ରଙ୍ଗ ଥରେ ଲାଗିଗଲା ପରେ
ରଙ୍ଗ ଥରେ ଲାଗିଗଲା ପରେ
ଯୁଗଲ ଚନ୍ଦ୍ର ସାହୁ
ରଙ୍ଗ ଥରେ ଲାଗିଗଲା ପରେ
ଛାଡ଼େନି ଯେତେ ଛଡାଇଲେ
କେବେ କେବେ ରୋମାଞ୍ଚିତ କରେ
ପୁଣି କେବେ ଜାଲିଦିଏ ସବୁ କିଛି l
କଅଁଳ ପବନକୁ ଚୁମି ଚୁମି
ଲହଡି ଭାଙ୍ଗୁଥିବା କ୍ଷେତ
ବୁଣିଦିଏ ରଙ୍ଗର ଅବିର
ଚଷା ଏଠି ସ୍ଵପ୍ନ ରଚେ
ସୁଖ ସଂସାର l
ରଙ୍ଗ ଲାଗେ ଆପଣାର
ଟାଇଁ ଟାଇଁ ଖରାବି ଲାଗେ
ସ୍ନିଗ୍ଧ ଶୀତଳ
ଚାହିଁଦେଲେ ଉଠିଆ କ୍ଷେତକୁ
ଚଷା ଭୁଲିଯାଏ ସବୁ ଦୁଃଖ l
ମଣିଷର ରଙ୍ଗିନ ସ୍ଵପ୍ନ
ଆଉ ବିଧିର ବିଧାନ
ସମ୍ପୂର୍ଣ ଭିନ୍ନ
ମୁଦ୍ରାର ଦୁଇପାର୍ଶ୍ଵ ପରି l
କେବେ ଅଦିନିଆ ବର୍ଷା
କେବେ ମରୁଡି ଆଉ ବାତ୍ୟା
କେବେ ବିହନର ଧୋକା
ପୁଣି ବଜାରର ଦର l
ସମସ୍ତେ ଦେଖାନ୍ତି ନିଜ ନିଜ ରଙ୍ଗ
ଭାଙ୍ଗିଯାଏ ଚାଷୀର ସ୍ଵପ୍ନ l
ଋଣର ରଙ୍ଗ ତ ଚାଷୀର ସହରେ
ଯେଉଁ ରଙ୍ଗ ଲାଗିଗଲେ ଥରେ
ଧରେନି ଛାଡିବାର ନାଆଁ
ବ୍ୟାଙ୍କ୍ ଦିଏନି ରୁଣ
ମହାଜନ ହୁଏ ଭରସା l
ସୁଧ ଚରିଯାଏ ଉଇହୁଙ୍କା ପରି
ଏବେ ମହାଜନର ପାଳି
ସେ ବି ଦେଖାଏ ତା’ର ରଙ୍ଗ
ଊଜୁଡା ଫସଲ ଆଉ ଋଣ
ଚାଷିକୁ କରିଦିଏ ସର୍ବସ୍ଵାନ୍ତ
ଭରସା ହୁଏନି ଭଗବାନ କି ସରକାର l
ଶେଷରେ ରସି କି ବିଷ ହୁଏ ଭରସା
ମୃତ୍ୟୁ ପରେ ବି ରଙ୍ଗ ଛାଡେନା ପିଛା
ପ୍ରଶାସନ ଆଉ ସରକାର
ଲାଗିପଡନ୍ତି ରଙ୍ଗ ବୋଳିବାରେ
ଲଗାନ୍ତି......
ପାରିବାରିକ କଳହ
ନ ହେଲେ ପ୍ରେମଜନିତ ମୃତ୍ୟୁର ରଙ୍ଗ l
ହା.....ହା.....ହା...! !
ରଙ୍ଗ ତ ଚାଷ ଆଉ ଚାଷୀର
ଚିର ସହଚର
ବୁଝେନା ସମାଜ କି ସରକାର l