Ranjit Sahu

Tragedy Inspirational

3  

Ranjit Sahu

Tragedy Inspirational

ପରିଭାଷା ବିହୀନ ସମ୍ପର୍କ

ପରିଭାଷା ବିହୀନ ସମ୍ପର୍କ

2 mins
435


ନିହାତି ସାଧାରଣ ପରିଚିତ ଚେହେରାଟିଏ ତାହାର I ସବୁ ଦିନେ ତାହା ଭଳି ହଜାର ହଜାର ଛୁଆ ଯାତ୍ରା କରନ୍ତି ନିଜ ମାଆର ପଣତକୁ ଧରି, ସୁଦୂର ସହରକୁ, ନିଜ ଗାଆଁର ଭିଟା ମାଟି ଛାଡି, ପେଟର ଜ୍ଵାଳାକୁ ଶାନ୍ତ କରିବା ଲାଗି I ଅଥଚ ନିଜ ମାଆକୁ ହରେଇଥିବାର ଦୁଃଖକୁ ଭୁଲି ବାପାଙ୍କର ହାତଟିକୁ ଧରି ବାହାରି ଆସିଥିଲା ପିଣ୍ଟୁ ଦକ୍ଷିଣର  ଇଟାଭାଟିରେ ନିଜକୁ ସମର୍ପିତ  କରି ବଞ୍ଚିବାର ସଂଘର୍ଷକୁକୁ ଜାରି ରଖିବାକୁ I ଜୁଳୁ ଜୁଳୁ କରି ଚାହିଁଥିଲା ସତେ ଯେମିତି ନିରାଶ୍ରୟତାର କବଳରୁ ମୁକ୍ତି ପାଇଁ ବ୍ୟାକୁଳ ଥିଲା I


କୋଣାର୍କ ଏକ୍ସପ୍ରେସର ଭିଡ ଭରା ବଗିରେ କୌଣସି ପ୍ରକାର  ମୁଁ ନିଜ ପାଇଁ ସ୍ଥାନଟିଏ ପାଇ ନିଜକୁ ଭାଗ୍ୟବାନ ମନେ କରୁଥିଲି I ବାପାଙ୍କ ସହିତପୂଜା ଛୁଟି ପାଇଁ ଗାଆଁକୁ ଆସିଥିଲା ପିଣ୍ଟୁ ଆଉ ଫେରୁଥିଲା ପୁଣି  ସେହି ଇଟା ଭାଟିକୁ I ବସିବା ସ୍ଥାନ ପାଇଁ ଧସ୍ତାଧସ୍ତି ଭିତରେ ସିଏ ଓ ତାହାର ବାପା ଠିଆ ହେବା ପାଇଁ ଜାଗା ପାଇଥିବାରୁ ବହୁତ ଖୁସି, କାରଣ ଏହି ଗାଡ଼ିଟିରେ ନ ଚଢ଼ିଥିଲେ ହୁଏତ ତାହାର ବାପାଙ୍କୁ କଣ୍ଟ୍ରାକ୍ଟର ବାହାର କରିଦିଅନ୍ତା କାମରୁ I ଦିନଟିଏ ଅଧିକ ଛୁଟି ହେଇଯାଇଛି ପିଣ୍ଟୁକୁ ଜ୍ଵର  ହୋଇଥିବାରୁ  I ଦୁର୍ବଳ ଦିଶୁଥଲେ ମଧ୍ୟ ମନରେ ଥିଲା ନିରାଶା  ମଧ୍ୟରେ କିଛି ସ୍ଵପ୍ନ I " ମୁଁ ଭିକ ମାଗିକି ତାକୁ ପୋଷିବି ପଛେ ତାକୁ କାହା ଆଗରେ ହାତ ପତେଇବାକୁ ଦେବିନି ଆଜ୍ଞା I ଖଟିବ ଆଉ ଖାଇବ ନିଜର ପରିଶ୍ରମରେ ବଞ୍ଚିବ, ଯେତିକି ମିଳିବ, ଯେମିତି ମିଳିବ I ଏତିକି ହିଁ ତାକୁ ଶିଖେଇଛି I ନୂଆ କପଡ଼ା କରି ପାରିଲିନି ଏଥର ତାହାର ପାଇଁ, ଖାଲି ଗଞ୍ଜି ଆଉ ଚଡି କିଣି ଦେଇଛି I ସେଥି  ପାଇଁ ଟିକେ ଦୁଃଖୀ ଅଛି I ନହେଲେ ମୋ ପୁଅ ମୋ ଭଳି ସ୍ଵାଭିମାନୀ I ମୁଣ୍ଡ ଟେକି ଚାଲିବାର ଶିଖିଛି I ମୋ ଛଡା ତାହାର ଆଉ ଦୁନିଆଁରେ କେହି ନାହିଁ ତେଣୁ ମୋ ଠାରୁ ଯାହା କିଛି ଶିଖିବ, ସେତିକି ଧରି ତାହାର ଜୀବନଯାପନ କରିବ I ମୋର ତାହାର ସମ୍ପର୍କକୁ ଯିଏ ବୁଝିଛି ସିଏ ବୁଝିଛି," ପିଣ୍ଟୁର ବାପା ମୋ ପାଖରେ ଠିଆ ହୋଇ ଗପି ଗଲେ ତାଙ୍କର କାହାଣୀ I 


ସତରେ ବାପା ଠାରୁ ବଳି ଆଉ କେହି ସାହାରା ନଥାଏ ଛୁଆଟିର, ସଂଗ୍ରାମରତ  ସଂସାରରେ I ମୁଁ ନିଜେ କୌଣସି ମତେ ସିଟର ଶେଷ ଆଡକୁ ବସିଥିଲି, ନିଜର ଗୋଟିଏ ଗୋଡ଼ରେ ଆଘାତ  ହେବା  ଯୋଗୁଁ ବାଧ୍ୟ ହେଇଥିଲି ବସିବାକୁ I ଦୁଇ ଘଣ୍ଟା ପର୍ଯ୍ୟନ୍ତ ଠିଆ ହେଲାଣି ଛୁଆଟିଏ ଆଉ ତାହାର ବାପା କାହାକୁ ମଧ୍ୟ ଅନୁରୋଧ କରି ନଥିଲେ ଜାଗା ଟିକେ  ପାଇଁ I  ମୁଁ ଚକିତ ହୋଇଥିଲି I "କଷ୍ଟ ସହିବାର ନ ଶିଖିଲେ ବଂଚିବା କେମିତି ଆଜ୍ଞା?" ତାହାର ବାପା କହିଥିଲେ ମୁଁ ପଚାରିବାରୁ କାହିଁକି ଟିକିଏ କାହାକୁ କହିକି ଛୁଆଟିକୁ ବସେଇ ଦେଉ ନାହାନ୍ତି I ଶୁଣି ପାରିଥିଲି, ଗୋଟିଏ ପିତାର କର୍ତବ୍ୟନିଷ୍ଟତା ଆଉ ତାହାର ଭବିଷ୍ୟତର ଦୃଷ୍ଟିକୋଣ ପିଣ୍ଟୁର ବାପାଙ୍କର ବକ୍ତବ୍ୟରୁ I


ସତରେ ଆମ୍ଭେ ମାନେ ପାରିବାରିକ ସମ୍ପର୍କଗୁଡିକୁ  କେତେ ଶୋଷଣ କରୁ ଜୀବନରେ, କେବେ ପୁଅ ସାଜି ବାପାର ସମ୍ପତିକୁ ମାଡି ବସୁ, କେବେ ବାପା ସାଜି ପୁଅର ଉପରେ ବୁଢା କାଳରେ ଆଶ୍ରୟ ନେଉ I ଅଥଚ ଏହି ସମ୍ପର୍କକୁ ବ୍ୟବହାର କରି ଭବିଷ୍ୟତରେ ସ୍ୱାବିଲମ୍ବି ହେବାର ଶିକ୍ଷାଟିଏ ଦେଉ ନାହୁଁ ଆମର ଛୁଆ ମାନଙ୍କୁ I 

"କିନ୍ତୁ ଛୁଆଟା  ଦୁର୍ବଳିଆ ଦୁଶୁଛି , ଖାଲି କଣ ତୁମର ଛୁଆ କି ସିଏ?" ମୁଁ କହିଲି, " ମଣିଷ ମଣିଷର କଣ ସମ୍ପର୍କଟିଏ ନାହିଁ? ଏଠି ବସେଇଦିଅ," ନିଜ ସୁଟକେଶଟିକୁ କୌଣସି ମତେ ସିଟ ତଳୁ ବାହାର କରି  ମୋ ପାଖରେ ରଖି ତାକୁ କହିଲିI ପିଣ୍ଟୁର ବାପା କିଛି କହିବା ଆଗରୁ ପିଣ୍ଟୁ ବସିଯାଇଥିଲା ମୋ ସୁଟକେଶ ଉପରେ I ଦୁଇ ମିନିଟରେ  ତାହାର ଆଖି ବୁଜି ହେଇଯାଇଥିଲା I ତାହାର ବାପା ମୁଣ୍ଡ ହଲାଇଥିଲେ ସମତିରେ I 

ରାତି ସାରା ମୋ କାନ୍ଧ ଉପରେ ମୁଣ୍ଡ ରଖି ଶୋଇ ପଡିଥିଲା ସିଏ, ସମ୍ପର୍କର ପରିଭାଷାଟି ଆବଶ୍ୟକ ହୋଇ ନଥିଲା ସେଦିନ I



Rate this content
Log in

Similar oriya story from Tragedy