Mamata Acharya

Tragedy Others

3  

Mamata Acharya

Tragedy Others

ରାକ୍ଷୀ

ରାକ୍ଷୀ

6 mins
41


ଖବରଟା ଶୁଣି ଗୋଟାପଣେ ଝାଳରେ ବୁଡିଗଲେ ରମାନାଥ ବାବୁ ।ରେଖା ନାନୀର ହଠାତ ବି ପି ବଢିଯିବାରୁ ଅଚେତ ଅବସ୍ଥାରେ ତାକୁ ନର୍ସିଙ୍ଗ ହୋମ ରେ ଏଡମିଟ କରା ହେଇଛି ।ଆଇ ସି ୟୁ ରେ ଅଛି ।ଚେତା ଫେରୁନି।ଷୋହଳ ଘଣ୍ଟା ଯାଏଁ କିଛି କହି ହେବନି ।ଯଦି ୟା ଭିତରେ ଚେତା ଫେରେ ତ ଭଲ କଥା ନ ହେଲେ –ଆଗକୁ ଆଉ ଭାବି ପାରୁ ନଥିଲେ ରମାନାଥ ବାବୁ ।ତରତରରେ ଗୋଟେ ଡ୍ରେସ ଗଳେଇ ପକେଇ ଗାଡି ନେଇ ସିଧା ବାହାରି ପଡିଲେ ନର୍ସିଙ୍ଗ ହୋମ ଆଡେ ।ପତ୍ନୀ ଶୋଭା ମଧ୍ୟ କହୁଥିଲେ ତାଙ୍କ ସଙ୍ଗେ ଆସିବାକୁ ।ମାତ୍ର ପରେ ଆସି ନେଇଯିବି କହି ରମାନାଥ ବାବୁ ଏକୁଟିଆ ଚାଲିଲେ ନର୍ସିଙ୍ଗ ହୋମ ଅଭିମୁଖେ ।

ନର୍ସିଙ୍ଗ ହୋମ ର ରିସେପ୍ସନରେ ବୁଝି ସିଧା ପହଞ୍ଚିଗଲେ ଆଇ ସି ୟୁ ପାଖରେ ।ଦେଖିଲେ ବାହାରେ ଭିଣୋଇ ମୁଣ୍ଡ ପୋତି କାକୁସ୍ଥ ହୋଇ ବସିଛନ୍ତି ପିଣ୍ଡରେ ପ୍ରାଣ ନ ଥିଲା ଭଳି ।ତାଙ୍କୁ ଦେଖି ଭୋ ଭୋ କାନ୍ଦି ପକେଇଲେ ସେ ।ଏ ପର୍ଯ୍ୟନ୍ତ ରମାନାଥ ବାବୁଙ୍କର ଛାତିରେ ଜମାଟ ବାନ୍ଧିଥିବା କୋହ ବୋହିଗଲା ଧାର ଧାର ଅଶ୍ରୁ ହୋଇ ।

ଅଚାନକ ଏମିତି କଣ ହେଲା ଯେ ନାନୀର ।ଗତକାଲି ସକାଳେ ତ ରାକ୍ଷୀ ଓ ମିଠା ନେଇ ଆସିଥିଲା ସେ ।ନିଜ ହାତରେ ଖିରୀ କରି ଖୁଏଇଥିଲା ତାଙ୍କୁ ।ସବୁ ବର୍ଷ ସେ ରାକ୍ଷୀ ପୂର୍ଣମୀ ଦିନ ସକାଳୁ ଆସି ତାଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇ ଯାଏ ।ଏ ପର୍ଯ୍ୟନ୍ତ କେବେ ହେଲେ ପୋଷ୍ଟରେ ରାକ୍ଷୀ ପଠେଇବାକୁ ପଡିନି ତାକୁ ।କାରଣ ବାହାଘର ପୂର୍ବରୁ ଯେଉଁଠି ଥିଲେ ବି ସେ ରାକ୍ଷୀ କୁ ପଳେଇ ଆସନ୍ତି ଘରକୁ ।ନାନୀ ନିଜ ହାତରେ ରାକ୍ଷୀ ବାନ୍ଧି ଦିଏ ।ଭଗବାନ ଙ୍କ କରୁଣାରୁ ଭାଇ ଭଉଣୀ ଦି ଜଣ ଯାକ ଏବେ ଗୋଟିଏ ସହରରେ ହିଁ ରହୁଛନ୍ତି ।ରମାନାଥ ବାବୁ ଲକ୍ଷ କରନ୍ତି ରାକ୍ଷୀ ବାନ୍ଧିଲା ବେଳେ ନାନୀର ମୁହଁ ଥମ ଥମ ହେଇଯାଏ ।କେବେ କେବେ ଲୁହ ଦୁଇ ଧାର ବି ଅମାନିଆ ହୋଇ ବହିଯାଏ ତା ଆଖିରୁ ।ଏ ଲୁହ ଖୁସିର ଲୁହ ଭଲ ପାଇବାର ଲୁହ ।ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ କୁ ନେଇ ସତେ ଯେପରି ଏ ଲୁହ ପାଲଟି ଯାଇଥାଏ ଦେବତାଙ୍କ ଚରଣାମୃତ ।ସେ ବି କୋହ ସମ୍ଭାଳି ନପାରି କାନ୍ଦି ପକାନ୍ତି ।ଆଉ ଭାବ ବିହ୍ଵଳ ହେଇ କୁହନ୍ତି –

--ମୁଁ କଣ ତତେ ରକ୍ଷା କରିବି ଲୋ ନାନୀ ।ତୋ ଆଶୀର୍ବାଦ ପରା ମତେ ଘଣ୍ଟ ଘୋଡେଇ ରଖିଥିବ ଚିର ଦିନ ।

ଭାଇ ଭଉଣୀ ଙ୍କର ଏ ସୁନ୍ଦର ଦୃଶ୍ୟକୁ ଖୁବ ଉପଭୋଗ କରନ୍ତି ଶୋଭା।ତାଙ୍କର ଭାଇ ନାହିଁ ।ଏପରି ଏକ ଦୁର୍ଲଭ ସୌଭାଗ୍ୟ ରୁ ବଞ୍ଚିତ ଶୋଭା ଠାକୁରଙ୍କୁ ହାତ ଯୋଡି ଗୁହାରି କରନ୍ତି –ହେ ପ୍ରଭୁ ଭାଇ ଭଉଣୀଙ୍କର ଏ ସମ୍ପର୍କ ଚିରଦିନ ଏହିପରି ଥାଉ ।

ନାନୀ ରାକ୍ଷୀ ଉପହାର ପାଇଁ କେବେହେଲେ ଜିଗର କରେନାହିଁ ।ଯାହା ଦେଲେ ଖୁସିରେ ଖୁସିରେ ନେଇଯାଏ ସେ ।ଥରେ ଶୋଭା କହୁଥିଲେ ନାନୀକୁ ଏଥରକ ଟଙ୍କା ଦେଇଦବା ।ସେ ନିଜ ପସନ୍ଦରେ ଶାଢୀ କିଣିବେ ।କେବେହେଲେ କୌଣସି କଥାକୁ ତ ସେ ଖରାପ କୁହନ୍ତି ନାହିଁ ।କିଏ ଜାଣେ ଆମେ ଦେଉଥିବା ଶାଢୀ ତାଙ୍କର ପସନ୍ଦ ହେଉଥିବ କି ନାହିଁ ?ଶୋଭା ଙ୍କ କଥା ମାନି ସେ ଥରେ ଟଙ୍କା ଯାଚିଥିଲେ ନାନୀକୁ ।ହେଲେ ନାନୀ ମନା କଲା ।କହିଲା –ତୋ ପସନ୍ଦ ହିଁ ମୋ ପସନ୍ଦ ।ତୋ ପସନ୍ଦ ଶାଢୀ ଭିତରେ ମୁଁ ସୌନ୍ଦର୍ଯ୍ୟ କି ମୂଲ୍ୟ ଖୋଜେନା ।ଖୋଜେ ତୋ ଭଲ ପାଇବା ।ଆଉ ସେ ଭଲ ପାଇବା ତୋ ଶାଢୀରୁ ମତେ ଭରପୁର ମିଳିଯାଏ ରେ ପାଗଳ ।

ସେଇଦିନଠୁ ଆଉ କେବେ ଶାଢୀ ପାଇଁ ଟଙ୍କା ଯାଚନ୍ତି ନାହିଁ ରମାନାଥ ବାବୁ ।ଯୋଉ ଶାଢୀ ଦେଲେ ବି ଖୁସିରେ ନିଏ ସେ ।ଶାଢୀ ଟି ନେଉ ନେଉ ସେଇଟିକୁ ପିନ୍ଧି ଘରକୁ ଫେରେ ନାନୀ।ତା ପରବର୍ଷ ପୁଣି ସେଇ ଶାଢୀ ଟି ପିନ୍ଧି ଆସେ ତାଙ୍କୁ ରାକ୍ଷୀ ବାନ୍ଧିବାକୁ ।

ସବୁଥର ରାକ୍ଷୀ ପୂର୍ଣମୀ ଦିନ ଆସୁଥିବା ନାନୀ ଏଥରକ ବି ଦୁଇଦିନ ଆଗରୁ ରାକ୍ଷୀ ନେଇ ଆସିଥିଲା ।କାରଣ ତା ଝିଅର ପୁଅକୁ ନେଇ ରାକ୍ଷୀ ଦିନ ଶ୍ରୀ ମନ୍ଦିର ଦର୍ଶନ କରିବାର ଯୋଜନା କରିଥିଲେ ସେମାନେ ।ତାଙ୍କୁ ବି ସାଥିରେ ଯିବା ପାଇଁ ଡ଼ାକିଥିଲା ନାନୀ ।ହେଲେ କୌଣସି ଏକ ଜରୁରୀ କାମ ପାଇଁ ସେ ମନା କରି ଦେଇଥିଲେ ଯିବାକୁ ।ହୁଏତ ଜଗନ୍ନାଥ ଙ୍କ ଡୋରୀ ଲାଗି ନଥିଲା ତାଙ୍କ ଠେଇଁ ।ଗତ କାଲି ସକାଳର ଏତେ ଖୁସି ବାସି ପରେ ଆଜି ଯେ ଏପରି ଏକ ଦୁଃଖଦ ଖବର ଶୁଣିବେ ,ସେକଥା କଲ୍ପନା ମଧ୍ୟ କରି ନଥିଲେ ରମାନାଥ ବାବୁ ।ପଞ୍ଜରା ଥରି ଦୀର୍ଘ ଶ୍ଵାସ ଟିଏ ବାହାରି ଆସିଲା ତାଙ୍କର ।

ଆଇ ସି ୟୁ କବାଟରେ ଲାଗିଥିବା କାଚ ଦେଇ ଭିତରକୁ ଚାହିଁଲେ ରମାନାଥ ବାବୁ ।ନାନୀ ପଡିଛି ଆଖି ବୁଜି ।ଜୋରରେ ନିଶ୍ଵାସ ନେଉଛି ବୋଧେ ।ଛାତିଟା ଉଠ ପଡ ହେଉଛି ।ଅନେକ ମେସିନ ଖଞ୍ଜା ହେଇଛି ତା ଦେହରେ ।ଧୈର୍ଯ୍ୟ ଧରି ଦେଖି ପାରିଲେନି ସେ ତାଙ୍କ ନାନୀକୁ ।ଉପରକୁ ମିଛ ଟାଣ ପଣ ଦେଖେଇ ଭିଣୋଇ ଙ୍କୁ ସାହସ ଦେଇ ବାହାରକୁ ଚାଲି ଆସିଲେ ରମାନାଥ ବାବୁ ।ନର୍ସିଙ୍ଗ ହୋମ କାମ୍ପସ ଭିତରେ ଠିକ ମେନ ଗେଟ କୁ ଲାଗି ଛୋଟିଆ ଗଣେଶ ମନ୍ଦିର ଟିଏ । ଦୁଃଖ ସମୟରେ ଇଶ୍ଵର ହିଁ ଭରସା ।ସେଇଠି ଗଣେଶ ଙ୍କୁ ଚାହିଁ ବସି ପଡିଲେ ରମାନାଥ ବାବୁ ।ଯୋଡ ହସ୍ତରେ ନାନୀର ଆରୋଗ୍ଯ ପାଇଁ ପ୍ରାର୍ଥନା କରୁଥାନ୍ତି ।ଗେଟ ରେ ଜଗିଥିବା ଦରୱାନ ର ଅନ୍ୟମନସ୍କତାର ସୁଯୋଗ ନେଇ ଆଠ ଦଶ ବର୍ଷର ଭିକାରୁଣୀ ଝିଅ ଟିଏ ଗେଟ ଭିତରେ ପଶି ତାଙ୍କ ପାଖରେ ହାତ ପତେଇଲା ।କାଖରେ ତିନି ଚାରି ବର୍ଷର ସୁରୁକୁଟିଆ ଭାଇ ଟିଏ ।ନାକରେ ସିଙ୍ଘାଣି ।ଚୁଟି ନୁଖୁରା ।ଭାଇଟି ଉଧୁ ନଙ୍ଗଳା ଥିବା ବେଳେ ଝିଅ ଟିର ଫ୍ରକ ଟି ଅଷ୍ଟଛିଡା ।ଦରୱାନ ର ନଜର ପଡିଯାନ୍ତେ ଦୂର ଦୂର କହି ଘଉଡେଇବାକୁ ଦଉଡି ଆସିଲା ଝିଅଟି ପାଖକୁ ।ଦରୱାନ କୁ ଅଟକେଇ ପଚାଶ ଟଙ୍କିଆ ନୋଟ ଖଣ୍ଡେ ଗେଞ୍ଜିଦେଲେ ଝିଅଟି ହାତରେ ।ଏତେ ଟଙ୍କା ବୋଧେ ଜୀବନରେ ସେ କେବେ ହାତରେ ଧରି ନଥିଲା ।ଖୁସି ହେଇ ଡେଇଁ ଡେଇଁ ବାହାରିଗଲା କ୍ୟାମ୍ପସ ବାହାରକୁ ।

ଝିଅଟିକୁ ଦେଖି ତାଙ୍କର ମନେ ପଡିଲା ପିଲା ଦିନ କଥା ।ଛୋଟ ବେଳର ଅନେକ ଫଟୋ କୁ ନେଇ କୋଲାଜ୍ କରି ଡ୍ରଇଙ୍ଗ୍ ରୁମ କାନ୍ଥରେ ଟାଙ୍ଗିଛନ୍ତି ସେ ।ତା ଭିତରେ ନାନୀ ତାଙ୍କୁ ଏମିତି କାଖ କରି ତ୍ରିଭଙ୍ଗୀ ଠାଣିରେ ଠିଆ ହେଇଥିବା ଫଟୋ ଟିଏ ମଧ୍ୟ ଅଛି ।ନାନୀ ଦୁଇଟା ବେଣୀ କରି ଆଗକୁ ପକାଇଥାଏ ଓ ସେ ନାନୀର ବେକକୁ ଜାବୁଡିଧରି କାଖ ହେଇଥାନ୍ତି ।ସବୁ ଫଟୋ ଭିତରୁ ତାଙ୍କୁ ଏଇ ଫଟୋଟି ଖୁବ ଭଲ ଲାଗେ ।ନାନୀର ଜନ୍ମ ରେଖା ପଞ୍ଚମୀରେ ହେଇଥିବାରୁ ଜେଜେ ମା ତା ନା ରଖିଥିଲା ରେଖା ।ସତରେ ନାନୀ ଗୋଟିଏ ସରଳ ରେଖା ପରି ।ଖୁବ ସାଦା ସିଧା ।ଆଗକରି ଝିଅ ହେଲେ ବାପା ମା ଙ୍କର ଆୟୁଷ ବଢେ ବୋଲି ଜେଜେ ମା ତାକୁ ଭାରି ଭଲ ପାଏ ।ମାତ୍ର ନାନୀ ଜନ୍ମ ହେଲା ପରେ କିଛି ବର୍ଷ ପାଇଁ ବୋଉ ର ଆଉ ପିଲା ଝିଲା ହେଲେ ନାହିଁ ।ବୋଉ ଏଇଥିପାଇଁ କୁଆଡେ ଲୁଚେଇ ଲୁଚେଇ ଖୁବ କାନ୍ଦେ ।ଜେଜେ ମା ରାତି ଦିନ ପୂଜା କରେ ନାତି ଟିଏ ପାଇଁ ।ଦିନକର ଘଟଣା ।ପଡିଶା ଘର ଖୁଡୀଙ୍କର ଝିଅ ପରେ ପୁଅ ଟିଏ ହେଇଥାଏ ।ତାଙ୍କ ଝିଅ ନାନୀକୁ ଡାକି ନେଇଗଲା ତାଙ୍କ ପୁଅ ଦେଖେଇବା ପାଇଁ ।ନାନୀ ସେ କଣ୍ଢେଇ ପରି ପିଲାଟିକୁ ଦେଖି କାଳେ ସେଇଠୁ କାନ୍ଦି କାନ୍ଦି ଘରକୁ ଆସିଲା ।ବୋଉକୁ ଜାବୁଡି ଏକା ଜିଦି କଲା ମତେ ଏଇନେ ଗୋଟିଏ କୁନି ଭାଇ ଦେ ମୁଁ ଖେଳିବି ।ବୋଉ ବିଚାରା କ'ଣ କରିବ ।ଖାଲି ଲୁହ ପୋଛିଲା ଆଖିରୁ ।ଏ କଥା ଦେଖି ଜେଜେ ମା ନାନୀକୁ ନେଇ ବୁଝେଇ କହିଲା –

--ସାନ ପିଲାଙ୍କ କଥା ଠାକୁରେ ଶୀଘ୍ର ଶୁଣନ୍ତି ।ତୁ ଆଜିଠୁ ନିତି ଗାଧୋଇ ପାଧୋଇ “ଭାଇଟିଏ ଦିଅ ମୁଁ ଖେଳିବି “କହି ଠାକୁରଙ୍କୁ ପ୍ରାର୍ଥନା କରିବୁ ।ଦେଖିବୁ ତତେ ଠାକୁରେ ନିଶ୍ଚୟ ଭାଇ ଟିଏ ଦେବେ ।ତା ପରଦିନଠୁ କାଳେ ଅବୋଧ ନାନୀ ତାଙ୍କର ବଡ ପାଟିରେ “ଭାଇଟିଏ ଦିଅ” କହି ଠାକୁରଙ୍କୁ ଗୁହାରି କରୁଥିଲା ।ଏ ଘଟଣାର ଠିକ ଦେଢବର୍ଷ ପରେ ରମାନାଥ ବାବୁଙ୍କର ଜନ୍ମ ।ପୁଅ କଢେଇ ଝିଅ ବୋଲି ଘରେ ନାନୀର ଆଦର ଆହୁରି ବଢିଗଲା ।ପିଲା ଦିନ ଠୁ ନାନୀ ଖୁବ ଶାନ୍ତ ଶିଷ୍ଟ ।ତାଙ୍କ ଜନ୍ମ ହେବାର ତିନି ବର୍ଷ ପରେ ଜେଜେ ମା ଚାଲିଯିବାରୁ ବୋଉ ଉପରେ ଘରର ସବୁ ଦାୟିତ୍ଵ ପଡିଗଲା ।ଅନେକ ସମୟରେ ବୋଉ କୁ ସମୟ ମିଳେନି ତାଙ୍କର ଅଳି ଅରଦଳି ଶୁଣିବାକୁ ।ନାନୀ କୁଆଡେ ପୋଖତ ମଣିଷଟେ ପରି ତାଙ୍କର ଖୁବ ଯତ୍ନ କରେ ।ଏମିତି ଅନାବନା ଭାବନା ଭିତରେ ଆଉ ଗୋଟିଏ କଥା ମନେ ପଡିଗଲା ରମାନାଥ ବାବୁଙ୍କର ।ଥରେ ଅମାନିଆ ହେଇ ବୋଉକୁ ଲୁଚି ସାଙ୍ଗ ସାଥିଙ୍କ ମେଳରେ ପୋଖରୀକୁ ଗାଧୋଇ ଯାଇଥିଲେ ।ପହଁରା ଆସେନି ।ଦୁର୍ଯୋଗ କୁ ପାଦ ଖସିଗଲା ତାଙ୍କର ।ସାଙ୍ଗ ପିଲାମାନେ ଭୟରେ ଚିଲେଇବା ଆରମ୍ଭ କରିଦେଲେ।ନାନୀ ସେଇଠି କୂଳରେ ଥିବା ଚମ୍ପା ଗଛରୁ ଫୁଲ ତୋଳୁଥିଲା ।ଆଗପଛ ନ ବିଚାର କରି ସେ ବି ପୋଖରୀ ଭିତରକୁ ଡେଇଁ ପଡିଲା ତାଙ୍କୁ ବଞ୍ଚେଇବା ପାଇଁ ।ଦିହେଁ ପାଣିରେ ଉବୁଟୁବୁ ହେଉଥାନ୍ତି ।ଯୋଗକୁ ପାଟି ତୁଣ୍ଡ ଶୁଣି ଶୌଚ ହେବାକୁ ଆସିଥିବା ମଦନ କକେଇ ଓ ସୁର ଭାଇନା ପାଣିରେ ପଶି ତାଙ୍କ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ।ଜୀବନକୁ ପାଣି ଛଡେଇ ତାଙ୍କୁ ରକ୍ଷା କରିବାକୁ ପୋଖରୀକୁ ଡେଇଁ ପଡିଥିବା ନାନୀର ଜୀବନ ଆଜି ସଂକଟାପନ୍ନ।ହେଲେ ସେ ହାତ ପାଦ ବାନ୍ଧି ଚୁପ ଚାପ ବସିଛନ୍ତି ।ଠାକୁରଙ୍କୁ ଡାକିବା ଛଡା ଆଉ କିଛି ଉପାୟ ନାହିଁ ।

ସାରାରାତି ସେଇ ଠାକୁରଙ୍କ ଆଗରେ ଗୁହାରି କରୁଥାନ୍ତି ସେ ।ରାତି ପାହିବା ପାହିବା ହେଲାଣି ।ହଠାତ୍ କାହା ଡାକରେ ପ୍ରକୃତିସ୍ଥ ହେଲେ ସେ ।ଭିଣୋଇ ଖୁସିରେ ଡାକୁଥିଲେ –

--ରମା ଦଉଡିଆସେ ।ନାନୀକୁ ହୋସ୍ ଆସିଗଲାଣି ।ସେ ଏବେ ବିପଦ ମୁକ୍ତ ।

ଧଡ୍ ପଡ ହେଇ ଧାଇଁଲେ ସେ ଆଇ ସି ୟୁ ଆଡକୁ ।ଭିତରୁ ଜଣେ ଡାକ୍ତର ବାହାରି ଆସି କହିଲେ ଆପଣମାନଙ୍କ ଭିତରୁ ରମାନାଥ କିଏ ତାଙ୍କୁ ପେସେଣ୍ଟ ଖୋଜୁଛନ୍ତି ।ଥରକୁ ଖାଲି ଜଣେ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ ।ବେଶୀ ଲୋକ ଯିବାଟା ଅନ୍ୟ ପେସେଣ୍ଟ ମାନଙ୍କ ପାଇଁ ଅସୁବିଧାର କାରଣ ହେଇପାରେ ।ଅତଏବ ରମାନାଥ ବାବୁ ହିଁ ଆଇ ସି ୟୁ ଭିତରକୁ ପଶିଲେ ।ନାନୀ ଆଖି ବୁଜି ପଡିଥାଏ ।ରମାନାଥ ବାବୁ ମଥା ଆଉଁସି ଧୀରେ ଡାକିଲେ –ନାନୀ –ଏ –ନାନୀ ।କ୍ଳାନ୍ତ ଆଖି ମେଲି ନାନୀ ଚାହିଁଲା ତାଙ୍କୁ ।ଦୁଇଜଣଙ୍କ ଆଖିରେ ଲୁହ ।ନାନୀ କୁନ୍ଥେଇ କୁନ୍ଥେଇ କହିଲା –

--କେତେବେଳୁ ଆସିଲୁଣି ରେ ବାଇଆ ।ଅଯଥାରେ ସମସ୍ତଙ୍କୁ ହଇରାଣ କଲି ।ତୁ ଖବର ପାଇ ନିଶ୍ଚୟ ଆସିଥିବୁ ବୋଲି ଭାବି ଡାକ୍ତରଙ୍କୁ ପା ତତେ ଭିତରକୁ ପଠେଇବାକୁ କହିଲି ।ନାନୀ ଧଇଁ ସଇଁ ହେଇ ଯାଉଥିଲା ।ରମାନାଥ ବାବୁ ମନାକଲେ ଆଉ କିଛି କହିବାକୁ ।ହେଲେ ସେ କେଉଁ ମାନିବା ଜନ୍ତୁ ।ସେଇମିତି ରହି ରହି ଢୋକ ଗିଳି କହିଲା –

--ଆଜି ପରା ରାଖୀ ପୁର୍ଣିମାରେ ରମା ।ଏବେ ତୁ ଘରକୁ ପଳା ।ଗାଧୋଇ ପଧୋଇ ଜଳଖିଆ ଖାଇ ଆସିଲାବେଳେ ସାଥିରେ ମୁଁ ଦେଇଥିବା ରାକ୍ଷୀ ଟିକୁ ନେଇ ଆସିବୁ ।ମୁଁ ଏଇଠି ତୋ ହାତରେ ବାନ୍ଧିଦେବି ।ନିଜେ ନ ବାନ୍ଧିଲେ କ'ଣ ମୋ ମନ ବୁଝିବ ।ଖାଲି ନାତି ପାଇଁ ଶ୍ରୀମନ୍ଦିର ଯିବାକୁ ବାଧ୍ୟ ରେ ବାହାରିଥିଲି ନା ।

କିଛି ଗୋଟେ ମନେ ପକେଇଲା ଭଳି ଛାତି ପକେଟ ରେ ହାତ ମାରିଲେ ରମାନାଥ ବାବୁ ।ରାକ୍ଷୀ ଟିଏ ବାହାର କରି ନାନୀ ହାତକୁ ବଢେଇଦେଲେ ସେ ।ନାନୀ ଥର ଥର ହାତରେ ରାକ୍ଷୀ ବାନ୍ଧି ଦେଲା ତାଙ୍କ ହାତରେ ।କୌତୁହଳ ହେଇ ନାନୀ ପଚାରିଲା –

--ତୁ କ'ଣ ଜାଣିଲା ଭଳି ଏଠିକି ରାକ୍ଷୀ ନେଇ ଆସିଥିଲୁ ।ଟିକିଏ ହସି ରମାନାଥ ବାବୁ କହିଲେ –

--ନାଇଁ ଲୋ ନାନୀ ,ତୁ ଘରେ ଦେଇ ଆସିଥିବା ରାକ୍ଷୀ ଟିକୁ ମୁଁ ତର ତରରେ ଏଇ ସାର୍ଟ ପକେଟ ରେ ରଖି ଦେଇଥିଲି ।ଆଉ ତୋ ଦେହ ଖରାପ ଶୁଣି ସଂଯୋଗ ବଶତଃ ସେଇ ସାର୍ଟ ଟିକୁ ଗଳେଇ ପକେଇ ଏଠିକି ଚାଲି ଆସିଲି ।ସବୁ ବର୍ଷ ତୋ ହାତରୁ ରାକ୍ଷୀ ବାନ୍ଧେ ।ଏ ବର୍ଷ କେମିତି ବାନ୍ଧି ନ ଥାନ୍ତି ଯେ ? ନାନୀ ହସି ହସି କହିଲା –

--ସବୁ ସେ ଜଗାର ଲୀଳା ।ଭଉଣୀକୁ ସାଥିରେ ରତ୍ନ ସିଂହାସନ ରେ ବସେଇ ପରା ଭାଇ ଭଉଣୀ ସମ୍ପର୍କର ଜୟଗାନ କରୁଛି ।ସେଇଥି ପାଇଁ କୁଟ କଲା କି କ'ଣ ମୁଁ ଦେହ ଖରାପ ରେ ପଡି ତା ପାଖକୁ ଯାଇ ପାରିଲି ନାହିଁ ।ହେଲେ ତତେ ମୋ ପାଖକୁ ପଠେଇଦେଲା ରାକ୍ଷୀ ବାନ୍ଧିବା ପାଇଁ ।ତା ମାୟା ତାକୁ ହିଁ ଜଣା ।

ଭାଇ ଭଉଣୀ ଉଭୟଙ୍କ ଆଖିରେ ଲୁହ ।ନାନୀ ର ଚେତା ଫେରିବା ଖବର ପାଇ ନାନୀ ର ଝିଅ ଓ ଶୋଭା ୟା ଭିତରେ ଚାଲି ଆସିଥିଲେ ନର୍ସିଙ୍ଗ ହୋମ କୁ ।ବାହାରୁ କବାଟରେ ଥିବା କାଚ ଦେଇ ଉପଭୋଗ କରୁଥିଲେ ଭାଇ ଭଉଣୀଙ୍କ ଏ ରାକ୍ଷୀ ବନ୍ଧନର ଅପୂର୍ବ ଦୃଶ୍ୟକୁ ।ବିନା ବର୍ଷାରେ ଖୁବ ଭିଜୁଥିଲେ ସମସ୍ତେ ।


Rate this content
Log in

More oriya story from Mamata Acharya

Similar oriya story from Tragedy