ଶୀତ ରାଣୀ
ଶୀତ ରାଣୀ
ପୌଷ ମାଘ ଦୁଇ ମାସରେ
ପିନ୍ଧି କୁହୁଡି ପାଟ
ଶୀତ ରାଣୀଟି ଓଢଣା ଟାଣି
ଆସେ ହୋଇ ଉଚ୍ଚାଟ।
ହାତରେ ତାର ଶୀତ ପସରା
ଧରି ବୁଲଇ ଗାଆଁ
ତାହାକୁ ଦେଖି ସମସ୍ତ ଲୋକ
ଲଗାନ୍ତି ଧୂନି ନିଆଁ।
ରେଜେଇ ଚାଦର ଓ କମ୍ବଳ
ଆବର ସୁଇଟର
ଶୀତ ରାଣୀକୁ ସ୍ଵାଗତ କରି
ଡାକି ଆଣନ୍ତି ଘର।
ଚାହା ଓ କଫି ବହୁତ ଖୁସି
କରନ୍ତି ବନ୍ଧୁ ଚର୍ଚ୍ଚା
ଲସି ସର୍ବତ ମନ ଦୁଃଖରେ
ଦିଅ
ନ୍ତି ନାହିଁ ଦେଖା ।
ପକୁଡ଼ି ବରା ଦୋକାନୀ ଭାଇ
ଶୀତର ବଡ ମିତ
ଭଲ ବେପାର ଚାଲେ ତାଙ୍କର
କରିଥାନ୍ତି ସ୍ଵାଗତ।
ଦୁଇ ମାସର ରାଜୁତି ତାର
ବରଷକରେ ଚାଲେ
ଥୁରୁଥୁରିଆ ଶୀତ ସକାଳ
ବସିଥାନ୍ତି ଖରାରେ।
ଶୀତ ଦିନରେ ପନୀପରିବା
ଅମଳ ହୋଇଥାଏ
ଚାଷୀ ଭାଇର ଭାରି ଆନନ୍ଦ
ଶସ୍ୟ ଅମଳ ହୁଏ।
ଶୀତ ଦିନରେ ଗରମ ଖାଦ୍ୟ
ଖାଇଲେ ଲାଗେ ଭଲ
ଶୀତ ଅଟଇ ଦେହକୁ ହିତ
ସକାଳୁ ଉଠି ଚାଲ ।