STORYMIRROR

Subhra Arabinda Mohanty

Tragedy

4  

Subhra Arabinda Mohanty

Tragedy

ଶେଷ ଗପ

ଶେଷ ଗପ

2 mins
452

“ହେଇଟି,ପ୍ଲିଜ ମୋତେ ଯିବାକୁ ଦିଅ” – ଅରୁଣଙ୍କୁ ଅନୁନୟ କଲେ ସୁମିତ୍ରା। ଅନୁନୟରେ ଆନ୍ତରିକତା ନଥିଲା।

“ନା ସୁମି ଛାଡିବିନି,ଆଜି ଜିଦି ରହିବ ନାହିଁ,ରାତି ସାରା ଏମିତି ଗପିବା” – ଅରୁଣ କହିଲେ।


ମୁହଁ ମୋଡି ସୁମି କହିଲେ – “ଏ ବୁଢା ବୟସରେ ରଙ୍ଗ ଦେଖ, ବୟସ ଥିଲା ବେଳେ ଖାଲି କାମ ବ୍ୟସ୍ତ, ଏବେକୁ ରୋମାଣ୍ଟିକ। ପ୍ଲିଜ ବହୁତ କଷ୍ଟ ହେଲାଣି, ଛାଡ”।

ଅରୁଣ ଜିଦ ଧରି କହିଲେ – “ତୁମେ ଯାହା କହ,ମୁଁ ଆଜି ଛାଡିବିନି”


ସୁମି ଅଳ୍ପ ହସିଲେ, ଜାଣିଲେ ତାଙ୍କ ସ୍ୱାମୀଙ୍କର ଏଇଟା ଗୋଟାଏ ବୃଥା ବାହାସ୍ଫୋଟ। ଠିକ ଯେମିତି ବାହାଘର ପୁର୍ବରୁ “ମୁ ତୋତେ ଟେକି ନେଇଯିବି” କହିବା ଆଉ ସୁମୀଙ୍କ ବାପା ଙ୍କ ଆଗକୁ ଯିବା ପାଇଁ ପଛଘୁଞ୍ଚା ଦେବା।ସୁମି ସବୁଦିନ ଭଳି ଅରୁଣ ଙ୍କ ମୁଣ୍ଡ ବାଳ ସଜାଡି ଦେଲେ।


ସେ ନିଜେ ଜଣେ ଡାକ୍ତର,ନିଜ କ୍ୟାନ୍ସରର ପ୍ରଥମ ରିପୋର୍ଟରେ ବାକି ଥିବା ସମୟ କୁ କଳନା କରିଦେଇଥିଲେ। ଆଜି ହସ୍ପିଟାଲ ର ଧଳା ସେଜରେ, ରୋଗ ଠୁ କ୍ରୁର କେମୋଥେରାପି ର ପରିହାସରେ ତାଙ୍କ ଶରୀର ଜୀର୍ଣ୍ଣ, ଗୋଟେ ନିଶ୍ୱାସ ବି ଗୋଟେ ପ୍ରାଣାନ୍ତକ ଯନ୍ତ୍ରଣା। ପରିବାର ର ସମସ୍ତେ ସତ୍ୟ ସହିତ ପରିଚିତ। କେବଳ ଅରୁଣ ଓ ସୁମି ସରିଯାଉଥିବା ମୁହୂର୍ତ୍ତ ରୁ କିଛି ଚୋରି କରିବାର ପ୍ରୟାସ କରୁଥିଲେ।


“ହଉ,ମୁ କଥା ଦେଲି ସବୁଦିନ ରାତିରେ ସ୍ୱପ୍ନରେ ଜଲଦି ଆସିକି ତୁମ ପିଠି କୁଣ୍ଡେଇ ଦେବି, ଆଉ ଏ ଦେହ ର କଷ୍ଟ ସମ୍ଭାଳି ହଉନି, ଖୁସିରେ ବିଦା କର,ପ୍ଲିଜ”। ଅରୁଣ ଙ୍କ ମୁହଁରେ ତଥାପି ଚୁପି।

“ହଉ ହେଲା ଆର ଜନ୍ମରେ ଓଲଟା କରିବା, ତୁମେ ମୋ ପଛରେ ନ ଗୋଡେଇ, ମୁ ତମ ପଛରେ ପଡି ବାହା ହେବି” – ସୁମି କହିଲେ।

“ହଉ ତାହାଲେ, ଆଉ ତମ ବାପା ପୁଣି ଯଦି ଡାକ୍ତର ଝିଅ ପାଇଁ ଡାକ୍ତର ଜ୍ୱାଇଁ ଖୋଜି ପାଞ୍ଚ ବର୍ଷ ଡେରି କରିବେ, ସତ କହୁଛି ଠେଙ୍ଗା ଧରିବି, ବୁଢା ଆମଠୁ ପାଞ୍ଚ ବର୍ଷ ଚୋରେଇ ନେଲା ଡାକ୍ତର ଜ୍ୱାଇଁ ହେଇ ହେଇ, ପୁଣି ସେ ବିରୁଡ଼ି ମୁହାଁ ରମେଶ କୁ ଠିକ ବି କରିଦେଇଥିଲେ ” – ଅରୁଣ ଜାଣିଲେ ସମୟ କିଛି ମୁହୂର୍ତ୍ତ ମାତ୍ର।


“ହଁ ମ, ତମର ତ ଖାଲି ମୋରି ବାପଘର ଉପରେ ଦାଉ,ଆଉ ବାପା ତ ଶେଷ ପର୍ଯ୍ୟନ୍ତ ମୋ ଜ୍ୱାଇଁ ଦେଶର ର ଟପ ଏଣ୍ଟରପ୍ରେନିଏର କହି ବୁଲୁଥିଲେ।ଆଉ ତୁମ ମା ଯୋଉ ତଳ ଜାତି କହି ମୋତେ ନାକଚ କରିଥିଲେ।”

“ହଉ ଛାଡ଼, ତମେ ଆର ଥରକୁ ବି ପ୍ଲିଜ ବାଇଓଲଜି ନେଇ ଡାକ୍ତର ହବ, ସେ ଛତରା ଇଂଜିନୀଅରିଂ ପଢ଼ିବନି, ସହଜରେ ଆଉ ଜଲଦି ବାହା ହଵ।” – ସୁମି ସବୁଥରକ ଭଳି ନିଜ ଏଜେଣ୍ଡା ଗଳେଇ ନେଲେ।


“ହେ ପ୍ରଭୁ, ନାଁ ମ, ତୁମେ ଏବେ ଇଂଜିନିଅରିଂ ପଢିବ, ହଉ ହେଲା, ମୁ ବେଙ୍ଗ ଆଉ ମଲା ଶବ କାଟିନେବି, କିନ୍ତୁ ପ୍ଲିଜ ଆଜି ଆଉ ଗୋଟେ ରାତି ରହି ଯାଅ, ସୁମି, ସୁମି….ସିଷ୍ଟର”। ସଦାବେଳେ, ସୁମି ଡାକ ର “କୁହ” ଉତ୍ତର ଦେବା ସୁମି ଆଜି ଅମାନ୍ୟ କରିଦେଲେ, ପରିବାର-ପିଲାଙ୍କର କାନ୍ଦଣା, ଡାକ୍ତର ଙ୍କ ଗମ୍ଭୀର ସ୍ୱର।

କିନ୍ତୁ ଅରୁଣ ଙ୍କ ଆଖିରେ ଗୋଟେ ଛୁଆଳିଆ ଚମକ।ସେ କଳ୍ପନା କରୁଥିଲେ ଆଗାମୀ ଜନ୍ମରେ ସୁମି ଙ୍କ ସହିତ ରୋମାନ୍ସ ର କାହାଣୀ ଆଉ ଅଧିର ହେଇ ପଡୁଥିଲେ କେବେ ସେ ଅତିକ୍ରମ କରିବେ ଆର ଜନ୍ମକୁ।


ଅରୁଣ ଙ୍କ ପାଇଁ ଜୀବନ-ମୃତ୍ୟୁ-ଓ-ଜନ୍ମ ଏକ ସୁନ୍ଦର ଯାତ୍ରା ହେଇଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Subhra Arabinda Mohanty

ଶେଷ ଗପ

ଶେଷ ଗପ

2 mins ପଢ଼ନ୍ତୁ

Similar oriya story from Tragedy