ସ୍ବାର୍ଥପର ମଣିଷ
ସ୍ବାର୍ଥପର ମଣିଷ
ନଡା କୁଟା ଛଣ ପେଜ ଓ କୁଣ୍ଡାକୁ
ଗାଈ ଆନନ୍ଦରେ ଖାଉଛି
ନିଜର ଛୁଆକୁ ନ ପେଇ ସେ କ୍ଷୀର
ମଣିଷ ମାନଙ୍କୁ ଦଉଛି
ମହୁମାଛି ଗଣ ମହୁ ସଂଚି ରଖେ
ଫୁଲରୁ ଫୁଲକୁ ଉଡ଼ିକି
ନିଜ ପାଇଁ ମହୁ ଟିକିଏ ନ ରଖି
ଦିଏ ସବୁ ଲୋଭ ଛାଡ଼ିକି
ପଶୁ ପକ୍ଷୀଗଣ ଆପଣାର ଭାବ
ନିଜ ନିଜ ମଧ୍ଯେ ରହୁଛି
ମଣିଷ ଜାତିରେ ସ୍ବାର୍ଥ ପାଇଁ ଏଠି
ରକତର ସୁଅ ବହୁଛି
ଗଛ ଲତା ପଶୁ ପକ୍ଷୀ କୀଟ ମାନେ
ମଣିଷର ଭଲ ଚାହାନ୍ତି
ଜ୍ଞାନର ଭଣ୍ଡାର ମଣିଷ ଜାତିଟା
ଅନ୍ୟାୟ ବାଟରେ ଧାଆଁନ୍ତି
ପର ପେଟ ପାଇଁ ବଳଦ ଖଟଇ
ଖାଇକି ପାଞ୍ଚଣ ପାହାର
ଲୋଭ ସ୍ବାର୍ଥ ପାଇଁ ମଣିଷ ଛଡ଼ାଏ
ମଣିଷ ମୁହଁରୁ ଆହାର
ଏତେ ପାପ ଭାର ମଣିଷର ଏଠି
ହିସାବଟି ତାର ରହୁନି
ଦିନୁ ଦିନୁ ଏହା ବଢି ଚାଲିଅଛି
ବସୁମାତା ଆଉ ସହୁନି
ସେଇଥି ପାଇଁକି ମଣିଷ ଜାତିକୁ
ସବକ ଟିକିଏ ଦେବାକୁ
ବାତ୍ୟା ବନ୍ୟା ଭୂମିକମ୍ପ ପ୍ରକୃତିକୁ
ଆଜ୍ଞା ଦେଇଥାଏ ହେବାକୁ
ପଶୁ ପକ୍ଷୀ କୀଟ ମାନଙ୍କଠୁଁ କିଛି
ମଣିଷ ମୋଟରୁ ଶିଖୁନି
ପ୍ରକୃତିର ପୁଣି କ୍ରୁର ରୂପ ଦେଖି
ଟିକିଏ କି ସିଏ ଚିଖୁନି
ଏହିପରି ଯଦି ହିଂସା ଦ୍ବେଷ ରାଗ
ମଣିଷ ମନରେ ରହିବ
ମଣିଷ ଜାତିଟି ସାଣ୍ଡୁକା ଭଳିଆ
ଧରାରୁ ବିଲୋପ ହୋଇବ
-----------@@-------------------
ଅମୂଲ୍ୟ କୁମାର ପଣ୍ଡା