ଶରତ ବର୍ଣ୍ଣନା
ଶରତ ବର୍ଣ୍ଣନା


ଏବେ ବରଷା କାଳ ଗଲା
ଶରତ ଋତୁ ପ୍ରକାଶିଲା
ଆକାଶ ଦିଶଇ ନିର୍ମଳ
ନିର୍ମଳ ସରସୀର ଜଳ l
ଅଗସ୍ତୀ ତାରା ନଭେ ଉଠି
ଅଗସ୍ତୀ ଫୁଲ ଫୁଟିଛନ୍ତି
ଶୋଭିତ ଫୁଲ କାଶତଣ୍ଡି
ନଦୀ ତଡ଼ାଗ ପଠା ମଣ୍ଡି l
ଜଳ ହରାଇ ପଙ୍କ ମଳ
ଫୁଟିଲେ କୁମୁଦ କମଳ
ନିର୍ମଳ ଯୋଛନା ନିରେଖି
ଦୁଃଖୀ ହୋଇଲେ ଚକ୍ରବାକି l
ଜହ୍ନି କାକୁଡ଼ି ଫୁଲ ଫୁଟି
ରଞ୍ଜାରେ ପଡ଼ିଲେଣି ଲୋଟି
ଜହ୍ନି ଫୁଲରେ ଘର ତୋଳି
କ୍ରୀଡ଼ା କରନ୍ତି ଗ୍ରାମ୍ୟବାଳୀ l
ଗଙ୍ଗଶିଉଳି ବନ ଛୁଇଁ
ମନ୍ଦ ମଳୟ ଆସେ ବହି
କେଦାର ହେଲେ ଶସ୍ୟଶାଳୀ
କୃଷକ ବଧୂ ହୁଳହୁଳି l
ମଙ୍ଗଳା ମାଆଙ୍କର ପୂଜା
ଖୁଦୁରୁକୁଣୀ ଖୁଦଭଜା
ଆସିଲେ ପ୍ରଭୁ ଗଜାନନ
ଜ୍ଞାନଦାୟକ ଭଗଵାନ l
ବିଘ୍ନ ନାଶନ ବିଘ୍ନେଶ୍ୱର
ଭକ୍ତିରେ ତାଙ୍କ ପୂଜାକର
ସଜ ହେଲେଣି ମହାମାୟୀ
ମରତେ ଆସିବେ ଓଲ୍ହାଇ l
ଗଗନେ ତୁଳାର ସମାନ
ଶୋଭନ୍ତି ଶୁଭ୍ର ମେଘ ମାନ
ଶରଦ ଶୋଭା ଧରି ମହୀ
ଅତୀବ ସୁନ୍ଦର ଦିଶଇ l
ଶରତ ଶେଷରେ ଶିଶିର
ଈଶ୍ୱର ମହିମା ଅପାର
ସେ ମହା ବିନ୍ଧାଣୀ ସୃଷ୍ଟିର
ତାହାଙ୍କୁ କରେ ନମସ୍କାର l