Mamata Satapathy

Tragedy Inspirational Others

4.4  

Mamata Satapathy

Tragedy Inspirational Others

ଶେଷ ସନ୍ତକ

ଶେଷ ସନ୍ତକ

5 mins
56



"ଆରେ ବାଃ!!-----କି ସୁନ୍ଦର ରାକ୍ଷୀ?କୋଉ ଦୋକାନରୁ କିଣିଲୁ ମତେ କହିବୁନି'?"ହେ---ହେ---ନଜର ଲଗାନା 'କହୁ କହୁ ସତକୁ ସତ ତା ଚୁନିରେ ରାକ୍ଷୀଟିକୁ ଲୁଚାଇ ଦେଉଥିଲା ଶ୍ରାବଣୀ।ଶ୍ରାବଣୀର ବୋଉ କହିଲେ "ନାଇଁ ଲୋ ଝିଅ ସେ ଏ ରାକ୍ଷୀକୁ ପାଞ୍ଚ ଦିନ ହେଲା ଲାଗି ଲାଗି ନିଜେ ତିଆରି କରିଛି।''

"ତୁ ଘରେ ଗୋଟିଏ ରାକ୍ଷୀ ଦୋକାନ ତିଆରି କର ମ..ବଡ ଲୋକ ହୋଇ ଯିବୁ' କହି ଦେଇ ମାନସୀ ତାଙ୍କ ଘରକୁ ଚାଲିଗଲା ।

     ମାନସୀ ସିନା ଚାଲି ଗଲା ଶ୍ରାବଣୀର ମନ ଦୁଡୁଗୁଡୁ ହେଉଥିଲା।

ଛାତି ତଳେ କେତେ କଣ ପାପ ଭାବନା ଉଙ୍କି ମାରୁଥିଲା।ଏ ବର୍ଷ ସେ ବଡଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବ ତ?ଏମିତି ତାର ଗୋଟିଏ ମଧ୍ୟ ବର୍ଷ ମନେ ପଡୁନଥିଲା ଯେଉଁ ବର୍ଷ ସେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିନି।

ତା ଭାବନରେ ପୂର୍ଣ୍ଣଛେଦ ପକାଇ ତା ଫୋନରେ "ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ-------" ରିଙ୍ଗଟୋନ୍ ଟି ବାଜି ଉଠିଲା।ଦଉଡି ଯାଇ ଶ୍ରାବଣୀ କଲ୍ ରିସିଭ୍ କଲା।ଭାଇ କହୁଥିଲେ -"ଶ୍ରାବଣୀ ମୋ ସୁନା ଭଉଣୀ ମନଦୁଃଖ କରିବୁନି।ରାକ୍ଷୀ ପୂର୍ଣ୍ଣମୀ ଦିନ ସକାଳୁ ମୁଁ ଘରେ ପହଞ୍ଚି ପାରୁନି ।ଅଫିସ୍ ରେ ଛୁଟି ମିଳୁନି।ହାଫ୍ ଡେ ସି ଏଲ୍ ନେଇ ଉପରବେଳା ପହଞ୍ଚିବାକୁ ଚେଷ୍ଟା କରୁଛି।ଯଦି ନ ଯାଇପାରେ ତୁ ମୋ ରାକ୍ଷୀ ଟି ସାଇତି ରଖିଥିବୁ ମୁଁ ଯେବେ ଯିବି ବାନ୍ଧିଦବୁ।ଆଗରୁ ମୁଁ ତତେ ଜଣାଇଥିଲେ ତୁ ପୋଷ୍ଟାଲ୍ ରେ ପଠାଇ ପାରିଥାଆନ୍ତୁ। କିନ୍ତୁ ହଠାତ୍ ଛୁଟି କ୍ୟାନ୍ସଲ୍ ହୋଇଗଲା। ନୂଆ ଚାକିରି ମୁଁ ରିସ୍କ ନେଇପାରୁନି।ଗଲା ବେଳକୁ ତୋ ପାଇଁ ବଢିଆ ଗିଫ୍ଟ୍ ନେଇଥିବି ତୁ ଦେଖିଲେ ଚମକି ପଡିବୁ''।

ବଡଭାଇଙ୍କ କଥା ଶୁଣିବା ମଧ୍ୟରେ ହିଁ ଶ୍ରାବଣୀର ଆଖିରୁ ଝରଝର ଶ୍ରାବଣର ଧାରା ଛୁଟି ଚାଲିଥିଲା।ତାର ସକ ସକ କାନ୍ଦ ମଧ୍ୟରେ ହିଁ ଶ୍ରୀମନ୍ତ ଫୋନ୍ କାଟି ଦେଇଥିଲେ।

  ପ୍ରକୃତରେ ଶ୍ରୀମନ୍ତ ଶ୍ରାବଣୀକୁ ମିଛ ହିଁ କହି ଥିଲେ । ସାଙ୍ଗମାନଙ୍କ ଅନୁରୋଧକୁ ଏଡାଇ ନପାରି ସେ ସହରରେ ରହିଯାଇଥିଲେ।

ଅଫିସ୍ କଲିଗ୍ ଅବିନାଶ କହିଲା--"ଆରେ ସପ୍ତାହକ ଛଅ ଦିନ ଏଠି ଗଧ ଘୁଷୁରୀ ଭଳି ଖଟୁଛୁ।ରବିବାର ହେଲା କି ଛୁଟି ଦିନ ହେଲା ବାହାରିଲୁ ଗାଁ କୁ।କ'ଣ ନା ମୋ ଗେହ୍ଲୀ ଭଉଣୀ ମନ ଦୁଃଖ କରିବ।''

   "ଏବେ ଭଉଣୀ ଚୁନିରେ ବନ୍ଧା ହୋଇଛୁ। ବାହା ହେଲେ ମାଇପ କାନିରେ ବନ୍ଧାହେବୁ।ଜୀବନକୁ ଚିହ୍ନିବୁ କେତେବେଳେ ? ବର୍ଷେ ସିନିୟର ପ୍ରଗଳ୍ଭ କହିଲା।

   ରାକ୍ଷୀପୂର୍ଣ୍ଣମୀ ଦିନ ସକାଳ।ଚାରି ବନ୍ଧୁ ଅବିନାଶର ବଙ୍ଗଳା ପ୍ରାୟ ବିରାଟ ଘରେ ଏକାଠି ହେଲେ।ଚିକେନ୍ ପକୋଡା ମୋଗ୍ଲାଇ ପରଟା ସହିତ ବ୍ଲେଣ୍ଡରସ୍ ପ୍ରାଇଡ୍।ଆସରଟା ବେଶ୍ ଜମିଥିଲା।ବୁଟଭଜା ସହ ଚୁନି ଚୁନି କଟା ହୋଇଥିବା ପିଆଜର ଚାଖଣାଟା ବ୍ଲେଣ୍ଡରସ୍ ପ୍ରାଇଡ୍ ର ସ୍ୱାଦକୁ କାହିଁରେ କଣ ବଢାଇ ଦେଉଥିଲା।ପେଗ୍ ପରେ ପେଗ୍ ପିଆଯାଉଥିଲା।କ୍ୱାର୍ଟ ପରେ କ୍ୱାର୍ଟ ସରିଯାଉଥିଲା।

  ପ୍ରଥମ ପେଗ୍ ରେ ହିଁ ଶ୍ରୀମନ୍ତକୁ ଅସ୍ୱସ୍ତି ଲାଗିଲା।ମୁଣ୍ଡ ଝାଇଁ ମାରିଗଲା।ତଣ୍ଟି ପୋଡିଗଲା ଭଳି ଲାଗିଲା।ବାନ୍ତି ଲାଗିଲା।

   ସାଙ୍ଗମାନେ ସାହସ ଦେଲେ---"ଆରେ ଏମିତି ମାଇଚିଆଙ୍କ ଭଳି କାହିଁକି ହେଉଛୁ?ପିଇ ଚାଲ୍ ଦେଖିବୁ କି ମଜା।ଆଜିକାଲି ଝିଅମାନେ ମଧ୍ୟ ପିଇବାର ମଜା ପାଇଗଲେଣି।ଆଉ ତୁ କେମିତିକା ମର୍ଦଟାଏ ମ ! ଡରୁଛୁ??ଛି ଛି..।

   ଶ୍ରୀମନ୍ତ ପେଗ୍ ପରେ ପେଗ୍ ପିଇ ଚାଲିଲା।ଏବେ ସେ ବେଶ୍ ଘୁମନ୍ତ ମଜାର ଆନନ୍ଦ ନେଉଥିଲା।ତାକୁ ଲାଗୁଥିଲା ସେ ଯେପରି ଆକାଶ ରେ ଉଡି ଉଡି ସ୍ୱର୍ଗରେ ପହଞ୍ଚି ଯାଇଛି।ରମ୍ଭା ମେନକା ଉର୍ବଶୀ ଆଦି ଅପ୍ସରା ଗଣ ତାକୁ କୋଳାଗ୍ରତ କରିବାକୁ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରି ଦେଇଛନ୍ତି।ନିଶାରେ ଟଳ ଟଳ ହେଉଥିଲେ ମଧ୍ୟ ତାକୁ ଲାଗୁଥିଲା ତା ଦେହରେ ଶତ ସିଂହର ବଳ ଖୁନ୍ଦି ହୋଇଯାଇଛି।

   ପିଆପିଇର ପର୍ବ ସରିଲାପରେ ଚାରି ବନ୍ଧୁ କୌଣସି ଗୋଟିଏ ହୋଟେଲକୁ ଯିବାର ଯୋଜନା କଲେ।ଅବିନାଶ ଘରେ ଡ୍ରାଇଭର ଓ କାର୍ ରେଡି ଥିଲେ।ଅବିନାଶର ବାପା ବୋଉ ପୁଅକୁ ସହରର ବଙ୍ଗଳାଟି ଦେଇ ଗାଁ ରେ ରହୁଥିଲେ।

ଡ୍ରାଇଭର କାର୍ ଚଲାଉଥିଲା।ନିଶାରେ ଟୁଳୁଟୁଳୁ ଚାରି ବନ୍ଧୁ ବସିଥିଲେ।

   ରାକ୍ଷୀପୂର୍ଣ୍ଣମୀ ଦିନ ସକାଳୁ ବ୍ୟସ୍ତ ବିବ୍ରତ ହୋଇ ଘରୁ ବାହାରି ଆସିଥିବା ଶ୍ରାବଣୀ ବସ୍ ରୁ ଓହ୍ଲାଇ ସେହି କାର୍ ରେ ଉଠିଲା।

କାର୍ ରେ ଥିବା ଚାରି ବନ୍ଧୁଙ୍କୁ ମାହୋଲ୍ ଟା ଭଲ ଲଗୁନଥିଲା । କିଛି ଗୋଟିଏ ଅଭାବ ଥିଲାପରି ଜଣା ପଡୁଥିଲା। ଝିଅଟିଏ ଉଠିଲା। ସମସ୍ତଙ୍କ ମୁଡ୍ ବଦଳିଗଲା। ସମସ୍ତେ ଖୁସ୍। ଅବିନାଶ ହୋଟେଲ ଫୁଲ୍ ମୁନ୍ ର ପଛପଟ ନିରୋଳା ଜଙ୍ଗଲିଆ ଜାଗାକୁ କାର୍ ନେଇଯିବା ପାଇଁ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲା।ଫୁଲ୍ ସ୍ପିଡ଼୍ ରେ କାର୍ ଚାଲିଲା।


ଗୋଟିଏ ଝିଅ।ପାଞ୍ଚଟି କାମାନ୍ଧ ଯୁବକ। ଯଦିଓ ଡ୍ରାଇଭର ନିଶାସକ୍ତ ନଥିଲା ଏ ମଉକା ସେ ବା କାହିଁକି ଛାଡନ୍ତା? ନିର୍ଭୟା କେସ୍ ସମୟରେ ଆଶାରାମ ବାପୁ ଦେଇଥିବା ଟିପ୍ପଣୀଟି ଶ୍ରାବଣୀ ର ମନେ ପଡୁଥିଲା।ଭାଇ ବୋଲି ଡାକିଦେଲେ ଧର୍ଷଣୋଦ୍ୟତ ଯୁବକ ମାନଙ୍କ ମନ ବଦଳିଯାଏ ବୋଲି ସେ ଵାବା କହିଥିଲେ। ବୁଡିଯାଉଥିବା ଲୋକ କୁଟାଖିଅକୁ ଭରସା କଲାଭଳି ଶ୍ରାବଣୀ କହୁଥିଲା --"ଭାଇମାନେ ମତେ ଛାଡିଦିଅ''।

  ପ୍ରଗଳ୍ଭ କହିଲା--"ମା ପେଟ ର ଭଉଣୀ ଭଳିଆ କଥା କହୁଛି।ଆ ମା କଣ ସରୋଗେଟ୍ ମଦର୍ ହୋଇ ତା ଓଭାରି ଆମ ବାପା ବୋଉଙ୍କୁ ଭଡା ଦେଇଥିଲା ନା କଣ?ସେଇ ହିସାବରେ ଭାଇ ବୋଲି ଡାକୁଛି।କିନ୍ତୁ ଆମେ ଜାଣିବାରେ ଆମ ବାପା ବୋଉ ଫିଟ୍ ଥିଲେ।କା ଓଭାରି କାହିଁକି ଭଡାରେ ନେବେ?

  କେମିତି ଗୋଟା ଅଶ୍ଳୀଳ ହସର ସମ୍ମିଳିତ ଫୁଆରାରେ ଶ୍ରାବଣୀର କୋମଳ ସ୍ୱର ହଜିଯାଉଥିଲା।

  ଧ୍ୟାତ୍ ମଦନିଶାଟା ଶ୍ରୀମନ୍ତକୁ ଏପରି ଆବୋରି ଥିଲା ଯେ ସ୍ୱରଟା ଚିହ୍ନା ଚିହ୍ନା ଲାଗୁ ଲାଗୁ ପୁଣି ଅଚିହ୍ନା ଲାଗିଲା।ନିଶା ଟୁଳୁଟୁଳୁ ଆଖି ପତା ଟେକି ଝିଅ ଟାକୁ ଦେଖିବାକୁ ଚେଷ୍ଟା କଲାବେଳକୁ ଚେହେରାଟା ଅସ୍ପଷ୍ଟ ଦିଶୁଥିଲା।କେବଳ ସେ ଏତିକି ଜାଣିପାରୁଥାଲା ଯେ ଏ ନିଶ୍ଚୟ ଗୋଟିଏ ଝିଅ।

ରାକ୍ଷୀ ପୂର୍ଣ୍ଣମୀ ସନ୍ଧ୍ୟା ସମୟ।ଶ୍ରାମନ୍ତ ଘରେ ପହଞ୍ଚିଯାଇ ଥିଲା।ଏକଡ ସେକଡ ଚାହୁଁଥିଲା।ତା ଗେହ୍ଲୀ ଭଉଣୀ ଦଉଡି ଆସି ତା ହାତରେ ରାକ୍ଷୀ ବାନ୍ଧିଦେବ ବୋଲି ଉତ୍କଣ୍ଠିତ ଆଗ୍ରହରେ ଅପେକ୍ଷା କରିଥିଲା।

  ବୋଉ ପଚାରିଲା -"କାହାକୁ ଅପେକ୍ଷା କରିଛୁ କିରେ?ସାର୍ଟ ପ୍ୟାଣ୍ଟ ବଦଳାଇ ଗୋଡହାତ ଧୁଆଧୁଇ କର।ଭାଇ ଭଉଣୀ ସାଙ୍ଗ ହୋଇ ଖିଆପିଆ କରିବ।ତୁମେ ଦୁଇ ଜଣ ସାଙ୍ଗ ହୋଇ ଆସିଛ ତ?ସେ ନିଜେ ତୋ ନାଆଁ ଲେଖି ତିଆରି କରିଥିବା ରାକ୍ଷୀଟା ତୋ ହାତରେ ବାନ୍ଧି ଦେଇ କୁଆଡେ ଚାଲିଗଲା କି? ତା ସାଙ୍ଗ ମାନସୀ ସହିତ ଗପୁଛି ନା କଣ?'

ଏବେ ଶ୍ରୀମନ୍ତର ସକାଳ ଘଟଣା ଗୋଟି ଗୋଟି ହୋଇ ମନେ ପଡିଗଲା।ତା ହାତରେ ରାକ୍ଷୀ ବାନ୍ଧି ଥିବା ସେ ଝିଅଟି ତେବେ ତା ଭଉଣୀ ଶ୍ରାବଣୀ!

   ବିରାଟ ଗୋଟିଏ ବିସ୍ଫୋରଣରେ ଶ୍ରୀମନ୍ତର ଛାଡିଟା ଫାଟି ଖଣ୍ଡ ଖଣ୍ଡ ହୋଇ ଗଲାକି?

   ମନେପଡୁଥିଲା ତାର କିପରି ସେ ଝିଅଟି ପ୍ରବଳ ପ୍ରୟାସ କରି ସେ ଚାରିଜଣଙ୍କ ହାତକୁ ଆଡେଇ ଦେଇ ତା ହାତରେ ହିଁ ରାକ୍ଷୀ ବାନ୍ଧିଥିଲା।ଝିଅଟି କିପରି ସେ ଚାରିଜଣ ଜହ୍ଲାଦଙ୍କ ଭିଡ ଟପି ତା ପାଖକୁ ଆସିବାକୁ ଚେଷ୍ଟା କରୁଥିଲା।ଭାଇ ଭାଇ ଡାକି ବିକଳରେ କାନ୍ଦି କାନ୍ଦି ଅସ୍ଥିର ହେଉଥିଲା। କିନ୍ତୁ ତାକୁ ମଦନିଶାଟା ଏମିତି ଆବୋରି ଥିଲା ଯେ ସେ କେବଳ ଅର୍ଦ୍ଧଚେତନ ଅବସ୍ଥାରେ ପଡି ରହିଥିଲା।ଇଚ୍ଛା କରି ମଧ୍ୟ ଝିଅଟିକୁ କିଛି ସାହାଯ୍ୟ କରିପାରିନଥିଲା।

  ଫେରିଲାବେଳେ ସାଙ୍ଗମାନେ କହୁଥିଲେ -"କି କଅଁଳିଆ ଛନଛନିଆ ଖାସା ମାଲ୍ ଟାଏ ଥିଲାରେ!!ତୁ ଅଭାଗାଟା ଏତିକି ମଦ ସମ୍ଭାଳି ନପାରି ପୁରା ଅଚେତ ହୋଇଗଲୁ।କି ସୁନ୍ଦର ଚାନ୍ସଟା ହରାଇଲୁରେ? କାଳେ କିଛି ଅସୁବିଧା ହେବ ସେଥିପାଇଁ ଆମେ ତାକୁ ପେଟ୍ରୋଲ ଢାଳି ପୋଡି ପାଉଁଶ କରି ଦେଇ ଚାଲିଆସିଲୁ।"ରାମ ରଖିଥିବ ଯେ ଲକ୍ଷ୍ମଣ କେଞ୍ଚିବ''ବୋଉକୁ କି ଉତ୍ତର ଦେବ ଶ୍ରୀମନ୍ତ?

  ରାକ୍ଷୀରେ ଖଞ୍ଜା ହୋଇଥିବା କୁନି କୁନି ମିରର୍ ଭିତର ଶ୍ରାବଣୀର ମୁହଁ ଝଲମଲ ହେବା ପରି ଦିଶୁଥିଲା।ତା ସ୍ନେହ ଶ୍ରଦ୍ଧା ସେଥିରେ ଗୋଳେଇ ହୋଇ ଯାଇଥିଲା ପରା!

   ସାର୍ ଙ୍କ ଠାରୁ ପ୍ରବଳ ମାଡଖାଉ ବାପାଙ୍କ ଠାରୁ ଯେତେ ମାଡ ଖାଉ ଶ୍ରୀମନ୍ତ ଆଖିରୁ କେବେ ଟୋପେ ହେଲେ ଲୁହ ବାହାରିନଥିଲା।ସବୁ ମାଡ ସେ ପିଠେଇଯାଏ। ପୁରୁଷ ପୁଅ ପରା, କାନ୍ଦିବ?ଲାଜ ମାଡିବନି?

ଆଜି କିନ୍ତୁ ତା ଆଖିରେ ଲୁହର ଶ୍ରାବଣ।ରାକ୍ଷୀ ଭିଜୁଥିଲା ଲୁହରେ।ହଟାତ ତାକୁ ଜଣା ପଡିଲା ରାକ୍ଷୀ ଭିତରୁ ଲୁହ ଝରାଆଖିରେ ଶ୍ରାବଣୀ ବାହାରି ଆସୁଛି।

   କହୁଛି--"ଭାଇ ମୁଁ ତୁମ ହାତରେ ରକ୍ଷା ବନ୍ଧନ ବାନ୍ଧିଦେଲି ତୁମେ କିନ୍ତୁ ମତେ ରକ୍ଷା କରିପାରିଲନି।ମନ ଦୁଃଖ କରନା ଭାଇ।ସେଥିରେ ତୁମ୍ଭର କିଛି ଦୋଷ ନାହିଁ।ସବୁ ଦୋଷ ସେଇ ନାଲି ପାଣି ମଦର।ମୋର ଗୋଟିଏ ଅନୁରୋଧ ରଖିବ ଭାଇ ଜୀବନରେ ଆଉ କେବେ ମଧ୍ୟ ମଦ ଛୁଇଁବ ନାହିଁ।ମୁଁ ଦିନେ ମରିଥାଆନ୍ତି ଆଜି ମରିଗଲି।ମୋ ମନରେ ତିଳେ ମଧ୍ୟ ଅବଶୋଷ ନାହିଁ।ତୁମ ହାତରେ ରାକ୍ଷୀ ବାନ୍ଧି ନପାରି ମରିଯାଇଥିଲେ ହୁଏତ ମୁଁ ଦୁଃଖି ହୋଇଥାଆନ୍ତି। ଯେହେତୁ ତୁମ ହାତରେ ରାକ୍ଷୀ ବାନ୍ଧିପାରିଛି ମୋର କିଛି ବି ଦୁଃଖ ନାହିଁ।

 କିନ୍ତୁ ଦୁଃଖି ହେବି ସେହିଦିନ ଯେଉଁଦିନ ତୁମ ଆଖି ଆଗରେ ଆଉ ଗୋଟିଏ ଝିଅ ଏହିପରି ଦଶା ଭୋଗିବ।ଆଉ ଗୋଟିଏ ଛୋଟ ମିନତି--ତୁମର ସମସ୍ତ ଶକ୍ତି ଏଭଳି ବିପଦ ସାମ୍ନା କରୁଥିବା ଝିଅ ମାନଙ୍କୁ ରକ୍ଷା କରିବାରେ ବ୍ୟୟ କରିଦିଅ। 

  ଏହାହିଁ ମୋ ପାଇଁ ଶ୍ରେଷ୍ଠ ଉପହାର।''

  ଶ୍ରାବଣ ପୂର୍ଣ୍ଣିମାରେ ଶେଷ ରାକ୍ଷୀକୁ ସନ୍ତକ କରି ଶ୍ରାବଣର ବର୍ଷାଧାରାକୁ ପରାଜିତ କରୁଥିଲା ଶ୍ରୀମନ୍ତ ନୟନର ଅଶ୍ରୁ ଧାରା।



Rate this content
Log in

Similar oriya story from Tragedy