ଯୁଗଳ ଜୀବନ
ଯୁଗଳ ଜୀବନ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଯେଉଁଦିନୁ ଏ କୁଟୀରେ ବଧୂ ଆଗମନ
କଲ୍ୟାଣ ଉଠୁଛି ଫୁଟି; ଯୁଗଳ ଜୀବନ
ପଦେ ପଦେ ଦାରିଦ୍ର୍ୟରୁ ଆଣୁଛି ନିଗାଡ଼ି
ପରମ ଆନନ୍ଦ-ରସ ।ପ୍ରିୟା ଆଣେ କାଢ଼ି
ଦିନର ପ୍ରତ୍ୟେକ କର୍ମୁ ସମ୍ଭୋଗ-ସମ୍ଭାର
ପ୍ରଣୟ-କାଉଁରି-ସ୍ପର୍ଶେ ।ମୋ ସୁପ୍ତ ଆତ୍ମାର
ଅନାହତ ବହୁ ତନ୍ତ୍ରୀ ତା' ଅଙ୍ଗୁଳି ଘାତେ
ବାଜିଉଠି ମନୋହର ସଙ୍ଗୀତ-ସଂଘାତେ
ଝଙ୍କୃତ କରୁଛି ପ୍ରାଣ,ଚିତ୍ତ ରସମୟ,
ବିତ୍ତମୟ ମୋ ଜୀବନ ।ପବିତ୍ର ପ୍ରଣୟ,
ନିରନ୍ତର ଇଚ୍ଛା କରି ସୁଖ ଅନ୍ୟୋନ୍ୟର
ପଦେ ପଦେ ପରାଜୟ ଦେଖେ ଅଭାବର,
ଅଭାବୁ ଆନନ୍ଦ ସୃଜେ ।ଦରିଦ୍ର କୁଟୀର
ସ୍ୱର୍ଗ ଆଜି ପ୍ରେମ ଲଭି ପ୍ରଣୟ ବତୀର ।
ସମାପ୍ତ