STORYMIRROR

Subhankar Jena

Tragedy Others

3  

Subhankar Jena

Tragedy Others

ଉପେକ୍ଷି ପ୍ରତୀକ୍ଷା

ଉପେକ୍ଷି ପ୍ରତୀକ୍ଷା

4 mins
520


ଏକ

ବସନ୍ତ ପ୍ରଥମ କରି ଆସି ନ ଥିଲା। ତଥାପି ସେ ଅନୁଭବ କଲା, ବସନ୍ତ ନୂଆ କରି ଆସିଛି। କାରଣ ବସନ୍ତର ଏଇ ବେଳାରେ ସେ ତାକୁ ପ୍ରଥମେ ଦେଖିଲା। ପ୍ରଥମ ଦେଖାରେ ହିଁ ସେ ଭଲ ପାଇ ବସିଥିଲା। ତା’ର ଲମ୍ବା, ଧାରୁଆ ନାକ, ଅଣ୍ଡାକୃତି ଉଜ୍ଜଳ ମୁହଁ, ଓସାରିଆ, ଭସାଣିଆ ଆଖି। ପଚାରିଲା- ମୋ ସହ ବନ୍ଧୁତା କରିବ?

ସେମାନେ ତାକୁ ଦେଖି ହସାହସି ହେଉଥିଲେ। ଯାହା ପ୍ରତି ଲକ୍ଷ୍ୟ କରି ପ୍ରଶ୍ନ କରାଯାଇଥିଲା, ସେ ମୁହଁ ବୁଲେଇ ନେଇ ତୀକ୍ଷ୍ଣ ଭାବେ କହିଲା – ନା, ଦରକାର ନାହିଁ!

-କାହିଁକି? କଣ ଖରାପ ହେବ?

-ଦରକାର ନାଇଁ। ସେଇ ଗୋଟିଏ ଉତ୍ତର।

ଅନ୍ୟ ସଖୀମାନେ ଚୁପ୍ ଚୁପ୍ ହସୁଥିଲେ। ନକାରାତ୍ମକ ଉତ୍ତର ପାଇ ସେ ଉଦାସ ହୋଇଗଲା। ଭୟ ପାଇଗଲା ବି। ଭାବିଲା କହିବ- ମୁଁ ତୁମକୁ ପ୍ରଥମ ଦେଖାରେ ହିଁ ଭଲ ପାଇସାରିଛି। ମୋତେ ନିରାଶ କରନି।

ନା, ସେ କହିବନି ଝିଅଟା ଟିକେ ବି ଔପଚାରିକତା ଜାଣିନି। ମୁହେଁ ମୁହେଁ ମନା କରିଦେଲା। ଛି, ଏମିତି ଝିଅ ସହ ବନ୍ଧୁତା କରିବାକୁ ସେ ଚାହୁଁଥିଲା! ଦରକାର ନାହିଁ!

ଦୁଇ

ତୃତୀୟ ସନ୍ତାନ ବି ବର୍ଷା ଦିନରେ ଜନ୍ମ ହୋଇଥିଲା। ପ୍ରସବ ବେଦନାରୁ ମୁକ୍ତି ପାଇ ସେ ସ୍ବଳ୍ପାଲୋକିତ କୋଠରୀ ଭିତରେ ଶିଶୁଟିକୁ ନେଇ ଧୁଆଧୋଇ କରୁଥିବା ଧାଈକୁ ଚାହିଁଲା ଏବଂ ଖୋଲା ଝରକା ଦେଇ ବାହାରର ଅନବରତ ବୃଷ୍ଟିପାତକୁ ଦେଖିଲା।

ବାହାଘରର ପାଞ୍ଚବର୍ଷ ବି ବିତିନି। କେତେଦିନ ସେ ଉପଭୋଗ କରିଛି? ଗୋଟିଏ ଦିନ ବି ନୁହଁ। ଅଥଚ ସେ ତିନୋଟି ସନ୍ତନର ଜନନୀ! ଜୋର୍ ଜବରଦସ୍ତ ବୀଜ ରୋପିତ ହୁଏ ତ ଦେହରେ। ମନରେ ଇଛା ନ ଥାଇ, ଦେହରେ ଶକ୍ତି ନ ଥାଇ!

ଦ୍ବିତୀୟ ସନ୍ତାନ ପରେ ହିଁ ଲେଡି ଡାକ୍ତର କହିଥିଲେ – ବ୍ୟବଧାନ ବେଶି ରହୁନି ଆପଣଙ୍କର। ନିଜର ସ୍ବାସ୍ଥ୍ୟହାନି ତ ନିଶ୍ଚୟ ହେବ। ପୁଅକୁ ମଧ୍ୟ ଭଲଭାବରେ ବଢାଇ ପାରିବେନି।

କିନ୍ତୁ ତା ଦୁଃଖ ଶୁଣିବ କିଏ? ବିବାହ ବେଦୀରେ ମନ୍ତ୍ରର ଅର୍ଥ ନ ଜାଣି ଅଗ୍ନି ପ୍ରଦକ୍ଷିଣ ଯିଏ କରିଥିଲା, ସିନ୍ଦୁର ଯିଏ ପିନ୍ଧେଇଥିଲା, ମନକୁ ବୁଝିବ ବୋଲି ଯିଏ ପ୍ରତିଜ୍ଞା କରିଥିଲା, ସେ ତ ଶୁଣିବନି। ବରଂ ଏକତରଫା ଅଧିକାରରେ କହିବ- ମୋର ଝିଅ ଦରକାର। ଝିଅ ଜଲଦି ଜନ୍ମ ନ ହେଲେ, ତା’ର ବିବାହ ହେବ କେବେ? ର୍ରିଟାୟାର୍ଡ ହେଲା ପରେ ମୁଁ ଝିଅ ବୋଝ ନେଇ ପାରିବିନି।

ତାକୁ କେବଳ ନିଜର ଚିନ୍ତା। ଅର୍ଦ୍ଧାଙ୍ଗିନୀ ବୋଲି ଯାହାକୁ ସୁଖ, ଦୁଃଖର ସାଥୀ କରି ଆଣିଥିଲା, ତା’ର ମନର ଭାବନା କିଛି ନୁହେଁ। ସେ ଦୀର୍ଘଶ୍ବାସ ନେଇ ଚୁପ୍ ରହି ଯାଇଥିଲା।

ସବୁ ସ୍ବାମୀ ବନ୍ଧୁ ହୋଇପାରିବେନି। ସବୁ ବନ୍ଧୁ ବି ସ୍ବାମୀ ହୋଇପାରିବେନି।

ଆଉ ସେ! ଯିଏ ତାକୁ ତା’ର କୈଶୋରର ଦ୍ବିତୀୟ ବସନ୍ତରେ ବନ୍ଧୁତା ପାଇଁ ପଚାରିଥିଲା! ସେଇ ମନଟିରେ ତା ବନ୍ଧୁତାର ସଂପୂର୍ଣ୍ଣ ସଂଜ୍ଞା ଉଦିତ ହୋଇ ନ ଥିଲା। ହୁଏତ ଆସନ୍ତା ଜନ୍ମରେ ….!

ତିନି

-ମା’, ତମର କେହି ସାଙ୍ଗ ନାହିଁ?

-ସାଙ୍ଗ?

-ହଁ, ସାଙ୍ଗ। ମାନେ ବନ୍ଧୁ। କାହା ସହ ତମେ ବନ୍ଧୁତା କରିନ?

କରିନି କାହିଁକି? ସେ ବି କରିଛି। କିନ୍ତୁ ପାଟି ଖୋଲି କହିନି। ମନ ଖୋଲି ହସିନି, ବୁଲିନି। ସେ ମୁଣ୍ଡ ଟୁଙ୍ଗାରି ନାହିଁ କଲା। ଆଠ ବର୍ଷର ନାତି ତା’ର ଉଦାସୀ ସହ ତଳ ଦେଇ ଭାରି ମୁହଁରେ କହିଲା- ମୋର ବି ନାହିଁ ବଡ ଅପାର ଅଛି। ସାନ ଅପାର ଅଛି। ମା’, ମୋର କାହିଁକି ନାହିଁ?

-କାହାକୁ କହୁନୁ ବନ୍

ଧୁ ବାନ୍ଧିବାକୁ!

-ସରଳିଆ କଣ୍ଠରେ ଶିଶୁଟି ପଚାରିଲା- କାହାକୁ କହିବି?

କାହାକୁ କହିବାକୁ କହିବ ସେ? କହିଲା- ଶରତକୁ।

-ଶରତ କିଏ?

-ଶରତ ଗୋଟିଏ ୠତୁର ନାଁ। ୠତୁ ଜାଣିଛୁ? ଗ୍ରୀଷ୍ମ,ବର୍ଷା,ଶରତ,ହେମନ୍ତ,ଶୀତ,ବସନ୍ତ ଶରତ ୠତୁରେ କାକର ପଡେ।

ବୁଝିଲା ଭଳି ଶିଶୁଟି ପ୍ରଶ୍ନ କଲା- କାକର କଣ?

-ଏକଦମ୍ ଭୋରରୁ କାକର ଘାସ, ଗଛପତ୍ରରେ ବିନ୍ଦୁ ବିନ୍ଦୁ ପାଣି ହୋଇ ପଡିଥାଏ। ତାକୁ ସ୍ବର୍ଗରୁ ଦେବତାମାନେ ଢାଳନ୍ତି।

-କଣ ପାଇଁ ମା’?

-ତୋରି ଭଳି ଛୋଟ ପିଲାମାନେ ତା ସହ ବନ୍ଧୁତା କରିବେ ବୋଲି।

-ତା’ ହେଲେ ତ ସିଏ ମୋ ସାଙ୍ଗ! ବାଃ,ବାଃ, ମୋର ବି ସାଙ୍ଗ ଅଛି!

ଚାରି

କଲେଜରେ ପଢୁଥିବା ନାତୁଣି ତାକୁ ଚମକେଇ ଦେଲା-ଆଈ, ଦେଖ, ମୁଁ ସାଙ୍ଗରେ କାହାକୁ ଧରି ଆଣିଛି।

ସେ ଦେଖିଲା ନାତୁଣି ସହ ଜଣେ ସୁଶ୍ରୀ ଯୁବକ।

-କିଏ? ସେ ନାତୁଣିକୁ ନୁହେଁ, ଝିଅକୁ ପଚାରିଲା।

ଝିଅ ହସି ହସି ଝିଅକୁ ଚାହିଁଲା- କହୁନୁ ଆଈକୁ, କିଏ ସେ?

ପାଖକୁ ଆସି ନାତୁଣି କହିଲା- ମୋ ସାଙ୍ଗ ସେ, ଆଈ।

ପୁଣି ଅଧିକାର ଢଙ୍ଗରେ ଯୁବକଟିକୁ କହିଲା- ଭିତରକୁ ଆସ, ସେଇଠି ଠିଆ ହେଲ କଣ? ନା, ଏ ଘରକୁ କେବେ ଆସିନ?

ବିଚରା ଯୁବକଟି ଲାଜ ଲାଜ ହୋଇ ଭିତରକୁ ଆସିଲା ଏବଂ ଆଈଙ୍କୁ ନମସ୍କାର କଲା।

ସେ ଯୁବକଟିକୁ ପଚାରିଲା- ବନ୍ଧୁ ଅର୍ଥ ଜାଣିଛ?

ଯୁବକଟି ହଁ କହି ପାଖରେ ବସିଲା।

– ସୁଖରେ, ଦୁଃଖରେ ଯିଏ ସାଥୀରେ ଠିଆ ହୁଏ, ଯାହା ପାଖରେ ମନର ଅତି ଗହନ କଥା ବି କହି ହୁଏ । ଯେଉଁମାନଙ୍କ ମଧ୍ୟରେ କେବଳ ଏକତରଫା ଅଧିକାର ଚଳେନି।

ପୁଣି ପ୍ରଶ୍ନ କଲା- ମୋ ସହ ବନ୍ଧୁତା କରିବ?

ଜବାବ ନାତୁଣୀ ଦେଲା- ପ୍ରଥମ ଦେଖାରେ କି ବନ୍ଧୁତା ହୋଇଯାଏ ଆଈ? ଦୁଇଟା ମନ ସମାନ ସ୍ତରରେ ପହଞ୍ଚିଲା ପରେ ତ ତୁମକୁ ଏ ପ୍ରଶ୍ନ ପଚାରିବାକୁ ହିଁ ପଡିବନି।

ସେ ଦେଖିଲା, ନାତୁଣୀର ମୁହଁ ଉଜ୍ଜଳ ଦେଖାଯାଉଛି। କେମିତି ଦେଖାଯାଉଛି ତା ନାତୁଣୀ? ସେ କୈଶୋରରେ ଯେମିତି ଦେଖାଯାଉଥିଲା? ଯାହା ସେ ହିଁ କେବଳ ଜାଣିଛି ବୋଲି ଭାବୁଥିଲା, ତାହା ଠିକ୍ ନୁହେଁ। ବନ୍ଧୁତ୍ବର ମର୍ଯ୍ୟାଦା ତା ନାତୁଣୀ ବି ଦେଇ ଜାଣିଛି! ବଂଶବିଜ୍ଞାନ ଏତେ ସମୟ ନେଲା ତ ପରିଚୟ ଆତ୍ମପ୍ରକାଶ କରିବାରେ।

ସେ ମନଖୋଲି ହସିଲା। ଅନେକବର୍ଷ ପରେ ବୋଧହୁଏ ସେ ମନଖୋଲି ହସିଥିଲା !

ପାଞ୍ଚ

ରାତିରେ ଖାଇସାରିଲା ପରେ ସେ ନିଜ ବିଛଣା ପାଖକୁ ଘରର ସମସ୍ତ ସଦସ୍ୟଙ୍କୁ ଡକେଇଲା। ସମସ୍ତେ ଉପସ୍ଥିତ ହେଲ ପରେ ଆଶ୍ବସ୍ତି ଅନୁଭବ କରି କହିଲା- ମୁଁ ଯାଉଛି।

-କୁଆଡେ? ସମସ୍ତେ ଏକାସାଙ୍ଗେ ପଚାରିଲେ।

-ବନ୍ଧୁ ବାନ୍ଧିବାକୁ। ସେ ଉପରକୁ ଆଙ୍ଗୁଠି ଉଠେଇ ଦେଖାଇଲା।

ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡିଲେ। ସାନପୁଅ ଡାକ୍ତର ଡାକିବାକୁ ଦୌଡିଗଲା। ବଡପୁଅ ଯାଇ ବୋଉର ମୁହଁ ପାଖରେ ବସି ପଡିଲା-କ'ଣ ହେଲା? କ'ଣ ଏମିତି ବାୟାଣିଙ୍କ ଭଳି କହୁଛୁ?

ତା ମୁହଁରେ ମ୍ଲାନ ହସ ଦେଖାଗଲା ସେ କେବଳ ଉପରକୁ ଆଙ୍ଗୁଠି ଦେଖେଇ ଠାରିଲା।

-କିଏ? କିଏ ଅଛି ସେଇଠି? ନନା?

ସେ ମୁଣ୍ଡ ହଲାଇ ମନା କଲା।

-ଆଉ କିଏ?

-ମୋ ବନ୍ଧୁ!

ହାତ ତଳେ ପଡିଗଲା, ମୁଣ୍ଡ ଗୋଟିଏ ପାଖକୁ ଢଳିଗଲା। ଆତ୍ମା, ସୂକ୍ଷ୍ମ ଶରୀରକୁ ନେଇ ଅନ୍ୟ ଏକ ଉଷୁମ କାୟାର ସନ୍ଧାନରେ ଉଡିଗଲା। ବନ୍ଧୁ ଯେ ତାକୁ ବାନ୍ଧିବାକୁ ହେବ!


Rate this content
Log in

Similar oriya story from Tragedy