Suprava Mohanty

Comedy Romance Classics

3  

Suprava Mohanty

Comedy Romance Classics

ନିଆରା ଏକ ପ୍ରେମ ଚିଠି

ନିଆରା ଏକ ପ୍ରେମ ଚିଠି

4 mins
30


 


"ମୋ ମନର ମାନସୀ ତୁମେ l ତୁମକୁ ମୁଁ ଦେଖିଲେ କାହିଁକି କେଜାଣି ମୋ ମନରେ ଏକ ପଵିତ୍ର ଭାବନା ଜାଗ୍ରତ ହେଇଯାଏ ହୃଦୟର କୋଉ ଏକ କୋଣରୁ l ଭଲପାଇବା ଟା କଣ......।"


                ଲୋ ରାଣୀ, ରାଣୀ କେତେବେଳୁ ତୁ ସେଇ ଘରକୁ ସଫା କରୁଛୁ କହି ଘରକୁ ପଶିଆସିଲେ ମା ପାର୍ବତୀ ଦେବୀ l ହାତରେ ଧରିଥିବା ଚିଠି ଟିକୁ ଲୁଚାଇ ଦେଇ ରାଣୀ ନିଜ ହୃଦ ସ୍ପନ୍ଦନକୁ କାବୁ କରି, ନାଇଁମ ମା ଦେଖୁନ ଏଇ ଘରଟା କେତେ ଅସନା ହେଇଛି l ଏଇ ଲକଡାଉନ ରେ ବସି ବସି ସଫା କଲେ ଯାଇ ସରିବ l ନହଲେ କି ଅସନା ଲୋ ମା, ଏଠି ତ ଯମ ବି ଆସିବାକୁ ଡରିବ l ହଉ ହଉ ସେତିକି ଥାଉ ତୋର ସେଇ ବାହାସପଟା କଥା ଚାଲ ଖାଇବୁ l ଘରେ କିଏ ରହୁଛି ଯେ ଘର ସଫା କରିବ l ତୁ ଆଉ ତୋ ଭାଇ ଦୁଇ ଜଣ ଯାକ ତ ବାହାରେ ରହିଲ l କେବେ ଟିକେ ଆସି ଦେଖିଯାଉଛ ବୁଢା ବାପା ମା କୁ l ସେ ସୁଯୋଗ ବି ଆସିବାକୁ ମାସ ମାସ ଧରି ଆଖି ଅନେଇବସିଥାଏ l ଏ ଘର କିଏ ସଫା କରିବ? ତୁମ ଦୁଇ ଜଣକୁ ଅନାଇ ଅନାଇ ମୋ ଆଖି ରୁ ବି ଦୃଷ୍ଟି କମିଗଲାଣି l ତୋ ବାପାଙ୍କର high bp, ସୁଗାର l ଧନ୍ୟବାଦ ସେଇ ଲକଡାଉନ କେତେ ବର୍ଷ ପରେ ତୁମ ଦୁଇ ଜଣକୁ ଏତେ ଦିନ ପାଖରେ ପାଇ ମରିଯାଉଥିବା ଜୀବନରେ ନୂତନ ଜୀବନ ଉଜବିତ ହେଇଛି କହି ଆଖିରୁ ଦୁଇ ଟୋପା ଲୁହ ଗଡି ଗଲା ପାର୍ବତୀ ଦେବୀଙ୍କର l ମା ଙ୍କୁ କୁଣ୍ଢାଇ ପକାଇ ହଉ ମା ଚାଲ ଖାଇବା, ଏଥର ମୁଁ ଆମେରିକା ଗଲା ବେଳେ ତୁମ ଦୁଇ ଜଣକୁ ଯେମିତି ବି ହେଲେ ଯିବାକୁ ପଡିବ ଆଉ ବାହାନା ଚଳିବନି l


       ରାଣୀ ବନାମ ରାଧିକା ପଟ୍ଟନାୟକ ସ୍ଵାମୀଙ୍କ ସହ ଆମେରିକାରେ ରହେ, ଭାଇ ଭାଉଜ ବାଙ୍ଗାଲୋରରେ, ଘରେ କେବଳ ବାପା ମା, ଯେତେ ଡାକିଲେ ବି ସେମାନେ ନିଜ ଗାଁ ଛାଡି ଯିବାକୁ ନାରାଜ l ଏବେ ସୁଯୋଗକୁ ରାଣୀ ଗାଁ କୁ ଆସିଥିଲା ଆଉ ଲକଡାଉନ ହେଇଯାଇଛି, ତେଣୁ ଏତେ ବର୍ଷ ପରେ ନିଜ ମାଟିରେ ଏତେ ଲମ୍ବା ସମୟ ରହିବାର ଖୁସି ତାକୁ ମିଳିଛି l ରାଣୀ ଆଜି ପୁରୁଣା ରୁମର ତାଜା ଉପର ସଫା କରୁ କରୁ ତାର ସେଇବକଲେଜ ବେଳର ବ୍ୟାଗଟି ପାଇଛି ଯେଉଁଥିରେ ତାର କଲେଜ ବେଳର ଅନେକ ସ୍ମୃତି ସାଇତା ହେଇ ରହିଛି l ହେଲେ ଏ ଚିଠି କିଏ ଦେଇଥିଲା ? କଣ ସେଇ ଅନିରୁଦ୍ଧ ଦେଇଛି ନା ନା ସେ ତ କେବେ ଏମିତି ଚିଠି ଦେଇପାରିବନି ତାହାଲେ ଦେଇଛି କିଏ ? ଏମିତି ଅନେକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଥାଏ ହେଲେ ଚିଠି ଟିକୁ ସମସ୍ତଙ୍କ ଆଗରେ ଖୋଲି ପଢିବାକୁ ସତ ସାହସ ନଥାଏ l ରାଣୀ ଖୋଜୁଥାଏ ଗୋଟେ ମୌକା ଚିଠି ଟିକୁ ପଢିବା ପାଇଁ l ହୁ ହୁ ତାତି ଟାରେ ଦେହର ଗରମ କୁ ପୁଣି ମନ ଭିତରେ ଏ ବିଭ୍ରାନ୍ତ l ଫ୍ୟାନ ଘୁରୁଛି ଫ୍ରିଜ୍ ଚାଲୁଛି, କାନ୍ଥରେ ଝୁଲିଥିବା ଘଣ୍ଟାର ଟିକ ଟିକ ଶବ୍ଦ ଶୂନଶାନ ଖରାବେଳର ଧ୍ୟନି ସାଜି ଅତୀତକୁ ରୋମାନ୍ଥିତ କରୁଛି l ଅନିରୁଦ୍ଧ, ଅନିରୁଦ୍ଧ ଓଃ ପୁଣି ସେ ସ୍ମୃତିରେ ଯାହାକୁ ସେ ଅତୀତରେ ଛାଡି ଜୀବନରେ ଆଗକୁ ଯିବାକୁ ପ୍ରତିଶୃତି ବଦ୍ଧ ସେ ଆଜି ସ୍ମୃତିର ପରଦାରେ ନାଚି ଯାଉଛି l


     ଅନିରୁଦ୍ଧ ରାଣୀ ଜୀବନର ଗୋଟିଏ ଅଧ୍ୟାୟ l ସ୍କୁଲ ସମୟରୁ ଦୁହେଁ ବନ୍ଧୁ l ଅନିରୁଦ୍ଧ ଆଉ ରାଣୀ ଶ୍ରେଣୀର ଟପ ସ୍ଟୁଡେଣ୍ଟସ l ଦୁହିଁଙ୍କ ବନ୍ଧୁତାର ନିବିଡ଼ତା ଦେଖି ଯେ କେହିନା କହିଁକି ଟିକେ ଇର୍ଷା କରିବ l ଦୁଇଜଣ ସତେଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ l ପାଠଶାଠ ଖେଳକୁଦ ସବୁଥିରେ ଅଲରାଉଣ୍ଡର l ଦୁଇଜଣକ ବନ୍ଧୁତା ଘର ଲୋକଙ୍କୁ ବି ଅଛପା ନଥିଲା l ସ୍କୁଲ ସାରି କଲେଜରେ ପାଦ ଦେଲେ ଦୁଇଜଣ l କିନ୍ତୁ ବିଧିର ବିଧାନ ଅନିରୁଦ୍ଧ ରାଜଧାନୀ ପଳେଇଲା ଘରୋଇ କଲେଜରେ ପଢିବା ପାଇଁ, ଆଉ ରାଣୀ ଗାଁ କଲେଜରେ l ଧୀରେ ଧୀରେ ରାଣୀ ଅନୁଭବ କରିପାରିଲା କି ତାର ବନ୍ଧୁତା ଏବେ ପ୍ରେମର ଶିଖର ରେ ପହଁଚିଯାଇଛି l ଅନିରୁଦ୍ଧ ବି ମଝିରେ ମଝିରେ ଚିଠି ଲେଖେ, ପଢା ପଢି ପାଇଁ ନୋଟସର ସାହାଯ୍ୟ ବି କରେ, କିନ୍ତୁ କେବେ ବି ସେ ରାଣୀ ଅପେକ୍ଷା କରିଥିବା ପ୍ରେମ ନିବେଦନ କରେନି l ସେମାନଙ୍କ ବନ୍ଧୁତା ବାସ ବନ୍ଧୁତାରେ ହିଁ ରହିଗଲା ଯେଉଁଦିନ ରାଣୀର ବାହାଘର ହେଇଗଲା ଆମେରିକାରେ ସଫ୍ଟୱୟାରରେ ଚାକିରି କରିଥିବା ଆକାଶ ମହାନ୍ତିଙ୍କ ସହ l ବାସ ରାଣୀ ବି ସେବେଠୁ ନିଜକୁ ପ୍ରତିଶୃତି ଦେଇଛି କି ସେ କେବେବି ଆଉ ଅନିରୁଦ୍ଧକୁ ମନେପକାଇବନି l


             ହେଲେ ଏତେ ବର୍ଷ ପରେ ଏଇ ଚିଠି....ତାହାଲେ କଣ ଅନିରୁଦ୍ଧ ବି ମୋତେ ସେତିକି ଭଲପାଉଥିଲେ ଯେତିକି ମୁଁ ତାଙ୍କୁ.......... ମୁଁ କଣ ମୋ ନିଜ ଗୋଡ଼ରେ କୋରାଢ଼ୀ ମାରିଛି l ଆଖିରୁ ଝରି ଆସିଛି ଲୁହ l ବାସ ଏକ ନିରୋଳା ମୁହୂର୍ତ୍ତର ସୁଯୋଗରେ ଚିଠି ଟିକୁ ଖୋଲିଛି ରାଣୀ, ହୃଦୟର କୋହ ଜକେଇ ଆସୁଛି, ଆଜି ବି ଏଇ ବୟସରେ ପ୍ରେମ ଚିଠିକୁ ନିରିଖେଇ ପଢୁଛି ରାଣୀ


             " ମୋ ମନର ମାନସୀ ତୁମେ l ତୁମକୁ ମୁଁ ଦେଖିଲେ କହିଁକି କେଜାଣି ମୋ ମନରେ ଏକ ପବିତ୍ର ଭାବନା ଜାଗ୍ରତ ହେଇଯାଏ ହୃଦୟର କୋଉ ଏକ କୋଣରୁ l ଭଲପାଇବା ଟା କଣ ପାପ l ଯଦିବି ପାପ ତାହାଲେ ସେ ପାପ କରି ମୁଁ ତୁମ ପାଇଁ ନର୍କ ବି ଯିବାକୁ ପ୍ରସ୍ତୁତ l ଥରଟିଏ ତୁମେ ବୁଝିବାକୁ ଚେଷ୍ଟା କର ମୋ ହୃଦୟର କଥା l କଣ ତୁମ ପାଇଁ ତୁମ ଜାତିଟା ପ୍ରଥମ l ଆଉ ମୋ ଭଲପାଇବା କଣ ଏଇ ସାମାନ୍ୟ ଜାତି ପାଇଁ ତୁଚ୍ଛ l ମନେରଖ ଶ୍ରାବଣୀ ତୁମେ ଯେତବେଳେ ଯାଏ ଏଇ ସାମାଜିକ ପ୍ରଥା ପାଇଁ ମୋ ଭଲପାଇବାକୁ ଏଡ଼ାଇଦେବ, ତୁମ ଭଳି ଅନେକ ଶ୍ରାବଣୀ ଏଇ ପ୍ରଥା ପାଇଁ ନିଜକୁ ପଛଗୁଞ୍ଚା ଦେବେ l କେହି ନା କେହି ଶ୍ରାବଣୀକୁ ପ୍ରଥା ବିରୁଦ୍ଧରେ ସ୍ୱର ଉଠେଇବାକୁ ପଡିବ l ମୁଁ ତୁମ ଅପେକ୍ଷାରେ


                                     ଇତି ସମର "


    


   ଚିଠି ଟିକୁ ପଢି ଠୋ ଠୋ କରି ହସିବାକୁ ଲାଗିଲା ରାଣୀ l ଆରେ ଏ ଚିଠିଟା ମୋ କଲେଜ ଫ୍ରେଣ୍ଡ ଶ୍ରାବଣୀ ପାଇଁ ତା ବୟଫ୍ରେଣ୍ଡ ସମର ମୋତେ ଦେଇଥିଲା l ସେଇଟା ମୋ ପାଖରେ ଆଜି ଯାଏ ରହିଯାଇଛି l ଆଉ ମୁଁ ହାହାହା..... ଆଜି ବି ଅନିରୁଦ୍ଧକୁ ଅପେକ୍ଷା... ଏ ବୟସରେ ଏ କଥା ଗୁଡାକ, କିଏ ଜାଣିଲେ ମୋତେ କଣ ଭାବିବେ ମ !


                                 


Rate this content
Log in

Similar oriya story from Comedy