ତଥାପି ସ୍ୱାଧୀନ
ତଥାପି ସ୍ୱାଧୀନ
ସ୍ୱାଧୀନ ଭାରତ ଉତ୍ସବ ଅମୃତ
ଅନୁଭବ ବୀରତ୍ବର,
ଛଅସ୍ତରୀ ବର୍ଷ ପୂର୍ତ୍ତି ଅଫୁରନ୍ତ
ତ୍ରିରଙ୍ଗା ଗର୍ବ ଆମର ।
ସ୍ୱାଧୀନତା ସ୍ୱାଦ ପରାଧୀନ ମଦ
ଅନୁଭବ ହୃଦୟରେ,
ସ୍ୱାଧୀନ ଭାରତ ସଚେତନ ରଥ
ଗଡିବକି ସମାଜରେ ।
ଅକୃତଜ୍ଞ ଐରୀ ଭାଗର ଭଗାରୀ
ମାତୃତ୍ବକୁ ଦାହକରି,
ଭାରତର ପ୍ରୀତି ହୃଦୟ ସମ୍ପତ୍ତି
ଭୁଲନ୍ତି ସନ୍ତାନ ଶିରି ।
ସ୍ୱାଧୀନତା ପାଇଁ ଆତ୍ମବଳି ଦେଇ
ବୀରଗାଥା ଦେଶଗାଏ,
ସେଦେଶ ସନ୍ତାନ ସ୍ୱାର୍ଥେମଗ୍ନ ହୋଇ
ନିଜ ପୁଞ୍ଜିକୁ ବଢାଏ ।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଗୁଣନାହିଁ ଆତ୍ମସ୍ଵାର୍ଥୀ,
ମିଛରେ ଡିଣ୍ଡିମ ପିଟନ୍ତି ଅଧମ
ଶାନ୍ତିମୈତ୍ରୀ ବାର୍ତ୍ତାପ୍ରୀତି ।
ଆଜାଦୀର ବାର୍ତ୍ତା ଆତ୍ମବଳୀ ଗାଥା
ଭାଷଣ ସାଜେ ଭୂଷଣ
ହୃଦୟର କଥା ସ୍ୱଦେଶର ଚିନ୍ତା
ପ୍ରହସନ ଲାଗେ ଫୁଣ ।
ସଚ୍ଚାପୁତ୍ର ହୋଇ ଭାରତ ମାତାର
ନିଜ ସ୍ୱାର୍ଥକୁ ଆହୁତି,
ଶୋଭା ତ୍ରିରଙ୍ଗାର ପବିତ୍ରତା ତାର
ଗର୍ବ ଗୌରବ ସାଥି ।
ମାତାକୋଳେ ଜନ୍ମି କର ହୀନିମାନୀ
ଜୀବନ ଧାରଣ କରି,
ସହିବା ଅଧିକ ସୀମା ଟପିଲାଣି
ବେଇମାନୀ ପରିହରି ।
ଆପଣାର ସ୍ୱାର୍ଥ କୁହୁକ କୁହୁଡି
ଦେଶ ମାତୃକାର ବେଡି,
ମା' ଅଣନିଶ୍ୱାସୀ ସନ୍ତାନର ଦାସୀ
ହରି ଲୁଟ ହରଘଡି ।
ନିଜର ବୈଭବ ଜାତିର ସୌଭାଗ୍ୟ
ସ୍ବଦେଶୀ ଦ୍ରବ୍ୟକୁ ତେଜି,
ଲାଞ୍ଚପୁଞ୍ଜି ଭାଗ ବଡଲୋକ ରାଟ
ମୁଠାଏ ମାଟିକୁ ହେଜି ।
ବିବିଧତା କଳି ଐକ୍ୟର କାକଳି
ମାତୃଭୂମି ସ୍ୱାଭିମାନ,
ମର୍ଯ୍ୟାଦା ଶଙ୍ଖାଳି ବୀର ମହାବଳୀ
ସ୍ମୃତିସୌଧ ଆତ୍ମଦାନ ।
ସର୍ବଧର୍ମ ଧାରୀ ଶାନ୍ତିବାର୍ତ୍ତା ଶିରି
ଅଖଣ୍ଡତା ବୈଭବର,
ସତ୍ୟ, ଅହିଂସାର ନୀତିକୁ ଆଚରି
ତିନିରଙ୍ଗେ ବାର୍ତ୍ତାସାର ।
ସ୍ୱତନ୍ତ୍ର ହେବାକୁ ଗୌରବ ଭାବିବା
ନିଜପାଇଁ ସୁଖଖୋଜି,
ସ୍ୱାଧୀନତା ଏଠି ସର୍ବସ୍ୱ ଚେତନା
ଦେଶର ଅମୃତରାଜି ।
ସ୍ୱାଧୀନତା ଦାନ ଅମୃତ ସନ୍ତାନ
ବିଦେଶୀ ଦେଶୁ ହଟାଇ,
ମାଆମାଟି ଆଜି ସୁସନ୍ତାନ ଲାଗି
ତଥାପି ସ୍ୱାଧୀନ କହି ।