ବାଟୋଇ ଓ କାଠୁରିଆ
ବାଟୋଇ ଓ କାଠୁରିଆ
ଖରା ମାରୁଥିଲା ଟାଇଁ ଟାଇଁ ହୋଇ
ବାଟୋଇଟେ ଯାଉଥିଲା
ବାଟରେ ଦେଖିଲା କାଠୁରିଆ ଜଣେ
ଗଛ ଗୋଟେ କାଟୁଥିଲା ।
ବାଟୋଇକି ଭାରି ଥକ୍କା ଲାଗୁଥିଲା
ଖୋଜୁଥିଲା ଗଛ ଛାଇ
କାଠୁରିଆ ଯେଉଁ ଗଛ ହାଣୁଥିଲା
ଗଲା ସେ ସେଠାକୁ ଧାଇଁ ।
ପଚାରିଲା ଖରା ହେଉଅଛି ଏତେ
ଗଛଟା ହାଣୁଛ କାହିଁ
ଥକ୍କା ମାରିବାକୁ କେତେ ଯେ ବାଟୋଇ
ହେଉଛନ୍ତି ହାଇପାଇଁ ।
ଯେଉଁ ଟିକେ ଛାଇ ଥିଲା ତ ସେଇଠି
ବସିଲା ସେଇଠି ଯାଇ
କାଠୁରିଆ ସାଥେ କଥା ହେଉଥିଲା
ପାଣିରୁ ଟିକିଏ ପିଇ ।
ଗଛ ହାଣୁ ହାଣୁ କାଠୁରିଆଟିର
ଦେହଟା ଝିମେଇ ଗଲା
ଥରି ଥରି ସିଏ ପଡିଗଲା ସେଠି
ଥକ୍କା ବେଶି ହେଇଗଲା ।
ସାହାଯ୍ୟ ନିମନ୍ତେ ବାଟୋଇ ଜଣଙ୍କୁ
ଡାକିଲା ଗୁହାରି ହୋଇ
ଗଛ ଛାଇ ତଳେ ଶୁଆଇଲା ନେଇ
ତାକୁତ ବାଟୋଇ ଭାଇ ।
ପାଣି ଢୋକେ ଦେଇ ବିଞ୍ଚିଦେଲା ତାକୁ
ଆରାମ ଲାଗିଲା ଯେବେ
ରାମ ରାମ ଡାକି କାଠୁରିଆ ଭାଇ
ଉଠିକି ବସିଲା ତେବେ ।
ବୁଝେଇଲା ତାକୁ ବାଟୋଇ ଭାଇଟି
ଗଛ କେତେ ଉପକାରୀ
ମଣିଷ ହେଉକି ପଶୁ ପକ୍ଷୀ ହେଉ
ସମସ୍ତଙ୍କ ଦରକାରୀ ।
ବୃକ୍ଷ ହିଁ ଜୀବନ ଅଟଇ ବୋଲିକି
କାଠୁରିଆ ବୁଝିଗଲା
ସେହି ଦିନ ଠାରୁ ଗଛ ହଣା ଛାଡି
ନାନା ଗଛ ଲଗାଇଲା ।
*******
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।
ମୋ-୮୩୧୦୩୨୮୩୪୫