Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନୃସିଂହ ଯେ ସ୍ବୟଂ ଜଗନ୍ନାଥ

ନୃସିଂହ ଯେ ସ୍ବୟଂ ଜଗନ୍ନାଥ

7 mins
347



ଶୂନ୍ୟ ରୁ ପୂର୍ଣ୍ଣ ସ୍ବରୂପ ପ୍ରଭୁ ନୃସିଂହ

ସ୍ତମ୍ଭ ରୁ ଭକତ ବନ୍ଧୁ ହେଲେ ଉଦ୍ଭବ ।

ହିରଣ୍ୟକଶିପୁ କୁ ନିଧନ କରିଲେ

ଭକ୍ତ ପ୍ରହଲ୍ଲାଦ କୁ ସେ ଉଦ୍ଧାର କଲେ ।

ସ୍ତମ୍ଭ ବ୍ରହ୍ମ ଭାବେ ପ୍ରଭୁ ନୃସିଂହ କ୍ଷାତ

ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ବ୍ରହ୍ମ ରୂପେ ନୃସିଂହ ତ ଆଦି ଦେବତା

ସେତ ଜଗନ୍ନାଥ ସେତ ବିଶ୍ଵ ନିୟନ୍ତା।

ସ୍କନ୍ଦ ପୁରାଣ ରୁ ଭାଗବତ ପୁରାଣ

ଆଦି ଦିଅଁ ଭାବେ ତାଙ୍କ ଅଛି ବର୍ଣ୍ଣନ।

ଭାଗବତ ପ୍ରଥମ ରୁ ତାଙ୍କ ବନ୍ଦନା

ନମଇ ନୃସିଂହ ଚରଣ ବନ୍ଦାପନା।

ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଢେ ସେତ

ନୃସିଂହ ଯେ ଜଗନ୍ନାଥ ଅଛି ବର୍ଣ୍ଣିତ ।

ବହୁ କଷ୍ଟେ ଇନ୍ଦ୍ରଦ୍ୟୁମ୍ନ ନୀଳ ଶଇଳେ

ନୀଳମାଧବ ଦର୍ଶନ ପାଇଁ ଆସିଲେ।

କଳ୍ପାନ୍ତରେ ଦିଅଁ ଯାଇଥିଲେ ଉଭେଇ

ନିରାଶା ରେ ଦୁଃଖ ତାଙ୍କ ଗଲା ବଳେଇ ।

ବୃକ୍ଷ ପରେ ଇନ୍ଦ୍ରଦ୍ୟୁମ୍ନ ଦେଖିଲେ ତହିଁ

ଅପୂର୍ବ ନୃସିଂହ ମୂର୍ତ୍ତି ସେଠାରେ ସେହି ।

ସେତେବେଳେ ନାରଦ ମୁନି ପ୍ରବେଶିଲେ

ହସିହସି ରାଜାଙ୍କୁ ବୁଝାଇ କହିଲେ,

ନୃସିଂହ ନୀଳଗିରି ଆଦି ଦେବତା

ଦୂର କରିବେ ସେ ତୁମ ମନର ଚିନ୍ତା।

ତାଙ୍କରି ଦୟାରେ ତୁମେ ନୀଳ କନ୍ଦରେ

ଜଗନ୍ନାଥ ଙ୍କୁ ସ୍ଥାପିବ ଦିବ୍ୟ ମନ୍ଦିରେ ।

ନାରଦ ଙ୍କ କଥା ସବୁ ସତ ହୋଇଲା

ସାଗରରେ ବ୍ରହ୍ମ ଦାରୁ ଭାସି ଆସିଲା ।

ସେ ଦାରୁରେ ନୃସିଂହ ଥିଲେ ବିଦ୍ୟମାନ

ଧନ୍ୟ ହେଲେ ଇନ୍ଦ୍ରଦ୍ୟୁମ୍ନ କରି ଦର୍ଶନ।

ସେ ଦାରୁରେ ଗଢାହେଲେ ଚତୁର୍ଦ୍ଧା ମୂର୍ତ୍ତୀ

ଗଢିଲେ ରାଜା ମନ୍ଦିର ସୁନ୍ଦର ଅତି।

ପ୍ରତିଷ୍ଠା ପାଇଁ କଲେ ଯଜ୍ଞ ଆୟୋଜନ

ସେ ଯଜ୍ଞ ରୁ ଉଭା ହେଲେ ନୃସିଂହ ପୁଣ ।

ଯଜ୍ଞ ନୃସିଂହ ଭାବେ କ୍ଷାତ ସେ ହେଲେ

ଗୁଣ୍ଡିଚା ମନ୍ଦିର ପାଖେ ପୂଜା ପାଇଲେ ।

ଶ୍ରୀକ୍ଷେତ୍ରରେ ହୁଏ ଯେତେ ପୂଜା ପାର୍ବଣ

ନୃସିଂହ ଙ୍କ ହୁଅଇ ପ୍ରଥମେ ବନ୍ଦନ।

ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ବେଢା ମଧ୍ୟର

ରହିଅଛି ନୃସିଂହଙ୍କ କେତେ ମନ୍ଦିର।

ମୁକ୍ତି ମଣ୍ଡପ ନିକଟେ ଆଦି ନୃସିଂହ

ସୁନ୍ଦର ଦେଉଳ ଯାର ପୂର୍ବ କୁ ମୁହଁ ।

ଯୁଗ ଆରମ୍ଭୁ ପ୍ରଭୁ ପୂଜା ପାଉଛନ୍ତି

ଦେଉଳ ରାଜା ଚୋଳଗଙ୍ଗ ଗଢ଼ିଛନ୍ତି।

ମନ୍ଦିର ମଧ୍ୟରେ ପ୍ରସ୍ତର ସିଂହାସନ

ଯହିଁ ବିଜେ ପ୍ରଭୁ ନୃସିଂହ ଭଗବାନ।

ମୁକ୍ତି ମଣ୍ଡପ ବ୍ରାହ୍ମଣ ଗୁଣୀ ପଣ୍ଡିତ

ଆଦି ନୃସିଂହ ତାଙ୍କର ଅଟନ୍ତି ଇଷ୍ଟ।

ସିଂହଦ୍ଵାର ଗୁମୁଟର ଦକ୍ଷିଣ କାନ୍ଥ

ଅଛି ମନ୍ଦିରାକୃତି ର ଠଣା ଟି ଛୋଟ ।

ହାତେ ଉଚ୍ଚ ମନ୍ଦିର ରେ ବାଇଶି ହାତ

ନୃସିଂହ ବିଜେ , କାଠର ମୂରତି ସେତ ।

ବାଇଶି ପାହାଚ ର ଦକ୍ଷିଣ ପାର୍ଶ୍ଵରେ

ଯହିଁ ନୃସିଂହ ଛନ୍ତି ଛୋଟ ମନ୍ଦିରେ।

ମୂରତି ହେଲେବି ଛୋଟ ଭାରି ସୁନ୍ଦର

ଶ୍ରେଣୀ ନୃସିଂହ ନାମ ସେହି ପ୍ରଭୁଙ୍କର।

ଉତ୍ତରାଭିମୁଖି ସେହି ନୃସିଂହ ଠାକୁର

ଶ୍ରୀ ଚୈତନ୍ୟ କରୁଥିଲେ ପୂଜା ତାଙ୍କର ।

ଶ୍ରୀମନ୍ଦିର ର ଜଗମୋହନ ମଧ୍ୟରେ

ବିଜେ ସ୍ତମ୍ଭ ନୃସିଂହ ତ କେଡେ ସୁନ୍ଦରେ ।

ଭୋଗମଣ୍ଡପେ ଭୋଗ ଆସିବା ପଥରେ

ନୃସିଂହ ପ୍ରଭୁ ଛନ୍ତି ଗରୁଡ଼ ପଛରେ ।

ଗରୁଡ଼ ଙ୍କୁ ନୃସିଂହ ଲଡୁ ଯେ ଖୁଆନ୍ତି

ଗରୁଡ଼ ତୋଷଣ ତେଣୁ ତାଙ୍କ ନାମଟି ।

ଶ୍ରୀମନ୍ଦିର ର ପଶ୍ଚିମ କାନ୍ଥକୁ ଲାଗି

ପାର୍ଶ୍ଵ ଦେବତା ଙ୍କ ପୀଢ ମନ୍ଦିର ଅଛି।

ପ୍ରଭୁ ନୃସିଂହ ଯହିଁ ପୂଜା ପାଆନ୍ତି

ପାହାଚ ଚଢି ଭକତେ ତାଙ୍କୁ ଦେଖନ୍ତି।

ଚତୁର୍ଭୁଜ ମୂରତି ସେ ଦୁଇ ହାତରେ

ଧରିଛନ୍ତି ଶଙ୍ଖ ଚକ୍ର ପ୍ରଭୁ ସେଥିରେ।

ଆନ ଦୁଇ ହାତେ ହିରଣ୍ୟ ର ନିଧନ

ହିରଣାକ୍ଷ ନୃସିଂହ ତେଣୁ ନାମ ଜାଣ ।

ଶ୍ରୀମନ୍ଦିର ବେଢାରେ ଲକ୍ଷ୍ମୀଙ୍କ ମନ୍ଦିର

ମନ୍ଦିର ଜଗମୋହନ ଭାରି ସୁନ୍ଦର।

ସେ ଜଗମୋହନେ ଲକ୍ଷ୍ମୀ ନୃସିଂହ ଛନ୍ତି

ମହାଲକ୍ଷ୍ମୀ ଙ୍କୁ କୋଳେ ପ୍ରଭୁ ଧରିଛନ୍ତି ।

ସରସ୍ଵତୀ ମନ୍ଦିରରେ ନୃସିଂହ ପୁଣ

ହିରଣ୍ୟକୁ କରୁଛନ୍ତି ସେ ବିଦାରଣ।

ଉତ୍ତର ଦ୍ଵାରେ ଉତ୍ତରାୟଣୀ ମନ୍ଦିର

ଲକ୍ଷ୍ମୀ ନୃସିଂହ ମୂରତି ତହିଁ ସୁନ୍ଦର।

ଦକ୍ଷିଣ ଦ୍ଵାରେ ବୁଢି ମାଆ ମନ୍ଦିର ଟି

ପାଖରେ ପାଣିଆ ଘରେ ନୃସିଂହ ଛନ୍ତି ।

ମନ୍ଦିର ଦକ୍ଷିଣ ଦ୍ଵାର ଗୁମୁଟ ପାସେ

ନୃସିଂହଙ୍କ ମନ୍ଦିରଟି ସୁନ୍ଦର ଦିଶେ ।

ସେହି ନୃସିଂହଙ୍କ ମନ୍ଦିରରେ ନିଇତି

ନୃସିଂହ ମହା ପୁରାଣ ପାଠ ହୁଅନ୍ତି।

ପଶ୍ଚିମ ଦ୍ବାରେ କାନପୋତା ହନୁମାନ

ପାସେ ଏକ ଘରେ ନୃସିଂହ ବିଦ୍ୟମାନ।

ବେଢ଼ା ମଧ୍ୟେ ଶାକ୍ଷୀ ଗୋପୀନାଥ ମନ୍ଦିର

ମନ୍ଦିର ନିକଟେ ଅଛି ମଣ୍ଡଣୀ ଘର ।

ସେ ଘରେ ନୃସିଂହ ଙ୍କ ମୂର୍ତ୍ତି ବିରାଜନ୍ତି

ଭୟଙ୍କର ରୂପ ଚତୁର୍ଭୁଜ ମୂରତି।

ଦକ୍ଷିଣ ଦ୍ଵାରଦେଶ ବାହାର ବେଢାଟି

ବିରାଜି ଛନ୍ତି ତହିଁ ଗୌରାଙ୍ଗ ମୂରତି।

ପାଖରେ ତାଙ୍କର ରହିଛନ୍ତି ନୃସିଂହ

ନାମ ଯେ ପ୍ରଭୁ ଙ୍କର ଅଟଇ ଅଭୟ।

ଶ୍ରୀମନ୍ଦିରକୁ ଲାଗି ଦକ୍ଷିଣ ଘରଟି

ନୃସିଂହ ଆଉ ଲକ୍ଷ୍ମୀ ନୃସିଂହ ଅଛନ୍ତି।

ନବକଳେବର ବେଳେ ଲକ୍ଷୀ ନୃସିଂହ

ସବୁ କାର୍ଯ୍ୟରେ ତାଙ୍କ ଅରଚନା ଆଗ ।

ଦକ୍ଷିଣ ଘରେ ଯେଉଁ ନୃସିଂହ ଅଛନ୍ତି

ବାଡି ନୃସିଂହ ଭାବରେ ତାଙ୍କର କ୍ଷାତି ।

ଶ୍ରୀକ୍ଷେତ୍ରକୁ ଦୂରିରୋଗ୍ୟ ବ୍ୟାଧି ରୁ ରକ୍ଷା

ବାଡି ନୃସିଂହ ପ୍ରଭୁ ଦିଅନ୍ତି ସୁରକ୍ଷା।

ଶ୍ରାବଣ ମାସର ଶୁକ୍ଳ ପକ୍ଷ ନବମୀ

ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ପୁଣି,

ବାଡି ନୃସିଂହ ଯାଆନ୍ତି ଶ୍ରୀକ୍ଷେତ୍ର ବୁଲି

ସୁସଜ୍ଜିତ ବିମାନରେ ଠାକୁରେ ଝୁଲି ।

ସେଦିନ ମଧ୍ୟାହ୍ନ ଧୂପ ସରିବା ପରେ

ଦକ୍ଷିଣ ଘରୁତ ଆସିଥାନ୍ତି ଠାକୁରେ।

ଫୁଲରେ ଫୁଲରେ ପ୍ରଭୁ ବେଶ ହୁଅନ୍ତି

ମହାପ୍ରଭୁ ଙ୍କର ଆଜ୍ଞା ମାଳ ପାଆନ୍ତି।

ପ୍ରଭୁ ଙ୍କୁ ହୁଏ ଧୂପ ଆଳତି ଅର୍ପଣ

ବିମାନେ ବସନ୍ତି ନୃସିଂହ ନାରାୟଣ।

ବିମାନ ବଡୁ ବିମାନ ବୋହି ନିଅନ୍ତି

ମୁନି ଆଶ୍ରମ ମାନଙ୍କୁ ପ୍ରଭୁ ଯାଆନ୍ତି।

ମାର୍କଣ୍ଡେୟ କୁଣ୍ଡୁ ଭୃଗୁ ଅଙ୍ଗିରାଶ୍ରମ

ବାଡି ନୃସିଂହଙ୍କୁ ପନ୍ଥି ଭୋଗ ଅର୍ପଣ।

ଯାଗା ଘର ଆଉ ମଠ ମାନଙ୍କୁ ତହିଁ

ପ୍ରଦକ୍ଷିଣ କରିଥାନ୍ତି ନୃସିଂହ ଯାଇ ।

ଶ୍ରୀମନ୍ଦିର ବେଢା ପରି ସାରା ଶ୍ରୀକ୍ଷେତ୍ରେ

ନୃସିଂହ ପାଆନ୍ତି ପୂଜା କେତେ ନାମରେ।

ପଶୁବଂଶ ର ରାଜା ଯଯାତି କେଶରୀ

ନୃସିଂହ ଯେ ଇଷ୍ଟ ଦେବ ଥିଲେ ତାଙ୍କରି।

ଯମେଶ୍ବର ଙ୍କ ମନ୍ଦିର ନିକଟେ ରାଜା

ନୃସିଂହ ସ୍ଥାପି ସେତ କରୁଥିଲେ ପୂଜା ।

ପଶୁ ନୃସିଂହ ଭାବେ ପ୍ରଭୁ ହେଲେ କ୍ଷାତ

ପ୍ରଭୁ ଙ୍କ ଆଶିଷେ ଧନ୍ୟ ହୁଅନ୍ତି ଭକ୍ତ।

ଗୁଣ୍ଡିଚା ମନ୍ଦିର ର ପଶ୍ଚିମ ପାର୍ଶ୍ବରେ

ଯଜ୍ଞ ନୃସିଂହ ପୂଜା ପାଆନ୍ତି ସେଠାରେ।

ଶ୍ରୀକ୍ଷେତ୍ରେ ଅଛି ଦଶ ଅବତାର ମଠ

ଶ୍ବେତ ନୃସିଂହ ସେହି ମଠରେ ପୂଜିତ ।

ଲୋକନାଥ ମନ୍ଦିରେ ସିଙ୍ଗଡ଼ା ନୃସିଂହ

ଲକ୍ଷ୍ମୀ ନୃସିଂହ ଅଟନ୍ତି ସେହି ବିଗ୍ରହ।

ମହାଲକ୍ଷ୍ମୀଙ୍କୁ ପ୍ରଭୁ ଧରି ଯେ ଅଛନ୍ତି

ପାଖରେତ ଭୂଦେବୀ ଶ୍ରୀଦେବୀ ଅଛନ୍ତି।

ବ୍ରହ୍ମ ଦାରୁ ଯେଉଁଠି ଥିଲେ ଦେଖା ଦେଇ

ସେ ସ୍ଥାନ ର ନାମ ଚକ୍ର ତୀର୍ଥ ଅଟଇ ।

ଚକ୍ର ନୃସିଂହ ମନ୍ଦିର ଅଛି ସେଠାରେ

ପ୍ରଭୁ ପୂଜା ପାଇଥାନ୍ତି ତିନି ରୂପରେ।

ମହାପ୍ରଭୁ ଯେହେତୁ ନୃସିଂହ ଅଟନ୍ତି

ଲକ୍ଷ୍ମୀ ନୃସିଂହ ରୂପେ ସେ ବେଶ ହୁଅନ୍ତି।

କାର୍ତ୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ

ମହାପ୍ରଭୁ ହୋଇଥାନ୍ତି ଏ ବେଶ ଜାଣ ।

ରଥଯାତ୍ରା ରେ ନନ୍ଦିଘୋଷ ରଥ ଚଢି

ମହାପ୍ରଭୁ ଯାଇଥାନ୍ତି ଗୁଣ୍ଡିଚା ବାଡି ।

ଚନ୍ଦନ କାଠ ନିର୍ମିତ ନୃସିଂହ ମୂର୍ତ୍ତୀ

ସେ ରଥରେ ପ୍ରଥମେ ବିଜେ କରିଥାନ୍ତି।

ରଥର ପାର୍ଶ୍ଵ ଦେବତା ଭାବେ ନୃସିଂହ

ନନ୍ଦିଘୋଷେ ପୁଣି ହୋଇଥାନ୍ତି ଶୋଭିତ ।

ବୈଶାଖ ମାସ ର ଶୁକ୍ଳ ଚତୁର୍ଦ୍ଦଶୀଟି

ପ୍ରଭୁ ନୃସିଂହ ଙ୍କ ପବିତ୍ର ଜନ୍ମ ତିଥି ।

ଶ୍ରୀମନ୍ଦିର ହୁଅଇ ଉତ୍ସବ ମୁଖର

ନୃସିଂହ ଙ୍କ ବିଶେଷ ପୂଜା ଉପଚାର।

ମହାପ୍ରଭୁ ଙ୍କ ଦିବ୍ୟ ଆଜ୍ଞାମାଳ ସେତ

ଚକ୍ର ନୃସିଂହଙ୍କ ମନ୍ଦିରକୁ ଯାଏତ।

ଦକ୍ଷିଣ ଘରୁ ନୃସିଂହ ମୂର୍ତ୍ତି ଆସନ୍ତି

ମୁକ୍ତି ମଣ୍ଡପ ରେ ପ୍ରଭୁ ବିଜେ ହୁଅନ୍ତି।

ସମ୍ମୁଖରେ ଆଦି ନୃସିଂହ ଙ୍କ ମୂରତି

ଦୁଇ ମୂର୍ତ୍ତିଙ୍କ ଙ୍କ ପାଖେ ହୁଏ ଆଳତି।

ଧୂପଦୀପ ବନ୍ଦାପନା ଭୋଗ ଅର୍ପଣ

ଦରଶନ କଲେ ହୁଏ ଜୀବନ ଧନ୍ଯ।

ତହୁଁ ପ୍ରଭୁ ନୃସିଂହ ବିମାନେ ବସନ୍ତି

ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି।

ଧୂପ ଦୀପ ନଇବେଦ୍ୟ ଲାଗି ହୁଅଇ

ନୃସିଂହ ଜନ୍ମ ନୀତି ଯେ ଶେଷ ହୁଅଇ ।

ଜଗନ୍ନାଥ ବଲ୍ଲଭ ରୁ ଦିଅଁ ଫେରନ୍ତି

ଦକ୍ଷିଣ ଘରକୁ ଯାଇ ପୂଜା ପାଆନ୍ତି।

ନୃସିଂହ ଜଗନ୍ନାଥ ଅଟନ୍ତି ଅଭିନ୍ନ

ଜୀବନ ହୁଅଇ ଧନ୍ୟ କରିଲେ ଧ୍ୟାନ।

ଦୈବିକ ଭୌତିକ କି ଆଧ୍ୟାତ୍ମିକ କ୍ଳେଶ

ନୃସିଂହଙ୍କ ଆଶିଷେ ହୁଅଇ ବିନାଶ।

ଦୁଷ୍ଟ ଗ୍ରହ ପିଶାଚ ଡାକିନୀ ରାକ୍ଷସ

ପସନ୍ତିନି ନୃସିଂହଙ୍କ ଭକତ ପାସ ।

ଜୟ ଜୟ ନୃସିଂହ ଜୟ ଜଗନ୍ନାଥ

ତୁମେ ଅନ୍ତର୍ଯ୍ୟାମୀ ତୁମେ ତୁମେ ଅନନ୍ତ।

ତୁମ ଅସୀମ ମହିମା ଗାଥା କଥାକୁ

ଠିକେଠିକେ ବଖାଣିଲି ସ୍ମରି ତୁମକୁ ।

 ମିନତି ମୋର ପ୍ରଭୁ ପାଦ ପଦ୍ମରେ

ଦିଲ୍ଲୀପ କୁ ଚାହିଁ ଥିବ କୃପା ନେତ୍ର ରେ ।

















Rate this content
Log in

Similar oriya poem from Classics