ଯିଏ ବନିଗଲା କରୋଡପତି
ଯିଏ ବନିଗଲା କରୋଡପତି


ସୋନିଟିଭି ଚ୍ୟାନେଲ୍ର ସେଟ୍ ଭିତରେ ବସିଥିଲେ ଅମିତାଭ୍ ବଚ୍ଚନ୍ । ତାଙ୍କ ସାମନାରେ ଆବ୍ବାସ । ଅମିତାଭ୍ ବଚ୍ଚନ୍ ଦର୍ଶକ ମାନଙ୍କୁ କହୁଥିଲେ ଆଜି ଆମ ସହିତ ମଂଚ ଉପରେ ବସିଛନ୍ତି ଚେନ୍ନାଇରୁ ଆସିଥିବା ଆବ୍ବାସ। ତାପରେ ତାଙ୍କର କୌତୁହଳୀ ଆଖିରେ ଚାହିଁ ଆବ୍ବାସ୍କୁ ପଚାରିଥିଲେ, ଆପଣଙ୍କ ସାଥିରେ ଆଉ କିଏ ସବୁ ଆସିଛନ୍ତି ?
ମୋର ପତ୍ନୀ ସାଗରିକା । ଟିକିଏ ଦୂରରେ ବସିଥିବା ନିଜର ସ୍ତ୍ରୀ ଆଡକୁ ଆଖି ରଖି କହିଲା ଆବ୍ବାସ।
ଆପଣ ଦୁଇଜଣଙ୍କର ଅସମ ନାମରୁ ଯାହା ଜଣା ଯାଉଛି ଏଇଟା ଲଭ୍ମ୍ୟାରେଜ୍ । ନୁହେଁକି ? କୌତୁକିଆ ମୁହଁରେ କହିଲେ ବିଗ୍ ବି ।
କେବଳ ଅସମ ଧର୍ମ ନୁହେଁ ସାର୍ । ଅସମ ଭାଷା ବି । ସାଗରିକା ହେଉଛି ଓଡିଶାର ଆଉ ମୁଁ ହରିଆଣୀ । କହୁ କହୁ ତାଜା ଫୁଲ ଉପରେ ଗରମ୍ ପାଣି ପଡିଗଲା ପରି ମଉଳି ଗଲା ଆବ୍ବାସ। କହିଲା ଯେଉଁଥିପାଇଁ ଆମର ଦୁଇଟିଯାକ ପରିବାର ଆମକୁ ତ୍ୟାଗକରି ଦେଇଛନ୍ତି ପାଞ୍ଚ ବର୍ଷ ହେଲା ।
ଓଃ । ତାହେଲେ ପାଞ୍ଚବର୍ଷ ହେଲା ଆପଣ ମାନଙ୍କର ସାଦୀ ହୋଇସାରିଛି ? କିନ୍ତୁ ଦେଖିଲେ ତ ଲାଗୁଛି ଏଇ ଯେମିତି ହନିମୁନ୍ରୁ ଫେରି ଆସିଛନ୍ତି ଏବେ ଏବେ । ମଜାକ୍ କରିବାକୁ କହିଦେଇ ଅମିତାଭ୍ ବଚ୍ଚନ୍ ତାଳି ମାରିଦେଇ ତାଙ୍କର ଖେଳ ଆରମ୍ଭ କଲେ ।
ଏହି ଚାରିଗୋଟି ଜିନିଷ ଭିତରୁ ଗୋଟିଏ ମସଲା ଭାବରେ ବ୍ୟବହାର କରାଯାଏ ନାହିଁ । ଅପ୍ସନ୍ ହେଲା ଜାଇଫଳ , ଗୋଲମରିଚ , ହରିଡା ଆଉ ଅଳେଇଚ ।
ଏହିସବୁ ମସଲା ଗୁଡିକ ଆବ୍ବାସ କେବେ ଦେଖିନାହିଁ । ତେଣୁ ସେ ମନେ ମନେ ଉଣ୍ଡାଳି ହେଲା ବେଳକୁ ଅମିତାଭ୍ ପଚାରିଲେ ଆପଣ କେବେ ରାନ୍ଧନ୍ତି ?
କେବେ କଣ ? ମତେ ତ ପ୍ରାୟ୍ ହିଁ ରାନ୍ଧିବାକୁ ପଡେ । କିନ୍ତୁ ମୁଁ କେବଳ ଗୁଣ୍ଡ ମସଲା ହିଁ ବ୍ୟବହାର କରେ । ତେଣୁ ଏସବୁ ବସ୍ତୁ ଗୁଡିକୁ ଦେଖିବାର ଉପାୟ ନାହିଁ । ମୁଁ ଲାଇଫ୍ ଲାଇନ୍ ନେବି ।
ହେ ଭଗବାନ୍ ! ଦର୍ଶକ ମାନଙ୍କ ଭିତରେ ବସିଥିବା ସାଗରିକାର ମୁହଁ ଶୁଖିଗଲା । ପ୍ରଥମରୁ ତ ଇୟେ ଲାଇଫ୍ ଲାଇନ୍ ନେବାକୁ ଆରମ୍ଭ କରି ଦେଲେଣି । ଆଉ କଣଟା ବା ଜିତିବ ? ହରିଡାଟା ଯେ ମସଲା ନୁହେଁ ଏ କଥାଟା କଣ ତାଙ୍କୁ ଜଣା ନାହିଁ ?
କାହାର ହେଲ୍ପ¬ ନେବେ ?
ଫୋନ୍ ଏ ଫ୍ରେଣ୍ଡ୍ ।
ଏହି ତିନିଜଣଙ୍କ ଭିତରୁ କାହାର ସାହାଯ୍ୟ ଆପଣ ନେବେ ? ଫଟୋ ତିନୋଟି ସ୍କ୍ରୀନ୍ ଉପରେ ଦେଖାଇଦେଇ ଅମିତାଭ୍ ପଚାରିଲେ ।
-ନବନୀତା ଆଚାର୍ଯ୍ୟ ।
କଣ ହୁଅନ୍ତି ସେ ଆପଣଙ୍କର ?
ଆମର ଆପାର୍ଟମେଣ୍ଟରେ ରହନ୍ତି ନବନୀତା ଆଣ୍ଟି । ବହୁତ୍ ହେଲ୍ପଫୁଲ୍ । ଆମର ପରିବାର ଆମକୁ ତ୍ୟାଗ କରିଛନ୍ତି ବୋଲି ସିଏ ଜାଣନ୍ତି ତ ! ତେଣୁ ବହୁତ ସ୍ନେହଶୀଳା ଆମପ୍ରତି । ଆବ୍ବାସ କହିଲା ।
ଉତ୍ତରଟି ମିଳି ସାରିବା ପରେ ଅମିତାଭ ବଚ୍ଚନ୍ କହିଲେ ଆପଣଙ୍କର ଗୋଟିଏ ଭିଡିଓକ୍ଲିପ୍ ଅଛି ଆମ ପାଖରେ । ଏଥର ତାକୁ ଦେଖିବା ।
ଦୃଶ୍ୟଟି ଏହିପରି ଥିଲା :-ବାଇକ୍ରେ ବସିଥିଲା ଆବ୍ବାସ ଆଉ ପଛରେ ସାଗରିକା । ଆବ୍ବାସ କହୁଥିଲା ଆମେ ଦିଜଣ ଗୋଟିଏ ହଂକଂ ବେସ୍ କଲ୍ସେଣ୍ଟର୍ରେ କାମକରୁ । ମୋର ଡିଉଟି ସକାଳ ଏଗାରଟାରୁ ରାତି ଆଠଟା ପର୍ଯ୍ୟନ୍ତ ଆଉ ସାଗରିକାର ରାତି ଆଠଟାରୁ ସକାଳ ପାଞ୍ଚଟା । ମୁଁ ଅଫିସ୍ ଗଲା ବେଳକୁ ସାଗରିକା ଶୋଇଥାଏ ଆଉ ସିଏ ଅଫିସ୍ରୁ ଫେରିଲା ବେଳକୁ ମୁଁ ଶୋଇଥାଏ । ତେଣୁ ଆମର ଦେଖା ହୁଏ କେବଳ ଶନିବାର ଆଉ ରବିବାର ଦିନ । ସେ ଦୁଇଦିନ ଆମେ ମନ ଇଚ୍ଛା ବୁଲିବାକୁ ଯାଉ । ସିନେମା, ସପିଂ ଆଉ ରନ୍ଧାରନ୍ଧି ବି କରୁ ସାତଦିନ ପାଇଁ ।
ଯାହା ଦେଖୁଛି ଆପଣ ଦିଜଣ ବହୁତ୍ ଖୁସ୍ ଅଛନ୍ତି ଦିଜଣଙ୍କୁ ପାଇ । ନିଜ ନିଜର ପରିବାର ଛାଡି ଦେଇଥିଲେ ବି ଆଉ ଦୁଃଖ ନାହିଁ । ନା-କଣ କହୁଛନ୍ତି ?
ଇଏସ୍ ସାର୍ ଆମେ ବହୁତ୍ ଖୁସିରେ ଅଛୁ । ଯଦି ଅନୁମତି ଦେବେ ତ ଆମେ ଦିଜଣ ମିଶି ଗୋଟାଏ ଗୀତ ଗାଇବୁ ।
ସିଓର୍ । କହିଦେଇ ଅମିତାଭ୍ ବଚ୍ଚନ୍ ଡାକଦେଲେ ସାଗରିକାକୁ ।
ସାଗରିକା ଆଉ ଆବ୍ବାସ ଛିଡାହୋଇ ନାଚିବାକୁ ଆରମ୍ଭ କଲେ ଗୀତ ଗାଉ ଗାଉ । ଅଗର୍ତୁମ୍ ମିଲ୍ଯାଓ, ଜମାନା ଛୋଡ୍ ଦେଂଗେ ହମ୍.......।
ସେମାନଙ୍କର ସୁନ୍ଦର ଗୀତ ଆଉ ଲୀଳାୟିତ ଭଙ୍ଗୀରେ ନାଚ୍ ଦେଖି ଝୁମି ଉଠିଲେ ଦର୍ଶକ । ଗୀତର ସ୍ୱର ସହିତ କରତାଳିରେ ମୁଖରିତ ହୋଇ ଉଠିଲା ପ୍ରେକ୍ଷାଳୟ ।
ଗୋଟିକ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଆବ୍ବାସ ଜିତି ଯାଉଥିଲା ଧନ ରାଶି । ଅବଶ୍ୟ ୟାଭିତରେ ସେ ତାର ସମସ୍ତ ଲାଇଫ୍ ଲାଇନ୍ ନେଇ ସାରିଥିଲା । ଶେଷ ପ୍ରଶ୍ନଟି କୋଟିଏ ଟଙ୍କା ଜିତିଗଲା ପରେ ଅମିତାଭ୍ ବଚ୍ଚନ୍ ପଚାରିଲେ ଏହି କୋଟିଏ ଟଙ୍କା ନେଇ ଆପଣ କଣ କରିବେ ବୋଲି ଭାବୁଛନ୍ତି ?
ପୂର୍ବରୁ ଭାବିସାରିଥିବା ପରି ଆବ୍ବାସ କହିଲା ଆମେ ଦିଜଣ ଭ୍ରମଣ କରିବାକୁ ବହୁତ ଭଲ ପାଉ ସାର୍ । ପ୍ରତି ବର୍ଷ ଏହି ଦେଶ ଭିତରେ ବିଭିନ୍ନ ସ୍ଥାନ ବୁଲି ଯାଇଛୁ ।ଏତକ ଟଙ୍କା ପାଇବା ପରେ ଆମେ ସୁଇଜର୍ଲ୍ୟାଣ୍ଡ ଯିବୁ ।
ଏତେ ଗୁଡାଏ ଟଙ୍କା ସୁଇଜର୍ଲ୍ୟାଣ୍ଡ ଟୁର୍ରେ ଖର୍ଚ୍ଚ କରିଦେବେ ?
ନାଇଁ ସାର୍ । ଏ ଟଙ୍କା ପାଇଲା ପରେ ଆମେ ପ୍ରତିବର୍ଷ ବିଦେଶ ଟୁର୍ରେ ଯିବୁ । କେବେ ନାଏଗ୍ରାଫଲ୍ ଦେଖିବାକୁ ତ ଆଉ କେବେ............
ଠିକ୍ ଅଛି ଏବେ ତାହେଲେ ତିନି କୋଟି ଟଙ୍କା ପାଇଁ ଏ ପ୍ରଶ୍ନ ।
ଇଟାଲିର ଚିତ୍ରକର ଗୁସେପ୍ ଆର୍କିବୋଲେ ଆଧୂନିକ ଦୁନିଆର ପ୍ରଥମ ବ୍ୟଙ୍ଗ ଚିତ୍ର ଆଙ୍କିଥିଲେ ବୋଲି କୁହାଯାଏ । ତାହା ସେ କେଉଁ ମସିହାରେ ଆଙ୍କିଥିଲେ ?ଏ-୧୫୬୩,ବି- ୧୬୨୦,ସି- ୧୫୪୦ ମସିହାରେ ?
ବଡ କଠିନ ପ୍ରଶ୍ନ ଥିଲା ଏଇଟା ଆବ୍ବାସ ପାଇଁ । ତାର ସମସ୍ତ ଲାଇଫ୍ ଲାଇନ୍ ବି ସରି ଯାଇଥିଲା । ସଠିକ ଉତ୍ତର କଣ ହୋଇପାରେ ଦ୍ୱିଧାରେ ପଡି ସେ କହୁଥିଲା ଏ ହୋଇପାରେ, ନ ହେଲେ ସି ।
ଭୁଲ୍ ଉତ୍ତର ଦେଇଦେଲେ ସିଧା ତଳକୁ ଖସି ଆସିବ ଆବ୍ବାସ ତିନି ଲକ୍ଷ ଷାଠିଏ ହଜାରକୁ । ଗତ ତିନି ମାସ ହେଲା ସେମାନେ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ବେକାର୍ ହୋଇଯିବ । ତେଣୁ ଯେତିକି ମିଳିଛି ବହୁତ । ସାଗରିକା ବେଲ୍ ବଜାଇଦେଲା ଅଧୈର୍ଯ୍ୟ ହୋଇ । ଆବ୍ବାସ ଏମିତି ଦ୍ୱିଧାରେ ପଡିଥିବା ବେଳେ ଅମିତାଭ୍ ବଚ୍ଚନ୍ କହିଲେ ଆପଣଙ୍କ ପତ୍ନୀ ୱାର୍ଣ୍ଣି ଦେଇ ଦେଲେଣି । କଣ କରିବେ ?
ଆବ୍ବାସ ଚୁପ୍ ହୋଇଗଲା । ଯଦି ଉତ୍ତର ଭୁଲ୍ ହୋଇଯିବ ତାହେଲେ ଜୀବନ ସାରା ସାଗରିକା ତାକୁ ଦୋଷ ଦେଉଥିବ । ବରଂ ଯେତିକି ପାଇଛି ଠିକ୍ ଅଛି । ସେ ହସିଦେଇ କହିଲା କୁଇଟ୍ । ଠିକ୍ ଅଛି । ଏହି କୋଟିଏ ଟଙ୍କା ପାଇ ଥିବାରୁ ଅଭିନନ୍ଦନ । କହିଦେଇ ତାଳି ମାରିଲା ବେଳକୁ ଅନ୍ୟ ସମସ୍ତେ ତାଳି ମାରିଲେ ।
ଆଚ୍ଛା ଆପଣ ଯଦି ଉତ୍ତର ଦେଇ ଥାଆନ୍ତେ କଣ ଥାଆନ୍ତା ଆପଣଙ୍କର ଉତ୍ତର ?
ଏ । ଆବ୍ବାସ କହିଦେଲା ବେଳକୁ ଅମିତାଭ୍ ବଚ୍ଚନ୍ କହିଲେ ଏଇଟା କରେକ୍ଟ ଉତ୍ତର ହୋଇ ଥାଆନ୍ତା ଆବ୍ବାସ। ତଥାପି ଆପଣ କୋଟିଏ ଟଙ୍କା ଜିତିଯାଇ ଥିବାରୁ ଅଭିନନ୍ଦନ ।
କୋଟିଏ ଟଙ୍କା ଜିତି ଯାଇ ଥିଲେ ବି ମୋଟେହେଲେ ଖୁସି ହୋଇପାରୁ ନଥିଲା ଆବ୍ବାସ। ପାଇବାକୁ ଯାଉଥିବା ତିନିକୋଟି ଟଙ୍କାକୁ ଅକାରଣେ ସାଗରିକା କଥାରେ ପଡି ସେ ହରେଇଦେଲା ।
ହାତରେ ଧରିଥିବା ଚେକ୍, ଉଜ୍ଜ୍ୱଳ ଆଲୋକ ଭିତରେ ଘନଘନ କରତାଳି, ଆନନ୍ଦର ସେ ଅଫୁରନ୍ତ ଲହରୀ ଭିଜାଇଦେଇ ପାରୁ ନ ଥିଲା ଆବ୍ବାସ୍କୁ । ତାକୁ ଲାଗୁଥିଲା ତାଆଡକୁ ଆସୁଥିବା ସୁନା ବୋଝେଇ ବୋଇତଟା ଯେମିତି ତିମି ମାଛର ଚୋଟ ଖାଇ ସମୁଦ୍ର ଭିତରେ ବୁଡି ଯାଇଛି ।
ଦୁଃଖ,ଅନୁଶୋଚନା ଆଉ ପ୍ରବଳ ହାହାକାର ଭିତରେ ତାର ଆଉ ମନ ହେଉ ନ ଥିଲା ପ୍ରେକ୍ଷାଳୟରେ ବସି ରହିବା ପାଇଁ । ନିଜର ଛାଡି ଯାଇଥିବା ସିଟ୍ ଉପରେ ବସିଲା ପରେ ସେ ଯେତେବେଳେ ସାଗରିକା ହାତର ସ୍ପର୍ଶ ପାଇଲା ତାକୁ ବିଷ ପରି ଅନୁଭବ ହେଲା ।
ସେ ଦିନ ରାତିରେ ଆଉ କେହିହେଲେ ବି ଆବ୍ବାସପରି ସଫଳ ହୋଇପାରିନଥିଲେ । କିଏ ଲକ୍ଷେ ଷାଠିଏ ହଜାର ପାଇ ଚାଲିଗଲା ତ ଆଉ କିଏ ତିନିଲକ୍ଷ କୋଡିଏ ହଜାରରେ । ଜଣେ ତ ମାତ୍ର ଦଶ ହଜାରରେ ହାରିଗଲା । କିନ୍ତୁ ଆବ୍ବାସ୍କୁ ନିଜର ହାତଛଡା ହୋଇଯାଇ ଥିବା ପ୍ରାପ୍ତିଟା ଏତେ ପୀଡା ଦେଉଥିଲା ଯେ ଅନ୍ୟ କାହାର ହାର୍-ଜିତ୍କୁ ସେ ଆଉ ବୁଝିପାରୁନଥିଲା ।
ହୋଟେଲ୍କୁ ଆସିଲା ପରେ କବାଟ ବନ୍ଦକରି ଦେଇ ସାଗରିକା ଆବ୍ବାସ୍କୁ ଆଲିଙ୍ଗନ କଲା ବେଳକୁ ତାକୁ ଠେଲିଦେଇ ଆବ୍ବାସ କହିଲା ଛାଡ ମତେ । ଆଜି ତମରି ପାଇଁ ହିଁ ତିନି କୋଟି ଟଙ୍କା ହାତରୁ ମୋର ଖସିଗଲା ।
ହେ ଭଗବାନ୍ ! ହସିଦେଇ ସାଗରିକା କହିଲା ଏଇଥିପାଇଁ ତାହେଲେ ବାବୁଙ୍କର ଏତେ ରାଗ ? କିନ୍ତୁ ସେ ପ୍ରଶ୍ନଟା ଶୁଣିଲା ପରେ ତମେ ଯେମିତି ଭାବି ହେଉଥିଲା ନା, ମତେ ତ ଡର ମାଡୁଥିଲା ତମେ କାଳେ ଭୁଲ୍ ଆନ୍ସର୍ ଦେଇଦେବ ସେଦିନ ଦେଖିଲ ନାହିଁ ? ପଚାଶ ଲକ୍ଷ ଜିତିଥିବା ଲୋକଟିର ତିନି ତିନିଟା ଲାଇଫ୍ ଲାଇନ୍ ଥିବା ସତ୍ତ୍ୱେ ବି ଭୁଲ୍ ଆନ୍ସର୍ ଦେଇଦେଲା ବୋଲି କେମିତି ମାତ୍ର ତିନି ଲକ୍ଷ କୋଡିଏ ହଜାର ଟଙ୍କା ନେଇ ଘରକୁ ଗଲା ?
ମୁଁ କିନ୍ତୁ ଠିକ୍ ଆନ୍ସର୍ ଦେଇ ଥାଆନ୍ତି । ଖଟ ଉପରେ ବସି ଗୋଡରୁ ଜୋତା ମୋଜା ଖୋଲୁ ଖୋଲୁ ଆବ୍ବାସ କହିଲା ଆନ୍ସର୍ଟା କଣ ହେବ ତା ମତେ ଭଲ କରି ଜଣା ଥିଲା । ତମେ ଯଦି ବେଲ୍ ବଜାଇ ନ ଥାନ୍ତ ନା, ତାହେଲେ ମୁଁ ଆଜି ତିନି କୋଟି ଟଙ୍କାର ମାଲିକ୍ ବନିଯାଇ ଥାଆନ୍ତି । ଏଥର ଆମେ ଶବ୍ଦଟିର ବ୍ୟବହାର ନ କରି ମୁଁ ଉପରେ ଜୋର୍ ଦେଲା ଆବ୍ବାସ।
କେଜାଣି, ଆବ୍ବାସ ସତକୁ ସତ ଠିକ୍ ଆନ୍ସର୍ କହିଦେଇ ପାରି ଥାଆନ୍ତା କି କଣ ! ନିଜକୁ ଅପରାଧୀ ମନେକରି ସାଗରିକା କହିଲା ସରି ଆବ୍ବାସ। ଆଇ ଆମ୍ ଏକ୍ସଟି୍ରମ୍ଲି ସରି । ବାସ୍ତବରେ ମୋର ଭୁଲ୍ ହୋଇଗଲା । ଡରିଯାଇ ମୁଁ ଯଦି ବେଲ୍ ମାରି ନ ଥାନ୍ତି ଆମେ ଏବେ ତିନିକୋଟି ଟଙ୍କା ଜିଣି କେତେ କଣ କରିପାରି ଥାଅ।ନ୍ତେ । କହିଦେଇ କୁଣ୍ଢେଇ ପକେଇଲା ଆବ୍ବାସ୍କୁ ।
ସାଗରିକାକୁ ଠେଲିଦେଲା ଆବ୍ବାସ। ସିଏ ଏବେ ଆଉ ତାକୁ ପିୟତମା ପତ୍ନୀ ପରି ଦେଖାଯାଉ ନ ଥିଲା । ଦେଖାଯାଉ ଥିଲା ଗୋଟାଏ କୁଚକ୍ରି ଭିଲେନ୍ ପରି । ଯାହାର ଗୋଟାଏ ଭୟାନକ ବେଲ୍ ତାକୁ ଆଜି ସର୍ବସ୍ୱାନ୍ତ କରିଦେଇଛି । ଆବ୍ବାସ୍ର ରାଗକୁ ମନକୁ ନ ନେଇ ସାଗରିକା କହିଲା ଯାହା ନ ମିଳିଲା ସେଥିପାଇଁ ଆଉ ଦୁଃଖ କରି ଲାଭ ନାହିଁ ଆବ୍ବାସ। ଆମକୁ ଯେତିକି ମିଳିଛି ଯଥେଷ୍ଟ । କହନ୍ତି ନାହିଁ ? ଆକାଶରେ ଉଡୁଥିବା ଦଶଟା ପକ୍ଷୀ ଠାରୁ ହାତକୁ ଆସିଥିବା ଗୋଟିଏ ପକ୍ଷୀ ବି ମୂଲ୍ୟବାନ୍ ।
ଆବ୍ବାସ କିନ୍ତୁ ଆଉ ବୁଝିବା ମୁଡ୍ରେ ନ ଥିଲା । ଯୁଦ୍ଧରେ ହାରିଯାଇଥିବା ରାଜାଟିଏ ପରି ସିଏ ଖାଲି ଗୁମୁରୁଥିଲା ରହି ରହି । ରାତିପିନ୍ଧା ଡ୍ରେସ୍ ନ ବଦଳେଇ ସେ ସେମିତି ଶୋଇ ପଡିଲା ଖଟ ଉପରେ, ଅନ୍ୟ ପାଖକୁ ମୁହଁ କରି ।
ହୋଟେଲ୍ରେ ରହିବାର ଆନନ୍ଦ, ଫ୍ଲାଇଟ୍ରେ ଉଡିବାର ମଜା , ସାଂଗସାଥୀ ମାନଙ୍କର ଅଭିନନ୍ଦନ, କିଛିହେଲେ ବି ଆଉ ଖୁସି କରି ପାରୁନଥିଲା ଆବ୍ବାସ୍କୁ । ପତ୍ନୀର ସନ୍ନିଧି ଏବେ ବିଷ ପରି ଲାଗୁଥିଲା । ସାଗରିକାକୁ ଦେଖିବାମାତ୍ରେ ଚିଡି ଉଠୁଥିଲା ସେ । ତାର ପ୍ରତି କାମରେ ଖୁଣ ବାହାର କରୁଥିଲା । ତାକୁ ଲାଗୁଥିଲା ସେ ଯେମିତି କେଉଁ ଜନ୍ମର ଶତୃ ହାବୁଡରେ ଆସି ପଡି ଯାଇଛି !
ଅଫିସ୍ରୁ ଫେରିଆସି ସାଗରିକା ଦେଖୁଥିଲା ଆବ୍ବାସ ଏବେ ଆଉ ଅଫିସ୍କୁ ନିୟମିତ ଯାଉନାହିଁ । ଖାଇବା ଟେବୁଲ୍ ଉପରେ ମଦ ବୋତଲ ଗଡୁଛି । ତାଙ୍କ ଭିତରେ ଯେଉଁ ଗୋଟାଏ ଅଲିଖିତ ଚୁକ୍ତି ହୋଇଥିଲା ଯେ ସାଗରିକା ରନ୍ଧାରନ୍ଧି କରିବ ଆଉ ଆବ୍ବାସ କରିବ ଅନ୍ୟସବୁ , ଯେମିତି ଟୟ୍ଲଟ୍ ସଫାସଫି, ୱାସିଂମେସିନ୍ରୁ ବାହାର କରି କପଡା ଶୁଖାଇବା ଆଉ ଗଲା ଦିନର କପଡାକୁ ଭଙ୍ଗାଭାଙ୍ଗି କରି ସଜାଡି ରଖିବା ଇତ୍ୟାଦି । ସେ ସବୁ ଆଉ କରୁନାହିଁ ।
ସହଜେ ତ ସେମାନଙ୍କ ଭିତରେ ସପ୍ତାହର ପାଞ୍ଚଦିନ ପ୍ରାୟ ଦେଖା ସାକ୍ଷାତ ହୁଏନା । ଯେଉଁ ଶନିବାର ଆଉ ରବିବାର ସେମାନେ ଉପଭୋଗ କରନ୍ତି, ତା ବି ଆଉ ହେଉନଥିଲା । ଝଗଡାଝାଟି, ମୁହଁ ଫୁଲାଫୁଲି ସହିତ କଥାବାର୍ତ୍ତା ବନ୍ଦ ବି ବନ୍ଦ ହୋଇ ଯାଉଥିଲା କିଛିଦିନ ପାଇଁ ।
ସାଗରିକା ଦୀର୍ଘଶ୍ୱାସ ଛାଡୁଥିଲା । ମନେ ପକାଉଥିଲା ତାର ପୂର୍ବଦିନ ମାନଙ୍କୁ । ଟଙ୍କା ପଇସା ବିଶେଷ ନ ଥାଉ ପଛକେ, କେତେ ସୁନ୍ଦର ଥିଲା ତାଙ୍କର ଜୀବନ ! କେତେ ପ୍ରୀତିମୟ ! ଏକାଠି ସପିଂ କରିବା, ଏକାଠି ବୁଲାବୁଲି, ସିନେମା ଦେଖା, ରନ୍ଧାରନ୍ଧି କଲା ବେଳକୁ ଏହି ଦୁଇ ବେଡ୍ରୁମ୍ର ଫ୍ଲାଟ୍ଟା ବି ସ୍ୱର୍ଗ ବନି ଯାଉଥିଲା ।
ସାଗରିକା ଅନୁତାପ କରେ । ମନେ ମନେ ଭାବେ ଆହାଃ ! ସିଏ ଯଦି ଆବ୍ବାସ୍କୁ ଉତ୍ସାହିତ କରିନଥାନ୍ତା କୌନ୍ ବନେଗା କରୋଡ୍ପତିରେ ଭାଗ ନେବାପାଇଁ ।
ଅନୁତାପ, ଅଶାନ୍ତି ଆଉ ଅସୁମାରି ଟେନ୍ସନ୍ ଭିତରେ କୌଣସି କାମରେ ବି ଆଉ ମନ ଲାଗୁ ନ ଥିଲା ସାଗରିକାର । ଆଗ ପରି ରନ୍ଧାରନ୍ଧି କରି ଖାଇବ, ଆଉ ଟେବୁଲ୍ ଉପରେ ଆବ୍ବାସପାଇଁ ହଟ୍କ୍ୟାରିଅର୍ରେ ବାଢିଦେଇ ଅଫିସ୍କୁ ଯିବ, ତା ଆଉ ପାରୁ ନ ଥିଲା । ଏମିତିକି ବାଧ୍ୟତା ମୂଳକ ଛୁଟିଦିନ ମାନଙ୍କରେ ଘରେ ନ ରହି ଚାଲିଯାଉଥିଲା ତାର କେଉଁ ବାନ୍ଧବୀ ପାଖକୁ ସମୟ କଟେଇବା ପାଇଁ ।
ସେଦିନ କିନ୍ତୁ ଗୋଟିଏ ନିଆରା ସମୟ ଅପେକ୍ଷା କରିଥିଲା ସାଗରିକା ପାଇଁ । ତାର ରୁଟିନ୍ ବନ୍ଧା ସମୟରେ ସେ ଅଫିସ୍ରୁ ରାତି ଦୁଇଟା ବେଳେ ଫେରି ଆସିଲା ବେଳକୁ ଆବ୍ବାସବସି ରହିଥିଲା ଡ୍ରଇଂରୁମ୍ରେ କବାଟ ଖୋଲା ରଖି । ଖୁସି ହୋଇ ସାଗରିକା ଘର ଭିତରକୁ ଆସୁ ଆସୁ ଆବ୍ବାସ ତାକୁ ଡାକିଲା ଆସ ସାଗରିକା ବସ । ଦେଖ ମୁଁ ଆଜି କେତେ ଟଙ୍କା ଜିତି ଯାଇଛି । କହିଦେଇ ପକେଟ୍ ଭିତରୁ ଗୋଟାଏ ଟଙ୍କାର ବଣ୍ଡଲ୍ ବାହାର କରି କହିଲା ପୂରା ପଚ୍ଚିଶ୍ ହଜାର । ଏମିତି ଯଦି ପ୍ରତିଦିନ ଜିତିଯିବି ନା, ଚାରିମାସ ଭିତରେ ତିନିକୋଟି ପାଇଯିବି ।
ସାଗରିକା ଆଶ୍ଚର୍ଯ୍ୟ ନ ହୋଇ ସନ୍ଦେହର ଆଖିରେ ଚାହିଁ ରହିଲା । ପଚାରିଲା କେଉଁ ପ୍ରତିଯୋଗୀତାରୁ ପାଇଲ ଏ ଟଙ୍କା ?
ଜୁଆ ଖେଳରୁ । ଆବ୍ବାସ କହିଲାମାତ୍ରେ ତୀରବିଦ୍ଧ ପକ୍ଷୀଟିଏ ପରି ସାଗରିକା ଚିତ୍କାର କରି ଉଠିଲା ଛି ! ଟଙ୍କାର ନିଶାରେ ଶେଷରେ ତମେ ଏତେ ତଳକୁ ଖସିଗଲ ? ଆଜି ସିନା ଏତକ ଜିତି ଯାଇଛ ବୋଲି କହିଦେଲ । ୟାଭିତରେ ତ ତାହେଲେ କେତେ ଟଙ୍କା ହାରିଯାଇ ସାରିଥିବ ?
ବସିବା ଜାଗାରୁ ଉଠିଅ।ସି ପତ୍ନୀର ଗାଲ ଉପରେ ଠାୟ୍ କରି ଗୋଟାଏ ଚାପୁଡା କଷିଦେଲା ଆବ୍ବାସ। କହିଲା ଯେଉଁ ତିନିକୋଟି ଟଙ୍କା ସେଦିନ ମୁଁ ତୋରି ପାଇଁ ହରେଇ ଦେଇଥିଲି ତାକୁ ଯେ କୌଣସି ଉପାୟରେ ବି ଅର୍ଜନ କର ଛାଡିବି । ହେଲ। ?
ଚାପୁଡା ଖାଇ ଆବ୍ବାସମୁହଁକୁ ସ୍ତମ୍ଭୀତ ହୋଇ ଚାହିଁ ରହିଲା ସାଗରିକା । ଗତ ଛମାସ ଭିତରେ କେତେ କଣ ସହି ଆସିଲାଣି ସେ । ଝଗଡା ଝାଟି ମୁହଁ ଫୁଲା ତାର ପ୍ରତି କାମକୁ ସମାଲୋଚନା । ତଥାପି ସହି ଆସୁଥିଲା ସେ । କିନ୍ତୁ ଆଜି ତ ସବୁଯାକ ସୀମାକୁ ଟପିଗଲା ଆବ୍ବାସ।
ନାଃ । ଆଉ ନୁହେଁ । ଯେତିକି ହେଲା ସେତିକି । ଏମିତି ଗୋଟାଏ ଇତର ଲୋକ ସହିତ ରହିବା ଅପେକ୍ଷା ଫୁଟ୍ପାଥ୍ରେ ରହିବା ବରଂ ଭଲ ।
ତାପରଦିନ ସକାଳେ ନିଜର ଜଣେ ସହକର୍ମିଣୀର ଘରେ ଯାଇ ପହଞ୍ଚି ଯାଇଥିଲା ସାଗରିକା ସୁଟ୍କେସ୍ଟିଏ ଧରି ଏବଂ ଦୁଇଦିନ ପରେ ଲେଡିଜ୍ ହଷ୍ଟେଲ୍ ।
ଅଫିସ୍ରେ ଯେ ଆବ୍ବାସ ସହିତ ଦେଖା ହେବ ତାର ଆଉ ସମ୍ଭାବନା ନ ଥିଲା । କାରଣ ସେ ଦୁଇମାସ ହେଲା ଚାକିରିରୁ ବରଖାସ୍ତ ହୋଇ ସାରିଥିଲା ତାର ଅନିୟମିତ ଉପସ୍ଥିତି ପାଇଁ ।
ତାରୁମ୍ରେ ଚାରିଜଣ ଥିଲେ । ସମସ୍ତଙ୍କର ରୁଟିନ୍ ଅଲଗା । ବିଶେଷତଃ କଲ୍ସେଣ୍ଟରରେ କାମ କରୁଥିବାରୁ ସାଗରିକାର ପୂରା ଅଲଗା ଥିଲା ଅନ୍ୟ ମାନଙ୍କଠାରୁ । ଏବେ ସନ୍ଧ୍ୟା ପାଞ୍ଚଟାରୁ ବାହାରିଯାଇ ରାତି ଦୁଇଟାରେ ଫେରି ଆସୁଥିଲା ସେ ।
ପ୍ରଥମେ କେତେ ଦିନ ବିଛଣାରେ ଥିଲାବେଳେ ମନ ଭିତରେ ଦ୍ୱନ୍ଦ ପାଇଁ ନିଦ ଆସୁ ନ ଥିଲା ସାଗରିକାର । ତାଭାଷାରେ ଯେତେସବୁ ବିରୁପ ଶବ୍ଦ ଥିଲା ସେଥିରେ ପୋତି ପକାଉଥିଲା ଆବ୍ବାସ୍କୁ । ଯେମିତି ଅସଭ୍ୟ ଅପଦାର୍ଥ ଅମଣିଷ ଆଉ କେତେ କଣ । ଏ ସବୁ ଶବ୍ଦ ଗୁଡାକ ପ୍ରୟୋଗ କଲା ବେଳକୁ ସାଗରିକାର ଦେହ ରାଗରେ ଜର୍ଜରିତ ହୋଇ ଯାଉଥିଲା । ଘୃଣାରେ ଛେପ ପକେଇ ଦେଉଥିଲା ଆବ୍ବାସ ଉପରକୁ ମନେ ମନେ ।
ସମୟ କ୍ରମେ ଲାଭାର ଉଦ୍ଗୀରଣ ବନ୍ଦ ହୋଇଗଲା ପରି ଶାନ୍ତ ହୋଇ ଯାଇଥିଲା ସାଗରିକା । ତାର ଆଉ ଆବ୍ବାସ୍ର ମିଳିତ ସାଙ୍ଗ ମାନଙ୍କଠାରୁ ବୁଝୁଥିଲା ଆବ୍ବାସ ବିଷୟରେ । ଆବ୍ବାସ କେମିତି ମଦ ପିଇ ପିଇ ପଡି ରହିଥାଏ ଘର ଭିତରେ । ତାମୁହଁରେ ଅଯନି ବର୍ଦ୍ଧିତ ଦାଢୀ । ତାଦେହରେ ମଇଳା କପଡା । ଘର ଦ୍ୱାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ତାର ଏତେ ବିଗିଡି ଗଲାଣି ଯେ ତାକୁ ଦେଖିଲେ ଲାଗେ ସିଏ ଯେମିତି ଠିକ୍ ଭାବରେ ଖିଆ ପିଆ କରୁନାହିଁ ।
ସିଏ ସିନା ମୁହଁ ଖୋଲି କିଛି କହୁନାହିଁ । କିନ୍ତୁ ମନେ ମନେ ଅନୁତାପ କରୁଛି ନିଶ୍ଚୟ । ଦିନେ ସନ୍ତୋଷ ଅଗର୍ୱାଲ୍ କହିଥିଲା ସାଗରିକାକୁ । କହିଥିଲା ଯେତେହେଲେ ପୁରୁଷଟିଏ ତ । ତାର ଇଗୋ ତାକୁ ତୁମ ପାଖକୁ ଆସିବାକୁ ଦେଉ ନାହିଁ । ତୁମେ ଥରେ ଯାଇ ତାକୁ ଦେଖାକର ନା ?
ହୁଁ! ଭୁଲ୍ ତାର । ଆଉ ମୁଁ ଯାଇ କ୍ଷମା ମାଗିଲା ପରି ପହଂଚି ଯିବି ? ଆବ୍ବାସପ୍ରତି ଯେତେ ସହାନୁଭୁତିଶୀଳ ହେଲେ ବି,ତାକୁ ମନେ ମନେ ଯେତେ ଚାହିଁଲେ ବି ସାଗରିକାର ଅହଂକାର ତାର ଗତିରୋଧ କରୁଥିଲା ।
ୟା ଭିତରେ ତାର ରୁମ୍ମେଟ୍ ମନିଷାର ଟେବୁଲ୍ ଉପରୁ କେତେ ଗୁଡିଏ ବହି ଆଣି ପଢିଥିଲା ସେ । ସବୁଗୁଡିକ ବିଭିନ୍ନ ଧର୍ମଗୁରୁ ମାନଙ୍କର ଫିଲୋସଫିର ବହି । ଯଦିଓ ମନିଷା ଗୋଟିଏ ପ୍ରାଇଭେଟ୍ କଲେଜ୍ରେ କେମିଷ୍ଟ୍ରୀ ପଢାଉଥିଲା , ବହି ପଢିବାର ସଉକ୍ ଥିଲା ତାର ବହୁତ ବେଶୀ । ବେଳେ ବେଳେ ତାକୁ ନିମନ୍ତ୍ରଣ ବି ଆସୁଥିଲା ସଭାରେ ବସି ପ୍ରବଚନ ଦେବାପାଇଁ ।
ସେ ସବୁ ମିଟିଂ ଗୁଡିକ ରବିବାର କିମ୍ବା ଛୁଟି ଦିନ ମାନଙ୍କରେ ଆୟୋଜନ ହେଉଥିଲା । ସାଗରିକାର ବିଷର୍ଣ୍ଣ ମୁହଁ ଆଉ ନିସ୍ତରଂଗ ଜୀବନ ଶୈଳୀ ଦେଖି ତାକୁ ଦିନେ ମନିଷା କହିଥିଲା ଜୀବନଟା ବଡ ଦୁର୍ଲ୍ଲଭ ସାଗରିକା । ଆଉ ଥରେ ଜନ୍ମ ହେବାର ମଉକା ମିଳିବ ନାହିଁ । ତାକୁ ଏମିତି ବିଷାଦମୟ କରି ସାରିଦିଅ ନାହିଁ । ଆଜି ଚାଲ । ଜଣେ ବିଶିଷ୍ଟ ଧର୍ମ ଗୁରୁ ଆସୁଛନ୍ତି ମିଟିଂକୁ । ସେଠାକୁ ଗଲେ ମନ ତୁମର ବଦଳି ଯିବ ନିଶ୍ଚୟ । ସାଗରିକାକୁ ସାଂଗରେ ନେଇ ଯାଇଥିଲା ମନିଷା ପ୍ରବଚନ ଶୁଣିବାପାଇଁ ।
ଇଏ ଏକ ନୂଆ ଦୁନିଆଁ । ଗୀତ ନାଚର ଧୁମ୍ ନାହିଁ କି ରଂଗ ବେରଂଗର ଦର୍ଶକ ନାହାନ୍ତି । ପ୍ରଜାପତି ବ୍ରହ୍ମକୁମାରୀ ଦ୍ୱାରା ସମ୍ପନ୍ନ ହେଉଥିବା ଏହି ସଭାରେ ଭଉଣୀ ଶିବାନୀ କହି ଯାଉଥିଲେ ଜୀବନର ଉଦ୍ଦେଶ୍ୟ । କ୍ଷମାର ମହତ୍ତ୍ୱ । ବଂଚିବାର କଳା ।
ଶୁଣୁ ଶୁଣୁ ଉଲ୍ଲସି ଉଠୁଥିଲା ସାଗରିକା । ଛୋଟ ଛୋଟ ପଥର ଖଣ୍ଡ ପଡି ପୁଷ୍କରିଣୀରେ ଢେଉ ଉଠିଲା ପରି ତାର ହୃଦୟ ବି ତରଂଗାୟିତ ହୋଇ ଯାଉଥିଲା ନୂଆ ଏକ ଅନନ୍ୟ ଅନୁଭୁତିରେ ।
ନିଷ୍ଠାର ସହିତ କାମ କରୁ ଥିବାରୁ ବର୍ଷକ ପରେ ପ୍ରମୋସନ୍ ପାଇଗଲା ସାଗରିକା ଆସିଷ୍ଟାଣ୍ଟ ମ୍ୟାନେଜର୍ ପଦବୀକୁ ।
ଯଦିଓ ନିଜର ବେଶବାସରୁ କିଛି ହେଲେ ବି ଜଣା ପଡୁ ନ ଥିଲା, କିନ୍ତୁ ମନ ଭିତରେ ଏକ ବିରାଟ ପରିବର୍ତ୍ତନ ଆସି ଯାଇଥିଲା ସାଗରିକାର । ସେ ଏବେ ସମୟ ପାଇଲେ ନିଜକୁ ନେଇ ବିଶ୍ଳେଷଣ କରୁଥିଲା । ଆବ୍ବାସ୍ର ଏଇ ଯେଉଁ ଅଧଃପତ୍ତନ ହେଲା ସେଥିପାଇଁ କଣ ସାଗରିକା ନିଜେ ଦାୟୀ ନୁହେଁ ? ସେଇ ତ ତାକୁ ବାଟ କଢେଇ ନେଇଥିଲା ପ୍ରଲୋଭନ ଆଡକୁ । ବସିଲା ବେଳେ ଶୋଇବାବେଳେ ଆଉ କାମ କରୁ କରୁ ବି ଆବ୍ବାସ୍କୁ ଉତ୍ସାହିତ କରି କହୁଥିଲା ତୁମର ଯେମିତି ଜ୍ଞାନ ଅଛି ନା କୌନ୍ ବନେଗା କରୋଡ୍ପତିରେ ଭାଗ ନେଲେ ନିଶ୍ଚୟ ଜିତିଯାଇ ପାରିବ ।
ତାର ସାଙ୍ଗ ଆଉ ସହକର୍ମୀ ମାନଙ୍କର ଷ୍ଟାଟସ୍ ଆଉ ଷ୍ଟାଇଲ୍ ଦେଖି ସାଗରିକା ବି ସ୍ୱପ୍ନ ଦେଖୁଥିଲା ତାର ବର ବି ସେମିତି ଉପାର୍ଜନ କରି ପାରନ୍ତା କି ! ଆବ୍ବାସ ପଛକେ ଶ୍ରୁତିର ବର ପରି ଉଚ୍ଚ ପଦବୀରେ ନ ବସୁ ,ପଦ୍ମାର ବର ପରି ବ୍ୟବସାୟ କରି କୋଟି କୋଟି ଟଙ୍କାର ମାଲିକ ନ ହେଉ, ଅନ୍ୟ କେଉଁ ଉପାୟରେ ତ ଅର୍ଜନ କରି ପାରିବ !
ବି.ଏ ପାଶ୍ କଲା ପରେ ଆବ୍ବାସ ଅବଶ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷା ସବୁ ଲେଖୁଥିଲା । କିନ୍ତୁ ଶେଷରେ ଏଇ କଲ୍ସେଣ୍ଟର୍ରେ ଏକ୍ଜିକ୍ୟୁଟିଭ୍ ହୋଇ ରହିଯାଇ ଥିଲା ।
ଦରମା ବେଶୀ ନ ମିଳୁ ପଛକେ କିନ୍ତୁ ସେ ଚାକିରିରେ କଣ କମ୍ ଆନନ୍ଦ ମିଳୁଥିଲା ତାକୁ ? ସେଠାକାର ରୁଚିପୂର୍ଣ୍ଣ ପରିବେଶ , ଏଆର୍କଣ୍ଡିସନ୍ଡ୍ ହଲ୍ ,ଷ୍ଟାଇଲ୍ ଆଉ କର୍ମ ସମ୍ପାଦନର ପ୍ରଣାଳୀ ଭିତରେ ଲାଗୁଥିଲା , ସେମାନେ ଯେମିତି ଭାରତରେ ନୁହେଁ ବିଦେଶର କେଉଁ ବିରାଟ ଫାର୍ମରେ ଚାକିରି କରୁଛନ୍ତି !
ସେଇଠି କାମ କରୁଥିଲେ ବୋଲି ତ ଦୁହେଁ ଦୁହିଁଙ୍କର ନିକଟତର ହୋଇ ପାରିଥିଲେ ! ଗୋଟିଏ ଗୃପ୍ରେ ନୁହେଁ । ଆବ୍ବାସକାମ କରୁଥିଲା ଇନ୍ସୁରାନ୍ସରେ ଆଉ ସାଗରିକା କଷ୍ଟମରସ୍ କେଆର୍ରେ । ବଡ ଇନ୍ଷ୍ଟିଚ୍ୟୁଟ୍ରେ ନ ହେଉ ପଛକେ ସାଗରିକା ଏଚ୍.ଆର୍ରେ ଏମ୍.ବି.ଏ କରିଥିଲା ତ ।
ତାର ସେହି ଏଚ୍.ଆର୍. ଡିଗ୍ରୀ ଆଉ ବର୍ତ୍ତମାନର ଏକ୍ସପିରିଏନ୍ସ ପାଇଁ ସାଗରିକା ଗୋଟିଏ ବଡ କମ୍ପାନୀରେ ଚାକିରି ପାଇଗଲା ମ୍ୟାନେଜର ପଦବୀରେ । ଦରମା ଅଶୀ ହଜାର ଟଙ୍କା ମାସକୁ ।
ନିୟୋଗ ପତ୍ରଟିକୁ ହାତରେ ଧରି ସାଗରିକା ଆତ୍ମହରା ହୋଇଗଲା । କିନ୍ତୁ ତାସହିତ ଦୁଃଖ ବି । ପୂର୍ଣ୍ଣିମାର ଚନ୍ଦ୍ରକୁ ରାହୁ ଗ୍ରସ୍ତ କଲା ପରି ।
ଏବେ ତାର ଏହି ଖୁସି, ଏତେ ଆନନ୍ଦ ଏତେ ଉଲ୍ଲାସକୁ ବାଣ୍ଟିବ କାହା ସହିତ ? କିଏ ଆଉ ଅଛି ତାର ଏ ଦୁନିଆଁରେ ନିଜର ଲୋକ ?
ବାପା ମାଆ ତ ତାକୁ ତ୍ୟାଗ କରି ଦେଇଛନ୍ତି ଆବ୍ବାସ୍କୁ ବାହା ହେଲା ବୋଲି । ଏବେ ଆବ୍ବାସ୍କୁ ବି ସେ ନିଜେ ଛାଡିଦେଇଛି । ଏମିତି କି ତାର ସାଂଗମାନେ ବି ଆଉ ତାକୁ ସହି ପାରନ୍ତି ନାହିଁ । ଭାବନ୍ତି ସାଗରିକା ଗୋଟାଏ ଉଗ୍ର ଆଉ ଅନମନୀୟ ମଣିଷ । ଝରଣା ନ ଥିବା ପାହାଡଟାଏ ।
ଆବ୍ବାସ ପଛକେ ଅଧିକ ଉପାର୍ଜନ ନ କରୁ,ସାଗରିକା ତ ଏବେ କଲାଣି ! କିନ୍ତୁ ଟଙ୍କା ପଇସା ନେଇ ସେ ଆଉ କଣ ଉପଭୋଗ କରି ପାରିବ ? ଏକା ଏକା ? ଗୋଟିଏ ସୁନ୍ଦର ଘର ବି ଭଡା ନେଇ ରହି ପାରନ୍ତା । ବୁଲିବାକୁ ଯାଇ ପାରନ୍ତା ଉଟି , ସିମଳା,ସୁଇଜର୍ଲ୍ୟାଣ୍ଡ ବି! କିନ୍ତୁ ଏକା ଏକା ?
ଭାବିଲା ବେଳକୁ ବିଷର୍ଣ୍ଣ ହୋଇ ଯାଉଥିଲା ସାଗରିକା । ଏତେ ଗୁରୁମାନଙ୍କର ଏତେ ଏତେ ଫିଲୋସଫି ବହି ପଢିଲା ପରେ ବି ନିଜ ମନକୁ ଆଉ ବୁଝାଇ ଦେଇ ପାରୁ ନ ଥିଲା ।
ଏଇ କେତେଦିନ ଆଗରୁ ଅଗରୱାଲ୍ ଆସି କହୁଥିଲା ଆବ୍ବାସ୍ର ଅବସ୍ଥା ବଡ ଖରାପ୍ । ମଦ ପିଇପିଇ ସେ ପୂରା ଡାଉନ୍ ହୋଇ ଗଲାଣି । ଇଆଡେ ଭଡାଦେଇ ପାରୁ ନ ଥିବାରୁ ଘରବାଲା ବି ନୋଟିସ୍ ଦେଇ ସାରିଲାଣି ଘର ଖାଲି କରିବାକୁ ।
ଆହାଃ ଆବାସ୍ ! ତମେ ଏମିତି କାଇଁକି କଲ ? କାହିଁକି ? ଆବ୍ବାସ୍ର ସେ ରୁଗ୍ଣ, ନିସ୍ୱ, ନିରୁପାୟ ମୁହଁକଥା ଭାବିଲା ବେଳକୁ ସାଗରିକା କାନ୍ଦି ଉଠିଲା । ତାଭିତରେ ଥିବା ଅହଂକାର, ରାଗ ଆଉ ଅଭିମାନ ଝରି ଯାଉଥିଲା ଲୁହର ଦୁଇଟି ଝରଣା ପରି । ଶନିବାର ଦିନ ଘରବାଲା ସୁବ୍ରମନ୍ୟମ୍ଙ୍କ ପାଖକୁ ଯାଇ ସେ ଭଡା ପୈଠ କରିଦେଇ ଆସିଲା ପ୍ରଥମେ । ତାପରଦିନ ଗୋଟିଏ ଟ୍ୟାକ୍ସିରେ ବସିଗଲା ଆବ୍ବାସ୍ର ଘରକୁ ଯିବାପାଇଁ । ଏବେ ଆବ୍ବାସ ପାଖକୁ ଯାଇ ତାକୁ କୁଣ୍ଡେଇ ପକେଇ କହିବ ଚାଲ ଆବ୍ବାସ। ବହୁ ଦିନରୁ ଆମର ଇଚ୍ଛା ଥିଲା ନା ସୁଇଜର୍ଲ୍ୟାଣ୍ଡ ବୁଲିଯିବା ପାଇଁ ? ମୁଁ ସେଥିପାଇଁ ଦୁଇଟା ଟିକେଟ୍ କିଣି ସାରିଛି ଦେଖ ।
ଆବ୍ବାସ୍ର ଫ୍ଲାଟ୍ ପାଖରେ ଯାଇ ବେଲ୍ ମାରିଦେଇ ଅପେକ୍ଷା କଲାବେଳେ ଉତ୍ସୁକ ହୋଇ ଛିଡା ହୋଇଥିଲା ସାଗରିକା । ଏବେ ଆବ୍ବାସକବାଟ ଖୋଲିଦେଲା ବେଳକୁ ସେ ତାକୁ କୁଣ୍ଢେଇ ପକେଇବ । ନିବିଡ, ନିବିଡ, ଆଉରି ନିବିଡ କରି ।
କିନ୍ତୁ ଅଚିହ୍ନା ଜଣେ ମହିଳା କବାଟ ଖୋଲିଦେଲା ପରେ ସାଗରିକା ଚମକି ପଡିଲା । କହିଲା ଆପଣ....?
ହଁ । ଆମେ ଏ ଫ୍ଲାଟ୍କୁ ନୂଆକରି ଆସିଛୁ ଚାରିଦିନ ହେଲା ।
ଭଦ୍ର ମହିଳାଙ୍କ ଉତ୍ତର ଶୁଣି ସାଗରିକା ଝାଳ ସରସର ହୋଇଗଲା । ସେଇ ଝାଳରେ ସୁଇଜର୍ଲ୍ୟାଣ୍ଡର ଟିକେଟ୍ ଦୁଇଟା ବତୁରିଯାଇ ବିବର୍ଣ୍ଣ ହୋଇ ଯାଉଥିଲା ପରି ଲାଗୁଥିଲା ସାଗରିକାକୁ ।