ସ୍ତ୍ରୀ
ସ୍ତ୍ରୀ
ସକାଳ ପହରୁ ଉଠି ପଡୁଥିବ
ଶୋଇବ ସଭିଙ୍କ ଶେଷରେ
ସକାଳରୁ ସଞ୍ଜ କଟୁଥିବ ତାର
ଅନ୍ୟ ମାନଙ୍କର ସେବାରେ ।
ପାହୁ ପାହୁ ରାତି ଝାଡୁଦେଇ ଘର
ବସିକି ବାସନ ମାଜିବ
ଗାଧୋଇ ପାଧୋଇ ଅଗଣା ଆଗରେ
ତୁଳସୀ ଚଉଁରା ପୂଜିବ ।
ଶାଶୁ ଶଶୁରଙ୍କୁ ମୁଣ୍ଡିଆ ମାରି ସେ
ପାଦୁକା ଜଳକୁ ପିଇବ
କାହା ପାଇଁ ପାଣି କାହାପାଇଁ ଚାହା
ମନ ଜାଣି ସିଏ ଥୋଇବ ।
କେଉଁ ଖାଦ୍ୟ କିଏ ଭଲପାଉଥାଏ
ସେକଥା ଧ୍ୟାନରେ ରଖିବ
ନିଜ ପସନ୍ଦକୁ ବନ୍ଧା ସେ ପକେଇ
ଅନ୍ୟର ପସନ୍ଦେ ଚଳିବ ।
ନିଜ ପାଇଁ ଟିକେ ସମୟ ମିଳେନା
ବ୍ୟସ୍ତ ରହିଥାଏ କାର୍ଯ୍ୟରେ
ନୂତନ ସାଥିରେ ନିୟମିତ କାର୍ଯ୍ୟ
ରହିଥାଏ କିଛି ଧାର୍ଯ୍ୟରେ ।
ରନ୍ଧା ଖାଦ୍ୟ ଯଦି ଅଧିକ ହୋଇଲା
ବସି କରି ସିଏ ଖାଇବ
ଅଳପ ହୋଇଲେ ବଳକା ଖାଇକି
ପାଣି ପିଇ ପରା ଶୋଇବ ।
ଏହି ସମାଜରେ ଘରଣୀ ଭୂମିକା
ଅଟଇ ସବୁଠୁଁ ନିଆରା
ଧର୍ଯ୍ୟର ବସୁଧା ସ୍ନେହର ସାଗର
ଖେଳାଏ ଖୁସିର ଫୁଆରା ।