ବାପା
ବାପା


ସେଦିନ ମୁଁ ଜମ୍ମା ବି ବୁଝିପାରୁନଥିଲି ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଘୂର୍ଣ୍ଣନ ଓ ପୁଣି ଏକ ସରଳ ରେଖାରେ ରହିବା ଓ କାହାର ଛାଇ କେମିତି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଉପରେ ପଡିଲେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ହୁଏ, ତ ମତେ ବାପା ଚୌକି ବସାଇ ଦେଇଥିଲେ, ଆଉ ଭିତରେ ଭିତରେ ବାପାଙ୍କୁ ଗାଳି ଦେଉଥିଲି ମନେ ମନେ,ତାଙ୍କର ମୋ ପ୍ରତି ନିଷ୍ଠୁର ଆଚରଣ ସକାଶେ.l ଆଉ ସେଦିନ ଯେବେ ଦୁଇ ଚାରି ଜଣ ସାଙ୍ଗଙ୍କୁ ଆଣି ମୋ ଶୋଇଲା ଖଟପାଖରେ ପହଞ୍ଚାଇଦେଇ କହୁଥିଲେ ଦେଖ, ତମେ ସବୁ ଉଠିଗଲଣି, ଏ ଶୋଇଛି ଏଯାଏଁ, ତ ବୋଉ ସେଦିନ ଚୌକି ବସାଇବାରୁ ଯେମିତି ରକ୍ଷା କରି ନେଇଥିଲା ସେମିତି ରକ୍ଷାକରିଦେଇଥିଲା ତା ଦେହ ପା ଭଲ ନାହିଁ କହି l
ହେଲେ ରାତିରେ ଯେବେ ବୋଉ ସେହିକଥାର ପ୍ରତିବାଦ ବାପାଙ୍କ ଆଗରେ କରୁଥିଲା, ଯେ ଝିଅ ପିଲାଟାକୁ ଏମିତି ଚୌକି ବସାଉଛ, ତା ଅଣ୍ଟା ଶୀଘ୍ର ନଇଁ ପଡିବ, ଆଣ୍ଠୁ ବିନ୍ଧିବ, ତ ବାପା କହୁଥିଲେ ନାଇଁ ନାଇଁ, ତମେ ଜାଣିନ, ମୋ ଝିଅର ବେଶୀ ଜୋର ଵା ତାକତ ହେବ l ଏଇ ଦେଖୁନ ରୋଗ ଗୁଡା ଆଜିକାଲି ଯେମିତି ଶୀଘ୍ର ମାଡିବସୁଛି, ମଣିଷଙ୍କୁ ସେଥିପାଇଁ ଯୋଗ ବ୍ୟାୟାମର ଆବଶ୍ୟକତା ଅଛି ନା ନାହିଁ, ପୁଣି ଝିଅ ତ ତମର ଖେଳ କୁଦ କି ଯୋଗ ବ୍ୟାୟାମର ନାଆଁ ଗନ୍ଧ ଧରୁନି, ତ ବସୁ କିଛି ସମୟ ଚୌକି l ସେଦିନ ମନେ ମନେ ଗାଳି ଦେଉଥିବା ବାପାଙ୍କର ପାଦ ଛୁଇଁ ଲୁହରେ ଭସାଇ ଦେବାକୁ ଇଚ୍ଛା ହେଉଥିଲା, ପୁଣି ପିଲାଟାକୁ ସାଙ୍ଗମାନଙ୍କ ଆଗରେ ଅପମାନିତ କଥାର ପ୍ରତ୍ୟୁତ୍ତର ରେ ବାପା କହୁଥିଲେ, ଏଠି ତମେ ଅଛ ତାକୁ ରକ୍ଷା କରିବାକୁ, ହେଲେ ପରବର୍ତ୍ତୀ ଜୀବନରେ ପ୍ରତି ପଦକ୍ଷେପରେ ଆସୁଥିଵା ମାନ ଅପମାନ ପାଇଁ ସେ ପ୍ରସ୍ତୁତ ଥିବା ଦରକାର ନା ନାଇଁ !
ତାପରଠୁ କଲୋନୀ ପିଲାଙ୍କୁ ଡାକି ବାପା ଯେବେ ଦୌଡ଼ ଵା ଦୌଡିଡିଆଁ ପତିଯୋଗିତା କରାଉଥିଲେ ସେ ହିଁ ଆଗୁଆ ହେଉଥିଲେ l ଆଜି ଏତେ ବର୍ଷ ପରେ ବିଶ୍ୱ ଯୋଗ ଦିବସରେ ବିଜ୍ଞାନ ଶିକ୍ଷୟିତ୍ରୀ ମୁଁ ପିଲାଙ୍କୁ ଯୋଗ କରାଇ, ପଡ଼ିଥିବା ସୂର୍ଯ୍ୟ ପରାଗ ବିଷୟରେ ବୁଝାଇ ଘରକୁ ଫେରି ଦେଖେତ, ନାତୁଣୀଟାକୁ ବୋହୂଟି ଚୌକି ବସାଇ ଥିଲା ଆଉ ମୋର କେବଳ ମୋ ବାପାଙ୍କ କଥା ମନେ ପଡୁଥିଲା. l