ମୁଁ ଦେଖେ
ମୁଁ ଦେଖେ
ସଞ୍ଜୟ କୁମାର ଷଡ଼ଙ୍ଗୀ
ମୁଁ ଯାଉ ଯାଉ କେତେ କ’ଣ ଦେଖେ...
ଖାଲି ଭାବେ, ଛଟପଟ ହୁଏ
ଯେହେତୁ ଅଶହାୟ
ମୁଁ ଦେଖେ ବନ୍ଧାକୋବି ବାଡ଼ ମୁଣ୍ଡେ
ଆଖିରୁ ଲୁହ ଝରାଇ, ଗାଳରେ ହାତ ଦେଇ
ସ୍ତ୍ରୀର ପଣତ ତଳେ ମୁହଁ ଲୁଚାଇ ରଖିଥିବା
ପଦିଆ ପଧାନକୁ l
ଟମାଟ କ୍ଷେତରେ ବିଷପିଇ, ହାରିଯାଇଥିବା
ଜଗୁ ସ୍ଵାଇଁର ଅନାଥ ପିଲାଙ୍କ ମୁହଁକୁ
ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା
ସରପଞ୍ଚ ସ୍ତ୍ରୀର ଦାନ୍ତନିକୁଟା ହସକୁ l
ପୁଣିଦେଖେ, ଏମ୍. ଏଲ୍. ଏ କଲୋନୀ ପଛପଟୁ
ଫୋପଡା ବିରିୟାନିକୁ ସାଉଁଟୁଥିବା
ଭୋକିଲାର ବିକଳ ପିଟକୁ l
ରାଜନୀତି ଦଳର କାର୍ଯ୍ୟାଳୟରେ ଚାଲିଥିବା
କ୍ଷମତା ହାସଲ କରିବାର ମନ୍ତ୍ରଣାକୁ
ମୁଁ ଦେଖେ ଧର୍ଷିତାର ଭୟାତୁର ଆଖିକୁ
ବେକାରର ସ୍ଵପ୍ନଭଙ୍ଗର ମୁହଁକୁ
ଗାଁ ଭାଗବତ ତୁଙ୍ଗୀରେ ଚାଲିଥିବା ତାସ୍ ଖେଳରେ
ବିରାଟ ଆସରକୁ
ସାହିତ୍ୟ ସଭାରେ, ଶସ୍ତାରେ ନାଁ କମାଇବା ପାଇଁ
କ’ଣ ସବୁ, ମୋ ଭଳି ଲେଖିଦେଇ
କବି ହେବାର ବିକଳ ପ୍ରୟାସକୁ l