗ ରୋଡ ରେ ସାଇକ୍ଲିଙ୍ଗ କଲାବେଳେ ତ ଆଉକେବେ ମଲ୍ ରେ ଢେର୍ ସାରା ସପିଙ୍ଗ ବ୍ୟାଗ୍ ସହ। ବିଭିନ୍ନ ଜାଗାରେ ଅନେକ ଥର ଦେଖା ହେଇଯାଏ । ନା' ବ୍ୟକ୍ତିଗତ ଭାବରେ ମୁଁ ତାକୁ ଜାଣେ ନାହିଁ କି କେବେ କଥା ହବାର ସୁଯୋଗ ଯୁଟିନାହିଁ । କିନ୍ତୁ ତା'କୁ ଜାଣିବାର କୈତୁହଳ ଥାଏ ମନରେ।ସବୁବେଳେ ସୁନ୍ଦର ପରି ପରି ହସହସ ମୁହଁ ଗୋଟେ ଆକର୍ଷଣୀୟ ବ୍ୟକ୍ତିତ୍ଵ । ମୁଁ ମନେ ମନେ ନିର୍ଦ୍ଧାରିତ କରିନେଇଥାଏ ଯେ ଝିଅଟି ବହୁତ ଭାଗ୍ୟବତୀ।

 

         ଝିଅଟିର ହସହସ ମୁହଁ ମୋତେ ଏତେ ପ୍ରଭାବିତ କରିଥାଏ ଯେ ମୁଁ ତା'କୁ ଫଲ୍ଲୋ କରିବା ଆରମ୍ଭ କରିଦେଇଥାଏ। ତା ବଗିଚା ରେ ଯେମିତିଆ କୁଣ୍ଡ ରେ ଯେଉଁଭଳି ଗଛ ଲାଗିଥାଏ ମୁଁ ଠିକ୍ ସେମିତିଆ କୁଣ୍ଡ ଆଣି ସେଇଭଳି ଗଛ ଲଗେଇଥାଏ। ଠିକ୍ ତା'ରି ସାଇକେଲ୍ ଭଳି ସାଇକେଲଟିଏ କିଣି ସାଇକ୍ଲିଙ୍ଗ ଆରମ୍ଭ କରିଦେଇଥାଏ। ଏପରିକି ସେ ପିନ୍ଧିବାର ଦେଖିଥିବା ଏକାପରି ଡିଜାଇନର ଡ୍ରେସ୍ ବି କିଣିଥାଏ। ଲକ୍ଷ- ତା' ପରି ଖୁସିହେବା। ନା' ମୁଁ କିନ୍ତୁ ଖୁସି ହେଇପାରୁନଥାଏ। ଘର ସାମ୍ନାରେ ଖେଳୁଥିବା ପିଲାଙ୍କର ବଲ୍ ବାଜି ଯେଉଁ ଦିନ ଫୁଲ କୁଣ୍ଡ ଦିଟା ଭାଙ୍ଗିଗଲା ମୋ ରାଗ ପଞ୍ଚମକୁ ଉଠିଗଲା। ପିଲାମାନଙ୍କୁ କିଛି ନକହିଲେ ବି ମନେ ମନେ ବହୁତ ବିରକ୍ତ ହୋଇଥିଲି।ଆଉ ତା'ର ଠିକ୍ ୩-୪ ଦିନ ପରେ ମୋ ସାଇକେଲଟି ଚୋରି ହୋଇଯାଇଥିଲା। ମୋତେ ଯାହା ଲାଗୁଥିଲା ନ'କହିଲେ ଭଲ। ଭାଗ୍ୟ ଟା ବୋଧେ ମୋର ଖରାପ। ମନେ ମନେ ଈଶ୍ୱରଙ୍କୁ ବି ଦୋଷାରୋପ କରୁଥାଏ... 


          ତା' ପରଦିନ ଝିଅଟି ସହ ପୁଣି ଦେଖା ହୋଇଗଲା ।ଏଥର କିନ୍ତୁ ମଝି ରାସ୍ତାରେ, ଅସହାୟ ଭାବରେ। ନା' ସେ ଅସହାୟ ଦିଶୁନଥାଏ। ମୁଁ କିନ୍ତୁ ଅସହାୟ ବୋଲି ଧରିନେଇଥାଏ। ପାରିପାର୍ଶ୍ବିକ ଅବସ୍ଥା କୁ ଅନୁଶୀଳନ କରି। ପାଖରେ କାର୍ ଥୁଆ ହୋଇଥାଏ ନିଶ୍ଚିତ ଭାବରେ କୈାଣସି କାରଣରୁ ଖରାପ ହୋଇଯାଇଛି। ଉଦୁଉଦିଆ ଖରା ଶୂନ୍-ଶାନ୍ ରାସ୍ତା। ଅଟକି ଗଲି ମୁଁ। ସ୍ମିତହାସ୍ୟ ଦେଇ  ହ୍ୟାଲୋ କହିଲି। ସେ ବି ପ୍ରତିବଦଳରେ ହ୍ୟାଲୋ କହି କହିଲେ ଗାଡି ଟା ହଠାତ୍ ଖରାପ ହୋଇଗଲା।ମେକାନିକ୍ କୁ ଫୋନ୍ କରିଛି। କିଛି ସମୟପରେ ଆସିଯିବ। କିନ୍ତୁ ଆପଣ ପ୍ଲିଜ ତା' ପୂର୍ବରୁଟିକେ ଘରେ ଛାଡିଦେବେ କି? ଅରଜେଣ୍ଟ କାମ ଅଛି। ମନା କରିବାର ଯୁ ନଥିଲା। ଏମିତି ରେ ତାଙ୍କୁ ଜାଣିବାର କୌତୁହଳ ଥିଲା। ବିରାଡ଼ି କପାଳକୁ ଶିକା ଛିଣ୍ଡିଲା !


            କିନ୍ତୁ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲି...କୋହ ଆସିଗଲା।ମନେ ତାଙ୍କୁ ଇର୍ଷା କରୁଥିବାରୁ ନିଜ ଉପରେ ରାଗ ଆସୁଥାଏ। ଯାହା ଭାଗ୍ୟ କୁ ନେଇ ମୁଁ ମନେ ମନେ ଇର୍ଷା କରୁଥିଲି ଭାଗ୍ୟ ଯେ ତା' ପ୍ରତି ଏତେ ନିର୍ମମ ତା‌ହା ମୋ କଳ୍ପନା ବାହାରେ ଥିଲା। ବାହାଘରର ଠିକ୍ ଛ' ମାସ ପରେ ଗୋଟେ ଆକ୍ସିଡେଣ୍ଟ ରେ ତା' ସ୍ଵାମୀ ଙ୍କ ମସ୍ତିଷ୍କ ରେ ଗଭୀର ଆଘାତ ଲାଗିଥିଲା। ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ ସବୁଦିନ ପାଇଁ କୋମାକୁ ଚାଲିଯାଇଥିଲେ। ତା'ର ଠିକ୍ ଚାରି ମାସ ପରେ ଝିଅଟିଏ ହେଲା। ଝିଅ ମୁହଁକୁ ଚାହିଁ ଦୁଃଖ କୁ କମ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣା ପଡିଲା ଝିଅ ମୂକ ଓ ବଧିର। ଆଉଗୋଟେ ଝଟକା ଲାଗିଥିଲା ଜୋରରେ। ତା'ପରେ ଅନ୍ୟ ମନସ୍କ ହୋଇ ଅଫିସ୍ ଯାଉଯିବା ବେଳେ ଗୋଟେ ଆକ୍ସିଡେଣ୍ଟରେ ଗୋଟେ ହାତ ହରେଇଥିଲା ଝିଅଟି। ନିଜ କୃତ୍ରିମ ହାତ ଦେଖେଇଲା ବେଳେ କାନ୍ଦିପକାଇଥିଲି ମୁଁ। ଭାଗ୍ୟ ଲୁହର ବନ୍ୟା ତୋଫା ଦେଇଥିଲା କିନ୍ତୁ ମୁଁ ବଦ୍ଧପରିକର ଥିଲି ହସିବା ପାଇଁ- କହିଥିଲା ଝିଅଟି। 'ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ପଡିବ ପ୍ରତ୍ୟେକ ଘଟଣା ଦୁର୍ଘଟଣା ସହ ସାଲିସ୍ କରି ହସିବାକୁ ପଡିବଏଇତ ଜୀବନ।' ନିଜେ ଏତେ କଷ୍ଟ ଦୁଃଖ ଆଉ ଦାୟିତ୍ଵ ର ବଳୟ ଭିତରେ ରହି ସେ ଏତେ ହସହସ ଥିଲା ଆଉ ମୁଁଟିକେଟିକେ କଥାରେ ଭାଗ୍ୟ କୁ ଦୋଷାରୋପ କରୁଥିଲି ??

 ସତରେ- "ହସିବା ପାଇଁ ସୁଖ ନୁହେଁ,ବରଂ ବଞ୍ଚିବାର କଳା ଦରକାର। ଜୀବନ ଭାଗ୍ୟ ଦ୍ବାରା ନିୟନ୍ତ୍ରିତ ନୁହେଁ, ବରଂ ଭାଗ୍ୟ କୁ ସାମ୍ନା କରିବାର ଶକ୍ତି ଦ୍ଵାରା।"



Rate this content
Log in

Similar oriya story from Tragedy