ରାମୁ ଓ ଫଟା ଜୋତା
ରାମୁ ଓ ଫଟା ଜୋତା
ରାମବାବୁ ପୁଅ ଜିତେନ୍ଦ୍ରକୁ ନେଇ ବିଦ୍ୟାଳୟରେ ଛାଡ଼ିବା ସମୟ ହେଲାଣି । ରାମୁ ସେଥିପାଇଁ କାର୍ ସଫାକରିବାରେ ଲାଗିପଡ଼ିଛି । ମଝିରେ ମଝିରେ ମାଲିକଙ୍କ ତାଗିଦ୍ ଶୁଣାଯାଉଥାଏ – “ଭଲରେ ସଫା କର । ତୋ ହାତରେ କଣ ବଳ ନାହିଁ ? ଖାଇଲାବେଳକୁ ତ ହାତ ଅଟକି ଯାଉନାହିଁ” !
ରାମୁର ବୟସ ଦଶ କି ଏଗାର ବର୍ଷ ହେବ । ଗରିବ ଘରର ପିଲା । ପିଲାଟି ଦିନରୁ ବାପ ମାଆ ଛେଉଣ୍ଡ । ତେଣୁ ମାମୁଁ ଘରେ ରହି ପାଠ ପଢୁଥିଲା । ମାମୁମାଇଁଙ୍କ ଚାରୋଟି ପିଲା । ମାମୁଁଙ୍କ ମୂଲମଜୁରିରେ ଘର ଚଳେ । ଦିନେଦିନେ ରାତିବେଳା ଖାଇବାକୁ ନପାଇ ରାମୁକୁ ପାଣି ପିଇ ଶୋଇବାକୁ ପଡ଼ିଛି । ଅଭାବି ପରିବାର । ରାମୁକୁ ନେଇ ମାମୁଁମାଇଁଙ୍କ ମଧ୍ୟରେ ଅନେକଥର ବଚସା ହୋଇଛି । ଏକଥା ଅଜଣା ରହେନି ରାମୁକୁ । ଦୁଇବର୍ଷ ତଳେ ଦିନେ ମାମୁଁମାଇଁଙ୍କ ମଧ୍ୟରେ ଏମିତି ଝଗଡାହେଲା ଯେ ତହିଁ ପରଦିନ ମାମୁଁ ରାମୁକୁ ନେଇ ସହର ଆସିଥିଲେ । ସେତେବେଳକୁ ସେ ଚତୁର୍ଥ ଶ୍ରେଣୀର ଛାତ୍ର । ତାର ଭାଗ୍ୟ ତାକୁ କୁଆଡ଼େ ନେଉଥିଲା ପିଲାଟା କଣ ବା ବୁଝିବ । ମାମୁଁ ତାକୁ ଆଣି ରାମବାବୁଙ୍କ ଘର କାମ କରିବାପାଇଁ ଛାଡ଼ିଦେଇ ଗଲେ । ଗଲାବେଳକୁ କହିଥିଲେ – “ ଆମେ ଗରିବ ଲୋକ । ପାଠପଢ଼ା ଆମ ଭାଗ୍ୟରେ ନାହିଁ । ତୁ ବାବୁଙ୍କ ଘରେ ମନଦେଇ କାମ କରିବୁ । ବାବୁ ତୋର ଖାଇବା ପିନ୍ଧିବା କଥା ବୁଝିବେ” ।
ସେଇଦିନଠାରୁ ରାମବାବୁଙ୍କ ଘରେ ଚାକର ହୋଇ ପ୍ରତିଦିନ ଘର ଓଳେଇବା, ଲୁଗାପଟା ସଫାକରିବା, ବାସନ ମାଜିବା, ବାବୁଙ୍କ ଗାଡ଼ି ସଫାକରିବା, ବଜାରରୁ ପରିବା ଆଣିବା ଓ ମାଲିକାଣୀଙ୍କୁ ରୋଷେଇଘରେ ସାହାଯ୍ୟ କରିବା ରାମୁର ନିତିଦିନିଆ କାମ । ଦି ଓଳି ଦୁଇମୁଠା ଖାଇବାକୁ ମିଳିଯାଏ, ସେଇ ହିଁ ତାର ଭାଗ୍ୟ । କାମ କଲାବେଳେ ଯଦି କିଛି ଭୁଲ୍ ହୁଏ, ମାଲିକାଣୀଙ୍କଠାରୁ ବହୁତ ଗାଳି ଶୁଣେ ଓ ବେଳେବେଳେ ମାଡ଼ ମଧ୍ୟ ଖାଏ । ମାଲିକାଣୀଙ୍କ ଆଦେଶରେ ତାଙ୍କର ପୁଅ ଜିତେନ୍ଦ୍ର ସାଙ୍ଗରେ ଖେଳିଲାବେଳେ ସବୁକିଛି ଭୁଲିଯାଇ ବହୁତ ଖୁସି ହୁଏ । ଜନ୍ମ ଦେଇଥିବା ମାଆର ମୁହଁ ତାର ମନେ ନାହିଁ । ମାଇଁ ଭିତରେ ଖୋଜିଥିଲା ତା ମାଆକୁ କିନ୍ତୁ ଭଗବାନକୁ ତାହା ମଧ୍ୟ ମଞ୍ଜୁର ନଥିଲା । ସହରକୁ ଆସିବାକୁ ପଡ଼ିଲା । ଏଠାରେ ବି ମାଲିକାଣୀଙ୍କ ଭିତରେ ତାର ମାଆକୁ ଖୋଜୁଥିଲା ।
ଦିନକର କଥା । ରାମବାବୁଙ୍କ ଘରେ ସକାଳେ ପୂଜାପାଠ ହେବ । ବହୁତ କାମ ଅଛି । ସେଥିଲାଗି ରାମୁ ବଡ଼ିଭୋରରୁ ଉଠି ନିତିଦିନିଆ କାମ ସହ ଘର ଧୁଆପୋଛା କରି ପାଖଘର ବଗିଚାରୁ ଆମ୍ବଡାଳ, ଫୁଲ, କଦଳୀ ପତ୍ର ଓ ହୋମପାଇଁ ବାଲି, ଇଟା ଆଦି ସଂଗ୍ରହ କଲା । ସୁରୁଖୁରୁରେ ସବୁକାମ ହୋଇଗଲା । ପୂଜା ଶେଷହେଲାବେଳକୁ ଦିନ ଏଗାରଟା । ରାମୁ ସକାଳୁ କିଛି ଖାଇନଥିବାରୁ ସେ ହାଲିଆ ହୋଇପଡ଼ିଥିଲା । ବାବୁଙ୍କର ଅଫିସ ଯିବା ଡେରି ହେବାରୁ ସେ ତରତର ହେଉଥାନ୍ତି । ମାଲିକାଣୀଙ୍କ ଆଦେଶରେ ବାବୁଙ୍କ ପାଇଁ ଶୀଘ୍ର କିଛି ଜଳଖିଆ ଆଣିଲାବେଳେ ତା ହାତରୁ ଖସି ତଳେ ପଡ଼ିଗଲା । ଏହା ଦେଖି ବାବୁ ରାଗିଯାଇ ତା ପିଠିରେ ଦୁଇଟି ଶକ୍ତ ବିଧା ପକାଇଲେ । ତାକୁ ବହୁତ କଷ୍ଟହେଲା । ଆଖିରୁ ଲୁହ ବାହାରିଆସିଲା । ସେ ନିଜ ଦୁଃଖ କହିବ କାହାକୁ ? ପାଟି ଖୋଲି କାନ୍ଦି ପାରୁନଥାଏ । କାନ୍ଦିଲେ ଅଧିକ ମାଡ଼ ପଡ଼ିବାର ଭୟ ରହିଛି । କାହାକୁ କିଛି ନକହି ତଳେ ପଡ଼ିଥିବା ଖାଦ୍ୟକୁ ଉଠାଇ ସେଇ ଜାଗା ସଫା କରିଦେଲା । ଘରର ସମସ୍ତେ ଖାଇସାରିଲା ପରେ, କିଛି ଜଳଖିଆ ଖାଇନେବା ପାଇଁ ମାଲିକାଣୀ ତାକୁ କହିଲେ । ତାର ଖାଇବାକୁ ଆଉ ଇଛା ନଥିଲା । ଦଉଡ଼ିଯାଇ ନିଜେ ରହୁଥିବା ଛୋଟ କୋଠରୀର ଏକ କୋଣରେ ବସି କାନ୍ଦିବାକୁ ଲାଗିଲା । ସେ ନିଜକୁ ଅସହାୟ ମନେକରୁଥିଲା ଓ ଜନ୍ମ ଦେଇଥିବା ବାପାମାଆଙ୍କୁ ମନେମନେ ଖୋଜୁଖୋଜୁ ଭାବୁଥିଲା –“ ଏ ଦୁନିଆରେ ଗରିବ ଘରେ ଜନ୍ମହେବା ପାପ । ମୋ ବାପାମାଆ ଯଦି ବଞ୍ଚିଥାନ୍ତେ, ମୋତେ କାହାଘରେ କାମକରିବାକୁ ପଡ଼ି ନଥାନ୍ତା । ମୋତେ ସେମାନେ କେତେ ଗେଲ କରୁ ନଥାନ୍ତେ । ମୁଁ ଜିତେନ୍ଦ୍ର ପରି ପାଠପଢ଼ି ବଡ଼ ମଣିଷ ହୋଇଥାନ୍ତି” ।
ଜିତେନ୍ଦ୍ର ପ୍ରତିଦିନ ବିଦ୍ୟାଳୟ ଯିବା ପୂର୍ବରୁ ତାର ଜୋତାକୁ ପଲିସ୍ କରି ଚକ୍ ଚକ୍ କରିବା କାମ ରାମୁର । ଗତକାଲିର ଘଟଣାପରେ ଆଜି ସକାଳୁ ସେ ଲାଗିଯାଇଛି କାମରେ, ଚିରାଚରିତ ପଦ୍ଧତିରେ । ଅନ୍ୟ ଦିନ ପରି ଆଜି ମନରେ ସରାଗ ନାହିଁ ତାର । ଜିତେନ୍ଦ୍ରର ଜୋତା ପଲିସ୍ କରି ତାକୁ ପିନ୍ଧାଉଥିବାବେଳେ ରାମୁର ମନ ଅକୁହା ଆନ୍ଦୋଳନରେ ତା ଭିତରେ ପ୍ରତିଧ୍ବନିତ ହେଉଥିଲା – “ମୁଁ ଯଦି ପାଠପଢୁଥାନ୍ତି ତେବେ ଏଭଳି ଜୋତା ଓ ସ୍କୁଲ ଡ୍ରେସ ପିନ୍ଧି ବିଦ୍ୟାଳୟକୁ ଯାଉଥାଆନ୍ତି । କିନ୍ତୁ ମୋର ସେ ଭାଗ୍ୟ କାହିଁ ? ଜିତେନ୍ଦ୍ରର ଜୋତା ଛିଣ୍ଡାଫଟା ହେଲାପରେ ରାମୁକୁ ତାହା ମିଳିଥାଏ । ଜିତେନ୍ଦ୍ର ପାଇଁ ନୂଆ ଜୋତା ଆସେ । ରାମୁ ପାଇଁ ତାହା ସାତ ସପନ । ସେଇ ଫଟା ଜୋତାରେ ଖୁସି ହେବାକୁ ସେ ବାଧ୍ୟ । ଆଜି ସେ ଅନୁଭବ କରୁଛି ତା ଜୀବନଟା ସତେ ଯେମିତି ମାମୁମାଇଁ ଓ ମାଲିକ ମାଲିକାଣୀଙ୍କ ହାତରେ ଫଟା ଜୋତା ପାଲଟିଯାଇଛି ।
