MAMATA RANI SATAPATHY

Tragedy

4.3  

MAMATA RANI SATAPATHY

Tragedy

ଅବାଞ୍ଚିତ ମାତୃତ୍ୱ

ଅବାଞ୍ଚିତ ମାତୃତ୍ୱ

7 mins
249


ସକାଳୁ ତରତର ହୋଇ ଉଠି ଗାଧୋଇ ପାଧୋଇ ଜାଉପେଜ ମୁନ୍ଦିଏ ପିଇ ହାଟକୁ ବାହାରି ପଡିଲା ମନ୍ଦିରା ଜାନି। ସପ୍ତାହକୁ ଥରେ ବସେ ହାଟ। ସପ୍ତାହଟି ଯାକ ମନ୍ଦିରା ବଣ ଜଙ୍ଗଲ ବୁଲି ହରିଡା, ବାହାଡା, ଅଁଳା, ମହୁଲ, ଝୁଣା ଯାହା ସଂଗ୍ରହ କରିଥାଏ, ହାଟ ଦିନ ସେ ସବୁ ନିଏ ବିକ୍ରି କରି । ବାରରୁ ତେର ମାଇଲ ବାଟ ଗଲେ ପଡିବ ହାଟ। ସଂଗ୍ରହ କରିଥିବା ଜିନିଷ ସବୁ ଟୋକେଇ, ଚାଙ୍ଗୁଡିରେ ଧରି ବାଟ ଚାଲୁଥାଏ ମନ୍ଦିରା।ବଣ ଜଙ୍ଗଲ ରାସ୍ତା, ସୂର୍ଯ୍ୟଙ୍କ କିରଣ ବି ତଳେ ପଡୁନଥାଏ।ଏକା ନିଶ୍ୱାସରେ ସେ ଚାଲିଥାଏ।ଏତେ ରାସ୍ତା, ସେ ପୁଣି ପାହାଡ ପର୍ବତରେ କିନ୍ତୁ ତା' ଗୋଡ କେବେ ଶିଥିଳ ହୋଇନି।ଜୀବନଟା ତାପାଇଁ ଗୋଟିଏ ରାସ୍ତା।ପିଣ୍ଡରେ ପ୍ରାଣ ଥିଲା ପର୍ଯ୍ୟନ୍ତ ସେ ଚାଲୁଥିବ।ଆଗକୁ ଆସୁଛି ନା ପଛକୁ ଯାଉଛି ସେ କଥା ସେ ଜାଣିନି, କେବଳ ଚାଲୁଛି।କାହାର କେତେବେଳେ ଔଷଧ ଦରକାର, କିଏ ଉଠି ପାରୁନି ତା'କୁ ଖାଦ୍ୟ ଦରକାର, କେଉଁ ରୋଗୀ ଚାଲିପାରୁନି ତାକୁ ମେଡିକାଲ ନେବାକୁ ହେବ, ଯାହାର ଯାହା କାମ ଥାଏ, ମନ୍ଦିରା ଜାନିନାଆଁସେଠି ଉଠେ।ଆଉ ଡାକ ଶୁଭିଲା ମାତ୍ରେ ସବୁକାମ ଦାମ ଛାଡି ସେ ସେଠି ହାଜର ହୋଇଯାଏ।ବିପଦରେ ପଡିଦିବା ଲୋକକୁ ସିଏ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରେ କିନ୍ତୁ ପ୍ରତିବଦଳରେ କେବେ କାହା ଠାରୁ କିଛି ଚାହିଁନି।ସେଥିପାଇଁ ସେହି ପଡା ଓ ତା' ପାଖାପାଖି ପଡାର ଲୋକମାନେ ତାକୁ ଭାରି ଭଲପାଆନ୍ତି।

ହଠାତ୍ ଦିନେ ମନ୍ଦିରା ନିଜକୁ ଆବିଷ୍କାର କଲା ମେଡିକାଲ୍ ରେ।ନର୍ସକୁ ପଚାରି ଜାଣିବାକୁ ପାଇଲା ଏଇଟା ହେଉଛି ଜୟପୁର ମେଡିକାଲ୍।ତା ପଡା ଠାରୁ ବହୁତ ଦୂର।ସେ ଏଠାକୁ କାହିଁକି ଆସିଲା? ତା'ର କ'ଣ ହୋଇଛି ନା ସେ କାହାକୁ ନେଇକରି ଆସିଛି....?.ଇତ୍ୟାଦି ଅନେକ ପ୍ରଶ୍ନ ତା'ମନରେ ଉଠୁଥାଏ।ଏହି ସମୟରେ ଡାକ୍ତର ବାବୁ ଆସି ପଚାରିଲେ "ଆରେ ମା' ତୋର ଚେତା ଫେରିଲାଣି?ତତେ ଏବେ କେମିତି ଲାଗୁଛି?" "ଆରେ ଡାକ୍ତର ବାବୁ ମୁଁ ଏଠିକୁ କେମିତି ଆସିଲି?ମତେ କିଏ ଆଣିଲା?ମୋର କ'ଣ ହୋଇଛି କି ବାବୁ?" ମନ୍ଦିରା ଜାନି ପଚାରିଲା...।

" ତୋର ପରା ମା' ଦେହ ଖରାପ ଥିଲା, ଜଣେ ବାବୁ ତତେ ଏଠାକୁ ନେଇକରି ଆସିଛନ୍ତି।" ଡାକ୍ତର ବାବୁ କହିଲେ।

ତାପରେ ଜଣେ ଯୁବକ ଆସିଲେ, ଡାକ୍ତରଙ୍କୁ ପଚାରିଲେ "ପେସେଣ୍ଟର ଅବସ୍ଥା କିପରି ଅଛି ?" ଡାକ୍ତର କହିଲେ "ଚେତା ଫେରିଲାଣି, ଭଲ ଭାବରେ କଥା କହିପାରୁଛି, ଭଲ ହୋଇଗଲାଣି, ଏବେ ତୁମେ ତାକୁ ଘରକୁ ନେଇପାର।" 

  ଯୁବକଟି ଆସି ପହଞ୍ଚିଲା ମନ୍ଦିରା ଜାନି ପାଖରେ।ଡାକ୍ତର ବାବୁ ମନ୍ଦିରାକୁ କହିଲେ"ଦେଖ ମା ଇଏ ହେଉଛନ୍ତି ସେହି ଲୋକ, ଯିଏ ତତେ ମେଡିକାଲ୍ ଆଣିଥିଲେ।ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଦିନ ହେଲାଣି ସିଏ ତୋର ବୁଝାଶୁଣା କରୁଛନ୍ତି।" "ତମେ କିଏ ବାବୁ" ମନ୍ଦିରା ପଚାରିଲା।"ମୁଁ ଉଦିଆ ଦିଗାଲ୍, ବୈପାରିଗୁଡାରେ ମାଷ୍ଟ୍ର କାମ କରୁଛି।" ମନ୍ଦିରା ହତବାକ୍ ହୋଇ ଚାହିଁରହିଥାଏ ଯୁବକଟିକୁ। ଗୋରା ତକତକ ଚେହେରା, ମୁହଁର ଗଠନ ଭାରି ସୁନ୍ଦର।କିନ୍ତୁ ଏହି ଧୋବ ଧାଉଳିଆ ବାବୁ ମାନଙ୍କୁ ତା'ର ବିଶ୍ୱାସ ନାହିଁ।ଜିନ୍ସ୍ ପ୍ୟାଣ୍ଟ୍ ଓ ଟି ସାର୍ଟ ପିନ୍ଧା, ମୁହଁରେ ପାଉଡର, ଦେହରେ ସେଣ୍ଟ ମାରି ଭଲକଥା କହୁଥିବା, ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ଏହି ମଣିଷମାନଙ୍କ ଭିତରେ ଗୋଟିଏ ଅସଭ୍ୟ ରାକ୍ଷସର ରୂପ ଦେଖିପାରୁଥିଲା ମନ୍ଦିରା ଜାନି। ଏମିତିକା ମଣିଷ ମାନଙ୍କୁ ମନ୍ଦିରାର ଭାରି ଭୟ।ମୁହଁରେ ଏମାନେ ଭଲକଥା କୁହନ୍ତି କିନ୍ତୁ ଭିତରେ ଏମାନଙ୍କର ଥାଏ ଗୋଟିଏ ଭୟଙ୍କର ପୈଶାଚିକ ପ୍ରବୃତ୍ତି।ଏମାନେ ସ୍ୱାର୍ଥପର ମଣିଷ। ନିଜର ସ୍ୱାର୍ଥସାଧନ ପାଇଁ ଏମାନେ ସବୁକିଛି କରିପାରନ୍ତି।ଏମିତି ଅନେକ କଥା ଭାବୁଥାଏ ମନ୍ଦିରା। ହଠାତ୍ ଯୁବକଟି ପଚାରିଲା "କଣ ଦେଖୁଛୁ ମାଆ' ? ଏବେ ତ ତୁ ଭଲ ହୋଇଗଲୁଣି, ତୋର କେଉଁ ଗାଁ କହ? ମୁଁ ତତେ ନେଇ ସେଠି ଛାଡିଦେଇ ଆସିବି"। ମନ୍ଦିରା ଅଣ୍ଟାରେ ହାତ ମାରିଲା, ଦେଖିଲା କରାଟଟା ଅଛି। ଯୁବକଟିକୁ ପିଠିକରି କରାଟ ଖୋଲିଲା, ଦେଖିଲା ତିନିକୋଡି ଦଶ ଟଙ୍କା ଅଛି। ମନେ ପଡିଗଲା ତା'ର, ହାଟ ଦିନ ସେ ଏତିକି ଟଙ୍କା ବିକ୍ରି କରିଥିଲା। ପୁଣି ଚାହିଁଲା ଯୁବକଟିକୁ। ଯୁବକଟି କହିଲା "ତୁ ବ୍ୟସ୍ତ ହୁଅନା, ତୋର ଟୋକେଇ, ଚାଙ୍ଗୁଡି ମୁଁ ଜଣଙ୍କ ଘରେ ରଖିଦେଇ ଆସିଛି।ଗଲାବେଳେ ତାକୁ ମାଗିକରି ନେଇଯିବା।" ମନ୍ଦିରା ପୁଣି ଅନ୍ୟମନସ୍କ ହୋଇଗଲା, ଭାବିଲା ଏ ବାବୁ ମୋର ପଇସା ତ ନେଇନି, ଟୋକେଇ, ଚାଙ୍ଗୁଡି ରଖିଦେଇଛି କହୁଛି, ହେଲେ ମତେ ଡାକ୍ତରଖାନା ଆଣିଲା, ଡାକ୍ତର ଦେଖାଇଲା, ଏବେ ଘରେ ଛାଡିଦେବ କହୁଛି, କ'ଣ ତା ନିଜ ପଇସାରୁ ଏ ସବୁ କରିଛି? ସେ ପୁଣି ତାକୁ ଚାହିଁଲା। କାହିଁକି କେଜାଣି ସେ ଯୁବକଟି ତାକୁ ନିଜର ନିଜର ଲାଗୁଛି।ଜୀବନରେ ପ୍ରଥମ ଥର ପାଇଁ ସେ ଏମିତି ଅନୁଭବ କରୁଛି। ତା'ର ଗୋଡହାତ କ'ଣ ହୋଇଯାଉଛି, ମୁଣ୍ଡ କାମ କରୁନି। ତା ଦେହରୁ ଗମ୍ ଗମ୍ ଝାଳ ବାହାରୁଛି, ତା'ର ପାଟିରୁ କଥା ବାହାରୁନି। ମନ୍ଦିରାର ଏପରି ବିଚଳିତ ଅବସ୍ଥା ଦେଖି ଯୁବକଟି ପଚାରିଲା "କଣ ହେଲା ମା'? ତୁ ଏମିତି କ'ଣ ହେଉଛୁ? ତୋର କିଛି ହୋଇନି ? ଯାହା ଟିକିଏ ଦେହ ଖରାପ ଥିଲା, ଏବେ ଭଲ ହୋଇଗଲାଣି। ଡାକ୍ତର ବାବୁଙ୍କୁ ପଚାରି ମୁଁ ଔଷଧ କିଣିଦେବି।ତୁ ଚାରି, ପାଞ୍ଚ ଦିନ ଖାଇଲା ପରେ ପୁରା ଭଲ ହୋଇଯିବୁ। ଚାଲ ଆମେ ଏଠାରୁ ଯିବା" କହି ସିଏ ମନ୍ଦିରାର ହାତକୁ ଧରିଲା।ଏପଟେ ମନ୍ଦିରା ଭାବୁଥାଏ, ସହରରୁ ଏପରି ବାବୁ ମାନେ ଆସନ୍ତି, ଆମର ଏଠି ବଣ ପାହାଡରେ ଚାକିରି କରନ୍ତି, ସରଳ ଆଦିବାସୀ ମାନଙ୍କୁ ନିଜର ମାୟାଜାଲରେ ଫସାନ୍ତି, ବିଶ୍ୱାସର ଦ୍ବାହି ଦେଇ ସେମାନଙ୍କ ଠାରୁ ସବୁକିଛି ଲୁଟନ୍ତି, ତା'ପରେ ସେମାନଙ୍କୁ ଚିହ୍ନିନ୍ତି ନାହିଁ।

    କିନ୍ତୁ ଏ କ'ଣ ହେଉଛି ! ଯୁବକଟି ତାକୁ ଛୁଇଁବା ପରେ ତା'ର ଦେହ ମନରେ ଗୋଟିଏ ଶିହରଣ ଖେଳିଗଲା। ସେ ଆଉ ପାରୁନି, ନିଜକୁ ସମ୍ଭାଳି ପାରୁନି, ଇଚ୍ଛା ହେଉଛି ତା'କୁ ଛାତିରେ ଜାବୁଡି ଧରିବ।ଏତେ ଦିନ ଧରି ତା' ହୃଦୟରେ ଶୁଖି ଯାଇଥିବା ମମତାର ଝରଣାଟା ପୁଣି କଳକଳ ହୋଇ ଝରିବା ଆରମ୍ଭ କରିଦେଇଛି।ତାର ଗତି ଏତେ ପ୍ରଖର ଯେ କୌଣସି ବାଧା ବନ୍ଧନ ମାନିବାକୁ ସେ ପ୍ରସ୍ତୁତ ନୁହେଁ। କିନ୍ତୁ ବହୁ କଷ୍ଟରେ ସେ ତା'ର ଆବେଗକୁ ସମ୍ଭାଳି ଉଠିଲା ଓ ପ୍ରସ୍ତୁତ ହେଲା ସେ ଯୁବକ ସହିତ ଯିବାପାଇଁ। ଯୁବକଟି ରାସ୍ତାରେ ଔଷଧ କିଣିଲା, ଆଉ ତାକୁ କହିଲା, "ଖାଲି ପେଟରେ ସକାଳୁ ଗୋଟିଏ ଓ ରାତିରେ ଗୋଟିଏ ବଟିକା ଖାଇବା ପାଇଁ। ମନ୍ଦିରା ଯୁବକଟିକୁ ପପଚାରିଲା" ବାବୁ ତମେ ମତେ କେଉଁଠୁ ପାଇଲ ? ଏଠାକୁ କେମିତି ଆଣିଲ ?" ଯୁବକଟି ଉତ୍ତର ଦେଲା" ମୁଁ ହାଟରୁ ଫେରିଲାବେଳେ ତତେ ଦେଖିଲି, ତୁ ରାସ୍ତାରେ ପଡିଥିଲୁ, ତୋର ଟୋକେଇ, ଚାଙ୍ଗୁଡି ସବୁ ଏଠି ସେଠି ପଡିଥିଲା।। ମୁଁ ତତେ ସେଠାରୁ ଉଠେଇ କାନ୍ଧରେ ନେଇ ଆସିଲି। ତୋ ଟୋକେଇ, ଚାଙ୍ଗୁଡି ସେଠାରେ ଜଣଙ୍କ ଘରେ ରଖିଦେଇ କହିଲି, ମୁଁ ଫେରିଲାବେଳେ ଏଗୁଡାକ ନେଇଯିବି। ମନ୍ଦିରା ପଚାରିଲା, " ବାବୁ ଏତେ ଦୂର ପାହାଡିଆ ରାସ୍ତା ତୁ ମତେ କାନ୍ଧରେ ନେଇ କେମିତି ଆସିଲୁ? ତତେ ଭାରି କଷ୍ଟ ହୋଇଥିବ।" "ଆଉ କ'ଣ କରିଥାନ୍ତି? ତତେ କ'ଣ ସେଠି ଛାଡି ଆସିଥାନ୍ତି ? ତୋ ମୁହଁରେ ପାଣି ଛାଟିଲି, ତୋର ଚେତା ଫେରିଲାନି, ରାତି ହୋଇଥିଲେ ବାଘ କି ଭାଲୁ ଖାଇଦେଇଥାନ୍ତେ, ସେଥିପାଇଁ ଆଣିଲି। ରାସ୍ତାରେ ଦେଖିଲି ବି.ଡି.ଓଙ୍କ ଗାଡି ଯାଉଥିଲା। ସେ ଗାଡିରେ ଆଣି ତତେ ମେଡିକାଲ୍ରେ ପହଁଞ୍ଚିଲି। ଡାକ୍ତର ବାବୁ କହିଲେ ତିନିରୁ ଚାରି ଦିନ ଲାଗିବ।ଏଠାରେ ଗୋଟିଏ ସାଙ୍ଗ ଘରେ ରହିଥିଲି।" କହିଲା ଯୁବକଟି।" ତୁ ମୋପାଇଁ ବହୁତ କଷ୍ଟ ପାଇଲୁ ନା ବାବୁ? ଏତେ ପଇସା ମୋପାଇଁ ଖର୍ଛ କଲୁ, ମତେ ଭାରି କଷ୍ଟ ଲାଗୁଛି, ନେ ମୋ ପାଖରେ ତିନିକୋଡି ଦଶ ଟଙ୍କା ଅଛି, ତୁ ରଖେ।"ମନ୍ଦିରା କହିଲା।

    ତୁ ଏ କ'ଣ କହୁଛୁ ମା'! ମଣିଷ, ମଣିଷକୁ ସାହାଯ୍ୟ କରିବନି ତ କ'ଣ ପଶୁ କରିବ ? ମୁଁ ଗୋଟିଏ ମଣିଷର ଧର୍ମ ପାଳନ କରିଛି।ଆଉ ରହିଲା ପଇସା କଥା, ଟଙ୍କା, ପଇସା କ'ଣ ସ୍ନେହ ମମତା ଠାରୁ ବଡ ? ତୋର ମୁହଁରେ ମୁଁ ଆଜି ଯେଉଁ ହସ ଦେଖିଲି ତା'ର ମୂଲ୍ୟ, ମୁଁ ତୋ ପାଇଁ ଖର୍ଛ କରିଥିବା ଟଙ୍କା ପଇସା ଠାରୁ ଢେର୍ ଗୁଣ ଅଧିକ।" ଯୁବକଟି କହିଲା। ଏଥର ମନ୍ଦିରା କହିଲା "ବାବୁ ମୁଁ ତୋନାଆଁଧରି ଡାକିବି?" ଯୁବକଟି କହିଲା " ଡାକ ମା' ମୋନାଆଁଉଦିଆ । ତୁ ମତେ ବାବୁ ନ ଡାକି କେବଳ ଉଦିଆ ଡାକିଲେ ମୁଁ ଅଧିକ ଖୁସି ହେବି ।" "ସତ କହୁଛୁ ଉଦିଆ" ମନ୍ଦିରା କହିଲା। ତାପରେ ମନ୍ଦିରା ତା ଗାଁରେ ପହଁଞ୍ଚିଲା। ତାକୁ ଛାଡିଦେଇ ଉଦିଆ ଯିବାକୁ ବାହାରିଲା। ମନ୍ଦିରା କହିଲା "ଉଦିଆ ଆ, ମୋ ଘରେ ଯାହାଅଛି ଟିକିଏ ଖାଇକରି ଯିବୁ।" ଉଦିଆ କହିଲା " ମୁଁ ପୁଣି ଆସିବି ମା, ସେତେବେଳେ ଖାଇବି। ଏବେ ଚାରି ପାଞ୍ଚ ଦିନ ହେଲା ସ୍କୁଲ୍ ଛୁଟି ହେଲାଣି, ଚାକିରି ଚାଲିଯିବ।" କହି ତରତରରେ ବାହାରିପଡିଲା। ସେଦିନ ଆଉ ମନ୍ଦିରା ରାତିରେ ଶୋଇପାରିଲାନି।ଯୁଆଡେ ଚାହିଁଲା ଉଦିଆର ମୁହଁ ତାକୁ ଦେଖାଗଲା । ସେହି ଆଖି, ସେହି ନାକ, ସେହି ପାଟି...। ଅତୀତକୁ ତନ୍ନତନ୍ନ କରି ଖୋଜିଲା ସେ। ଅତୀତର ଗଭୀରତାକୁ ସେ ଯେତିକି ପ୍ରବେଶ କରୁଥିଲା, ତାର ଦୃଦୟ ସେତିକି ବିଦାରିତ ହେଉଥିଲା। ଧିକ୍କାର କରୁଥିଲା ସେ ନିଜକୁ। ସେ ନାରୀ ନୁହେଁ ପିଶାଚୀ। ମା' ନୁହେଁ ସେ କାହାର। ମା' ହୋଇପାରିବନି ସେ କାହାର....। କିନ୍ତୁ୍ ତାହାର ଭୁଲ୍ କ'ଣ? କ'ଣ ତାର ଅପରାଧ ? କାହିଁକି ସେ କଷ୍ଟ ପାଉଛି? ଫୁଲ ପରି ତାର ଯୌବନକୁ ସେ କାହା ପାଖରେ ସମର୍ପି ଦେଇନି ସେଦିନ ଠାରୁ। ଅପେକ୍ଷା କରିଛି ଆଜି ପର୍ଯ୍ୟନ୍ତ। ଏମିତି ଅନେକ ଅସମାହିତ ପ୍ରଶ୍ନ ତା'କୁ ବିଚଳିତ କରିଛି । ଏପଟେ ଉଦିଆ ମଧ୍ୟ ରାତିରେ ଶୋଇପାରିନି। ତା' ଆଖିରେ ବି ନାଚିଛି ମନ୍ଦିରାର ମୁହଁ। କାହିଁକି କେଜାଣି ମନ୍ଦିରା ତା'କୁ ଆପଣାର ଲାଗିଛି, ସତେଯେମିତି ପୂର୍ବ ଜନ୍ମର ସମ୍ପର୍କ।

    ସେପଟେ ମନ୍ଦିରା ଅପେକ୍ଷା କରିଥିଲା ରାତି ପାହିବାକୁ। ରାତି ପାହିବା ମାତ୍ରେ ମନ୍ଦିରା ଦୌଡିଲା ତା'ର ସେ ପୂର୍ବ ଜାଗାକୁ । କୋଡିଏ ପଚିଶ ବର୍ଷ ତଳେ ସେ ଏଠାକୁ ଆସିଥିଲା। ସେ ଗଛ ଅଛି ସେଠି କିନ୍ତୁ ଟୋକେଇ ନାହିଁ। ବାୟାଣୀ ପରି କାନ୍ଦି କାନ୍ଦି ଘୁରିବୁଲିଲା ସେ ଗଛ ଚାରିପଟେ। ଗଛକୁ ଜାବୁଡି ଧରି କାନ୍ଦିଲା ଅନେକ ସମୟ। ସେଠାରୁ ଆଉ ଘରକୁ ଫେରିଲାନି। ନିକଟସ୍ଥ ପଡାରେ ରହିଲା। ପ୍ରତିଦିନ ସେ ଗଛ ପାଖକୁ ଆସେ, ସେଠି ବସି କାନ୍ଦେ। ତାପରେ ପଚାରି ପଚାରି ବୁଝିଲା ସେ ଟୋକେଇରେ ସେଦିନ ଯେଉଁ କଅଁଳା ଛୁଆଟାକୁ ଏଠି ଛାଡିଦେଇ ଯାଇଥିଲା ତା'କୁ ଲମତାପୁଟ ଗ୍ରାମର ପ୍ରଶାନ୍ତ ଦିଗାଲ୍ ନେଇଛି।

   କଣ୍ଟାଲଟା, କି ଦିନ କି ରାତି କାହାକୁ ଭୁକ୍ଷେପ ନ କରି ସେ ଚାଲିଲା ଲମତାପୁଟ ଆଡେ। କଣ୍ଟା ଲାଗି ଲୁଗାପଟା ଚିରିଯାଇଛି, ଦୁଇ ଗୋଡରେ କଣ୍ଟାବାଜି ରକ୍ତଧାର ଲାଗିଛି, ନ ଖାଇ ନ ପିଇ ଦେହଟା କଣ୍ଟା ହୋଇଯାଇଛି, ତେଲ ନ ଲାଗି ମୁଣ୍ଡଟା ଝାମ୍ପୁରା ଦିଶୁଛି..., ଗୋଟାଏ ଭୟଙ୍କର ରୂପ। ପାଖ ପଡା ଲୋକ ତାକୁ ବାୟାଣୀ କହୁଛନ୍ତି। ରାସ୍ତାରେ କିଏ ଦେଲେ ଖାଉଛି ନ ହେଲେ ନାହିଁ। ଅବିରତ ଚାଲୁଛି। ଶେଷରେ ସେ ଯାଇ ପହଁଞ୍ଚିଗଲା ଲମତାପୁଟ ଗ୍ରାମରେ।ପ୍ରଶାନ୍ତ ଦିଗାଲର ଘରକୁ ଗଲା । କବାଟ ବାଡେଇଲା। ଉଦିଆ ଆସି କବାଟ ଖୋଲିଲା କିନ୍ତୁ ସିଏ ଚିହ୍ନି ପାରିଲାନି। କିଛି ସମୟ ତାକୁ ନିରେଖି ଦେଖିଲା ପରେ କହିଲା " ମା' ତୁ ଏପରି ଅବସ୍ଥାରେ ଏଠାରେ ।" ମନ୍ଦିରା ଜାବୁଡି ଧରିଲା।ତାକୁ ଛାତିରେ। ତା'ର ମାତୃତ୍ୱ ଯେପରି ଚାହିଁରହିଥିଲା ସେହି ଦିନଠାରୁ ତା'ର ସନ୍ତାନକୁ କୋଳେଇ ନେବା ପାଇଁ। ସାରା ଆକାଶ, ଧରିତ୍ରୀ ଏକାକାର ହୋଇଗଲା ସେଦିନ। ଓଃ କି ଶାନ୍ତି! ବହୁଦିନରୁ ସାଇତି ରଖିଥିବା ସମସ୍ତ ଆଶିଷ ସେଦିନ ଢାଳିଦେଲା ସେ ଉଦିଆ ଉପରେ...। 

  ଉଦିଆ ଆଶ୍ଚର୍ଯ୍ୟ ହୋଇ ଏ ସବୁ ଦେଖୁଥାଏ କିନ୍ତୁ କିଛି ବୁଝିପାରୁନଥାଏ। ମନ୍ଦିରା କହିଚାଲିଲା ତା'ର ଅତୀତର ସବୁକଥା। ତା'ର ସେହି ଅବାଞ୍ଚିତ ମାତୃତ୍ୱର ଫଳ ହେଉଛି ଏହି ଉଦିଆ। କୋଡିଏ ପଚିଶ ବର୍ଷ ତଳେ ଏମିତି ଜଣେ ସହରୀ ବାବୁ ବି.ଡି.ଓଙ୍କୁ ଆଶ୍ରୟ ଦେଇଥିଲା ମନ୍ଦିରାର ବାପା ନିଜ ଘରେ । ତାଙ୍କୁ ଖାଇବାକୁ, ରହିବାକୁ ବି ଦେଇଥିଲା। ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେହି ବାବୁ ପୈଶାଚିକ ଆକ୍ରମଣ କରିଥିଲା ମନ୍ଦିରା ଉପରେ। ତାପରେ ଯେତେବେଳେ ଜାଣିଲା ମନ୍ଦିରା ମାଆ ହେବାକୁ ଯାଉଛି, ସେତେବେଳେ ସେ ତାକୁ ଛାଡି ପଳାଇଲା। ଆଉ ଫେରିଲାନ। ସମାଜ ଭୟରେ ତା' ବାପା ମାଆ ଆତ୍ମହତ୍ୟା କଲେ, ଆଉ ସେ ମଧ୍ୟ ଛାଡିଦେଇଥିଲା ତା'ର ସେହି କଅଁଳ ନିଷ୍ପାପ ଶିଶୁଟିକୁ ଟୋକେଇରେ ଭର୍ତିେେ କରି ସେହି ଗଛ ମୂଳେ । ସେହି ଦିନ ଠାରୁ ସେ କେମିତି ବଞ୍ଚିଛି କେବଳ ତା'କୁ ହିଁ ଜଣା। ଏତିକି କହୁ କହୁ ତାର ପ୍ରାଣବାୟୁ ଉଡିଗଲା। ହତବାକ୍ ହୋଇ ଉଦିଆ ବସିପଡିଲା ସେଠି। ଭାବିଲା ସେଥିପାଇଁ ବୋଧେ ମନ୍ଦିରା ତା'କୁ ନିଜର ଲାଗିଥିଲା ସେଦିନ । ଅନୁଭବ କରୁଥିଲା ସେ ସେହି ସ୍ନେହ, ମମତା, ପ୍ରେମ ଯାହା ଅତୁଳନୀୟ.....।

~~~~~~~~~~~~~~~~~~~~~~~~



Rate this content
Log in

Similar oriya story from Tragedy