ପି.ଏମ୍.ମନସ୍ଵିନୀ ରାଉତରାୟ

Tragedy Crime

4.0  

ପି.ଏମ୍.ମନସ୍ଵିନୀ ରାଉତରାୟ

Tragedy Crime

ଅଲିଭା ଦାଗ

ଅଲିଭା ଦାଗ

4 mins
290


ସେଦିନ ସହଳ କାମରୁ ଲେଉଟିଥିଲି। ଆଗୁଆ ମାସକର ପଇସା ମାଗିଆଣିଚି ବାବୁଙ୍କ ଫାଇଲି ଉପରେ ଟିପ ଚିହ୍ନ ଟାଏ ଥୋଇ। ସାଇକଲ ପେଡାଲ୍ କୁ ଜୋର୍ ଜୋର୍ ଘୁରେଇ ମନପବନ ଘୋଡାରେ ଉଡ଼ି ଉଡ଼ି ପହଞ୍ଚିଲି ହରିପୁର ହାଟ ରଘୁନା ଲୁଗା ଦୋକାନରେ। ଗୋବିନ୍ଦା ର ମୋର ଘଡ଼ିଏ କାଳ ବାଛି ବାଛି ସବୁଠାରୁ ସୁନ୍ଦରିଆ ଫ୍ରକ୍ ଟାଏ ବାଛିଲୁ। କାକୁତି ମିନତି ହେଲାରୁ କୋଡ଼ିଏ ଟା ଟଙ୍କା ଛାଡ଼ିଲା ରଘୁନା,ସେ ବି କଣ କରିବ! ଯା ହେଲେବି ସେ ଦୋକାନୀ ନା ,ତା ଲାଭ ରଖି ବିକିବ!ତାର ବି ପିଲାଛୁଆ ସଂସାର।ମୋ ଭଳିଆ ଦିନ ମଜୁରିଆ ପାଇଁ ତା ବେପାର ବୁଡିବ ନା କଣ? କେରିୟଲରେ ଡ୍ରେସ୍ ଜରି ଚାପିଦେଇ , ଗୋବିନ୍ଦାକୁ ଜଗେଇଦେଇ ଦୌଡ଼ି ଯାଇ ଟଙ୍କା ଦି'ଶହ ଧରେଇଦେଲି ଗୌତମକୁ , ବୁଦ୍ଧିଆ'ଦା ସାନ ପୁଅ ଗୌତମ।ସହରରୁ ଆସି ଏଇ ସନ ମିଠା ଦୋକାନ ଖୋଲିଛି ଛକରେ । ଇଂରାଜୀରେ 'ପ୍ରାପ୍ତି' ଲେଖି କାଗଜ ପେଟିରେ ପୁରେଇ କେକ୍ ଧରେଇଦେଲା ହାତରେ। ବଡ଼ ହୁସିଆର୍ ରେ ଆଣି କେରିୟାଲ ରେ ଚାପିଲି। ଗୋବିନ୍ଦା ଚିଡ଼ି ଯାଇଥିଲା ଅପେକ୍ଷା କରି କରି।ଆଉ ଡେରି ନକରି ଚାଲିଲୁ ଗାଁ କୁ।

          ସୁକୁଚୁନି ମେଳା , ବୁଧେଇ ଓଷା...ଏମିତି କେତେ ଓଷା ବ୍ରତ ନକରିଛି ସୁମି, ଖାଲି ଟିକେ ମା' ଡାକ ଶୁଣିବା ପାଇଁ। ଶେଷରେ ଭଗବାନ ନିଜ ଜିଦ୍ ରୁ ଓହରି ଦୟା କଲେ।ବାହାଘରର ନ'ବର୍ଷ ପରେ ଏଇ ସୁନା କଣ୍ଢେଇକୁ ଦେଲେ।ଭଗବାନଙ୍କ ଦୟାରୁ ମିଳିଥିବାରୁ ସୁମି ନାଁ ବାଛିଦେଲା 'ପ୍ରାପ୍ତି',ଗରୀବର କୁଡ଼ିଆରେ ମା ଲକ୍ଷ୍ମୀ।ଅନ୍ଧାର ଘରେ ପଶିଗଲେ ସତେ ଆଲୁଅ ଦାଉ ଦାଉ ଜଳିବ।ସାହି ଲୋକେ କହନ୍ତି "ରବି ଝୁଅ ବଡ଼ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ ହବ, କୋଟିଏରେ ଗୋଟିଏ" ।

             ସୁମି ଡାହାଣା ଆଖି ଗୁଡ଼ା ଫୁଟିଯାଉ ବୋଲି ଅଭିଶାପ ଦେଇ ଥୁ ଥୁ କରି ଛେପ ପକେଇଦିଏ ଝିଅ ଉପରେ।

ମୁଁ ଉପରେ ସିନା ଟିକିଏ ହସିଦିଏ,ହେଲେ ଭିତରର ବାପପଣିଆ‍କୁ ଗୋଟାଏ ଅଜଣା ଭୟ ମାଡିବସେ ।ନିଶ୍ବାସ ବନ୍ଦ ହେଇଯାଏ ।ଆକ୍ତା ମାକ୍ତା ହେଇଯାଏ ଭୟରେ.....

              "ଆରେ ରବି ତୋ ସ୍ତ୍ରୀ କଣ ଝୁଅ ଜନ୍ମଦିନ ଭୋଜି ଦିନରୁ ଦେଲାଣି ନା କଣ?" ଗୋବିନ୍ଦା କଥାରେ ଭାବନା ଭାଙ୍ଗିଗଲା। ଘର ଆଗରେ ଏତେ ଭିଡ଼...ଖଣ୍ଡେ ଦୂର ଯାଏ ଶୁଭୁଚି ଲୋକଙ୍କ ପାଟି। 

          "ଏ ସ୍ତ୍ରୀ ଲୋକ ଗୁଡ଼ାଙ୍କୁ ପାରିହବନି...ସୁମିକୁ ମୁଁ କହିଥିଲି ସଞ୍ଜରେ ଡାକିବାକୁ, ଇଏ ଗାଧୁଆବେଳୁ ଡାକି.....

ବାକି କଥା ତକ ତଣ୍ଟି ପାଖରୁ ବାହାରିଲାନି। "କାନ୍ଦ ବୋବାଳି ଶୁଭୁଚି କଣ? ଆରେ ଏ ତ ସୁମିର ସ୍ୱର..."ଗୋବିନ୍ଦା ପାଟିରୁ ଏତକ ଶୁଣିଲା ବେଳକୁ ଛାତି ଭିତରେ ଭୂମିକମ୍ପ ହେଇଗଲା।

          ସାଇକଲଟା ଷ୍ଟାଣ୍ଡ ମାରିବାକୁ ବି ତର ସହିଲାନି...

ଲୋକଙ୍କ ଭିଡ଼ ଠେଲି ଭିତରେ ପଶି ଦେଖିଲି ମଥା ପିଟି ସୁମି କାନ୍ଦୁଛି । ମତେ ଦେଖି ପକେଇ ଭୋ ଭୋ ହେଇ କାନ୍ଦି ଉଠିଲା ,କିଛି କହିବା ଆଗରୁ ଚେତା ହରେଇ ଗଡ଼ ଭଳି ଗଡ଼ିପଡିଲା ଧୂଳି ସର୍ ସର୍ ଦାଣ୍ଡରେ।

         କିଛି ବୁଝିପାରୁ ନଥାଏ ମୁଁ...! 

ମୋ ପରୀ ମା'....ମୋ ଝିଅ...କୁଆଡେ ଗଲା...କାଇଁ ସେ....ମାଆ ଲୋ....।

         ସାବି ବୋଉ କୋଳକୁ ସୁମିକି ଦେଇ ଘର ଭିତରକୁ ଦୋଉଡିଲି । ମୋ ଝିଅର ଡ୍ରେସ୍ ଟିକ୍ ଟିକ୍ ହେଇ ପଡ଼ିଛି ଘର ସାରା । ଘର କୋଣରେ କୁଙ୍କୁରି କାଙ୍କୁରୀ ହେଇ ବସିଚି ସେ , କି ବିଭତ୍ସ ରୂପ ତା'ର...ଓଃ! ଆଉ ଦେଖି ପାରିଲିନି ନାଁ... ।

         ଯୋଉ ଭୟ ସାତ ବରଷ ହେଲାଣି ମତେ ଗୋଡୋଉଥିଲା ଆଜି ଗିଳିଦେଲା। ହେ ଭଗବାନ୍...ଯୋଉ ଖୁସି ଦେବା ପାଇଁ ଏତେ ଡେରି କଲ, ତାକୁ କେଇଟା ମୁହୂର୍ତ୍ତରେ ସାରିଦେଲ। ସୁନା କଣ୍ଢେଇରୁ ମାଟି କଣ୍ଢେଇ କରିଦେଲ !

         ବଡ଼ କଷ୍ଟରେ ଆଖି ଖୋଲିଲି, ନିଜକୁ ଲୁହା ଠାରୁ ବେଶୀ କଠିନ କରି ମୋ ସୁନା ଝିଅ ପାଖକୁ ଯିବାକୁ ପାଦ ବଢ଼େଇଲା ବେଳକୁ...।

         ସେ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ଘୁଞ୍ଚି ଯାଉଥିଲା ଦୂରକୁ... ଆହୁରି ଦୂରକୁ...କାନ୍ଥ ଭିତରେ ପଶିଯିବ ଅବା।ଝାଳରେ ଓଦା ଅଲାରା କେଶ ଦେଇ ଦେଖି ହୋଉଥିଲା ତାର ଭୟରେ ସଦ୍ୟ ଲୁହ ଭିଜା ଆଖିକୁ।

          ଘରକୁ ଆସିଲେ ଯିଏ ବାପା ବାପା କହି ଘର କମ୍ପୋଉଥିଲା ଆଜି ମୋ ପାଖକୁ ବି ଆସିବାକୁ ଡରୁଚି।ପାଖକୁ ଗଲେ କାମୁଡ଼ି ରାମ୍ପୁଡ଼ି ପକୋଉଚି। ଯା କରୁ ପଛେ, ସେ ମୋ ଜୀବନ।ବଡ଼ କଷ୍ଟରେ ତାକୁ ଡାକ୍ତରଖାନା ନେଇଗଲୁ।ଘଡିକି ଘଡ଼ି ହୋସ ଆସୁଥାଏ ଯାଉଥାଏ।ଏପଟେ ସୁମିର ବି ସମ ଦଶା ଯେତିକି ସମୟ ହୋସ୍ କୁ ଆସୁଥାଏ ମୁଣ୍ଡ ପିଟି କାନ୍ଦିଥାଏ ପୁଣି ବେହୋସ୍।ଦି'ହପ୍ତା ପରେ ଡାକ୍ତରଖାନାରୁ ଘରକୁ ଆସିଲା ମୋ ଗେହ୍ଲେଇ ରାଣୀ।

           ଭାବିଥିଲି ଛୋଟ ଛୁଆ ଦିନ କେଇଟାରେ ସବୁ ଭୁଲିଯିବ। କିନ୍ତୁ ସେ ଆଉ ପୂର୍ବପରି ନଥିଲା । ବାହାରର କୋଉବି ପୁଅଙ୍କୁ ଦେଖିଲେ ଚିତ୍କାର କରୁଥିଲା।ଘରୁ ବାହାରକୁ ବାହାରୁ ନଥିଲା, ମୋ ପାଖକୁ ଆସିବା ତ ଦୂରର କଥା। ଅଭାଗା ବାପ ମାଆ ଦି'ଟାଙ୍କ ଖୁସିର ଗଙ୍ଗାରେ କିଏ ବିଷ ମିଶେଇ ଦେଇଥିଲା। ଖୁସିର ସଂସାରର କାନ୍ଥରେ ଅଲିଭା ଦାଗ ଦେଇଯାଇଥିଲା ଅତୀତ।

            ଆଉ ସୁମି, ଲୋକଙ୍କ ଟାହି ଟାପରା ଭଲମନ୍ଦ ଶୁଣି ନପାରି ଘର ପଛପଟ ପୋଖରୀରେ ଡେଇଁ ଆତ୍ମହତ୍ୟା କରିଦେଲା । ମୋ ସୁନାର ସଂସାର ଚୂନା ହେଇଗଲା।

            ପୋଲିସ୍ ଅପରାଧୀଙ୍କର ଟେର୍ ପାଇଲାନି ।

କେଇଟା ମାସ ପରେ ବନ୍ଦ୍ ହେଇଗଲା ଫାଇଲ୍।

            ମୋ ଭଳି ଅଭାଗା ବାପାମା ମାନେ ଆଜି କରିବେ କଣ? ଘରେ ବାହାରେ ସବୁଆଡ଼େ ଜିଭ ଲହ ଲହ କରି ଶତ୍ରୁ ମାନେ ସୁଯୋଗ ଅପେକ୍ଷାରେ....କୋଉଠି ଲୁଚେଇ ରଖିବୁ 'ପ୍ରାପ୍ତି' ପରି ପରୀ ମାନଙ୍କୁ? କେଉଁଠି ସେମାନେ ସୁରକ୍ଷିତ? ଯେଉଁମାନେ ନିଜର ଓରମାନା ମେଣ୍ଟାଇବା ପାଇଁ ମୋ ଝିଅର ଜୀବନକୁ ନର୍କ କରିଦେଲେ ସେମାନେ ନିଜ ଘରସଂସାରରେ ମସଗୁଲ । ଯଦି ବି ଧରା ପଡ଼ିଥାନ୍ତେ କେଇଟା ଦିନରେ ଜେଲ୍ ରୁ ମୁକୁଳିଥାନ୍ତେ।ପୁଣି ଘଟଣାର ପୁନରାବୃତ୍ତି...କିନ୍ତୁ ମୋ ରାଣୀ ଝିଅ ପରି ଅବଳା ମାନେ ବଳାତ୍କାର ର ଶିକାର ହୋଇ ପାଇଲେ କଣ? ଲାଞ୍ଛନା? 

ଆଉ ଯେଉଁ ମାନେ ସଂଘର୍ଷ କରିପାରିଲେନି, ସେମାନେ ପାଇଲେ କଣ? ମୃତ୍ୟୁ?

ଏବେ ସିନା 'ପ୍ରାପ୍ତି' କୁ ସାତ ବର୍ଷ, ସତର ବର୍ଷ ବେଳକୁ ମୁଁ କରିବି କଣ?

              ମୋ ମା ମତେ ଡରୁଛି,ଘୃଣା କରୁଛି। କାରଣ ମୁଁ ଜଣେ ପୁରୁଷ ! ୟା ଠାରୁ ବଳି ଶାସ୍ତି କଣ ହେଇପାରେ ମୋ ପାଇଁ?

     ମୋତେ ଏଇ ଘୃଣ୍ୟ ପୁରୁଷ ଜନ୍ମରୁ ମୁକ୍ତ କର ପ୍ରଭୁ! ମୁକ୍ତ କର!

      କେବେ କେବେ ଥମିବ ଏଇ ଲଜ୍ଜା? କେବେ ମୋ ରାଣୀ ପରି ଝିଅ ମାନେ ସ୍ଵାଧୀନ, ସୁରକ୍ଷିତ, ଭୟମୁକ୍ତ ଜୀବନ ବଞ୍ଚିବେ?


Rate this content
Log in

More oriya story from ପି.ଏମ୍.ମନସ୍ଵିନୀ ରାଉତରାୟ

Similar oriya story from Tragedy