ନୀଳପରୀ
ନୀଳପରୀ
ସୋନୁ ଭାରି ଦୃଷ୍ଟପିଲା । ପ୍ରତିଦିନ ସେ ସାଙ୍ଗମାନଙ୍କ ସହିତ ଝଗଡା କରେ। ପାଠ ପଢାରେ ଜମା ମନ ଦିଏ ନାହିଁ।ବାପା,ମାଁଙ୍କର ସୋନୁ ପାଇଁ ବଡଚିନ୍ତା, ଗୋଟିଏ ବୋଲି ପୁଅ। କେତେ ଠାକୁରଙ୍କୁ ଡାକି ସେମାନେ ସୋନୁ କୁ ପାଇଛନ୍ତି। କିନ୍ତୁ ଭଗବାନ ତାଙ୍କୁ ଏମିତି ଗୋଟିଏ ଦୁଷ୍ଟ ପୁଅ ଦେଇଛନ୍ତି। ପ୍ରତିଦିନ ସୋନୁ ନାଁରେ କଛି ନା କିଛି ଅଭିଯୋଗ ଘରକୁ ଆସେ ବାପା ବହୁତ ବାଡାନ୍ତି, ଗାଳି କରନ୍ତି, କିନ୍ତୁ ସୋନୁ ଉପରେ ତା'ର କିଛି ପ୍ରଭାବ ପଡେ ନାହିଁ।
ସୋନୁ ରାଜାରାଣୀ ଗପ ଶୁଣିବାକୁ ଭଲପାଏ। ଜେଜେମା ଭାବିଲେ ତାକୁ ଗପ ମାଧ୍ୟମରେ ବୁଝେଇ କିଛି ପରିବର୍ତନ କରିବେ। ଜେଜେମା ତାକୁ ରାଜାଗପ କହିଲାବେଳେ ସେମାନେ କିପରି ପରାକ୍ରମୀ ଥିଲେ, ଲୋକମାନେ ତାଙ୍କୁ କିପରି ଭୟ କରୁଥିଲେ,ସେମାନେ ପ୍ରଜାମାନଙ୍କୁ କିପରି ଭଲ ରେ ପାଳୁ ଥିଲେ ସେ ସବୁ ବିଷୟରେ କହୁଥିଲେ। ଗପ ସରିବା ପରେ ସୋନୁ କହୁଥିଲା " ମୁଁ ବି ରାଜା ପରି ସମସ୍ତଙ୍କୁ ଡରେଇବି,ମତେ ବି ସମସ୍ତେ ଭୟ କରିବେ"। ଦିନେ ଜେଜେମା ତାକୁ ନୀଳପରୀ ଗପ କହିଲେ। ନୀଳପରି କେମିତି ଛୋଟ ପିଲାମାନଙ୍କୁ ଆକାଶରେ ଉଡେଇ ଉଡେଇ ପରୀ ରାଇଜ କୁ ନେଇଯାଉଛି,ସେଠାରେ ସେମାନଙ୍କୁ ବୁଲଉଛି,ବିଭିନ୍ନ ସୁସ୍ୟାଦୁ ଖାଦ୍ୟ ଖୁଆଉଛି ଇତ୍ୟାଦି। ଗପ ଶୁଣିସାରି ସୋନୁ ପଚାରିଲା "ଜେଜେମା ନୀଳପରୀ କେଉଁଠି ରହୁଛି ?" ଜେଜେମା କହିଲେ "ପରୀରାଇଜ ରେ ରହୁଛି"। ସୋନୁ ପୁଣି ପଚାରିଲା "ଜେଜେମା ମୁଁ ନୀଳପରୀ କୁ ଭେଟିବି କେମିତି?" ଜେଜେମା କହିଲେ" ତୁ ତା ପାଖକୁ ନିଇତି ଗୋଟିଏ ଗୋଟିଏ ଚିଠି ଲେଖେ। ନୀଳପରୀ ପ୍ରତିରାତି ରେ ପୃଥିବୀ କୁ ଆସୁଛି ଆଉ ତୋ ପରି ପିଲାମାନେ ଲେଖିଥିବା ଚିଠି ସବୁ ପଢୁଛି । ତାପରେ ସିଏ ଯାହାକୁ ପସନ୍ଦ କରୁଛି ତାକୁ ପରୀରାଇଜକୁ ନେଉଛି।
ସୋନୁ ମନେ ମନେ ଭାବିଲା ମୁଁ ନୀଳପରି ସହିତ ନିଶ୍ଚୟ ମିଶିବି ଓ ତା ଠାରୁ ଉଡିବାର କଳା ଶିଖିବି , ଯାହାଫଳରେ ମଣିଷ,ପଶୁପକ୍ଷୀ ସମସ୍ତେ ମତେ ଭୟ କରିବେ। ସେହିଦିନଠାରୁ ପ୍ରତିଦିନ ସେ ନୀଳପରୀ ପାଖକୁ ଚିଠି ଲେଖିବା ଆରମ୍ଭ କରିଦେଲା। ପ୍ରତିଦିନ ରାତି ରେ ସେ ଚିଠି ଲେଖେ, କାହାକୁ କଣ କହିଛି, କାହାକୁ କାହାକୁ ବାଡେଇଛି , ସିଏ କାହାଠାରୁ ମାଡ ଖାଇଛି ଇତ୍ୟାଦି ନୀଳପରୀ ଉଦ୍ଦେଶ୍ୟ ରେ ଲେଖି ଛାତ ଉପରେ ଖୋଲା ସ୍ଥାନରେ ରଖିଦିଏ।କାଳେ ଚିଠି ଉଡିଯିବ, ସେଥିପାଇଁ ତା ଉପରେ ଛୋଟ ଗୁଡିଟିଏ ରଖିଦିଏ।
ବର୍ଷା ଦିନେ କାଗଜ ଡଙ୍ଗା କରି ସେଥିରେ ତା ନାଁ,ଗାଁ, ଠିକଣା ଲେଖି । ସେହି ଚିଠିକୁ ଡଙ୍ଗା ମଧ୍ୟରେ ରଖି ଭସେଇ ଦିଏ । ଏମିତି ଅନେକ ଦିନ ଗଲା, ସୋନୁ ନୀଳପରୀ ପାଖକୁ ଚିଠି ଲେଖୁଛି । ତାକୁ ଅପେକ୍ଷା କରୁଛି, କିନ୍ତୁ ନୀଳପରୀ ଆସୁନି । ଜେଜେମା କିନ୍ତୁ କୁହନ୍ତି ନୀଳପରୀ ନିଶ୍ଚୟ ଆସିବ। ଏପଟେ ସୋନୁ ର ଦୁଷ୍ଟାମି କିନ୍ତୁ କମୁନଥାଏ।ଦିନେ ସେ ତାର ସହପାଠୀ ବଣ୍ଟି କୁ ଏମିତି ଗୋଟିଏ ଟେକା ଲକ୍ଷ୍ୟ କରି ମାରିଲା ଯେ ବଣ୍ଟି ର ମୁଣ୍ଡ ଫାଟିଗଲା।ସେ ବେହୋସ୍ ହୋଇଗଲା।ଗୁରୁଜୀ ସୋନୁ କୁ ବାଡେଇଲେ ଓ ସ୍କୁଲ୍ ରୁ ନାଁ କାଟିଦେଲେ। ଏକଥା ଯେତେବେଳେ ସୋନୁ ର ବାପା ଜାଣିଲେ ସେ ବି ସୋନୁକୁ ବହୁତ ବାଡେଇଲେ କିନ୍ତୁ କରିବେ କଣ ? ପିଲାଟା ଭାରି ଦୁଷ୍ଟ।ଚାଲିଲା ଶଗଡରେ ହାତଦିଏ।ସେଦିନ ସୋନୁ କୁ ରାତି ରେ ଖାଇବାକୁ ଦେଲେନି ।ଭୋକରେ ସୋନୁ ଶୋଇଥାଏ।ସେଦିନ ସ୍ବପ୍ନ ରେ ସୋନୁ ଦେଖିଲା, ନୀଳପରୀ ଆକାଶ ରୁ ସିଧା ତାଙ୍କ ଛାତ ଉପରେ ଓହ୍ଳାଇଲା। ସୋନୁ ର ଚିଠି ପଢିଲା। ମନଦୁଃଖ ରେ ନୀଳପରୀ ପୁଣି ଚାଲିଯିବାକୁ ବାହାରିଲା ବେଳେ ସୋନୁ ତା ସାଙ୍ଗ ରେ ଯିବାପାଇଁ ଅଳି କଲା ।ନୀଳପରୀ କିନ୍ତୁ ଶୁଣିଲାନି । କହିଲା "ତୁମେ ଦୁଷ୍ଟ ପିଲା, ସମସ୍ତଙ୍କୁ ବାଡାଅ, ତମେ ଯଦି ଭଲପିଲା ହେବ, ତା ହେଲେ ତୁମକୁ ମୁଁ ମୋ ସାଙ୍ଗ ରେ ନେବି।ସୋନୁ ଭଲପିଲା ହେବବୋଲି ନୀଳପରୀ କୁ କଥାଦେଲା।ଏମିଥି ସ୍ବପ୍ନ ଦେଖୁଦେଖୁ ସକାଳ ହୋଇଗଲାଣି। ସୋନୁ ର ନିଦ ଭାଙ୍ଗିଲା,ସେ ତରତର ହୋଇ ଉଠି, ତା'ର ନିତ୍ୟକର୍ମ ସାରି ସ୍କୁଲ୍ ବାହାରିପଡିଲା। ସୋନୁ ର ମମି, ଏ ସବୁଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ସୋନୁ କୁ କହିଲେ "ଗୁରୁଜୀ ତ ତୋର ନାଁ କାଟିଦେଇଛନ୍ତି, ତୁ କୁଣ ସ୍କୁଲ୍ ଯାଉଛୁ ?" ସୋନୁ କାନ୍ଦିକାନ୍ଦି ମା'ଙ୍କୁ କହିଲା" ମା, ମୁଁ ଆଉ ଦୁଷ୍ଟ ହେବିନି ।ଏଥର ମନଦେଇ ପାଠପଢିବି,ଭଲପିଲା ହେବି ।ସ୍କୁଲ୍ କୁ ଯାଇ ଗୁରୁଜୀଙ୍କୁ ବି କ୍ଷମା ମାଗିଲା। ଗୁରୁଜୀ ତା କଥା ଶୁଣି ଆନନ୍ଦିତ ହୋଇ ତାକୁ ପୁଣି ପଢିବାକୁ ଅନୁମତି ଦେଲେ।
ସୋନୁ ଆଉ କାହାରିକୁ ବାଡେଇଲା ନାହିଁ।ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଲା।ସମସ୍ତଙ୍କୁ ସାହାର୍ଯ୍ୟ କଲା।ମନଦେଇ ପାଠ ପଢିଲା ।ଶ୍ରେଣୀରେ ପ୍ରଥମ ହେଲା।ଏସବୁ କିନ୍ତୁ ଚିଠି ମାଧ୍ୟମରେ ସେ ନୀଳପରୀକୁ ଜଣାଉଥିଲା। ଦିନେ ସେ ରାଜ୍ୟପାଳ ଙ୍କ ଠାରୁ ପୁରସ୍କାର ପାଇବା ପାଇଁ ମନୋନୀତ ହେଲା।ତାଙ୍କ ପରିବାର ରେ ଖୁସି କହିଲେ ନ ସରେ।ସାଙ୍ଗସାଥୀ,ଗୁରୁମା,ଗୁରୁଜୀ ସମସ୍ତେ ଆଜି ବହୁତ ଖୁସି।ସୋନୁ ପାଇଁ ସେମାନେ ଆଜି ଗର୍ବିତ କିନ୍ତୁ ଏ ସବୁ ସମ୍ଭବ ହୋଇଛି ନୀଳପରୀ ପାଇଁ। ସୋନୁ ଜେଜେମା ଙ୍କୁ ପଚାରିଲା" ଜେଜେମା, ମୁଁ ତ ଭଲପିଲା ହେଲିଣି, କାହିଁ ନୀଳପରୀ ତ ମୋ ପାଖକୁ ଆସୁନି"? ଜେଜେମା କହିଲେ "ତୁ ଆଜି ଯେଉଁ ପୁରସ୍କାର ପାଇବୁ, ସେ ହିଁ ନୀଳପରୀ ଆଉ ଯେଉଁ ଦୁନିଆ ରୁ ତତେ ଅଜସ୍ର ସ୍ନେହ, ପ୍ରେମ, ସନ୍ମାନ ମିଳୁଛି ତାହା ହେଉଛି ପରୀରାଇଜ। ସୋନୁ ବୁଝିଗଲା ଓ ଅନୁଭବ କଲା ପରୀରାଇଜର ସୁଖ ଓ ନୀଳପରୀ ର ଷ୍ପର୍ଶ କୁ।
ଭଲ କର୍ମ କଲେ ଭଲଫଳ ମିଳେ। ସ୍ନେହ,ଶ୍ରଦ୍ଧା,ସନ୍ମାନ ଭଲ କର୍ମରେ ନିହିତ ଥାଏ।
