Purnima Lenka

Tragedy

2.4  

Purnima Lenka

Tragedy

ରାକ୍ଷୀ

ରାକ୍ଷୀ

4 mins
44



 ରାକ୍ଷୀ ପୂର୍ଣ୍ଣିମାରେ ଚାରି ଆଡେ଼ ଗହଳ ଚହଳ, ଆନନ୍ଦ ଉଲ୍ଲାସ। ହେଲେ ' ଗୋଟିଏ ଘର ନିଶ୍ଚଳ, ଯେମିତି କିଏ ଚୋରେଇ ନେଇଛି ତା ଚଳ ଚଞ୍ଚଳତା। ଘର ଭିତରେ କିଏ ଜଣେ କାନ୍ଦିବାର ସ୍ୱର ଶୁଭା ଯାଉଥାଏ ବାହାରକୁ। କିଏ କାନ୍ଦୁଛି ଜାଣିବାକୁ, ମୁଁ ଘର ଭିତରକୁ ଗଲି, ଯାଇ ଦେଖେ ସିପ୍ରା ଘରର ଗୋଟେ କୋଣରେ ବସି କାନ୍ଦୁଚି । ମୋ ଜାଣିବାରେ ତା ଠୁ ଧୈର୍ଯ୍ୟବାନ୍ ଝିଅ ନାହାନ୍ତି, ସିପ୍ରାକୁ ମୁଁ, ପିଲାଟି ବେଳୁ ଜାଣିଛି ହେଲେ ' କେବେ ବିକଳ ହେଇ କାନ୍ଦିବାର ତାକୁ ଦେଖିନି । ହଁ' ଥରେ ଦେଖିଥିଲି ଚିତ୍କାର କରି କାନ୍ଦିବାର "ଯେବେ ତା ବାପା ତାକୁ ସବୁ ଦିନ ପାଇଁ ଛାଡି ଚାଲି ଯାଇଥିଲେ"।


ହେଲେ ଆଜି, ଏତେ ବଡ଼ ଦିନ ରାକ୍ଷୀରେ ସିଏ କାନ୍ଦୁଚି କାହିଁକି?। ସିଏ କଣ୍ ତା ଭାଇ ନଥିବାର କଷ୍ଟ କୁ ମନେ ପକେଇ କାନ୍ଦୁଚି କି? ହେଲେ ଯିଏ ନିଜ ଚାରି ଭଉଣୀକୁ କେବେ ଭାଇର ଅଭାବ ଜଣେଇ ଦେଇନି, ସେହି ସିପ୍ରା ଚୌଧୁରୀ ଆଜି ବିକଳ ହେଇ ଶକେଇ ଶକେଇ କାନ୍ଦୁଛି। ନା କେବେ ନୁହଁ। ସେ କେବେ ଏମିତି ପିଲାଙ୍କ ଭଳି ହେବନି, ହେଲେ ଶତ ଚେଷ୍ଟା ପରେ ବି ତାକୁ କିଛି ପଚାରିବାକୁ ଭୟ ଲାଗୁଥାଏ। କିନ୍ତୁ ଭାଇର ଅଭାବରେ ସିପ୍ରା କାନ୍ଦିବା ଅସମ୍ଭବ। କାରଣ ପିଲାଟି ବେଳେ ଦେଖିଚି, ନିଜ ଭାଇ ନଥିଲେ ବି ଆଖ ପାଖ କେତେ ଜଣକୁ ସିଏ ରାକ୍ଷୀ ପିନ୍ଧାଉ ଥିଲା, ତା ବି କେତେ ନିଷ୍ଠାର ସହ। " ଯେ ଯାଏଁ ରାକ୍ଷୀ ସମସ୍ତଙ୍କୁ ବାନ୍ଧିନି ଖାଇବା ତ ଦୂର କଥା ପାଣି ବି ପିଏ ନାହିଁ"। ହେଲେ ଯେବେ ସିଏ ନିଜ ବଡ଼ ମା ମୁହଁରୁ କଟୁ ବଚନ ଶୁଣିଥିଲା, ସେ ଦିନଠୁ ସେ ରାକ୍ଷୀ ବାନ୍ଧିବା କଥା ମନ ରୁ ଭୁଲି ଯାଇଥିଲା। 


ସେଦିନ ବି ଥାଏ ରାକ୍ଷୀ, ସିପ୍ରା ରାକ୍ଷୀ ବାନ୍ଧିବାକୁ ବଡ଼ ମା ଘରକୁ ଯାଇଥାଏ। କବାଟ ପାଖରେ ପହଞ୍ଚି ଶୁଣିବାକୁ ପାଇଲା, ତା ବଡ଼ ମା କହୁଛନ୍ତି " ରେ ରଘୁ ୫୦୦ ଟଙ୍କା ନେଇକି ଯା ଖୁଚୁରା ନେଇକି ଆସିବୁ, ଏବେ ଆସିବ ସିପ୍ରା ରାକ୍ଷୀ ବାନ୍ଧିବାକୁ ଖୁଚୁରା ନଥିଲେ ୫୦୦ ଟଙ୍କା ପାଣି ରେ ଯିବ" । "ମାମା ୫୦୦ ଟଙ୍କା ସିପ୍ରା ଦି କୁ ଦେଲେ କଣ ହେବକି ?" ପଚାରିଲା ରଘୁ। "କାହିଁକି ମ! ବେଶୀ ଭଉଣୀ ପ୍ରେମ ତୋର, ଯା କହିଲି ପା , ଯା' ଖୁଚୁରା ନେଇକି ଆସିବୁ" କହିଲେ ବଡ଼ ମା। "ରାକ୍ଷୀ ବନ୍ଧୁନି ତ ବେପାର କରୁଛି। ୫ ଟଙ୍କାର ରାକ୍ଷୀ ୫ ଟଙ୍କାର ମିଠା ଆଉ କିଛି ଅନାବନା ଫୁଲ ସହ ସିନ୍ଦୂରକୁ ଥାଳିରେ ଧରି ଘୁରି ବୁଲୁଛି। କାହାକୁ ରାକ୍ଷୀ ବାନ୍ଧି ପଇସା ନେବ ବୋଲି" କହିଲେ ବଡ଼ ମା । 


ଏସବୁ ଶୁଣି ସିପ୍ରା ପାଦ ତଳୁ ମାଟି ଖସି ପଡ଼ିଥାଏ। ତଥାପି ସାହସ କରି କିଛି ନ ଜାଣିଲା ପରି ଘର ଭିତରକୁ ଗଲା। ସିପ୍ରାକୁ ଦେଖି ବଡ଼ ମା କହିଲେ " ଆରେ ସିପ୍ରା ଆସ ଭିତରକୁ, ଏଇ ତୋ ଭାଇ ଟିକେ ସଉଦା ନେଇକି ଆସିଯାଉ ତା ପରେ ରାକ୍ଷୀ ବାନ୍ଧିବୁ" ସିପ୍ରା ନିରୁତ୍ତର, ଖାଲି ମୁଣ୍ଡ ଟୁଙ୍ଗାରି ହଁ କହିଲା। କିଛି ସମୟ ପରେ ରାକ୍ଷୀ ବନ୍ଧା ସରିଲା ରାକ୍ଷୀ ବାନ୍ଧି ଫେରିଲା ବେଳକୁ ବଡ଼ ମା ସିପ୍ରା ହାତରେ ୫୦ ଟଙ୍କା ଗୁଞ୍ଜି ଦେଲେ "ନେ ମା ଖର୍ଚ୍ଚ କରିବୁ, ଛୋଟ ଭାଇଟା ତ ବେଶୀ କିଛି ଦେଇ ପାରୁନି, ତୋ ଭାଇ ବଡ଼ ହେଲେ ଅଧିକ ଦେବ" ସିପ୍ରା ମୁଣ୍ଡ ତଳକୁ କରି ଚାଲି ଆସିଥିଲା। 


ଯୋଉ ଆସିଛି ଆସିଛି ତା ପାରେ ଯେମିତି ଆଉ କେବେ ପଛକୁ ଫେରି ଦେଖି ନଥିଲା। ତାପରେ ଯେମିତି ଆଉ ସେହି ସିପ୍ରା ନଥିଲା ଯିଏ ରାକ୍ଷୀ ଦିନ, ସକାଳ ହେଲା ବେଳକୁ ଖୁସିରେ ଡେଇଁ ଡେଇଁ ଥାଳି ସଜାଡୁ ଥିଲା। ସେ ସିପ୍ରା ଯେମିତି ସେଦିନ ସେଇଠି ମରି ଯାଇଥିଲା , ଯେବେ ତା ସ୍ନେହ ମମତାକୁ ଲୋକ ବେପାରର ଆଖ୍ୟା ଦେଇଥିଲେ। ଆଜି ବି ମନେ ପଡ଼େ, ସିପ୍ରା ସେଦିନ କହିଥିବା ଗୋଟି ଗୋଟି କଥା ।


ବାସ୍ ! 

ସେବେଠୁ ଆଉ କେବେ କାହାକୁ ସିଏ ରାକ୍ଷୀ ବାନ୍ଧି ନାହିଁ, କି ନିଜ ଚାରି ଭଉଣୀ ଙ୍କୁ ମଧ୍ୟ ଆଉ କାହା ହାତରେ ରାକ୍ଷୀ ବାନ୍ଧିବାକୁ ଦେଇନି। ବାସ୍, ରାକ୍ଷୀ ଦିନ ଭାଇ ହେଇ ବସି ଯାଏ, ନିଜ ଭଉଣୀ ମାନଙ୍କ ସାମ୍ନାରେ ରାକ୍ଷୀ ପିନ୍ଧିବା ପାଇଁ । ତା ଭଉଣୀ ମାନେ ବି ସିପ୍ରା ହାତରେ ରାକ୍ଷୀ ବାନ୍ଧି ଖୁସି ଥାନ୍ତି। ଆଉ ଏଇ ପରମ୍ପରା ଚାଲିଲା ତାଙ୍କ ଘରେ ପ୍ରତି ବର୍ଷା, ସିପ୍ରାର ଭଉଣୀମାନେ ,ସିପ୍ରା ହାତରେ ରାକ୍ଷୀ ବାନ୍ଧିବାକୁ ଲାଗିଲେ। କାରଣ ସେ ଚାହୁଁ ନଥିଲା , ସିଏ ସ୍ନେହ ମମତାର ଯୋଉ ମୂଲ୍ୟ ପାଇଲା, ଯୋଉ କଟୁ ବଚନ ଶୁଣିଲା, ତା ଭଉଣୀ ମାନେ ଶୁଣନ୍ତୁ।


ହେଲେ ଆଜି କଣ ହେଲା, କଣ ହୋଇଥାଇ ପାରେ ? ସିପ୍ରା କାନ୍ଦ ପଛର କାହାଣୀ ? ଜାଣିବାର ଆଗ୍ରହ ନେଇ ତା ପାଖେ ବସିଲି ।ମତେ ଦେଖି ସିଏ ଲୁହକୁ ସମ୍ଭାଳି ପାରିଲାନି, ମୋତେ କୁଣ୍ଡେଇ କାନ୍ଦିବାକୁ ଲାଗିଲା। "ଆରେ ହେଲା କଣ? କହିବୁ, ଆଜି ଏତେ ଦିନ ପରେ ବାପ ଘରକୁ ଆସିଚୁ, ପୁଣି ଏତେ ଭଲ ଦିନରେ ତେବେ କାନ୍ଦୁଛୁ କାହିଁକି?"


"ରୋହିଣୀ। ତୁ ତ ଜାଣିଛୁ ପିଲା ଦିନର ସେଇ ଘଟଣା ପରେ ମୁଁ କେବେ ଭାଇକୁ ଲୋଡିନି । କେବେ ଦୁଃଖ ନଥିଲା , ରାକ୍ଷୀରେ ଆମ ପାଖେ ଭାଇ ନାହିଁ ବୋଲି, କି ଆଜି ବି ନାହିଁ , କାରଣ ଜଣେ ଭାଇ ତ ଭଉଣୀ ମାନଙ୍କ ପାଇଁ ଯାହା କରେ ତା ଠୁ ଖୁବ୍ ଅଧିକ କରିଛି ମୁଁ ମୋ ଭଉଣୀ ମାନଙ୍କ ପାଇଁ। ଦୁଃଖ ତ କେବଳ ଏତିକି, ଯାହା ପାଖେ ସବୁବେଳେ ନିଜ ସବୁ ସୁଖ ଦୁଃଖ କଥା କହୁଥିଲି, ଯାହା ହାତ ଧରି ଜୀବନକୁ ଅତିକ୍ରମ କରିବାକୁ ଚାହିଁ ବିବାହ କରିଥିଲି, ଆଜି ସେଇ ମଣିଷଟି ରାଗରେ ଆସି, ନିଜ ଅହଙ୍କାରର ବଶବର୍ତ୍ତୀ ହୋଇ ସିପ୍ରା ଚୌଧୁରୀକୁ ତା ଅତୀତ କଥା ମନେ ପକେଇ ଦେଇଛି।"


"ଆରେ ବାବା ହେଲା କଣ କହିବୁ?" "ତୁ ତ ଜାଣିଚୁ ସବୁ ବର୍ଷ ମୋ ଭଉଣୀ ମାନେ ମୋ ହାତରେ ରାକ୍ଷୀ ପିନ୍ଧାନ୍ତି, ତେବେ ' କଣ ଏଥର ବାହା ହେଇଗଲି ବୋଲି ଆସିବିନି, ମୋର ବି ମୋ ପରିବାର ପାଇଁ ମୋ ଭଉଣୀଙ୍କ ପାଇଁ କିଛି କର୍ତ୍ତବ୍ୟ ଅଛି ନା ନାହିଁ, ସେଥିପାଇଁ ଆସିଗଲି ।ହେଲେ, ଯେତେବେଳେ ସିଦ୍ଧାନ୍ତ ମହାପାତ୍ର ଫୋନ କରି କହିଲେ, 'ଆଜି ରାକ୍ଷୀରେ ମୋ ଭଉଣୀ ଆସିବ ରାକ୍ଷୀ ବାନ୍ଧିବାକୁ, କିନ୍ତୁ ତା ଚର୍ଚ୍ଚା କରିବାକୁ ତୁମେ ନଥିବ ଜାଣିଲା ପରେ, ତାକୁ କେତେ କଷ୍ଟ ହେବ ତୁମେ କେମିତି ଜାଣିବ। ତୁମେ କେମିତି ଜାଣିବ ଗୋଟେ ଭଉଣୀ କାନ୍ଦିଲେ , ମନ ଦୁଃଖ କଲେ ତା ଭାଇକୁ କେତେ କଷ୍ଟ ହୁଏ, ହଁ ତୁମେ କେମିତି ବୁଝିବ ତୁମର ତ କେହି ଭାଇ ନାହିଁ। କେମିତି ଜାଣିବ ଭାଇ ଭଉଣୀର ସମ୍ପର୍କ କଣ? ରକ୍ଷୀର ମହତ୍ୱ କଣ?' ହେଲେ ତୁ କହ ମୋର ଭାଇ ନାହିଁ ବୋଲି କଣ ମୁଁ ରାକ୍ଷୀର ମୂଲ୍ୟ ଜାଣିନି ? କହି ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା ସିପ୍ରା। ଆଉ ମୁଁ ନିରବ...... ନିରୁତ୍ତର....


Rate this content
Log in

More oriya story from Purnima Lenka

Similar oriya story from Tragedy