White Jasmine

Tragedy

4  

White Jasmine

Tragedy

ଟାଉକି

ଟାଉକି

6 mins
227



--ହେଇ ଦେଖିଲଣି ତୁମ ମା ପୁଣି ଥରେ ଫ୍ରିଜ ଖୋଲୁଥିଲେ ମୋତେ ଦେଖି କିଛି ନ ହେବାର ଅଭିନୟ କରି ଚାଲି ଆସିଲେ । ଛି ଛି ଏ ବୟସ ରେ ପୁଣି….. । ଘୋର ଲଜ୍ଜା ର ବିଷୟ ।


--ମୁଁ କଣ ଜାଣିନି କି କେକ ଟା ତା ଭିତରେ ଅଛି ତ ସେଥିପାଇଁ ମାଙ୍କ ତାଆରି ଉପରେ ହିଁ ଆଖି । ସେତକ ପାଟିରେ ନ ପୁରାଇଲା ପର୍ଯ୍ୟନ୍ତ ତାଙ୍କୁ ଶାନ୍ତି କାହିଁ ? 


ଅମରେଶ ର ପାଟି ଶୁଣି ସ୍ୱାତୀ ର ହୃତ ସ୍ପନ୍ଦନ ବନ୍ଦ ହୋଇଗଲା ଯେମିତି । ହେ ଭଗବାନ ! ଭୋର ରୁ… ପୁଣି... ରାତି ବି ଭଲରେ ପାହିନି ଏ ପୁଣି କି ନାଟ ଲଗାଇଛ ହେ ପ୍ରଭୁ । କାହାର କଣ କ୍ଷତି କରିଛି ଯେ ମୋତେ ଏସବୁ ଦେଖିବାକୁ ପଡୁଛି । ବୋଉ ପୁଣି ଖାଇବା ଚୋରି କରିବ ? ବୋଉକୁ ମୋର ଭଲରେ ଭଲରେ ଏ ବୈତରଣୀ ପାର କରିଦିଅ ହେ ପ୍ରଭୁ ।


ଅମରେଶ କୁ ମୁହଁ ଦେଖାଇ ପାରୁନି । ଯେବେଠାରୁ ବୋଉ ଆସି ପାଖରେ ରହିଛି ସେବେଠୁ ଜୋଇଁର ଶାଶୁ କୁ ନେଇ ରାଶି ରାଶି ଅଭିଯୋଗ । ତୁମ ବୋଉ ଏମିତି ତୁମ ବୋଉ ସେମିତି ଇତ୍ୟାଦି କେତେ କଣ । କିନ୍ତୁ ଏଥର ସହିବାର ଶକ୍ତି ଆଉ ନାହିଁ । 


ଘର କଥା ଗୁଡିକ କଣ୍ଟା ଭଳି ଫୋଡି ହେଉଛି ସ୍ୱାତୀ ର । ସେଦିନ ପଡିଶା ଘର ର ସୀମା ସହିତ ଆଲୋଚନା କରୁଥିଲା ସ୍ୱାତୀ । ସୀମା କହିଲା


--ତୁ ସିନା ଝିଅଟିଏ ବୋଲି ନିଜକୁ ଦୋଷୀ ମଣୁଛୁ କିନ୍ତୁ ଭାବିଲୁ ତୁ ଗୋଟିଏ ପୁଅ ହୋଇଥାନ୍ତୁ ଓ ତୋ ସ୍ତ୍ରୀ ତୋ ମା ଙ୍କ ସହିତ ଠିକ ଏଇଭଳି ବ୍ୟବହାର କରିଥାନ୍ତା ତେବେ ତୁ କଣ କରିଥାନ୍ତୁ ? ତୁ ସେତେବେଳେ ବି ଏମିତି ଅସହାୟ ହୋଇ ବସିଥାନ୍ତୁ ଲୋ ସ୍ୱାତୀ । ତୋର ଆଉ ଗତି ନଥାନ୍ତା ।


--ପୁଅ ହେଉ ଅବା ଝିଅ ଜୀବନସାଥୀ ଜଣକ ଯେତେବେଳେ ବିପରୀତ ଆଭିମୁଖ୍ୟ ରଖେ ସେତେବେଳେ ଅନ୍ୟ ଜଣଙ୍କର ଗତ୍ୟାନ୍ତର ନଥାଏ । ସବୁ ଜାଣୁଥିବ କିନ୍ତୁ ମୁକ ବଧିର ସାଜି ରହିବାକୁ ପଡିଥାଏ ।


ସ୍ଵାତୀ କୁ କୌଣସି ବିଷୟ ରେ ଟେନସନ ହେଲେ ସେ ସୀମା ସହିତ ଦି ଚାରିପଦ କଥା ହେବା ପରେ ସହଜ ହୋଇଯାଏ । ହେଲେ ଏଥର ଯାହା ଘଟିଛି ଏବଂ ଯାହାକୁ ନେଇ ଘଟିଛି ସେ ପରା ତା ନିଜର

ରକ୍ତ ? ଝିଅଟିଏ ତା ମା ର ଅପମାନ କେମିତି ସହିବ ? ପୁଣି ମା କୁ ଚୋର ବୋଲି କୁହା ଯାଉଛି ଯେତେବେଳେ । ବୋଉ କୁ ଖରାବେଳେ ଏକୁଟିଆ ପାଇ କେତେ ଥର କହିବ କହିବ ହେଇଛି କିନ୍ତୁ ଜିଭ ଓଲଟିନି କି କହି ପାରିନି ।


ଏମିତି ଆରୋପ ଶୁଣିଲେ ବୋଉ ଦେହ ଧରି ବଞ୍ଚି ପାରିବ ତ ? ଆହା ମରିଯିବ ସେ । ନାହିଁ ଥାଉ । ବୋଉର ଆଉ କେତେ ଦିନ । କେମିତି ହେଲେ ସମ୍ଭାଳି ନେବ । କିନ୍ତୁ କେମିତି ? ବୋଉ ଯେ ତାର ନିର୍ବିକାର । ଏ ସବୁର କୌଣସି ପ୍ରଭାବ ତା ଉପରେ ଯେମିତି ପଡ଼ୁ ନାହିଁ । 


ଏକମାତ୍ର ଝିଅର ମା ବୋଲି ବୋଉ କି ବାପା କେବେ ବି ନିଜ ମନ ଊଣା କରୁ ନଥିଲେ କି ପୁଅଟିଏ ଆଣି ପରିବାର ବଢାଇବାକୁ ଚାହିଁ ନଥିଲେ । ଭଗବାନ ଯାହା ଦେଇଛନ୍ତି ସେତିକି ଯଥେଷ୍ଟ । ପୁଅ ହେଉ କିମ୍ବା ଝିଅ ଯିଏ ବାପା ମା ର ମନକଥା ବୁଝି ଅସମୟରେ ସାହାରା ହୋଇ ଦିହ ମୁଣ୍ଡ ରେ ହାତ ବୁଲାଇ ଦେବ ସେ ହିଁ ଦରକାର ।


ବାପା ବୋଉ ଯେମିତି ଚାହୁଁଥିଲେ ସ୍ୱାତୀ କୁ ଭଗବାନ ଠିକ ସେଇପରି ହିଁ ଗଢ଼ିଥିଲେ । ପିଲାଦିନୁ ବାପା ମା ଙ୍କ ବାଧ୍ୟ କନ୍ୟା ସ୍ୱାତୀ ଦାନ ଧର୍ମ ଦୁଃଖୀ ରଙ୍କି ଙ୍କ ମନ ବୁଝି ପଶୁ ପକ୍ଷୀ ସମସ୍ତଙ୍କ ପ୍ରତି ଦୟା ମାୟା ରଖି କେତେବେଳେ ନା ବଡ଼ ହେଇଯାଇଥିଲା । ପାଠ ସରିଲା ପରେ ତା ମା ଭଳି ସେ ମଧ୍ୟ ଗୃହିଣୀ ହେବାକୁ ପସନ୍ଦ କରି ଥିଲା । ବାପା ମା ଏକମାତ୍ର ଝିଅ କୁ ଯୋଗ୍ୟ ପାତ୍ର ରେ ଦେଖି ଦେଇଥିଲେ । 


ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ବୋଉ ଏକୁଟିଆ ହୋଇ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲା । କିଛି ନ କହିଲେ ମଧ୍ୟ ବୋଉର ଇଛା ସ୍ୱାତୀ ପାଖରେ ଆସି ରହିବା ନିମନ୍ତେ । ଏଣେ ବୋଉକୁ ରୋଗ ଗୁଡିକ ଗୋଟିକ ପରେ ଗୋଟିଏ ମାଡି ବସିବାକୁ ଲାଗିଲା । ଠିକ ସମୟରେ ଓଷଦ ଓ ପଥି ଦରକାର ପଡିଲା । ତେଣୁ ସ୍ୱାତୀ ର ଅନେକ ଅନୁରୋଧ ପରେ ଅମରେଶ ରାଜି ହୋଇଥିଲା ବୋଉକୁ ପାଖରେ ଆଣି ରଖିବା ପାଇଁ ।


କିନ୍ତୁ ବୋଉ ଆସୁ ଆସୁ ଯେ ଏତେ ପ୍ରକାର ଆରୋପ ର ଅଧିକାରିଣୀ ହୋଇଯିବ ତାହା ସ୍ଵାତୀ ର କଳ୍ପନା ପରିସର ବାହାରେ ଥିଲା । ଖାଇବା ଜିନିଷ ଚୋରି କୁ ନେଇ ବୋଉ କୁ ଅମରେଶ ର ଆକ୍ଷେପ ପୁଣି ସ୍ୱାତୀ ଆଗରେ । ଭାଗ୍ୟ ଭଲ ବୋଉର କାନକୁ ଯାଇନି ।


ସେଦିନ ପ୍ୟାକେଟ ରୁ ଭଜା କାଜୁ କେତୋଟି କମି ଯାଇଥଲା ଓ ସେଥିପାଇଁ ବୋଉ କୁ ଦୋଷାରପ କରା ଯାଇଥିଲା କାରଣ ଭଜା କାଜୁ ରୁ କେତେ ଖଣ୍ଡ ବୋଉର ଖଟ ତଳୁ ମିଳିଥିଲା । ପ୍ରଥମେ ପ୍ରଥମେ ସ୍ୱାତୀ ପ୍ରତିବାଦ କରୁଥିଲା କିନ୍ତୁ ପରେ ସେ ବି ସତ୍ୟାସତ୍ୟ ଜାଣିବାକୁ ଚାହିଁଲା ତଥାପି ବୋଉକୁ ପଚାରି ପାରିଲା ନାହିଁ ।


 ବୋଉ କାଜୁ ଖାଇବାକୁ ଚାହିଁଲେ ମାଗି ପାରିଥାନ୍ତା । ଏଇଟା ବି ତାର ନିଜ ଘର !! ଚୋରି କରିବା କଣ ଦରକାର ? ଅମରେଶ କହିଥିଲା ବୟସ ହେଲେ ମତିଭ୍ରମ ଘଟେ । ତେଣୁ ତାହା ହିଁ ହେଇଥିବ ବୋଲି ସ୍ୱାତୀ ସିନା ଚୁପ ରହିଲା ହେଲେ ତାର ମନ ବୁଝିଲା ନାହିଁ । ସେ କଣ ବୋଉ କୁ ଜାଣି ନାହିଁ କି ? ବୋଉ ପୁଣି ଚୋରି କରିବ ?


ପୁଣି ଆଉ ଗୋଟିଏ ଘଟଣା ଘଟି ଯାଇଥିଲା ଯାହା ସ୍ୱାତୀ କୁ ବାଧ୍ୟ କରିଥିଲା ବୋଉ ଉପରେ ସନ୍ଦେହ କରିବା ପାଇଁ । ଅବଶ୍ୟ ଅମରେଶ ହିଁ ସର୍ବ ପ୍ରଥମେ ଏହି ସବୁ ଆରୋପ ପ୍ରତ୍ୟାରୋପ ର ଲମ୍ବା ଚଉଡା ଲିଷ୍ଟ ଟି ତିଆରି କରିଥିଲା ।


 ସେଦିନ ସ୍ୱାତୀ ପନିର ଛାଣିବ ବୋଲି କଞ୍ଚା ପନିର ବାହାର କରି କେତେ ସମୟ ପାଇଁ ଅନ୍ୟ ଆଡେ ଚାଲି ଯାଇଥିଲା । ଆସିଲା ପରେ ଦେଖିଲା ପନିର ଚେକା ଟି ଗୋଟିଏ ପଟେ ଖଣ୍ଡିଆ ହୋଇଛି ଏବଂ ଗୁଣ୍ଡ ଗୁଡିକ ତଳେ ପଡିଛି । କିଏ ଖାଇଛି ? ଏଠି ତ ସେ ଓ ବୋଉ ଛଡା ଆଉ କେହି ନାହିଁ ? ତେବେ ବୋଉ ହିଁ କଣ କଞ୍ଚା ପନିର………..?


ସୁତରାଂ ଅମରେଶ ଯେତେବେଳେ ବୋଉ କୁ ଫ୍ରିଜ ଖୋଲିବାର ଦେଖିଥିଲା ସ୍ୱାତୀ ର ସନ୍ଦେହ ସତ୍ୟ ରେ ପରିଣତ ହେଲା । ଅନେକ ସମୟ ପର୍ଯ୍ୟନ୍ତ ଯୁକ୍ତି ତର୍କ ଚାଲିବା ପରେ ଅମରେଶ ଖୋଲା ଖୋଲି କହିଦେଲା ଯେ ବେଶି ହେଲାଣି ଏଥର ସେ ନିଶ୍ଚୟ ଶାଶୁକୁ ମୁହାଁମୁହିଁ ପଚାରିଦେବ । ଏହା କହି ସେ ମର୍ନିଙ୍ଗ ୱାକ ରେ ଚାଲିଗଲା ସେ ।


ସ୍ୱାତୀ ଠାକୁରଙ୍କ ଘରେ ମୁଣ୍ଡିଆ ମାରି କେତେ ସମୟ ଯେ କାନ୍ଦି ଚାଲିଛି ଜାଣିନାହିଁ । ଅମରେଶ ଫେରିଲା ପରେ ଖୋଜା ଲୋଡ଼ା ହେଲାବେଳକୁ ଜଣା ପଡିଲା ଯେ ବୋଉ ଘରେ ନାହିଁ । ସ୍ୱାତୀ ର ବେଡ଼ ଉପରେ ବୋଉର ଚିଠି ।


ମା ମୋର ଆୟୁଷ୍ମତି ଭବ !

ଜୋଇଁ ଙ୍କୁ ମୋର କୋଟି କୋଟି ଆଶୀର୍ବାଦ । ତୋ ଘର ଛାଡି ଆଜି ଚାଲି ଯାଉଛି ଏମିତି ଏକ ଜାଗାକୁ ଯେଉଁଠି ଗୋଡ଼ ହାତ ଚଳିଲା ପର୍ଯ୍ୟନ୍ତ କାମ କରି ଖାଇବି ତା ପରେ ସେଇ ଉପରବାଲା ହିଁ ଭରସା । ଆସିଲା ଦିନଠୁ ଦେଖୁଛି ମୋ ଲାଗି ତୋର ସଂସାର ରେ ଅଶାନ୍ତି ଦିନକୁ ଦିନ ବଢ଼ି ଚାଲିଛି । ତୁମ ମାନଙ୍କ କେତେ କଥା ମୋ କାନରେ ପଡୁଛି । 


ତୋ ବାପା କହନ୍ତି ପରା ମୋର ପୁଣି ପିତ୍ତଳ କାନ । ବୟସ ସାଙ୍ଗେ ସାଙ୍ଗେ ସବୁ ସରି ଆସିଲା । ଗୋଡ଼ ହାତ ଅଚଳ ହେଇ ହେଇ ଗଲା ଓ ଆଖି ମଧ୍ୟ ଜ୍ୟୋତି ହରାଇଲାଣି ହେଲେ ଏ ପୋଡା କାନ ଫୁଟିଲା ନାହିଁ । ନ ଶୁଣିଥିଲେ ଭଲ ହୋଇଥାନ୍ତା କିନ୍ତୁ ମୋର କପାଳ ମନ୍ଦ ସବୁ କିଛି ଶୁଣି ପାରିଛି ।


ତୋ ଘରେ ତୋର ଖାଦ୍ୟ ଉପରେ ମୋର କେବେ ହେଲେ ଆଖି ନଥିଲା ଲୋ ମା ! ତୁ ତ ଜାଣୁ ମୁଁ ଅଳ୍ପ ଖାଏ । ଖାଦ୍ୟ ପ୍ରତି ମୋର ଆସକ୍ତି କେବେ ନଥିଲା କି ଏବେ ବି ନାହିଁ । ଖାଲି ବଞ୍ଚିବାକୁ ଯେତିକି ଦରକାର ସେତିକି । ମୁଁ ବି ଜାଣି ନଥିଲି ତୁମ ଘରୁ ଖାଦ୍ୟ କିଏ ଚୋରି କରି ଖାଉଛି । ଆମେତ ତିନି ଜଣ ଲୋକ ଏଠି । ବହୁତ ଖରାପ ଲାଗୁଥିଲା । ଭାବୁଥିଲି ଯେ ମୋର ତ ଆଜିକାଲି କିଛି ମନେ ରହୁନି ହୁଏତ ମୁଁ ହିଁ...... କେତେବେଳେ….. କରୁ ନାହିଁ ତ ?


ନାହିଁ ନାହିଁ ଲୋ ମା ! ଅପମାନ ଓ ଗ୍ଲାନି ର ବୋଝ ନେଇ ମୁଁ କେବେ ବି ଶାନ୍ତିରେ ମରି ପାରି ନଥାନ୍ତି । ଅଳ୍ପ କେତେ ଦିନ ତଳେ ହିଁ ଜାଣିଲି ଯେ ତୋ ଘରେ ବାରିପଟ ଝରକା ଦେଇ ମୂଷାଟିଏ ଆସୁଛି ଓ ତୋର ରୋଷେଇ ଯାଗା ରେ ଅବାଧ ରେ ବିଚରଣ କରୁଛି । ତୋତେ କହିବି ବୋଲି ଭାବୁ ଭାବୁ ତୁମେ ମାନେ ମୋତେ ଦୋଷୀ ସାବ୍ୟସ୍ତ କରି ପକାଇଲ । ଜୋଇଁ ଙ୍କୁ କହି ବାରିପଟ ଝରକାଟିକୁ ତିଆରି କରିଦେବୁ । ମୂଷା ଅଇଁଠା ଯାବତୀୟ ରୋଗ ର ବାହକ ।


ଆଜି ସକାଳୁ ମୁଁ ହିଁ ତୋର ଫ୍ରିଜ ଖୋଲିଥିଲି । ଏମିତି କେତେ ଥର ଖୋଲିଛି । ମୋ ରୁମ ର ପଙ୍ଖା ଟି କେବେଠୁ ଅଚଳ ହୋଇ ଯାଇଛି ରେ ମା । ରାତିରେ ନିଦ ହେଉନି । ଜୋଇଁ ଙ୍କୁ ଥରେ କହିଥିଲି ବୋଧେ ଭୁଲି ଯାଇଛନ୍ତି । ତୋତେ କହିଥିଲେ ତୁ ତାଙ୍କ ସାଙ୍ଗେ ଲାଗି ଲାଗି କରାଇଥାନ୍ତୁ । ସେ ତ ସବୁବେଳେ କାର୍ଯ୍ୟ ବ୍ୟସ୍ତ ରହୁଛନ୍ତି । ତେଣୁ ତାଙ୍କୁ ବିରକ୍ତ କରିବା ବି ଠିକ ନୁହେଁ ।


ଏ ଖରାଦିନେ ପ୍ରବଳ ଗରମ ରେ ଏତେ ପ୍ରକାର ଓଷଦ ଖାଇ ଖାଇ ମୁଣ୍ଡ ଟା କଣ ହେଇଯାଉଛି ତ ତେଣୁ ଫ୍ରିଜ ଟା ଟିକେ ଖୋଲି କେତେ ସମୟ ତା ପାଖରେ ରହିଲେ ଥୟ ଲାଗୁଛି ।


ଯିବା ଆଗରୁ ସବୁ ଜିନିଷ ଖୋଲି କହିଦେଲି । ଯୋଉଠି ରହିବି କାମ କରି ଖାଇବି । ରୋଷେଇ ତ କରି ପାରିବିନି ଅଣ୍ଟା ପିଠି କାଟୁଛି । ବାସନ ବି ସଫା କରି ପାରିବିନି । ଆଣ୍ଠୁ ରେ ପ୍ରବଳ

କଷ୍ଟ । କେବଳ ପରିବା କାଟି ପାରିବି ଓ ଫୁଲ ଗୁନ୍ଥି ପାରିବି । ସେତିକିରେ ଯେତିକି ଖାଇବାକୁ ମିଳିବ ଶାନ୍ତିରେ ଜୀବନ ଯିବ । ମୋ ଲାଗି ଜୋଇଁ ଙ୍କ ସାଙ୍ଗରେ ଝଗଡା କରିବୁ ନାହିଁ । ତୋତେ ମୋ ରାଣ ।


                      ---ଇତି ତୋର ବୋଉ ।


କାନ୍ଦିବୁନି ଲୋ ମା ମୋର । ଯଦି କାନ୍ଦିବୁ ଦେଖେ ମୋର ମୁଣ୍ଡ

ଖାଇବୁ ।


Rate this content
Log in

More oriya story from White Jasmine

Similar oriya story from Tragedy