ଟିକିଅପା ଆଉ ଚା
ଟିକିଅପା ଆଉ ଚା
ଆଉ ଦି ଦିନ ଥାଏ ମେଟ୍ରିକ ପରୀକ୍ଷା, ୫ କିଲୋମିଟର ଦୂର ଗାଁ ରେ ପଡିଲା ଯାତ୍ରା ଶିବାନୀ ଗଣନାଟ୍ୟ। ନାଟକ 'ବିଦେଶିନୀ' । କଥା ଉଡୁଥାଏ କାଳେ ଯୋଉଠି ସେ ନାଟକ ହଉଚି ସେଠି ହାଉସଫୁଲ। ୪ ଟା ବେଳେ ଆମ ଗାଁ ମୁଣ୍ଡରେ ପ୍ରଚାର ଗାଡି ଲାଗିଲା ।ହେଇଲ ଖେଳିଲା.. ହେଇଲ ଖେଳିଲା.. ମାଡ଼ି ଭିଡ଼ି ଆସ... ମାଡ଼ି ଭିଡ଼ି ଆସ... ଆଜି ଶିବାନୀ ଖେଳିବ.. ଶିବାନୀ ଖେଳିବ... ଅନୁସନ୍ଧାନର ନାଟକ 'ବିଦେଶିନୀ' । ବୋବାଲ କରିବ ଟିକି.. ମାଡ଼ି ମାଡ଼ି ଆସ.... ଆଉ ତାପରେ ଯାତ୍ରାର ଟାଇଟଲ ସଂଗ 'ସେ ଦରିଆ ସେପାରି ରାଣୀ, ତାକୁ ଏମାଟି ଆଣିଚି ଟାଣି, ରୂପରେ ଦେଖ ଗୁଣରେ ଦେଖ ଖାଣ୍ଟି ଓଡ଼ିଆଣି । ଗାଡ଼ି ସହ ମାଇକି ଗୀତ ବି ଉଭେଇଗଲା , ହେଲେ ମତେ ଆଉ ସମ୍ଭାଳେ କିଏ ? ମନେ ମନେ ସେଇଠି ହିଁ ପ୍ଲାନ ଫିଟ କଲି ସାଇକଲଟା ମାରିକି ପହଞ୍ଚି ଗଲି ଏ ମାମଲାରେ ମୋର ବେଷ୍ଟ ଫ୍ରେଣ୍ଡ ଅବା ଚିରସହଯୋଗୀ ରାକେଶ ପାଖରେ । ପ୍ଲାନ ସେଟ ହେଇଗଲା ଆଜି ରାତି ୧୦ ଟା ରେ ଆମେ ବାହାରିଯିବା। ତୁ ତୋ ଘରେ କହିଦବୁ ଆମ ଘରକୁ ଯାଉଚୁ ମୁଁ ଆମ ଘରେ କହିଦେବି ମୁ ତମ ଘରକୁ ଯାଉଚି ରାତିରେ ପାଠ ପଢିବା ପାଇଁ । ଠିକ ସମୟରେ ଆମେ ଖାଇକି ବାହାରି ଗଲୁବି, ମାଘ ମାସ ପ୍ରବଳ ଶୀତ । ଦେହରେ କହିଲେ ଖାଲି ଖଣ୍ଡେ ଖଣ୍ଡେ ଉଲ ସ୍ବେଟର ଆଉ ମାଙ୍କି ଟୋପି, ଯାତ୍ରା ଚକ୍କର ରେ ଆମକୁ ଶୀତ ବି ଜଣା ପଡୁନଥାଏ। ସେଠି ଯାଇ ଦେଖୁତ ଜନସମୁଦ୍ର, ଟିକେଟ ସଟେଜ ପାଇଁ ଚାଲିଛି ଜୋରଦାର ଖଣ୍ଡ ଯୁଧ୍ୟ। ଆମ ପାଖରେ ପଇସା ତ ନଥାଏ ଟିକେଟ ପାଇଁ ପ୍ଲାନ ଥିଲା ମେଲୋଡି ସରିବା ଯାଏଁ ବାହାରେ ବୁଲିବା ଆଉ ନାଟକ ଆରମ୍ଭ ହେଲେ ଫାଙ୍କା ଦେଖିକି ଭିତରକୁ ଗଲିଯିବା, ଯାହା ଆମେ ସବୁବେଳେ କରୁ। ହେଲେ ଲୋକ ଅଧିକ ଦେଖିକି କମିଟି ଵାଲା ବାରିକେଡ ହଟେଇଦେଲେ। ସେଦିନ ବେସି ଡେରି ହବାରୁ ଆଉ ମେଲୋଡି ହେଲାନି ସିଧା ନାଟକ। ଯାତ୍ରା ଆରମ୍ଭ ହେଲା ବିଖ୍ୟାତ ଚରିତ୍ର ଅଭିନେତା କୈଳାସ ଜେନାଙ୍କ ଦମଦାର ଭାରି ଆବାଜ ରେ ଗାୟତ୍ରୀ ମନ୍ତ୍ର ପାଠରୁ। ସେ ସମୟବି ଆସିଲା ଯୋଉ ସମୟକୁ ଦର୍ଶକ ଉତ୍କଣ୍ଠା ସହ ଅପେକ୍ଷା କରନ୍ତି। ଯାତ୍ରା ସାମ୍ରାଜ୍ୟର ରାଣୀ, ସୁନାମଧନ୍ୟା ସୁନ୍ଦରୀ, ବର୍ଷିୟାନ ଅଭିନେତ୍ରୀ 'ବିଦେଶିନୀ' ଜୁଳିୟା ରୋବଟ ଓରଫ 'ଟିକି' ର ଏଣ୍ଟ୍ରି । ଦର୍ଶକଙ୍କ ତାଳିମାଡ଼ରେ ଯେମିତି ଯାତ୍ରା ପଡ଼ିଆ ହଲୁଥାଏ। ଗୋଟେ ପରେ ଗୋଟେ ସିନ ଚାଲିଲା । ବିଦେଶିନୀ କାନ୍ଦିଲେ ଦର୍ଶକ କାନ୍ଦନ୍ତି, ବିଦେଶିନୀ ହସିଲେ ଦର୍ଶକ ହସନ୍ତି। ସେତେବେଳେ 'ଟିକି' କ୍ରେଜ ଅଲଗା, ତାଙ୍କ ଅଭିନୟରେ କେତେ ବାସ୍ତବତା ଥାଏ ସେକଥା କେବଳ ଗୋଟେ ଅନୁଭବୀ ଦର୍ଶକ ହିଁ କହି ପାରିବ, ଲୋକ ତା ନାଟକ ଦେଖିଲା ବେଳେ ବଡ଼ପାସ ସାନପାସ ବି ଭୁଲିଯାନ୍ତି। ରାତିସାରା} ଠିଆ ହେଇକି ଯାତ୍ରା ଦେଖିଲୁ , ସକାଳକୁ ଫେରିବା ପରେ ଘରେ ଆମ ଅବସ୍ଥା କଣ ହେଇଥିଲା ଏଠି ନକହିଲେ ଭଲ।
ମୁଁ କେବେ ଗଳିରେ କ୍ରିକେଟ ଖେଳିକି କାହା ଝରକା ଭାଂଗିନି, କି କାହା ବାଡ଼ିରୁ କଦଳୀ ଆମ୍ବ ଚୋରି କରିନି, କି କାହା କୁକୁଡ଼ା ମାରିନି ତଥାପି ମୁଁ ମାଡ଼ ଖାଏ ଗାଳି ଶୁଣେ ଖୁଣ୍ଟରେ ବନ୍ଧା ହୁଏ କେବଳ ଏଇ ଗୋଟିଏ ନିଶା ପାଇଁ 'ଯାତ୍ରା'। ମା ତ ଅଧବେଳେ ବାପାଙ୍କୁ ଶୁଣେଇ ଶୁଣେଇ କହେ ' ଯେମନ ବାପ ତେମନ ପୁଅ, ବାପ ର ୧୬ କଳା ଛିଦେଇକି ଆଣିଚି। ବାପ ପରିକା ମୂର୍ଖ କୁ ମୂର୍ଖ ଆଉ ଯାତ୍ରା ପାଗଳ' । ଏ ଘଟଣା ମୋ କଲେଜ ବେଳର, ସେଦିନ ମହାଶିବରାତ୍ରି ଥାଏ, ଦିନ ସାରା କାଷ୍ଠା ଉପାସ। ଟାଇମ ସାଢ଼େ ଏଗାର ଖଣ୍ଡେ ହବ, ମୁ ସାଙ୍ଗମାନଙ୍କ ସହ ମନ୍ଦିରରେ ବସିଥାଏ। କାନରେ ପଡିଲା ମେଲୋଡି ସାଉଣ୍ଡ। ସାଙ୍ଗମାନେ କହିଲେ ଆର ପଟ ଗାଁ ରେ ଯାତ୍ରା ହଉଚି ଶିବାନୀ ପଡିଚି, ଆଜି କଣ ଗୋଟେ ବହି କରିବ କହୁଥିଲେ 'ସମଲପୁରୀ ନନୀ'। ତାପରେ ମୁଁ କଣ କରିଥିବି ଆପଣ ଜାଣିଥିବେ, ମହାଦେବଙ୍କୁ ଦଣ୍ଡବତ କରି କ୍ଷମା ମାଗିଲି 'ପ୍ରଭୁ ମୋ ସେଟିଙ୍ଗ ବରଂ ଆର ବର୍ଷକୁ କରେଇଦବ ମୁ ଆଜି ଯାଉଚି ଟିକି କୁ ଦେଖିବି'। ଦୀପ ତେଲ ସବୁ ସାଙ୍ଗକୁ ବଢ଼େଇଦେଇ ଛୁ..
ଚାକିରୀ ପରେ ଯାତ୍ରା ଦେଖା ଯେମିତି ସ୍ୱପ୍ନ, ସେତେବେଳେ ମୁଁ ସୁନ୍ଦରଗଡରେ ଥାଏ । ଲୋକଙ୍କଠୁ ଯାତ୍ରାବିଷୟରେ ଶୁଣିବାକୁ ପାଉଥାଏ । ହେଲେ ଯାତ୍ରା ଯାଇ ଉପଭୋଗ କରିବା ସ୍ୱପ୍ନ ପାଲଟି ଯାଇଥାଏ କେବଳ ମନେ ପଡୁଥାଏ ପିଲାଦିନ ମିଠା ମିଠା ସ୍ମୃତି......

